ଯୁଦ୍ଧ ଓ ଶାନ୍ତି

 

 

 

 

 

 

 

 

 

 

 

ଯୁଦ୍ଧ ଓ ଶାନ୍ତି

ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

‘‘ଆନନ୍ଦ ଲହରୀ’’ ଔପନ୍ୟାସିକ

ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କୁ

 

ସୂଚୀପତ୍ର

 

୧.

ଯୁଦ୍ଧ ଓ ଶାନ୍ତି

ଲିଓ ଟଲଷ୍ଟୟ

୨.

ଅକ୍ଷମ ଜୀବନ

ତ୍ରିପୁରାନେନି ଗୋପିଚାନ୍ଦ

୩.

ମାନବ ତନୟ

ଲିଓ ଓୟାଲେସ୍‌

Image

 

ଷଷ୍ଠ କୋଠରୀ

 

‘‘ଯୁଦ୍ଧ ଓ ଶାନ୍ତି’’ ! ଯୁଦ୍ଧ ପରେ ଶାନ୍ତି, ନା ଶାନ୍ତି ପରେ ଯୁଦ୍ଧ ? ଏପରି ଏକ ବିତର୍କିତ ବିଷୟ ଉପରେ ଅଯଥା ସମୟ ନଷ୍ଟ ନ କରି ଧରି ନିଆଯାଉ ଯେ ସାଧାରଣତଃ ଦୁନିଆରେ ଭୟାବହ ରକ୍ତକ୍ଷୟୀ ସଂଗ୍ରାମ ପରେ ଶାନ୍ତି ପ୍ରତିଷ୍ଠିତ ହୋଇଥାଏ । ବିଶ୍ୱ ଶାନ୍ତିର ଅନ୍ୟତମ ଅଗ୍ରଦୂତ ମହର୍ଷି ଲିଓ ଟଲଷ୍ଟୟ ନିଜର ଶକ୍ତିଶାଳୀ ଲେଖନୀ ବଳରେ କେବଳ ସୋଭିୟେଟ ଋଷିଆର ନୁହେଁ, ସମଗ୍ର ମାନବ ଜାତିକୁ ନରମେଧ ଯଜ୍ଞରୁ କ୍ଷାନ୍ତ ହେବାକୁ ବଜ୍ର ଗମ୍ଭୀର ଆହ୍ୱାନ ଦେଇଥିଲେ । ଦେଢ଼ ହଜାର ପୃଷ୍ଠାର ମହାନ ଗ୍ରନ୍ଥ ‘‘ଯୁଦ୍ଧ ଓ ଶାନ୍ତି’’ ପ୍ରାୟ ଶହେ ବର୍ଷତଳେ ଲିଖିତ ହୋଇଥିଲା । ଉପନ୍ୟାସଟିର ମୂଳରୁହିଁ ସୂଚନା ମିଳେ ଯେ ଏହି ଐତିହାସିକ ଦଲିଲଟି ହେଉଛି ଏକ ଅତି ଉଚ୍ଚକୋଟିର ଯୁଗୋପଯୋଗୀ କଳାର ମହନୀୟ କୃତି । ପୀଡ଼ାଦାୟକ ତଥା ସୁଖକର ଅଭିନିବେଶ ଓ ଉଦ୍ଦୀପନା ଭିତରେ ଦୀର୍ଘ ସାତବର୍ଷ କାଳ ଏହି ବିରାଟ ଉପନ୍ୟାସ ରଚନାରେ ମନୋନିବେଶ କରି ଟଲଷ୍ଟୟ ଏଥିରେ ନିଜେ ଉପସ୍ଥାପିତ କରିଥିବା ସମସ୍ୟାଗୁଡ଼ିକୁ ନିଜ ଦୃଷ୍ଟିକୋଣରୁ ସମାଧାନ କରିଛନ୍ତି । ସେ ଯାହାକୁ ସତ୍ୟ ବୋଲି ବିବେଚନା କରିଛନ୍ତି ତାହାକୁ ଧୀରେ ଧୀରେ ପର୍ଯ୍ୟାୟ କ୍ରମେ ଦକ୍ଷତା ସହକାରେ ଉଦଘାଟନ କରିଛନ୍ତି ।

 

ସମ୍ରାଟ ନେପୋଲିୟନଙ୍କର ଋଷିଆ ଆକ୍ରମଣ ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ କାହାଣୀ ହେଉଛି ଆକାରରେ ମହାଭାରତ ପ୍ରମାଣ ମହାଗଦ୍ୟ କାବ୍ୟ ‘‘ଯୁଦ୍ଧ ଓ ଶାନ୍ତି’’ର ମୂଳ ପ୍ରବାହର ଉପଜୀବ୍ୟ ବସ୍ତୁ । ଉପନଦୀ ପରେ ତାହା ସହିତ ଆସି ମିଶିଛି ତିନି ସମ୍ରାଟଙ୍କର କାର୍ଯ୍ୟକଳାପ, ଅଭିଜାତ ସମାଜର ମହତ୍ୱ, ବିଶିଷ୍ଟ ଓ ଦୁର୍ବଳ ଚରିତ୍ର, କୃଷକ ତଥା ଶ୍ରମିକ ଗୋଷ୍ଠୀର ଦୈନ୍ୟ, ଅଶିକ୍ଷା ଓ ନିଃସହାୟତାର କରୁଣ ଦୃଶ୍ୟ ଏବଂ ସର୍ବୋପରି ରଣ ନାୟକମାନଙ୍କର ପାରମ୍ପରିକ ଶିକ୍ଷା ଦ୍ୱେଷରୁ ଉଦ୍ଭୁତ ଆତ୍ମଘାତୀ ବିରୋଧର କାହାଣୀ । ଅନ୍ୟ ଦିଗରେ ସେହି ମୂଳ ପ୍ରବାହରୁ ମଧ୍ୟ ଶାଖା ନଦୀ ପରି ବାହାରି ଯାଇଛି ବିଭିନ୍ନ ସ୍ତରର କେତେକ ଜୀବନ୍ତ ଚରିତ୍ରର ବ୍ୟକ୍ତିଗତ ଓ ପାରିବାରିକ ଜୀବନ କଥା–ବୋରିସ, ବଲକନସ୍କି, ରଷ୍ଟଭ, ପିୟେର, ଆନ୍ଦ୍ରେ, ଡେଲୋହଭ, କୁଟୁଜଭ, ନାଟାଶା, ସୋନିୟା, ମାରିୟା, ପ୍ରଭୃତି–ଯେଉଁମାନଙ୍କୁ କେନ୍ଦ୍ର କରି ଖଣ୍ଡିଏ ଲେଖାଏଁ ପୂର୍ଣ୍ଣାଙ୍ଗ ଉପନ୍ୟାସ ଅନାୟାସରେ ଲେଖା ଯାଇପାରେ ।

 

ଯୁଦ୍ଧ ଅତି ଭୟାବହ ବୋଲି ଟଲଷ୍ଟୟ ବାରମ୍ବାର ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ-। ସେ ଜୀବନକୁ ଏକାନ୍ତ ଭଲପାଉଥିଲେ । ତାଙ୍କର ଉପନ୍ୟାସରେ ବର୍ଣ୍ଣିତ ଯୁଦ୍ଧରେ ଲିପ୍ତ ଚରିତ୍ରମାନେ ମଧ୍ୟ ଜୀବନକୁ ଭଲପାଉଥିଲେ । ‘‘ଯୁଦ୍ଧ ଓ ଶାନ୍ତି’’ ଉପନ୍ୟାସରେ ଶ୍ରେଷ୍ଠ ଟଲଷ୍ଟୟ ବାଦୀ ନାୟକ ପିୟେର ବେଜୁଖର କହିଥିଲେ–‘‘ଜୀବନ ଥିଲେ ସୁଖ ଅଛି’’ । ଏହି ପ୍ରବଚନର ସଂକ୍ଷିପ୍ତ ଉକ୍ତି ଭିତରେହିଁ ମହାପୁରୁଷ ଟଲଷ୍ଟୟଙ୍କର ମୁଖ୍ୟ ସତ୍ୟ ନିହିତ ଅଛି ।

 

ଯୁଦ୍ଧ ଓ ଶାନ୍ତି–ମାନବ ଜୀବନର ଦୁଇଟି ବିଭବ ଉପନ୍ୟାସର ପ୍ରାଞ୍ଜଳ ଓ ତାତ୍ପର୍ଯ୍ୟପୂର୍ଣ୍ଣ ଦୃଶ୍ୟଗୁଡ଼ିକରେ ପ୍ରତିଫଳିତ ହୋଇଛି । ବିଭିନ୍ନ ଘଟଣାବଳୀରେ ସମପରିମାଣରେ ଉଚ୍ଚ ଆଧ୍ୟାତ୍ମିକ ମୂଲ୍ୟବୋଧ ଅଛି, ଯେହେତୁ ପ୍ରତ୍ୟେକଟିରେ ତତ୍ ନିହିତ ଅର୍ଥ ଅତିଶୟ ପୂର୍ଣ୍ଣମାତ୍ରାରେ ପ୍ରକାଶିତ–ସେଗୁଡ଼ିକ ଯୁଦ୍ଧ କି ଶାନ୍ତିକୁ ବୁଝାଉଥାଉ, ନଚେତ୍ ଐତିହାସିକ ହୋଇଥାଉ କିମ୍ବା ବଂଶପରମ୍ପରା ସହିତ ଜଡ଼ିତ ଥାଉ ।

 

ବାସ୍ତବିକ ବିଶ୍ୱବିଖ୍ୟାତ ବିରାଟ ଉପନ୍ୟାସ ‘‘ଯୁଦ୍ଧ ଓ ଶାନ୍ତି’’ରେ ଘଟଣାଗୁଡ଼ିକ ସାଧାରଣ ଭାବରେ ବର୍ଣ୍ଣିତ ହୋଇ ନାହିଁ କିମ୍ବା ଲୋକେ ନିଜର ସୁଖ ନିମନ୍ତେ ଯେଉଁ ଉପାୟରେ ସଂଗ୍ରାମ ଚଳାଇଥିଲେ ସେ ସବୁର ଚିତ୍ରଣ ନାହିଁ । ଏକଦା ଜନ–ଜୀବନରେ କ’ଣ ଘଟିଥିଲା,ଏହା ତାହାର ବିଶଦବିବରଣୀ । ସେଥିପାଇଁ ବହିଟି ଉଲ୍ଲେଖନୀୟ ସମଷ୍ଟିମୂଳକ ହୋଇଛି । ସତ୍ୟଦ୍ରଷ୍ଟା ଟଲଷ୍ଟୟଙ୍କ ମତରେ, ଦିନେ ଯେଉଁ ଲୋକମାନେ ବିଜୟର କାରଣ ହୋଇଥିଲେ, ସେମାନଙ୍କର ଆନ୍ତରିକ ସଂକଳ୍ପ ବା ଆତ୍ମ–ଚେତନାର ସମଷ୍ଟିରେ ଏହାର ଐକ୍ୟ ଚମତ୍କାର ଭାବରେ ଗ୍ରଥିତ ହୋଇଛି ।

 

‘‘ଯୁଦ୍ଧ ଓ ଶାନ୍ତି’’ ହେଉଛି ଏକ ଉଲ୍ଲେଖଯୋଗ୍ୟ ସମକାଳୀନ ପୁସ୍ତକ ଏବଂ ବିଶ୍ୱର ଦଶ ଖଣ୍ଡ ଶ୍ରେଷ୍ଠ ଉପନ୍ୟାସ ମଧ୍ୟରୁ ଅନ୍ୟତମ । କହିପାରେ, ଏପରିକି ଆନୁମାନିକ କେଉଁ ଭବିଷ୍ୟ କାଳରେ ଏହାର ନାୟକମାନଙ୍କର ତଥା ଆଧୁନିକ ଯୁଗର ବ୍ୟକ୍ତିମାନଙ୍କର ଚିନ୍ତା–ଧାରା ଭିତରର ଯୋଗାଯୋଗ ଉଭେଇ ନ ଯିବ ? ମାତ୍ର ‘‘ଯୁଦ୍ଧ ଓ ଶାନ୍ତି’’ର ଅଧିକାଂଶ ଅଭିଜ୍ଞତା କଦାପି ଉଭେଇ ଯିବ ନାହିଁ–ଯଥା, ଭଲମନ୍ଦର ଧାରଣା, ଜନତା ଓ ଜାତି ସମୂହର ସଂହତି, ବ୍ୟକ୍ତିଗତ ଓ ସର୍ବସାଧାରଣ ମାନବିକ ସୁଖ । ଏହାର ବହୁ ବକ୍ତବ୍ୟ ଇତିହାସର ଅଭିଜ୍ଞତା ଭାବରେ ପୁରୁଷାନୁକ୍ରମେ ଆଗ୍ରହପଦ ହୋଇ ରହିବ । ଏହି ସାହିତ୍ୟ–ରଥୀଙ୍କ କର୍ମ କୁଶଳତାର ଗୋଟିଏ ଗୁପ୍ତ ସୂତ୍ର ହେଉଛି, ଟଲଷ୍ଟୟ ନିଜ ଜୀବନର ସୂକ୍ଷ୍ମ ପର୍ଯ୍ୟବେକ୍ଷଣଗୁଡ଼ିକ ଏପରି ଦକ୍ଷତା ସହକାରେ ସାଧାରଣ ଭାବରେ ଉପସ୍ଥାପିତ କରିଛନ୍ତି, ଯାହାଦ୍ୱାରା ଉପନ୍ୟାସରେ ବର୍ଣ୍ଣିତ ଘଟଣାବଳୀ ପାଠକଙ୍କ ସାମ୍ନାରେ ନିଜର ଅଭିଜ୍ଞତାର ଅଙ୍ଗରୂପେ ପ୍ରତିଫଳିତ ହୁଏ । ଏହାହିଁ ହେଉଛି କାହାଣୀର ଅବତାରଣ କଳାର ସିଦ୍ଧି ।

 

ଉଦାହରଣତଃ, ମସ୍କୋ ହୁ ହୁ ହୋଇ ଜଳୁଥିଲାବେଳେ, ପିୟେର ନେପୋଲିୟନଙ୍କୁ ହତ୍ୟା କରିବା ପାଇଁ ମନେ ମନେ ପାଞ୍ଚୁ ଥିଲା, କିନ୍ତୁ ତାହା ପରିବର୍ତ୍ତେ ସେ ଜଣେ ଝିଅର ଜୀବନ ରକ୍ଷା କଲା । ଏହା ଘଟଣାରେ କି ବିଶ୍ୱ–ଦର୍ଶନ ନିହିତ ଅଛି ! କିମ୍ବା ରୁଷୀୟ କୃଷକର ସରଳତା ଓ ସତ୍ୟବାଦିତା ପ୍ରତି ପିୟେରର ଶ୍ରଦ୍ଧା କଥା ଧରାଯାଉ । କାବ୍ୟମୟୀ ନାଟାଶା ଓ ବୋକା କୁର୍ଗିନଙ୍କ ଭିତରେ କେଉଁଥିରେ ମେଳ ଥିଲା ? ଉପରକୁ ଜଣାଯାଉଛି ସେମାନଙ୍କର ମିଳନ ଜୀବନରେ ଏକ ନିରର୍ଥକ ଦୁର୍ଘଟଣା ମାତ୍ର । ବାସ୍ତବିକ, ଯାହାହେଉ, ଏଥିରେ ଏକ ସାମୂହିକ ଦର୍ଶନ ନିହିତ ଅଛି ।

 

୧୫୦ ବର୍ଷତଳର ଉପରେ ତିନୋଟି ଘଟଣା ଯେଭଳି ଚିତ୍ରିତ ହୋଇଛି, ଆଜି ମଧ୍ୟ ତାହାର ପାଠକକୁ ଗଭୀର ଭାବରେ ଆନ୍ଦୋଳିତ କରିବାର ଶକ୍ତି ରହିଛି ।

 

ଟଲଷ୍ଟୟଙ୍କର ଶ୍ରେଷ୍ଠ ଉପନ୍ୟାସ ‘‘ଯୁଦ୍ଧ ଓ ଶାନ୍ତି’’ ରୁଷିଆର ଜାତୀୟ ସଂସ୍କୃତିର ଗର୍ବ ଓ ଗୌରବର ଧନ । ଏହି ମହାଗ୍ରନ୍ଥ କିପରି ଲିଖିତ ହୋଇଥିଲା ତାହା ଅନୁଧ୍ୟାନ କଲେ ଋଷି ପ୍ରତିମା ଟଲଷ୍ଟୟଙ୍କର ସୁଗଭୀର ମନନ ଓ ସନ୍ଧାନର, ଐତିହାସିକ ତଥ୍ୟାଦି ଅଧ୍ୟୟନରେ ବୈଜ୍ଞାନିକ ଅଧ୍ୟବସାୟର, ଦିଗନ୍ତ ବିସ୍ତାରୀ ସୃଷ୍ଟି ଧର୍ମୀ କଳ୍ପନାର, ତତ୍କାଳୀନ ସମାଜ ଜୀବନର ସୁତୀକ୍ଷ୍‍ଣ ପର୍ଯ୍ୟବେକ୍ଷଣର ତଥା ଅତୀତର ଅଲୌକିକ ଉପଲବ୍‍ଧିର ପରିଚୟ ମିଳେ । ଏହିସବୁ ଗୁଣ ଯୋଗୁଁ ସେ ଐତିହାସିକ ଘଟଣାଗୁଡ଼ିକୁ ବର୍ଣ୍ଣିତ କାଳର ସାମାଜିକ ଚିତ୍ର ଭିତରେ ନିପୁଣତା ସହକାରେ ଫୁଟାଇ ପାରିଥିଲେ ।

 

ପୃଥିବୀର ଲେଖକମାନଙ୍କଦ୍ଵାରା ବାଇବେଲରୂପେ ପରିଗଣିତ ‘‘ଯୁଦ୍ଧ ଓ ଶାନ୍ତି’’ ଉପନ୍ୟାସ ରଚନାରେ ଟଲଷ୍ଟୟଙ୍କର ଅକ୍ଳାନ୍ତ ପରିଶ୍ରମର ପରିଚୟ ସ୍ଵଲିଖିତ ପାଞ୍ଚ ହଜାରରୁ ଅଧିକ ପୃଷ୍ଠାର ପାଣ୍ଡୁଲିପିରୁ ମିଳେ–ସେଥିରେ ଅଗଣିତ ସଂଶୋଧନ ଅଛି, ଆଉ ଉପନ୍ୟାସର ଆରମ୍ଭ କିପରି କରିବାକୁ ହେବ ସେ ସମ୍ପର୍କରେ ପ୍ରାୟ ପନ୍ଦର ରକମର ବିଭିନ୍ନ ଧରଣର ଲେଖା ଦେଖାଯାଏ-। ତାଙ୍କର ଅଭୁତପୂର୍ବ ସୃଜନଶୀଳ ପ୍ରତିଭା ଥିଲା । ଷାଠିଏବର୍ଷର ଅଲୌକିକ ଅଭିଜ୍ଞତା ଓ ଅଦମ୍ୟ କର୍ମଠ ଶକ୍ତି ବଳରେ ତାଙ୍କର ଏହି ଉଚ୍ଚାଙ୍ଗ ସାହିତ୍ୟକୃତିରେ ପ୍ରକଟିତ ହୋଇଛି ନିଜର ମୁଖ୍ୟ କାବ୍ୟିକ ଚିନ୍ତନ–ଲୋକମାନଙ୍କ ଭିତରେ ସହଯୋଗ ଓ ଏକତାର ପ୍ରୟୋଜନୀୟତା । ସତ୍ୟସନ୍ଧ ଟଲଷ୍ଟୟ ସ୍ପଷ୍ଟ ଭାବରେ ଜାଣିଥିଲେ ଯେ ମାଟିର ମଣିଷ କ’ଣ ଚାହେଁ । ନିଜର ଅକ୍ଷୟ କୀର୍ତ୍ତି ସମ୍ବନ୍ଧରେ–ଟଲଷ୍ଟୟ କହିଥିଲେ–‘‘ଯେଉଁ ଚିନ୍ତନରେ ମହତ କାର୍ଯ୍ୟାବଳୀ ସାଧିତ ହୁଏ, ସେସବୁ ସଦାବେଳେ ସରଳ । ମୋର ଚିନ୍ତନ ହେଉଛି, ଯଦି ମନ୍ଦ ଲୋକେ ପରସ୍ପର ସହିତ ମିଳିମିଶି ଏକ ଶକ୍ତି ଗଠନ କରନ୍ତି, ତାହା ହେଲେ ସାଧୁ ଲୋକମାନଙ୍କର ମଧ୍ୟ ତାହା କରିବା ଉଚିତ-। ଏହା ଅତି ସରଳ ।’’

 

ବହୁ ଔପନ୍ୟାସିକଙ୍କ ମଧ୍ୟରୁ ଦାନବରୂପୀ ଲେଖକ ଟଲଷ୍ଟୟ ଇତିହାସକୁ ଉପନ୍ୟାସ ଜରିଆରେ ସଫଳତା ସହକାରେ ବ୍ୟାଖ୍ୟା କରିଛନ୍ତି । ସେ ଇତିହାସକୁ ଏକ ଗତିଶୀଳ ଶକ୍ତି ଭାବରେ ଲକ୍ଷ୍ୟ କରିଥିଲେ ଏବଂ ଇତିହାସର ଘଟଣା ବହୁଳ ପୃଷ୍ଠାକୁ ସୁକୌଶଳରେ ପ୍ରାଞ୍ଜଳ ଓ ଜଟିଳ ମାନବିକ ଦଲିଲ ଆକାରରେ ପୁନର୍ଲେଖନ କରିଥିଲେ । ଏହି ଉପନ୍ୟାସରେ ଅତିଶୟ ମୋହିତ ହୋଇ ଜବାହାରଲାଲ ନେହେରୁ କହିଥିଲେ–‘‘ଆମେ ତାଙ୍କର ମତ କିମ୍ବା ବିଚାର ସହିତ ଏକମତ ହୋଇପାରୁ କି ନ ପାରୁ । କିନ୍ତୁ ଯଦି ଆମେ ତାହାଙ୍କ ସମ୍ବନ୍ଧରେ ଚିନ୍ତା କରିବା, ତାହାହେଲେ ତାହାଙ୍କ ମହତ୍ୱର କାଣିଚାଏ ହେଲେ ଆମ ଉପରେ ପଡ଼ିବ ଏବଂ ଆମେ ଯେତିକି ଡେଙ୍ଗା ଅଛୁ ଆମକୁ ଆଉ ଟିକିଏ ଡେଙ୍ଗା କରିଦେବ । ସେହି ଋଷି ପ୍ରତିମା ରୁଷୀୟ ଲେଖକ ନିଜର ମହାନ କ୍ଷମତା ଓ ସୌନ୍ଦର୍ଯ୍ୟର ଭାଷାରେ କେବଳ ଏକ ସମଗ୍ର ପୁରୁଷର ଅଭିଜ୍ଞତା ବ୍ୟକ୍ତ କରିନାହାନ୍ତି, ଯୁଗ ଯୁଗର ଯାତନା ମଧ୍ୟ ପ୍ରକାଶ କରିଛନ୍ତି । ମୁଁ ତାହାଙ୍କୁ ସ୍ମରଣ କଲାମାତ୍ରେ, ଜଣେ ଶକ୍ତିଧର ପୁରୁଷ ମୋ ଆଖିଆଗରେ ଆବିର୍ଭୂତ ହୁଅନ୍ତି ଏବଂ ମୁଁ ତାହାଙ୍କୁ ପ୍ରଣାମ କରେ ।’’

 

ଲେନିନ ମଧ୍ୟ ଟଲଷ୍ଟୟଙ୍କୁ ୧୯୦୫ ରୁଷୀୟ ବିପ୍ଳବର ଦର୍ପଣରୂପେ ଯଥାର୍ଥ ଭାବରେ ବର୍ଣ୍ଣନା କରିଥିଲେ । ସେ ଲେଖିଥିଲେ–‘‘ଜଣେ ଶିଳ୍ପୀରୂପେ ତାଙ୍କର ବିଶ୍ୱ ତାତ୍ପର୍ଯ୍ୟ ଓ ଜଣେ ଚିନ୍ତା ନାୟକ ଓ ପ୍ରଚାରକରୂପେ ତାଙ୍କର ବିଶ୍ୱ ଖ୍ୟାତି, ଉଭୟ ନିଜ ନିଜ ବାଟରେ, ରୁଷୀୟ ବିପ୍ଳବର ବିଶ୍ୱ ତାତ୍ପର୍ଯ୍ୟରେ ପ୍ରତିଫଳିତ ହୋଇଛି ।’’

 

ଟଲଷ୍ଟୟଙ୍କର ଜୀବନକାଳ ମଧ୍ୟ ଭାରତର ମହାଜାତୀୟ ଜାଗରଣର ଏକ ପର୍ଯ୍ୟାୟ ସହିତ ଖାପ ଖାଏ । ସେହି ଶତାବ୍ଦୀରେ ଭାରତରେ ଏକ ନିରସ୍ତ୍ର ଜାତି ଓ ପ୍ରବଳ ପରାକ୍ରମୀ ବ୍ରିଟିଶ ଶାସକଙ୍କ ଭିତରେ ୧୮୫୭ର ସ୍ଵାଧୀନତା ସଂଗ୍ରାମ ସମେତ ବହୁ ରକ୍ତକ୍ଷୟୀ ଯୁଦ୍ଧ ହୋଇଥିଲା । ବ୍ରିଟିଶ ବିରୁଦ୍ଧରେ ଭାରତୀୟ ଜାଗରଣର ପରାଜୟ ଜନତାକୁ ନିରୁତ୍ସାହିତ କରିବା ଦୂରେ ଥାଉ, ସେମାନଙ୍କୁ ଅଧିକ ଐକ୍ୟବଦ୍ଧ ହେବାକୁ ପ୍ରେରଣା ଯୋଗାଇଥିଲା । ଏହି ରାଜନୀତିକ ଚେତନା ମହାତ୍ମା ଗାନ୍ଧୀଙ୍କ ସମେତ ବହୁ ଶକ୍ତିଶାଳୀ ଜାତୀୟ ନେତାଙ୍କୁ ରାଜନୀତିକ ମଇଦାନରେ ସମବେତ କରାଇଲି । ସେଥିପାଇଁ ଦେଶାତ୍ମବୋଧରେ ସ୍ପନ୍ଦିତ ଟଲଷ୍ଟୟଙ୍କ ପରି ଜଣେ ମହାନ ଲେଖକଙ୍କ ପ୍ରତି ମହାତ୍ମା ଗାନ୍ଧୀ ପ୍ରଶଂସା ମୁଖର ହୋଇଥିଲେ । ସେ ପ୍ରଥମେ ଟଲଷ୍ଟୟଙ୍କର ଛୋଟ ଗପସବୁ ଗୁଜୁରାଟୀ ଅନୁବାଦ କରିଥିଲେ । ତା’ପରେ ଅନ୍ୟମାନେ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କଲେ ।

 

ଊଣେଇଶ ବର୍ଷବେଳୁ ଟଲଷ୍ଟୟ ଭାରତର ଜୀବନ, ସାହିତ୍ୟ, ଧର୍ମ ଓ ଦର୍ଶନ ପ୍ରତି ଆକୃଷ୍ଟ ହୋଇଥିଲେ । ଭାଗବତ ଗୀତା ସମ୍ବନ୍ଧରେ ସେ ଲେଖିଥିଲେ–‘‘ଗୀତାର କର୍ମଯୋଗ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ । ଜୀବନରେ ମଣିଷର ପ୍ରଥମ କାର୍ଯ୍ୟ ହେଉଛି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା-।’’ ୧୯୦୯ ମସିହାରେ ସେ ଜଣେ ଭାରତୀୟ ବନ୍ଧୁଙ୍କୁ ଚିଠିରେ ଲେଖିଥିଲେ–‘‘ଗୋଟିଏ ବ୍ୟବସାୟ କମ୍ପାନୀ ୨୦ କୋଟି ଲୋକଙ୍କୁ ଦାସତ୍ୱର ଶୃଙ୍ଖଳରେ ବାନ୍ଧି ରଖିଛି, ଅର୍ଥାତ୍ ୩୦ ହଜାର ଦୁର୍ବଳ ଓ ମନ୍ଦ ଲୋକ ସେହି ଜୀବନ୍ତ ବୁଦ୍ଧିମାନ ଓ ଶକ୍ତିଶାଳୀ ସ୍ଵାଧୀନତାପ୍ରେମୀ ଲୋକଙ୍କୁ ଦାସ କରି ରଖିଛନ୍ତି ।’’ ଏହା ପାଠ କରି ମହାତ୍ମା ଗାନ୍ଧୀ ପ୍ରଥମେ ଟଲଷ୍ଟୟଙ୍କ ଠାକୁ ଚିଠି ଲେଖିଥିଲେ । ଗାନ୍ଧୀଜୀ ତାହାଙ୍କୁ ନିଜ ଯୁଗର ଶ୍ରେଷ୍ଠ ସତ୍ୟବାଦୀ ପୁରୁଷ ବୋଲି ମଣୁଥିଲେ ।

 

ପୃଥିବୀରେ ସକଳ ଦେଶର ଅଗ୍ରଗାମୀ ଲେଖକମାନେ ଟଲଷ୍ଟୟଙ୍କୁ ନିଜର ଗୁରୁ ଓ ସାହିତ୍ୟର ନେତା ବୋଲି ସବଂ ସମ୍ମତି କ୍ରମେ ସ୍ୱୀକାର କରନ୍ତି । ସେମାନେ ତାଙ୍କର ଅତୁଳନୀୟ ରଚନାବଳୀରୁ ଅଶେଷ ପ୍ରେରଣା ଲାଭ କରି ବିଶ୍ୱ ଶାନ୍ତିର ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅଗ୍ରସର ହୁଅନ୍ତି ।

 

ମନୀଷୀ, ସାହିତ୍ୟିକ ଓ ସମାଜ ସଂସ୍କାରକ ଟଲଷ୍ଟୟ ଜଣେ ବିଚିତ୍ର ଧରଣର ମଣିଷ ଥିଲେ । ତାଙ୍କର ବ୍ୟକ୍ତି ସତ୍ତା ଦ୍ୱିଧା ବିଭକ୍ତ ଥିଲା–ଏକ ଦିଗରେ ଜୈବ ପ୍ରବୃତ୍ତିର ଉଦ୍ଦାମ ପ୍ରକାଶ, ଅନ୍ୟ ଦିଗରେ ନୀତିବୋଧର ଅନୁପ୍ରେରଣା । କେତେବେଳେ ସେ ବିଳାସ ବ୍ୟସନରେ ବୁଡ଼ି ରହୁଥିଲେ ତ କେତେବେଳେ କଠୋର କୃଚ୍ଛ୍ର ସାଧନାରେ ରତ ହେଉଥିଲେ । ଅଭିଜାତ ବଂଶର ସନ୍ତାନ ହେଲେ ସୁଦ୍ଧା, ସେ ଚଷାଭୂଷାଙ୍କ ସହିତ ମିଶୁଥିଲେ, ଆମୋଦପ୍ରମୋଦକୁ ଘୃଣା କରୁଥିଲେ ଏବଂ ମାଟିକୁ ଅତି ଭଲପାଉଥିଲେ । ଚଉଦବର୍ଷବେଳେ ସେ ଥରେ ବେଶ୍ୟା ଘରକୁ ଯାଇଥିଲେ ସତ ମାତ୍ର ଯୌନ କ୍ରିୟା ପରେ ବିଛଣାରେ ପଡ଼ି ରହି ସେ ଅନୁତାପରେ କାନ୍ଦିଥିଲେ । ସେହି ଦିନରୁ ସେ ନାରୀ, ମଦ ଓ ଜୁଆ ବିରୁଦ୍ଧରେ ଆଜୀବନ ସଂଗ୍ରାମ ଚଳାଇଥିଲେ । ଅଠରବର୍ଷବେଳୁ, ସେ ପୃଥିବୀରେ ଜଣେ ସଚ୍ଚା ମଣିଷ ହୋଇ ଠିଆ ହେବାର ସ୍ୱପ୍ନ ଦେଖୁଥିଲେ । ତେଇଶବର୍ଷରେ ସେ କସାକ ସୈନ୍ୟ ବାହିନୀରେ ଯୋଗ ଦେଲେ । ସେତିକିବେଳେ ସେ ଲେଖାଲେଖି ଆରମ୍ଭ କଲେ । ୧୮୫୪ ମସିହାରେ ‘‘ସେବାଷ୍ଟୋପଲର କାହାଣୀ’’ ପ୍ରକାଶିତ ହୁଅନ୍ତେ ତାଙ୍କର ସୃଷ୍ଟିର ପ୍ରତିଭା ଉନ୍ମୋଚିତ ହେଲା । ତାହାର ୨ ବର୍ଷ ପୂର୍ବରୁ ତାଙ୍କର ପ୍ରଥମ ଉପନ୍ୟାସ ‘ଶୈଶବ’ ପ୍ରକାଶିତ ହୋଇ ସାରିଥିଲା । କ୍ରିମିୟା ଯୁଦ୍ଧରେ ସେବାଷ୍ଟେପଲର ଅବବୋଧ ସମୟରେ ସେ ସେଠାକୁ ବଦଳି ହେବାକୁ ଚାହିଁଥିଲେ । କିନ୍ତୁ ତାଙ୍କର ଗପସବୁଦ୍ୱାରା ସେ ରୁଷିଆରେ ଜଣେ ଲେଖକର ଆସନ ଲାଭ କରିଥିବାରୁ, ଜାର ନିକୋଲାସ ତାହାଙ୍କୁ ସେହି ବିପଦ କ୍ଷେତ୍ରରୁ ନେଇ ଆସିଥିଲେ । ଛବିଶିବର୍ଷ, ସେ ପିଟର୍ସବାର୍ଗରେ ପହଞ୍ଚିଲେ, ତୁର୍ଗନେଭଙ୍କ ଭଳି ବିଖ୍ୟାତ ସାହିତ୍ୟିକମାନେ ତାହାଙ୍କୁ ସ୍ୱାଗତ କଲେ । ନିଜର ପାରିବାରିକ ଜମିଦାରୀ ୟାସନାୟା ପୋଲ୍ୟାନାରେ ଥିବା କ୍ରୀତଦାସମାନଙ୍କୁ ସେ ମୁକ୍ତ କରିଦେଲେ, ନିଜେ ସେମାନଙ୍କ ସହିତ ଖେତରେ କାମ କଲେ, ଭୂ–ସଂସ୍କାର ଦିଗରେ ବ୍ରତୀ ହେଲେ, ଗରିବଙ୍କ ପାଇଁ ଗୋଟିଏ ଅବୈତନିକ ବିଦ୍ୟାଳୟ ବସାଇଲେ, ନିଜେ କିଛିଦିନ ପାଠ ପଢ଼ାଇଲେ, ଆଉ ଦେଖାଇ ଦେଲେ ଯେ ଚଷାଭୂଷାଙ୍କ ପିଲାମାନେ ଅତି ଶୀଘ୍ର ପାଠ ଧରି ପାରନ୍ତି-। ୧୮୫୭ ଓ ୧୮୬୧ ମସିହା ଭିତରେ ସେ ପଶ୍ଚିମ ୟୁରୋପରେ ତିନି ଥର ପରିଭ୍ରମଣ କରିଥିଲେ । ୧୮୬୨ ମସିହାରେ ନିଜର ଅଠରବର୍ଷ ବୟସ୍କ ସ୍ତ୍ରୀ ସୋଫିଆ ଆନ୍ଦ୍ରେୟେଭନାଙ୍କୁ ସାଙ୍ଗରେ ଘେନି ସେ ନିଜର ଜନ୍ମସ୍ଥାନ ୟାସନାୟା ପୋଲ୍ୟାନାକୁ ଫେରିଆସିଲେ । ସେ ଜୀବନର ଅବଶିଷ୍ଟ କାଳ ସେଠାରେ ଅତିବାହିତ କଲେ । ସେଠାରେ ମଧ୍ୟ ତାହାଙ୍କୁ କବର ଦିଆଯାଇଥିଲା ।

 

ୟାସନାୟା ପୋଲ୍ୟାନାରେ ଟଲଷ୍ଟୟ ସୁଖ ସ୍ଵାଚ୍ଛନ୍ଦ୍ୟରେ ଦିନ କାଟୁଥିଲେ । ଚଉଦଟି ପୁଅ ଝିଅ, ପତିଗତ ପ୍ରାଣୀ ସ୍ତ୍ରୀ । କିନ୍ତୁ ଟଲଷ୍ଟୟଙ୍କ ମନରେ ଶାନ୍ତି ନଥିଲା । ସେ ଯାହା ଚାହାନ୍ତି ତାହା ପାଉ ନଥିଲେ । ସେ ଆଭିଜାତ ଜୀବନ ପ୍ରଣାଳୀ ପରିତ୍ୟାଗ କରିଥିଲେ, ନିରାମିଷ ଆହାର କରୁଥିଲେ, ଚଷାଙ୍କ ପରି ପୋଷାକ ପିନ୍ଧୁ ଥିଲେ, ନିଜର ହାତ ତିଆରି ଜୋତା ବ୍ୟବହାର କରୁଥିଲେ, ଅତିଶୟ ମିତବ୍ୟୟିତା ଆଚରୁଥିଲେ, ଆଉ ସବୁ ସମ୍ପତ୍ତି ସ୍ତ୍ରୀର ନାମରେ ଉଇଲ କରି ଦେଇଥିଲେ । ତାଙ୍କର ନିଜର ବୋଲି କିଛି ଧନ ସମ୍ପଦ ନଥିଲା । ଏପରିକି, ସେ ନିଜ ରଚନାବଳୀର ସ୍ୱତ୍ୱ ମଧ୍ୟ ଛାଡ଼ି ଦେଇଥିଲେ । କିନ୍ତୁ ୧୮୮୧ ମସିହାରେ ସୋଫିଆ ତାହାଙ୍କୁ ବାଧ୍ୟ କରି ବହିଗୁଡ଼ିକର ସ୍ଵତ୍ୱ ଅଧିକାର କରିଥିଲେ ।

 

ସ୍ତ୍ରୀ, ପୁତ୍ର କନ୍ୟା ଓ ଆତ୍ମୀୟ ସ୍ୱଜନଙ୍କର ମାୟାବନ୍ଧନ ଭିତରେ ବୁଡ଼ି ରହିଥିଲେ ସୁଦ୍ଧା, ତାଙ୍କର ମନ ଭିତରେ ଅହରହ ଏକ ଅଦ୍ଭୁତ ନାଟକୀୟ ପରିକଳ୍ପନା ଖେଳୁଥିଲା । ତାଙ୍କର ଚିରବୈରାଗୀ ଅନ୍ତରରୁ ଏକ ଅମୃତ ସ୍ଵର ଝଙ୍କୃତ ହେଉଥିଲା–‘‘ଏଠାରେ ନୁହେଁ, ସେଠାରେ ନୁହେଁ । ଅନ୍ୟ ଠାରେ, ଅନ୍ୟ କେଉଁ ଠାରେ ।’’

 

ମହତ୍ତର ଜୀବନର ଆହ୍ୱାନ ତାହାଙ୍କୁ ଡାକୁଥିଲା । ସେ ଏକ ନୂତନ ପଥର ସନ୍ଧାନ କରୁଥିଲେ । ଦୀନ ଦୁଃଖୀମାନଙ୍କୁ ସେ ମନ ଇଚ୍ଛା ଦାନ କଲେ । ସେ ବିଚାରିଲେ, ଦୁନିଆରେ ବଞ୍ଚିବାକୁ ହେଲେ ଖାଲି ନିଜ ପାଇଁ ବଞ୍ଚିଲେ ଚଳିବ ନାହିଁ, ସମଗ୍ର ମାନବ ଜାତିର କଲ୍ୟାଣ ନିମନ୍ତେ ବଞ୍ଚିବାକୁ ହେବ ।

 

ବୟାଅଶୀବର୍ଷ ବୟସରେ ବୃଦ୍ଧ ଟଲଷ୍ଟୟ ଆପଣା ଜୀବନର ଶେଷ ଅଙ୍କ ଅଭିନୟ କରିବା ଲାଗି ସଂସାର ତ୍ୟାଗ କରି ଖୋଲା ରାସ୍ତା ଉପରକୁ ବାହାରିଗଲେ ।

 

ଶୀତର ସକାଳ । କୁହୁଡ଼ିରେ ମୁହଁ ଦିଶୁ ନଥାଏ ।

 

ମନୀଷୀ ଟଲଷ୍ଟୟ ଐତିହାସିକ ପଦ ଯାତ୍ରା ଆରମ୍ଭ କଲେ, ଦୂରରେ ଏକ ମଠ ଉଦ୍ଦେଶ୍ୟରେ ।

 

ହାଡ଼ଭଙ୍ଗା ଶୀତ । ରାସ୍ତା ଘାଟ କଠିନ ବରଫାବୃତ୍ତ । ବୃଦ୍ଧ ଏକାକୀ ଚାଲିଥିଲେ । ଶୂନ୍ୟରୁ ସେହି ଚିରନ୍ତନ ସଙ୍ଗୀତର ମୂର୍ଚ୍ଛନା ଆସି ତାଙ୍କର କାନରେ ଅହରହ ବାଜୁଥିଲା–‘‘ଯଦି ତୋ ଡାକ ଶୁଣି କେହି ନ ଆସନ୍ତି, ତେବେ ଏକଲା ଚାଲରେ ।’’

 

ଯାତ୍ରା ପୂର୍ବରୁ ସେ ସ୍ତ୍ରୀକୁ ଖଣ୍ଡିଏ ଚିଠିରେ ଲେଖିଥିଲେ–ସାଂସାରିକ ଆକର୍ଷଣ ଠାରୁ ଆହୁରି ଢେର୍‌ ବଡ଼ ଏକ ଆକର୍ଷଣ ମୋତେ ହାତଠାରି ଡାକୁଛି । ତେଣୁ ମୁଁ ଘର ଛାଡ଼ି ଚାଲିଯାଉଛି-। ଏହି ଯାତ୍ରାରେ ମୁଁ କୌଣସି ପ୍ରିୟଜନର ସଙ୍ଗ କାମନା କରୁ ନାହିଁ । ଯଦି ତାହା ହୁଏ, ତାହା ହେଲେ ସେମାନଙ୍କ ସ୍ନେହର ଆକର୍ଷଣ ମୋତେ ଦୁର୍ବଳ ଓ ପଙ୍ଗୁ କରିଦେବ । ତୁମେ କି ପୁଅ ଝିଅମାନେ ମୋତେ କେହି ଅନ୍ୱେଷଣ କରିବ ନାହିଁ, ଅନୁସରଣ କରିବ ନାହିଁ । ମୋର ଏକମାତ୍ର ଅନୁରୋଧ ।

 

ଦୀର୍ଘ ପଥ । ପଥିକ ଏକା ଚାଲିଥିଲେ । କିଛି ବନ୍ଧନ ନଥିଲା । ଘରଦ୍ୱାର ନଥିଲା । ସୁଖ ସମ୍ଭୋଗ ଠାରୁ ବହୁ ଦୂରରେ । ଅନ୍ତର ଆଶାଶୂନ୍ୟ । ଜୀବନ ନାଟକର ଶେଷ ଅଙ୍କରେ ନେପଥ୍ୟରୁ ଏକ ନୈସର୍ଗିକ ସଙ୍ଗୀତର ସୁମଧୁର ସ୍ଵର ଭାସି ଆସୁଥିଲା–

 

‘‘ଆରେ ଭୟ ନାହିଁ ଆଉ

ନାହିଁ ସ୍ନେହ ମୋହ ବନ୍ଧନ,

ଆରେ ଆଶା ନାହିଁ ।

ଆଶା ଖାଲି ମିଛର ଛଳନା ।

 

ଆରେ ଭାଷା ନାହିଁ,

ନାହିଁ ବୃଥାରେ ବସି କ୍ରନ୍ଦନ,

ଆରେ ଗୃହ ନାହିଁ,

ନାହିଁ ଫୁଲଶେଯ ରଚନା ।’’

 

ଟଲଷ୍ଟୟଙ୍କର ଦୁର୍ବଳ ଜରାଜୀର୍ଣ୍ଣ ଶରୀର ଶୀତର ପ୍ରକୋପ ସହିପାରିଲା ନାହିଁ । ଅଷ୍ଟାପୋଭୋ ରେଳ ଷ୍ଟେସନର ତୃତୀୟ ଶ୍ରେଣୀ ଯାତ୍ରୀ-ନିବାସରେ ସେ ନିଉମୋନିଆ ରୋଗରେ ଆକ୍ରାନ୍ତ ହେଲେ ।

 

ଖବର ପାଇଲାମାତ୍ରେ ତାଙ୍କର ସ୍ତ୍ରୀ ସୋଫିଆ ଧାଇଁ ଆସିଲେ । ରୋଗ ଶଯ୍ୟାରେ ଟଲଷ୍ଟୟ ତାହାଙ୍କୁ କ୍ଷୀଣ କଣ୍ଠରେ ପଚାରିଲେ–‘‘ତୁମେ ଆସିଛ ? କାହିଁକି ଆସିଲ ? ମୁଁ ପରା ତୁମକୁ ବାରଣ କରିଥିଲି ।’’

 

ସୋଫିଆ କାନ୍ଦ କାନ୍ଦ ହୋଇ କହିଲେ–‘‘ଏ କି କଥା କହୁଛ ! ଏ ଖବର ପାଇ ମୁଁ ଘରେ ବସି ରହିପାରିବି ?’’

 

କର୍ମଯୋଗୀ ଟଲଷ୍ଟୟଙ୍କ ଆଖିରୁ ଦୁଇ ଠୋପା ଲୁହ ଗଡ଼ି ପଡ଼ିଲା–‘‘ତୁମେ କାହିଁକି ମୋ ଆଦେଶ ଅମାନ୍ୟ କଲ ?’’

 

ସ୍ତ୍ରୀକୁ ଭଲପାଆନ୍ତି ନାହିଁ ବୋଲି ସେ ଏହା କହିଲେ ନାହିଁ । ସେତେବେଳେ ନିଜର ସ୍ତ୍ରୀ ଓ ପୁତ୍ର କନ୍ୟାମାନଙ୍କ ପ୍ରତି ତାଙ୍କର ଅନ୍ତରରେ ଅପରିସୀମ ସ୍ନେହ ଓ ଶ୍ରଦ୍ଧା ଥିଲା । ତେଣୁ ସେ ମନେ ମନେ ଖେଦ କଲେ ଯେ ଜୀବନର ଶେଷ ଅଙ୍କରେ ସେ ଯେଉଁ ଦୁରୂହ ପଥର ସନ୍ଧାନରେ ବାହାରିଛନ୍ତି, ବୋଧହୁଏ ପରିବାର ବର୍ଗ ପ୍ରତି ଅନୁରକ୍ତି ତାହାକୁ ସେହି ଅନନ୍ତ ପଥରୁ ଫେରାଇ ନେଇ ଯାଇପାରେ । ତାହାହେଲେ ବୋଧହୁଏ ତାଙ୍କର ଜୀବନକୁ ଆହୁତି ଦେବାର ସଂକଳ୍ପ ବ୍ୟର୍ଥ ହେବ ।

 

ମାତ୍ର ତାହା ହେଲା ନାହିଁ । ସେ ଆଉ ଫେରିଲେ ନାହିଁ ।

 

ତାଙ୍କର ଶେଷ ଇଚ୍ଛା ଅନୁସାରେ, ତାଙ୍କର ଅନ୍ତିମ ସମୟରେ, ନିଜର କୌଣସି ନିକଟ ଆତ୍ମୀ, ଏପରିକି ସ୍ତ୍ରୀ ଓ ପୁତ୍ର କନ୍ୟା ସୁଦ୍ଧା, ତାଙ୍କର ମୃତ୍ୟୁ ଶଯ୍ୟା ପାଖରେ ରହିଲେ ନାହିଁ ।

 

୧୯୧୦ ମସିହା ନଭେମ୍ବର ୨୦ ତାରିଖ । ସନ୍ଧ୍ୟାବେଳେ ସତ୍ୟ ଓ ଶାନ୍ତିର ଉପାସକ ଟଲଷ୍ଟୟ ଏକମାତ୍ର ବାକ୍ୟ ‘‘ସନ୍ଧାନହିଁ ସବୁବେଳେ ସନ୍ଧାନ’’ ଉଚ୍ଚାରଣ କରି ଷ୍ଟେସନ ମାଷ୍ଟରଙ୍କ ଘରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

 

ସେତେବେଳେ ପତିପ୍ରାଣା ଗୁଣବତୀ ସହଧର୍ମିଣୀ ସୋଫିଆ ସ୍ଵାମୀଙ୍କର ଶେଷ ଇଚ୍ଛାକୁ ଯଥୋଚିତ ସମ୍ମାନ ଦେଖାଇ ସେ ଘରେ ପ୍ରବେଶ ନ କରି ବାହାରେ ଛିଡ଼ା ହୋଇ ନୀରବରେ ଅଶ୍ରୁ ବିସର୍ଜନ କରୁଥିଲେ । ତା’ପରେ ତାଙ୍କର ମରଦେହକୁ ନିଜର ବାସଭୂମିରେ କବର ଦିଆଗଲା । ତାହାଙ୍କୁ ୧୯୦୧ ମସିହାରେ ଧର୍ମଚ୍ୟୂତ ବୋଲି ଘୋଷଣା କରିଥିବାରୁ ଗୀର୍ଜାରୁ କେହି ପାଦ୍ରୀ ଆସିଲେ ନାହିଁ, ମାତ୍ର ସମବେତ ହେଲେ ହଜାର ହଜାର କୃଷକ ଓ ମଜଦୁର ।

 

ଦିନେ ଟଲଷ୍ଟୟ କଥା ପ୍ରସଙ୍ଗରେ ନାସ୍ତିକ ଗର୍କିଙ୍କୁ କହିଥିଲେ–‘‘ତୁମେ ଈଶ୍ୱରଙ୍କୁ ମାନ ନାହିଁ ବୋଲି କହୁଛ, ତାହା ଅବଶ୍ୟ ଠିକ୍ ନୁହେଁ । ତୁମେ କିନ୍ତୁ ସ୍ଵାଭାବିକ ଭାବରେ ଈଶ୍ୱର ବିଶ୍ୱାସୀ । ଈଶ୍ୱରଙ୍କୁ ନ ମାନି ତୁମର ଉପାୟ ଅଛି ! ଅଚିରେ ନିଶ୍ଚୟ ତାହା ବୁଝିପାରିବ । ତୁମେ ମନେ ମନେ କୁହ–ବିଶ୍ୱାସ କରେ । ତାହା ହେଲେ ଦେଖିବ, ସବୁ କିଛି ଠିକ୍ ହୋଇଯିବ ।” ଶେଷ ଅବଧି ଗର୍କି ନିଜେ ନାସ୍ତିକତାର ବିମୂର୍ତ୍ତ ବିଗ୍ରହ ଥିଲେ ସୁଦ୍ଧା ଥରେ କହିଥିଲେ–‘‘ଏହି ଲୋକଟି ସତରେ ଏକ ଦେବତା ।” ଟଲଷ୍ଟୟ ସାଧାରଣ ଲୋକଙ୍କୁ ବୁଝାଉଥିଲେ–‘‘ଦେଖ ଯେଉଁମାନଙ୍କର ପ୍ରଚୁର ଅଛି ଦୁନିଆରେ ସେମାନଙ୍କ ସଂଖ୍ୟା ଖୁବ କମ, ଆଉ ସେମାନଙ୍କର ଧନ ସମ୍ପଦ ଅଛି ବୋଲି ସେମାନେ ଈଶ୍ୱରଙ୍କୁ ମାନନ୍ତି । ଅପର ପକ୍ଷରେ ଯେଉଁମାନଙ୍କର କିଛି ନାହିଁ ଓ ସଂଖ୍ୟାରେ ଯେଉଁମାନେ ବେଶୀ, ସେମାନେ ଈଶ୍ୱରଙ୍କୁ ମାନନ୍ତି ସେମାନଙ୍କର କିଛି ନାହିଁ ବୋଲି ! ମନ୍ଦିରରେ ବା ଐତିହ୍ୟରେ ଧର୍ମ ନାହିଁ, ଧର୍ମ ଅଛି କେବଳ ଅନ୍ତରରେ ।’’ ସେଥିପାଇଁ ସେ ସକଳ ସାମାଜିକ ଅନ୍ୟାୟ ବିରୁଦ୍ଧରେ ଲଢ଼ୁଥିଲେ ଏବଂ କୌଣସି ଲୋକକୁ ଛୋଟ କି ହେୟ ମଣୁ ନଥିଲେ ।

 

ସ୍ଵାମୀଙ୍କ ମୃତ୍ୟୁ ପରେ ବିଧବା ସୋଫିଆ କାମନା କଲେ, ୟାସନାୟା ପୋଲ୍ୟାନା ରୁଷିଆର ଜନସାଧାରଣଙ୍କ ହାତକୁ ଯାଉ, ଏବଂ ସମଗ୍ର ଜନତା ଟଲଷ୍ଟୟଙ୍କର ଲାଳନାଗାର ଓ ସମାଧି ପୀଠର ମାଲିକ ହୁଅନ୍ତୁ । ସୁତରାଂ ଅନ୍ତରରେ ଏହି ଆଶା ପୋଷଣ କରି ସେ ଦ୍ୱିତୀୟ ନକୋଲାସଙ୍କୁ ନିବେଦନ କଲେ–‘‘ରୁଷିଆର ରାଷ୍ଟ୍ରଦ୍ଵାରା ତାଙ୍କର ଭୌତିକ ଓ ଆତ୍ମିକ ଐତିହ୍ୟର ସୁରକ୍ଷାର ସୁବ୍ୟବସ୍ଥା କରାଇବା ତାଙ୍କର ସ୍ମୃତି ପ୍ରତି ମୋର ଶେଷ କର୍ତ୍ତବ୍ୟ ବୋଲି ମୁଁ ବିଚାରୁଛି ।" ଏହି ଚିଠିର କିଛି ଜବାବ ନ ପାଇ ସୋଫିଆ ଜାରଙ୍କୁ ପୁଣି ଚିଠି ଦେଲେ ।

 

ଏତିକିବେଳେ ଧର୍ମ ଯାଜକ ପରିଷଦ ଏହି ବ୍ୟାପାରିରେ ହସ୍ତକ୍ଷେପ କରି ଜାରଙ୍କୁ ସ୍ମରଣ କରାଇ ଦେଲେ–‘‘ପବିତ୍ର ଧର୍ମ ପରିଷଦ ଟଲଷ୍ଟୟଙ୍କୁ ଅର୍ଥୋଡକ୍‌ସ ଚର୍ଚ୍ଚରୁ ବହିସ୍କାର କରିବାର ସିଦ୍ଧାନ୍ତ ନେଇଥିବା ଦୃଷ୍ଟିରୁ ତାଙ୍କର ସ୍ମୃତିକୁ ଗୌରବାନ୍ୱିତ କରିବା ସରକାରଙ୍କ ପକ୍ଷରେ ଆଦୌ ଉଚିତ ନୁହେଁ ।

 

ଧର୍ମ ପରିଷଦର ଏତାଦୃଶ ମତରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇ ଜାର ନିକୋଲାସ ସୋଫିଆଙ୍କୁ ଜବାବ ଦେଲେ–‘‘କାଉଣ୍ଟ ଟଲଷ୍ଟୟଙ୍କ ଜମିଦାରୀକୁ ସରକାର କିଣି ନେବା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ମୁଁ ବିବେଚନା କରୁଛି ।’’

 

ତହୁଁ ସୋଫିଆ ନିଜ ଖର୍ଚ୍ଚରେ ସ୍ଵାମୀଙ୍କ ଜମୀଦାରୀ ଓ ଘରବାଡ଼ି ରକ୍ଷଣାବେକ୍ଷଣ କରିବାରେ ଲାଗିଲେ । ସେ ତାଙ୍କର ଘରର ଆସବାବପତ୍ର ଓ ବ୍ୟବହାର୍ଯ୍ୟ ଦ୍ରବ୍ୟର ଏକ ତାଲିକା ପ୍ରସ୍ତୁତ କଲେ, ଆଉ ଟଲଷ୍ଟୟଙ୍କର କର୍ମ ପ୍ରକୋଷ୍ଠ ଓ ଶୟନକକ୍ଷ ଯଥା ରୀତି ସୁରକ୍ଷିତ କଲେ । କିନ୍ତୁ ଦିନକୁ ଦିନ ସେହି ମହାନ ଲେଖକଙ୍କର ସ୍ମୃତି କ୍ରମେ କ୍ରମେ ମଳିନ ହେବାକୁ ବସି । ତାଙ୍କର ବନ୍ଧୁ, ବାନ୍ଧବମାନେ ସେହି ଘରେ ରହିବାକୁ ଲାଗିଲେ । ଫଳରେ, ସାଜସଜାସବୁ ଅସନା ହେଲା, ଉଦ୍ୟାନ । ପଥ ସବୁରେ ଅନାବନା ଗଛ ମାଡ଼ିଗଲା, ଆଉ ୟାସନାୟା ପୋଲ୍ୟାନାର ନିକୁଞ୍ଜ-କାନନ ଅଯତ୍ନରେ ବିରୂପ ଦିଶିଲା ।

 

୧୯୧୭ ମସିହା ହେଉଛି ୟାସନାୟା ପୋଲ୍ୟାନା ପକ୍ଷରେ ଏକ ବିଶେଷ ଦୁଃଖର ସମୟ । ସେତେବେଳେ ଯୁଦ୍ଧ ଲାଗିଥାଏ । ଚତୁଃପାର୍ଶ୍ୱରେ ଗ୍ରାମଗୁଡ଼ିକରେ ଦୁର୍ଭିକ୍ଷର କରାଳ ଛାୟା-। ସେହି ଶୀତଗ୍ରସ୍ତ ଗୃହରେ ସୋଫିଆ ବିଷାଦରେ ଦିନ କାଟିଲେ । ଏଣେ କର୍ତ୍ତୃପକ୍ଷ ତାହାଙ୍କୁ ଟିକସ, ଯୁଦ୍ଧ ପାଇଁ ଘୋଡ଼ା, ଖାଦ୍ୟଶସ୍ୟ, ଇତ୍ୟାଦି ଦେବାକୁ ବାରମ୍ବାର ତାଗଦା କରୁଥିଲେ । ତାଙ୍କର ମାଳି ଓ ଜଗୁଆଳିକୁ ସୈନ୍ୟ ବାହିନୀରେ ବାହିଲ କରିଦିଆଗଲା । ସୁତରାଂ ୟାସନାୟା, ପୋଲ୍ୟାନା ଅରକ୍ଷିତ ହୋଇ ପଡ଼ି ରହିଲା ।

 

ଯେତେବେଳେ ତୁଲା ଗୁର୍ବେନିଆରେ ଅଭିଜାତ ସମ୍ପ୍ରଦାୟର ବିଳାସପୁରୀସବୁ ହୁ ହୁ ହୋଇ ଜଳୁଥିଲା, ସେତେବେଳେ ସ୍ଥାନୀୟ କୃଷକମାନେ ସିଦ୍ଧାନ୍ତ କଲେ ଯେ ତାଙ୍କର ଜୀବଦଶା ଭିତରେ ସୋଫିଆଙ୍କୁ ଟଲଷ୍ଟୟଙ୍କ ଜମିଦାରୀର ଯତ୍ନ ନେବା ପାଇଁ ଅଧିକାର ଦିଆଯାଉ । ତଦନୁଯାୟୀ ୧୯୧୮ ମସିହା ମାର୍ଚ୍ଚ ୩୦ ତାରିଖରେ ରୁଷିଆର ଗଣ କମିସାର ପରିଷଦ କୃଷକମାନଙ୍କର ସିଦ୍ଧାନ୍ତକୁ ଅନୁମୋଦନ କରି ୟାସନାୟା ପୋଲ୍ୟାନାର ରକ୍ଷଣାବେକ୍ଷଣ ନିମନ୍ତେ ସୋଫିଆଙ୍କୁ ବାର୍ଷିକ ଦଶ ହଜାର ରୁବଲ ପେନସନ ମଞ୍ଜୁର କଲା ଏବଂ ତୁଲାର କାର୍ଯ୍ୟକାରୀ ସମିତିକୁ ୟାସନାୟା ପୋଲ୍ୟାନା ଜମିଦାରୀ ଓ ତାହା ସହିତ ସଂଶ୍ଳିଷ୍ଟ ସମସ୍ତ ସ୍ମାରକୀକୁ ସୁରକ୍ଷା କରିବା ସମ୍ପର୍କରେ ତାହାର ରାଷ୍ଟ୍ରୀୟ କର୍ତ୍ତବ୍ୟ ପ୍ରତି ସଚେତନ କରାଇଦେଲା । ଦିନେ ଜାର ଯାହା କରିବାକୁ ଅନିଚ୍ଛୁକ ଥିଲେ, ନବୀନ ପ୍ରଜାତନ୍ତ୍ର ସରକାର ତାହା କଲା । ଲାଲ ଗ୍ରାମ ରକ୍ଷୀ ବାହିନୀମାନଙ୍କୁ ଆଣି ସେଠାରେ ମୁତୟନ କରାଗଲା । ୧୯୨୧ ମସିହା ଜୁନ ୧୦ ତାରିଖରେ ନିଖିଳ ରୁଷିଆ କେନ୍ଦ୍ରୀୟ କାର୍ଯ୍ୟକାରୀ ସମିତି ପକ୍ଷରୁ ସୋଭିୟେଟ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ୟାସନାୟା ପୋଲ୍ୟାନାର ଜମିଦାରୀ ଓ ଯାଦୁଘର ସମ୍ପର୍କରେ ଏକ ଆଦେଶନାମା ଜାରି କଲେ । ସ୍ଵୟଂ ଲେନିନ୍‌ ଟଲଷ୍ଟୟଙ୍କୁ ‘ଅମୃତ ପ୍ରାଣ’ ଆଖ୍ୟା ଦେଇ ଏହି ଐତିହାସିକ ଦଲିଲଟି ସମ୍ପାଦନା କରିଥିଲେ–‘‘ତୁଲା ଗୁର୍ବେନିଆର କ୍ରାପିଭେନସ୍କି ଭୟେଜେତରେ ଅବସ୍ଥିତ ୟାସନାୟା ପୋଲ୍ୟାନାର ଜମିଦାରୀ ସହିତ ଘରବାଡ଼ି, ଆସବାବପତ୍ର, ପୁଷ୍ପୋଦ୍ୟାନ ଫଳ ବଗିଚା, ଜଙ୍ଗଲ, ଚାଷ ଜମି, ପଡ଼ିଆ ଓ ବହିର୍ଭବନସବୁ ସୋଭିୟେଟ ପ୍ରଜାତନ୍ତ୍ରର ଜାତୀୟ ସମ୍ପତ୍ତି ହେଲା ।’’

 

ତା’ପରେ ମହାଜାତୀୟସମର ୟାସନାୟା ପୋଲ୍ୟାନା ପକ୍ଷରେ ଏକ କଠୋର ପରୀକ୍ଷାରୂପେ ଦେଖା ଦେଲା । ୪୫ ଦିନ ଧରି ଫାସିଷ୍ଟମାନେ ଏହା ଉପରେ ଯଥେଚ୍ଛା ଆକ୍ରମଣ ଚଳାଇଲେ । ଟଲଷ୍ଟୟଙ୍କ ବାସଗୃହ ଡାକ୍ତରଖାନା ଓ ବାରାକରେ ପରିଣତ ହେଲା, ପୁରୁଣା ଆସବାବପତ୍ରସବୁ ଭାଙ୍ଗିରୁଜି ଛାରଖାର କରିଦେଲେ, ଯାହା କିଛି ଜିନିଷ ଥିଲା ଚୋରାଇ ନେଲେ, କାନ୍ଥରେ ଅଶ୍ଳିଳ ଛବିସବୁ ଆଙ୍କିଲେ, ଆଉ ଟ୍ୟାଙ୍କ ବାହିନୀ ଉଦ୍ୟାନ ଛିନଛତର ହୋଇଗଲା । ଟଲଷ୍ଟୟଙ୍କ କବର ପାଖରେ ଫାସିଷ୍ଟମାନଙ୍କର ଗୁଡ଼ାଏ କବର ବସାଇ ସ୍ଥାନଟିକୁ ବିରୂପ କରିଦେଲେ । ପଳାଇଲାବେଳେ ସେମାନେ ତାଙ୍କର ଘରେ ନିଆଁ ଲଗାଇ ଦେଲେ । ମ୍ୟୁଜିୟମର କର୍ମଚାରୀ ଓ ସ୍ଥାନୀୟ ଅଧିବାସୀମାନଙ୍କର ସାହସା ଯୋଗୁଁ ଅବଶ୍ୟ ପରେ ନିଆଁ ଲିଭାଇ ଦିଆହୋଇଥିଲା । ସ୍ଥାନୀୟ କୃଷକମାନେ ଅଶାନ୍ତି ଓ ଦୁର୍ଦ୍ଦିନରେ ଏହାକୁ ରକ୍ଷା କରିଥିଲେ, ତୁଲାର ଲାଲ ରକ୍ଷୀମାନେ ୧୯୧୮ ମସିହାରେ ଏହାକୁ ଜଗି ରହିଥିଲେ, ଏବଂ ୧୯୪୧ ମସିହାରେ ଲାଲ ବାହିନୀର ସୈନିକମାନେ ଏହାକୁ ଶତ୍ରୁ କବଳରୁ ମୁକ୍ତ କରିଥିଲେ । ୧୯୪୫ ମସିହାରେ ସ୍ଥାନାନ୍ତରିତ ହୋଇଥିବା ବହି , ଛବି ଓ ଆସବାବପତ୍ରସବୁ ସେଠାକୁ ପୁଣି ଅଣାଗଲା ।

 

ସ୍ମୃତିପୀଠମାନଙ୍କରେ ସାଧାରଣତଃ ଯେଉଁ ବିଷର୍ଣ୍ଣତା ଅନୁଭୂତ ହୁଏ, ନାୟା ପୋଲ୍ୟାନାରେ ଆଜି ଆଉ ତାହା ନାହିଁ । ଜନତାର ଅକୁଣ୍ଠ ଶ୍ରଦ୍ଧାରେ ଟଲଷ୍ଟୟଙ୍କର ସାଧନା ପୀଠ ସଜୀବ ସମଗ୍ର ବିଶ୍ୱରୁ ଦର୍ଶକମାନେ ଏଠାକୁ ଆସନ୍ତି ଟଲଷ୍ଟୟଙ୍କର ସମାଧି ଉପରେ ଶ୍ରଦ୍ଧା ଓ ସମ୍ମାନର ପୁଷ୍ପାଞ୍ଜଳି ଅର୍ପଣ କରିବାକୁ । ଗୁଳ୍ମ ଲତା ଫୁଲ ଫଳ ଗଛରେ ପରିବେଷ୍ଟିତ ସୁଶୋଭିତ ପରିବେଶରେ ଏହି ପବିତ୍ର ସ୍ମୃତି ବିଜଡ଼ିତ ସ୍ଥାନଟି ସତତ ଆନନ୍ଦ ମୁଖର ।

 

୧୮୭୩ ମସିହାରେ ଟଲଷ୍ଟୟ ଜନପ୍ରିୟ ଉପନ୍ୟାସ ‘‘ଆନା କାରେନିନା’’ର ଖସଡ଼ା ତିଆରି କରୁଥିଲେ । ସେତିକିବେଳେ ମାନବ ସମାଜର ଆତ୍ମିକ ସମ୍ପଦର ଏକ ନୂତନ ମୂଲ୍ୟାୟନ କରିବାକୁ ଯାଇ ସେ ପାଶ୍ଚାତ୍ୟ ଦାର୍ଶନିକମାନଙ୍କର ରଚନାବଳୀ ଗଭୀର ଭାବରେ ଅନୁଶୀଳନ କରିବା ସଙ୍ଗେ ସଙ୍ଗେ ଭାରତୀୟ ଦର୍ଶନ, ବେଦ, ବେଦାନ୍ତ, ଉପନିଷଦ ଓ ପୁରାଣମାନ ଅଭିନିବେଶ ସହକାରେ ଅଧ୍ୟୟନ କରିଥିଲେ । ବୁଦ୍ଧଦେବଙ୍କ ସମ୍ବନ୍ଧରେ ଲିଖିତ ଏକ ପ୍ରବନ୍ଧରୁ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାର ପରିଚୟ ମିଳେ । ସେ ବୁଦ୍ଧଙ୍କୁ ଭାରତର ଜୀବନ୍ତ ଜନସାଧାରଣଙ୍କ ମଧ୍ୟରେ ସ୍ଥାପନ କରିଥିଲେ, ଯେହେତୁ ବୁଦ୍ଧ କୌଣସି ସ୍ୱର୍ଗୀୟ ଶକ୍ତିର ଅଧିକାରୀ ନଥିଲେ । ଶଙ୍କରାଚାର୍ଯ୍ୟ, ରାମକୃଷ୍ଣ ପରମହଂସ ଓ ବିବେକାନନ୍ଦଙ୍କର ଦାର୍ଶନିକ ଚିନ୍ତାଧାରା ସେ ବିଶଦ ଭାବରେ ପର୍ଯ୍ୟାଲୋଚନା କରିଥିଲେ । ସ୍ଵାମୀ ବିବେକାନନ୍ଦଙ୍କର ‘ଭାଷଣ ଓ ରଚନା’ ବହିଟି ପଢ଼ି, ଭାରତ-ବନ୍ଧୁ ଟଲଷ୍ଟୟ ମତବ୍ୟକ୍ତ କରିଥିଲେ–ଏହି ଧରଣର ପୁସ୍ତକ ପଢ଼ିଲେ ବିମଳ ଆନନ୍ଦ ମିଳେ । ଏହି ଜାତୀୟ ପୁସ୍ତକ ମାନବ ମନର ଦିଗନ୍ତକୁ ଅଧିକ ପ୍ରସାରିତ ଓ ଅବାରିତ କରେ ।

 

ଆରେ, ମୁଁ ତ ଭାରି ଗପୁଡ଼ି । ବିଶ୍ୱ ବିଖ୍ୟାତ ବହିଟି କଥା କହୁ କହୁ ତାହାର ଲେଖକଙ୍କ ସମ୍ବନ୍ଧରେ ଏତେଗୁଡ଼ାଏ ବକି ଗଲିଣି ! ଆଉ ସେତିକି, ପରେ କେବେ ସମୟ ମିଳିଲେ ତାହାଙ୍କ ବିଷୟରେ ଆହୁରି କେତେ ବଢ଼ିଆ ବଢ଼ିଆ କଥା କହିବି । ହେଉ, କୋଠରୀରେ ରହିଥିବା ଆଉ ଦୁଇଟି ବହି କଥା ଶୁଣନ୍ତୁ ।

 

ଗୋଟିଏ ହେଉଛି ଆମ ପଡ଼ିଶା ତେଲୁଗୁ ସାହିତ୍ୟର ଉଜ୍ଜ୍ୱଳ ରତ୍ନ–‘‘ଅକ୍ଷମ ଜୀବନ’’ । ଲେଖିଛନ୍ତି ସ୍ୱର୍ଗୀୟ ତ୍ରିପୁରାନେନି ଗୋପୀଚାନ୍ଦ । ଭାରତୀୟ ସାହିତ୍ୟ ଏକାଡ଼େମୀ ତାଙ୍କର ଅତୁଳନୀୟ ସାହିତ୍ୟିକ ପ୍ରତିଭାକୁ ସମ୍ମାନ ପ୍ରଦର୍ଶନାର୍ଥେ ୧୯୬୩ ସାଲରେ ଏକ ପୁରସ୍କାର ପ୍ରଦାନ କରିଥିଲେ ।

 

ତୃତୀୟଟି ହେଉଛି ‘‘ମାନବ ତନୟ’’, ମାର୍କିନ ଲେଖକ ଲିଓ ଓୟାଲେସଙ୍କର ଏକ ଅସାଧାରଣ କୃତି । ବିଶ୍ୱ ସାହିତ୍ୟରେ ଏହା ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି । ବାଇବେଲରେ ବର୍ଣ୍ଣିତ ଯୀଶୁଖ୍ରୀଷ୍ଟଙ୍କର ଜୀବନ ଚରିତର ଏକ ଅଂଶ ‘‘ବେନହୁର’’ର କାହାଣୀ ଉପରେ ଆଧାରିତ ଏହି ଉପନ୍ୟାସ ଭିତରେ ଓୟାଲେସ ଅପରିମେୟ କଳା ନୈପୁଣ୍ୟର ପରିଚୟ ଦେଇଛନ୍ତି । ସମଗ୍ର ସଭ୍ୟ ଜଗତକୁ ରୋମର ସମ୍ରାଟୀ ଶାସନ ଯେଉଁ ଯୁଗର ନାଗପାଶ ପରି ବାନ୍ଧି ରଖିଥିଲା, ସେ ସମୟର ଗୋଟିଏ କାହାଣୀ । ସେତେବେଳେ ଇସ୍ରାଇଲର ପ୍ରତି ଘରୁ କାତର ପ୍ରାର୍ଥନା ଉଚ୍ଚାରିତ ହେଉଥିଲା–

 

ହେ ଈଶ୍ୱର ! ଦୟାକର ! ଦୟାକର ! ପରାଧୀନତାର ଶୃଙ୍ଖଳ ଚୂର୍ଣ୍ଣ କରି ଆମ୍ଭମାନଙ୍କୁ ମୁକ୍ତ କରିପାରିବା ଭଳି ଜଣେ ଶକ୍ତିଶାଳୀ ନେତା ଆମ୍ଭମାନଙ୍କୁ ଦିଅ ।” ସେହି ଆକୁଳ ନିବେଦନ ଈଶ୍ୱର ପୂର୍ଣ୍ଣ କରିଥିଲେ । ପ୍ରାର୍ଥନା ଅପେକ୍ଷା ଯଥେଷ୍ଟ ବେଶୀ ସେ ଇସ୍ରାଇଲକୁ ପ୍ରଦାନ କରିଥିଲେ । ସେ ଯାହାକୁ ଇସ୍ରାଇଲର ଦୁର୍ଗତି ମୋଚନ ନିମନ୍ତେ ପ୍ରେରଣ କରିଥିଲେ, ସେ ସାମରିକ କି ରାଜନୀତିକ ନେତା ନୁହନ୍ତି । ସେ ହେଉଛନ୍ତି ପ୍ରକୃତ ମାନବତାର ଜଣେ ପଥ ପ୍ରଦର୍ଶକ । ଇହୁଦୀ ଜାତିକୁ ଦୁର୍ନୀତିର ଶୃଙ୍ଖଳରୁ ମୁକ୍ତ କରି ସ୍ଵର୍ଗର ମହତ ପଥରେ ଆଣି ଛାଡ଼ି ଦେଇଥିଲେ ସେହି ଈଶ୍ୱରଙ୍କ ପୁତ୍ର ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟ । ମହାମାନବଙ୍କର ଚରିତ୍ରର ମହିମା ଉପଲବ୍‌ଧି କରି ଆଜିର ତରୁଣ ସମାଜ ନୀତି-ଧର୍ମ ଦୃଷ୍ଟିରୁ ଉନ୍ନତ ହେଉ, ମୋର ଆନ୍ତରିକ କାମନା ।

 

ଏଠାକାର କଥା ଆଜି ଏତିକି ଥାଉ । ବେଳ ହୋଇଗଲାଣି, ଚାଲନ୍ତୁ ଆର କୋଠରୀକୁ ଯିବା ।

 

ନେତ୍ରୋତ୍ସବ,

ଲକ୍ଷ୍ମୀ ନାରାୟଣ ମହାନ୍ତି

୨୮, ଆଷାଢ଼, ୧୩୭୯

 

(୧୧, ଜୁଲାଇ, ୧୯୭୨)

 

Image

 

ଲିଓ ଟଲଷ୍ଟୟ

ଯୁଦ୍ଧ ଓ ଶାନ୍ତି

 

(୧)

 

୧୮୦୫ ମସିହା ଜୁଲାଇ ମାସର ଏକ ଅତ୍ୟଷ୍ଣୁ ସନ୍ଧ୍ୟା । ପିଟାର୍ସବର୍ଗର ଆଭିଜାତ ସମାଜର କେତେକ ବିଶିଷ୍ଟ ବ୍ୟକ୍ତି ଏକ ମଜଲିସରେ ମିଳିତ ହୋଇଥିଲେ ।

 

“ତାହା ହେଲେ ତୁମେବି ଯୁଦ୍ଧକୁ ଯାଉଛ ? ଆନା ପାଭଲଭନା ଶେରାର ପଚାରିଲା ।’’

 

ହଁ, ଜେନାରେଲ କୁଟୁଜଭ ମୋତେ ଜଣେ ସହଚରରୂପେ ନେବାକୁ ଅତିଶୟ ସଦୟ ହୋଇଛନ୍ତି’–ଟିକିଏ ବିରକ୍ତିରେ ସୁଦର୍ଶନ ତରୁଣ ପ୍ରିନ୍‌ସ ଆନ୍ଦ୍ରେ ବଲ୍‌କନସ୍କି ଜବାବ ଦେଲା । ପ୍ରଶସ୍ତ ସୁସଜ୍ଜିତ ଆଲୋକିତ କକ୍ଷର ଚାରିଆଡ଼େ ସେ ଥରେ ଆଖି ବୁଲାଇ ଆଣିଲା ।

 

‘‘ଆଉ ତୁମର ସ୍ତ୍ରୀ ?’’

 

‘‘ସେ ଆମ ଗାଁକୁ ଚାଲିଯିବ । ବାପା ତ ସେଠାରେ ଅଛନ୍ତି । କିଛି ଅସୁବିଧା ହେବ ନାହିଁ-।’’

 

କିନ୍ତୁ ଆମର ନୟନ ପିତୁଳାଟିକୁ ଆମ ଠାରୁ ଅନ୍ତର କରିନେବ ନାହିଁ ତ ?’’ ଠିକ୍ ସେତିକିବେଳେ ଜଣେ ପରିଚିତ ଲୋକକୁ ଦେଖିପାରି, ଆନା “ପଚାରିଲା–ପ୍ୟାରିସରେ ନେପୋଲିୟନ ଓ ଜଣେ ଅଭିନେତ୍ରୀଙ୍କ ସମ୍ବନ୍ଧରେ ଯେଉଁ ରସରସିଆ ଗୁଜବ ଶୁଣାଯାଉଛି ତାହା କ’ଣ ସତ ?’’

 

ଆନ୍ଦ୍ରେ ଭ୍ରୂଭଙ୍ଗୀ କଲା, କିଛି ଉତ୍ତର ଦେଲା ନାହିଁ । ଆନାର ରସିକତାରେ ସେ କ୍ଷୁବ୍‌ଧ ହେଲା । ସର୍ବସାଧାରଣରେ ଆନାର ଏତାଦୃଶ ବ୍ୟବହାର ସେ ପସନ୍ଦ କରୁ ନଥିଲା । ସେ ମନେ ମନେ ଚିନ୍ତା କଲା, କାହିଁକି ବା ସେ ବିଭା ହେଲା । ବର୍ତ୍ତମାନ ସେ ଖାଲି ନିଜର ସ୍ତ୍ରୀକୁ ଘୃଣା କରୁ ନଥିଲା, ବରଂ ସମଗ୍ର ଜୀବନ ଯାତ୍ରାର ପ୍ରଣାଳୀକୁ–ସଭାସମିତି, ଭୋଜି ଭାତ, ନାଚ ଗୀତ । ତାହା ପକ୍ଷରେ ଏସବୁ ଖାଲି ଫାଙ୍କା ଆବାଜ ଛଡ଼ା ଆଉ କିଛି ନୁହେଁ । ଆଭିଜାତ ସମାଜର ଜୀବନ ତାହାକୁ ଗୋଟାଏ କାରାଗାର ଭଳି ମାଲୁମ ହେଉଥିଲା ।

 

ସହସା ଆନ୍ଦ୍ରେର ମୁଖମଣ୍ଡଳରେ ସ୍ମିତହାସ୍ୟ ରେଖା ପ୍ରକଟିତ ହେଲା । ଘରର ମଝିରେ ସେ ଏକ୍ଷଣି ଜଣେ ସ୍ଥୂଳକାୟ ଭଦ୍ରଯୁବକକୁ ଦେଖିପାରିଲା । ପିୟେର ବେଜୁହଭ, କାଉଣ୍ଟ ବେଜୁହଭଙ୍କର ଜାରଜ ସନ୍ତାନ । କାଉଣ୍ଟ ପ୍ରଭୂତ ବିତ୍ତଶାଳୀ, ଅଧୁନା ମସ୍କୋରେ ସାଘାଂତିକ ଭାବରେ ରୋଗଗ୍ରସ୍ତ ଓ ଶଯ୍ୟାଶାୟୀ । ଦଶବର୍ଷ ବୟସରୁ ପିୟେର ବିଦେଶକୁ ଯାଇଥିଲା । ବିଦ୍ୟା ଶେଷ କରି ମାତ୍ରକେତେ ମାସ ହେଲା ସେ ରୁଷିଆକୁ ଫେରିଆସିଛି । ସମବେତ ବିଶିଷ୍ଟ ଅତିଥିମାନେ ଯେଉଁ ଗୁରୁତର ସମ୍ବାଦ ସମ୍ବନ୍ଧରେ ଅନୁଚ୍ଚ ସ୍ୱରରେ ଆଲୋଚନା କରୁଥିଲେ, ତାହାକୁ ପ୍ରାୟ ଅଗୋଚର ଥିଲା–ଋଷିଆ ନେପୋଲିଅନଙ୍କ ବିରୁଦ୍ଧରେ ଯୁଦ୍ଧରେ ବ୍ରିଟେନ୍‌ ଓ ଅଷ୍ଟ୍ରିୟା ସହିତ ଯୋଗ ଦେବାକୁ ସ୍ଥିର କରିଥିଲ ।

 

ପିୟେର ଅତି ଆନନ୍ଦରେ ପ୍ରିନ୍‌ସ ଭାସିଲ କୁରାଗିନ ଓ ତାଙ୍କର ରୂପସୀ ଗରବିଣୀ କନ୍ୟା ଏଲେନ ସହିତ ଆଳାପ କରୁଥିଲା । ଆନ୍ଦ୍ରେ ଉପରେ ଦୃଷ୍ଟି ପଡ଼ିଲାମାତ୍ରେ ସେମାନେ ସମସ୍ତେ ତାହା ପାଖକୁ ଉଠି ଆସିଲେ ।

 

ଆନ୍ଦ୍ରେ ପରିହାସ ଛଳରେ ପଚାରିଲା–‘‘ଆରେ, ପିୟେର ଯେ, ଏଠାରେ କେମିତି !’’

 

ଜମିଦାର ଭାସିଲି ହେଉଛି ପିୟେର ଆତ୍ମୀୟ । ସେ ଅନେକ ଦିନରୁ ଚେଷ୍ଟା କରୁଥିଲା ପିୟେରକୁ କୌଣସି ସରକାରୀ ଦପ୍ତରରେ ଉଚ୍ଚ ପଦବୀରେ ନିଯୁକ୍ତ କରିଦେବା ପାଇଁ । କିନ୍ତୁ ପିୟେରର ଅବିଗୁଣ ହେତୁ ତାହା ସହଜରେ ସମ୍ଭବ ହୋଇପାରୁ ନଥିଲା । ଯଦିଚ ତାହାର ଅର୍ଥର ଅଭାବ ନଥିଲା, ତେବେ ପରିସ୍ଥିତ ଦୃଷ୍ଟିରୁ ଚାକିରୀଟିଏ ନିହାତି ଦରକାର । ମସ୍କୋରେ କାଉଣ୍ଟ ବେଜୁହଭ ଅଦ୍ୱିତୀୟ ଧନୀ । ସେ ତାହା ପଛରେ ଯଥେଷ୍ଟ ଅର୍ଥ ବ୍ୟୟ କରିଥିଲେ । କିନ୍ତୁ ବରାବର ତାହାଙ୍କ ଠାରୁ ସେମିତି ଆଶା କରିବା ବୃଥା । କାରଣ ତାଙ୍କର ଦିନ ସରିଆସିଲାଣି । ସେ ଚାହୁଁଥିଲେ, ଆଖି ମୁଦିବା ଆଗରୁ ପିୟେରର ଗୋଟାଏ କିଛି ବ୍ୟବସ୍ଥା ହେଉ । ତେଣୁ ସେ ପିୟେରକୁ ଦଶ ହଜାର ରୁବେଲ ଦେଇ ପିଟାସବର୍ଗକୁ ପଠାଇଥିଲେ । ସେ ସେଠାରେ ଭାସିଲିର ଘରେ ରହି ଚାକିରୀର ଅନୁସନ୍ଧାନ କରିବ । ପିୟେରବି ଜାଣିଥିଲା, ବୃଦ୍ଧଙ୍କ ଅନ୍ତେ ସେହି ଘରେ ତାହାର ଆଉ ସ୍ଥାନ ନାହିଁ । କାରଣ ଆଇନ ଅନୁସାରେ ସେ କଦାପି ତାଙ୍କର ଉତ୍ତରାଧିକାରୀ ହୋଇପାରିବ ନାହିଁ । ସେହି ଅଧିକାର ଚାଲିଯିବ ତାଙ୍କର ତିନି ଝିଅଙ୍କ ହାତକୁ । ସୁତରାଂ ହାତରେ କିଛି ଟଙ୍କା ଧରି ସେ ଚାକିରୀ ସନ୍ଧାନରେ ଆସି ଭାସିଲିର ଘରେ ଅରୁଚିକର ପରିସ୍ଥିତିକୁ କେତେ ମାସ ହେଲା ବାଧ୍ୟ ହୋଇ ସହୁଥିଲା । କ୍ରମେ କ୍ରମେ ତାହାର ହାତରୁ ପାଣ୍ଠିବି କମି ଯାଉଥିଲା ।

 

ଭାସିଲି ହେଲା ଆନା ପାଭଲଭନାର ଘନିଷ୍ଠ ବନ୍ଧୁ । ଭାସିଲିର ଘରର ସମସ୍ତେ ନିମନ୍ତ୍ରିତ ହୋଇଥିବାରୁ, ପିୟେର ସେମାନଙ୍କ ସହିତ ସେଠାକୁ ଯାଇଥିଲା । ଭାସିଲି ଟାଙ୍ଗରା ମୁଣ୍ଡଟା ଟିକିଏ ନୁଆଇଁ ଆନାକୁ କହିଲା–‘‘ଏହି ଲାଜକୁଳା ଜୁଆନ ଭାଲୁଟା ପାଇଁ କିଛି ହେଲେ ବ୍ୟବସ୍ଥା କର । ଦେଖ, ତୁମ ହାତରେ କ’ଣ ହୋଇପାରିବ । କେତେ ଦିନ ହେଲା ସେ ମୋ ପାଖରେ ଆସି ବସି ରହିଛି । ଆଜି ପ୍ରଥମେ ତାହାକୁ ଏମିତି ଗୋଟାଏ ଖୋଲା ଜାଗାକୁ ନେଇ ଆସିଲି । ତୁମ ଭଳି ଜଣେ ଚତୁରୀ ରମଣୀର ସାନ୍ନିଧ୍ୟରେ ଯଦି ତୁରନ୍ତ କିଛି ବ୍ୟବସ୍ଥା ହୋଇପାରେ-।’’

 

ଏତକ କହି ଦେଇ ପ୍ରିନ୍‌ସ ଭାସିଲି ଝିଅକୁ ନେଇ ଧୀରେ ଧୀରେ ଚାଲିଗଲେ । ପିୟେର ରୂପସୀ ଏଲେନ୍‌ ଆଡ଼କୁ ଉଲ୍ଲସିତ ଓ ଶଙ୍କିତ ଦୃଷ୍ଟିରୁ ଅନାଇ ରହିଲା ।

 

ଏଲେନର ତୁଷାର ଶୁଭ୍ର ଗ୍ରୀବା ଓ ମସୃଣ କେଶ ଗୁଚ୍ଛକୁ ଲକ୍ଷ୍ୟ କରି ପ୍ରିନ୍‌ସ ଆନ୍ଦ୍ରେ ମତ ଦେଲା–‘‘ଅପୂର୍ବ ସୁନ୍ଦରୀ’’ ।

 

ପିୟେରବି ଅସ୍ପଷ୍ଟ ସ୍ୱରରେ କହିଲେ–ସତରେ, ଅନିନ୍ଦ୍ୟ ରୂପସୀ ।

 

ମଜଲିସ ଭିତରେ ଫରାସୀ ସମ୍ରାଟ ନେପୋଲିୟନଙ୍କ ସମ୍ବନ୍ଧରେ ଆଲୋଚନା ଚାଲିଥିଲା । ସମ୍ପ୍ରତି ସେ ଲୋକପ୍ରିୟ ଡିଉକ ଏନିୟେଁଙ୍କୁ ପ୍ରାଣଦଣ୍ଡ ଦେଇଥିଲେ । ସମଗ୍ର ୟୁରୋପ ଏପରି ଅଲୌକିକ କାଣ୍ଡରେ ବିସ୍ମିତ ହୋଇଯାଇଥିଲା । ଅତିଥିମାନେ ଏହି ନିର୍ମମ ଶୋଚନୀୟ ହତ୍ୟାକାଣ୍ଡ ନିମନ୍ତେ ନେପୋଲିୟନକୁ ନିନ୍ଦା କରୁଥିଲେ । କେତେକ ଭବିଷ୍ୟତ ବାଣୀ କରୁଥିଲେ–ଆସନ୍ତା ଅଷ୍ଟ୍ରିୟାର ଯୁଦ୍ଧରେ ନେପୋଲିୟନଙ୍କର ଗୌରବ ନିଶ୍ଚୟ ଧୂଳିରେ ଲୋଟିବ । ନେପୋଲିୟନ ଅଷ୍ଟ୍ରିୟା ଆକ୍ରମଣରେ ଉଦ୍ୟତ, ଏହି ଖବର ସମସ୍ତଙ୍କୁ ମାଲୁମ ଥିଲା । ସେମାନେ ଆହୁରି ଜାଣିଥିଲେ, ଏତେବେଳେ ଋଷିଆ ନୀରବ ଦର୍ଶକ ନ ସାଜି ବରଂ ଅଷ୍ଟ୍ରିୟାକୁ ଯଥା ଶକ୍ତି ସାହାଯ୍ୟ କରିବ ।

 

ଏତିକିବେଳେ ଜଣେ କହି ପକାଇଲା–‘‘ନେପୋଲିୟନ ଏନିୟେଁଙ୍କୁ ପ୍ରାଣଦଣ୍ଡ ଦେଇ ଘୋର ଅନ୍ୟାୟ କରିଛନ୍ତି ।”

 

କିଛି ସମୟ ପରେ ପିୟେରେ ମତବ୍ୟକ୍ତ କଲା–‘‘ଦେଶର ହିତ ନିମନ୍ତେ ଯାହା ପ୍ରୟୋଜନ, ତାହାକୁ କଦାପି ଅନ୍ୟାୟ କୁହାଯାଇ ନ ପାରେ ।’’

 

ଆଉ ଜଣେ ପଚାରିଲା–‘‘ଏନିୟେଁଙ୍କ ପରି ଜଣେ ମହତ ବ୍ୟକ୍ତିକୁ ହତ୍ୟା କରିବା ଦେଶର ହିତ ନିମନ୍ତେ କ’ଣ ପ୍ରୟୋଜନ ହୋଇଥିଲା ? ତାହା ହେଲେ ସମ୍ରାଟ ଷୋଡ଼ଶ ଲୁଇଙ୍କୁ ?’’ ପିୟେର ତତ୍‌କ୍ଷଣାତ୍ ଜବାବ ଦେଲା–‘‘ନିଶ୍ଚୟ । ତାହାବି ପ୍ରୟୋଜନ ହୋଇଥିଲା । ଲୋକ ହିସାବରେ ଏନିୟେଁ ଖରାପ ନଥିଲେ, କି ସମ୍ରାଟ ଷୋଡ଼ଶ ଲୁଇବି ନଥିଲେ । କିନ୍ତୁ ସେମାନଙ୍କୁ କେନ୍ଦ୍ର କରି କେତେକ ଅମଙ୍ଗଳ ଶକ୍ତି ଏପରି ସୁଦୃଢ଼ ଆସ୍ଥାନ ଜମାଇଥିଲେ ଯେ ସେମାନଙ୍କୁ କ୍ଷମତାରୁ ଅପସାରିତ ନ କଲେ ସେହି ଆସ୍ଥାନ ଟଳାଇବାର କୌଣସି ଉପାୟ ନଥିଲ ।’’

 

କିନ୍ତୁ ଏହି ଆଲୋଚନା ଆଉ ଆଗେଇବାକୁ ଦେବା ସମୀଚୀନବୋଧ ହେଲା ନାହିଁ । ତେଣୁ କରୁଣ ହସ ହସି ଆନା ପାଭଲଭନା କହିଲା–‘‘ଏବେ ଟିକିଏ ଗାନ ବାଜଣା ହେଉ । ରାଜହତ୍ୟାର ସମର୍ଥକବି ଏ ଯୁଗରେ ଅଛନ୍ତି । କିନ୍ତୁ ପ୍ରଜାମାନଙ୍କ ନିକଟରେ ଯେ କୌଣସି ଦେଶର ରାଜାଙ୍କର ମସ୍ତକ ଅତି ପବିତ୍ର । କାରଣ ସେ ଭଗବାନଙ୍କର ପ୍ରତିନିଧିରୂପେ ପୂଜନୀୟ ।

 

ଆନାର କଥା ନ ସରୁଣୁ, ବାଦ୍ୟ ଯନ୍ତ୍ରରେ ସଙ୍ଗୀତର ଝଙ୍କାର ଆରମ୍ଭ ହେଲା । ମଜଲିସ ସରିଲା । ପ୍ରିନ୍‌ସ ଭାସିଲି ପ୍ରକୋଷ୍ଠରୁ ବାହାରି ଆସିଲାବେଳେ, ପଛରୁ ତାହାର ହାତଟା କିଏ ଟାଣି ଦେଲା ଭଳି ମାଲୁମ ହେଲା । ସେ ବୁଲିପଡ଼ି ଦେଖିଲା, ବୃଦ୍ଧା ମହିଳା ମିହାଲୋଭନା ସଦୟ ସଯତ୍ନ ବଦନ ଓ ପ୍ରାର୍ଥନୀୟ ଦୃଷ୍ଟିରେ ଠିଆ ହୋଇଛି–

 

ମସ୍କୋସ୍ଥ କାଉଣ୍ଟ ରଷ୍ଟଭର ଆତ୍ମୀୟ ତଥା ଆଶ୍ରୀତା ! ଭାସିଲି ସହିତ ଦେଖା କରିବା ପାଇଁ ସେ ଆବେଗରେ ମସ୍କୋରୁ ଧାଇଁ ଆସିଥିଲା । କେତେ ଥର ଭାସିଲିର ଘରକୁ ଯାଇ ତାହାର ଭେଟ ନ ପାଇ ନୈରାଶ୍ୟରେ ତାହାକୁ ଫେରିଯିବାକୁ ପଡ଼ିଥିଲା । ଆଜି ଏଠାରେ ସେ ଭାସିଲିକୁ ଧରି ପକାଇଲା, ତାହାର ଖସିଯିବାର ଆଉ ଉପାୟ ନଥିଲା ।

 

ମିହାଲୋଭନା ଶଙ୍କିତ ଚିତ୍ତରେ ଜଣାଇଲା ପ୍ରିନ୍‌ସ–‘‘ମହୋଦୟ, ମୋ ବାପା ଆପଣଙ୍କ ସକାଶେ କ’ଣ କରିଥିଲେ ମୁଁ ତାହା କେବେହେଲେ ଆପଣଙ୍କୁ ମନେପକାଇ ଦେଇ ନାହିଁ । କିନ୍ତୁ ମୁଁ ବର୍ତ୍ତମାନ ଆପଣଙ୍କୁ ଅନୁରୋଧ କରୁଛି, ସମ୍ରାଟଙ୍କୁ ଟିକିଏ କହି ବୋରିସକୁ ଗାର୍ଡ଼ ବାହିନୀକୁ ବଦଳି କରିଦିଅନ୍ତୁ ।’’

 

ଭାସିଲିର ନୀତି ନୁହେଁ, ଅନ୍ୟମାନଙ୍କ ସକାଶେ ଶାସକଙ୍କ ଠାରୁ ଅନୁଗ୍ରହ ଭିକ୍ଷା କରିବା-। ତଥାପି ବର୍ତ୍ତମାନ ମିଜାଜ ଖୁସି ଥିବାରୁ, ନିଜର ନୀତି ପାଶୋରି ଦେଇ ସେ ଧୀରେ ଧୀରେ କହିଲା–‘‘ଆଚ୍ଛା, ହେଉ, ତାହା ହେଲେ ମୋତେ ଅସାଧ୍ୟ ସାଧନ କରିବାକୁ ହେବ । ତୁମ ପୁଅର ବଦଳି ନିଶ୍ଚୟ ଗାର୍ଡ଼ ବାହିନୀକୁ ହେବ ।”

 

ଘଣ୍ଟାକ ପରେ ଅତିଥିମାନେ ବିଦାୟ ନେଲେ । ଦୀର୍ଘକାୟ ସବଳ ପିୟେର ଆନ୍ଦ୍ରେର ଘର ଆଡ଼କୁ ଚାଲିଲା । ଟିକି ଝିଅଟି ଶୋଇ ପଡ଼ିଥିଲା । ସେମାନେ ନୈଶ ଭୋଜନ ସାରି ବୈଠକଖାନାରେ ବସି ଧୂମପାନ ସହ ମଜା ଗପରେ ମାତିଗଲେ ।

 

ପିୟେର ସହସା ବ୍ୟକ୍ତ କଲା–‘‘ଏଟା ସ୍ଵାଧୀନତା ପାଇଁ ଯୁଦ୍ଧ ହୋଇଥିଲେ, ମୁଁ ସବା ଆଗେ ସୈନ୍ୟ ବାହିନୀରେ ନାମ ଲେଖାଇ ଥାଆନ୍ତି । କିନ୍ତୁ ବିଶ୍ୱର ମହତ୍ତ ବ୍ୟକ୍ତି ବିରୁଦ୍ଧରେ ଇଂଲଣ୍ଡ ଓ ଅଷ୍ଟ୍ରିୟାକୁ ସାହାଯ୍ୟ କରିବା ଯଥାର୍ଥ ନୁହେଁ ।’’

 

ଆନ୍ଦ୍ରେ କାନ୍ଧ ହଲାଇଲା–‘‘ଯଦି ପ୍ରତ୍ୟେକେ ଖାଲି ନିଜର ଆତ୍ମବିଶ୍ୱାସ ନିମନ୍ତେ ଯୁଦ୍ଧ କରନ୍ତି, ତାହା ହେଲେ ଆଦୌ ଯୁଦ୍ଧ ହେବ ନାହିଁ ?’’

 

‘‘ଆଚ୍ଛା, ତାହା ହେଲେ, ତୁମେ କାହିଁକି ଯୁଦ୍ଧକୁ ଯାଉଛ ?’’ ପିୟେର ପଚାରିଲା ।

 

ଇତସ୍ତତଃ କରି ଆନ୍ଦ୍ରେ ଜବାବ ଦେଲା–କାହିଁକି ? ତୁରନ୍ତ ମୁଁ କହିପାରିବି ନାହିଁ । କାରଣ ମୋତେ ଯିବାକୁ ହେଉଛି । ଆଉ, ତାହାଛଡ଼ା, ତୁମେ ତ ଦେଖୁଛ, ମୁଁ ଯାଉଛି, କାରଣ ଏଠାକାର ଅଳସ ଜୀବନ ମୋତେ ଆଦୌ ଭଲଲାଗୁ ନାହିଁ ।’’

 

ସେ ସାମ୍ନାକୁ ନଇଁ ପଡ଼ି କର୍କଶ ସ୍ୱରରେ ପିୟେରକୁ କହିଲା–‘‘କଦାପି, କଦାପି ତୁମେ ବିଭା ହେବ ନାହିଁ । ମୋ କଥା ମନେରଖିବ । ଜୀବନରେ ତୁମର ଯାହା ସବୁ କରିବାର ଅଛି, ସେସବୁ ନ କରିସାରିବା ଯାଏ, ମନୋନୀତ ନାରୀକୁ ଭଲନପାଇବା ଯାଏ, ତୁମେ ବିଭା ହେବ ନାହିଁ । ନୋହିଲେ ଏମିତି ଭୁଲ କରିବ ଯେ ତାହା କଦାପି ସଂଶୋଧିତ ହୋଇପାରିବ ନାହିଁ ।’’

 

ଗୋଟାକ ପରେ ପିୟେର ବନ୍ଧୁର ଘରୁ ବାହାରିଲା । ଭଡ଼ା ଘୋଡ଼ାଗାଡ଼ିରେ ବସି ଘୋଡ଼ସବାର ବାହିନୀର ବ୍ୟାରେକକୁ ଯିବାପାଇଁ ସେ କଚୁଆନକୁ କହିଲା । ଜହ୍ନ ରାତି ନିର୍ଜନ ରାସ୍ତାରେ ଗାଡ଼ି ଚାଲିଲା । ପିୟେର ନିଜ ବିବେକକୁ ଆଶ୍ୱାସନା ଦେଲା–‘‘ବେଶ୍‌, ଆଉ ଗୋଟାଏ ରାତି, ତା’ପରେ ସବୁ ସରିଲା ।

 

ଘୋଡ଼ାଗାଡ଼ିରୁ କୁଦି ପଡ଼ି, ସେ ବ୍ୟାରେକର ପାହାଚରେ କୁଦି କୁଦି ଭିତରକୁ ଚାଲିଗଲା-। ଦାଣ୍ଡ ଘରେ କେହି ନଥିଲେ । ଖଲି ବୋତଲ, ପୋଷାକପତ୍ର, ଜୋତାସବୁ ଏଣେତେଣେ ପଡ଼ିଥିଲା । ଉପରୁ ଆନନ୍ଦର ଚିତ୍କାର ଭାସି ଆସୁଥିଲା । ପିୟେର ଦୋତାଲାର ଗୋଟାଏ ଉଜ୍ଜ୍ୱଳ କକ୍ଷ ଆଲୋକିତ କକ୍ଷକୁ ପଶିଗଲା । ଖୋଲା ଝରକା ପାଖରେ ଆଠ ଜଣ ଯୁବକ ଛିଡ଼ାହୋଇଥିଲେ । ଆଉ ତିନି ଜଣ ମାତାଲ ହୋଇ ଗୋଟାଏ ଜୁଆନ ଭାଲୁକୁ ଜଞ୍ଜିରରେ ବାନ୍ଧି ଅଟକାଇବା ପାଇଁ ପ୍ରାଣପଣେ ଯୁଝୁଥିଲେ ।

 

ପରଦିନ ପିୟେର ମସ୍କୋକୁ ଫେରିଗଲା, ଆଉ ପ୍ରିନ୍‌ସ ଆନ୍ଦ୍ରେ କ୍ଲୀକ ହିଲକୁ ଚାଲିଗଲା-

 

ଆନ୍ଦ୍ରେର ବାପା ବୃଦ୍ଧି ପ୍ରିନ୍‌ସ ବଲକନିସ୍କ ହିଲରେ ବାସ କରୁଥିଲେ । ତାଙ୍କର ଝିଅ ମେରିୟା ତାହାଙ୍କ ପାଖରେ ଥିଲା । ଦିନେ ବୃଦ୍ଧ ରୁଷିଆରେ ଜଣେ ପ୍ରସିଦ୍ଧ ସେନାପତି ଥିଲେ । ବର୍ତ୍ତମାନର ଯୁଦ୍ଧ ନୀତି ପସନ୍ଦ ନ ହେବାରୁ ସେ ସ୍ୱେଚ୍ଛାରେ ସୈନ୍ୟ ବିଭାଗରୁ ଅବସର ଗ୍ରହଣ କରିଥିଲେ । ତଥାପି ସମଗ୍ର ଯୁଦ୍ଧର ଖବର ସେ ନିଜର ନଖ ଦର୍ପଣରେ ରଖୁଥିଲେ । ଆନ୍ଦ୍ରେକୁ ଦେଖି ସେ ପଚାରିଲେ, ଆଗାମୀ ଅଷ୍ଟ୍ରିୟା ଯୁଦ୍ଧ ଲାଗି ରୁଷିଆର ସୈନ୍ୟ ବିଭାଗ କି ରକମ ବ୍ୟବସ୍ଥା କରୁଛି । ଆନ୍ଦ୍ରେକୁ ଯାହା ମାଲୁମ ଥିଲା, ସବୁ କଥା ବାପାଙ୍କ ଆଗରେ ଫିଟାଇ କହିଲା । ଅଭିଯାନର ପ୍ରଣାଳୀ ସମ୍ବନ୍ଧରେ ଯେଉଁ ଯୋଜନା ହୋଇଥିଲା, ତାହା ଶୁଣି ବୃଦ୍ଧ ବଲକନିସ୍କ ତିକ୍ତ ହସ ହସିଲେ । ସେ ପଚାରିଲେ–‘‘କୁଟୁଜଭ ତୁମର ସେନାପତି ନା ?’’ ସେ କ’ଣ ଏମିତି ଗୋଟାଏ ଅବାସ୍ତବ ଯୋଜନାକୁ ଗ୍ରହଣ କରିଛି ?”

 

ଆନ୍ଦ୍ରେ ଜବାବ ଦେଲା–‘‘ନା, ସେ ଗ୍ରହଣ କରିନାହାନ୍ତି । କିନ୍ତୁ ସେଥିରେ କିଛି ଯାଏ ଆସେନା । ସେ ନାମକୁମାତ୍ର ସେନାପତି । ଅଷ୍ଟ୍ରିୟାର ସାମରିକ ପରାମର୍ଶଦାତା ମଣ୍ଡଳୀ ସମସ୍ତ ଯୋଜନା ପ୍ରଣୟନ କରିଛି । ଜାର ସେଥିରେ ସମ୍ମତି ଜ୍ଞାପନ କରିଛନ୍ତି ।’’

 

ଜୋରରେ ଟେବୁଲ ବାଡ଼େଇ ବୃଦ୍ଧ ପ୍ରିନ୍‌ସ କହିଲେ–ସେହି ରକମ ଗୋଟାଏ କିଛି ହେବ ବୋଲି ଜାଣିପାରି ମୁଁ ମନେ ମନେ ଆଗରୁ ଖସି ଆସିଲି । ଆମେ ଯେଉଁ ପୁରୁଣା ରୀତିରେ ଯୁଦ୍ଧ କରୁଥିଲୁ , ତାହାହିଁ ଯୁଦ୍ଧ ନୀତିର ଶେଷ କଥା । ନୂଆ କିଛି କରିବା ଆଗରୁ, ଭାବିଚିନ୍ତି ଦେଖିବାର କଥା ଯେ ନୂଆ ରୀତି ପୁରୁଣା ଠାରୁ ସତରେ ଭଲ କି ନା ।”

 

ଆନ୍ଦ୍ରେ କହିଲା–ନେପୋଲିୟନଙ୍କର ରଣକୌଶଳ ନୂତନ ଧରଣର । ସୁତରାଂ ସମସ୍ତେ ଭାବୁଛନ୍ତି ଯେ ନୂଆ କିଛି କଲେ ବୋଧହୁଏ ଲଢ଼େଇକୁ ତୁରନ୍ତ ଖତମ କରାଯାଇପାରିବ ।”

 

ବୃଦ୍ଧ ପଚାରିଲେ–‘‘ଯେତେବେଳେ ତୁମେ ଏହି ବିଷୟଟାକୁ ଏତେ ତଳେଇ ଦେଖୁଛ, ଯୁଦ୍ଧକୁ ବା ଯାଉଛ କାହିଁକି ?”

 

‘‘ଯାଉଛି ଦୁଇଟି କାରଣରୁ । ପ୍ରଥମତଃ, ଜୟ କି ପରାଜୟରେ କିଛି ଯାଏ ଆସେନା, ଯୁଦ୍ଧକୁ ଗଲେ ଯଥେଷ୍ଟ ଅଭିଜ୍ଞତା ଲାଭ ହୁଏ । ଦ୍ୱିତୀୟତଃ, ଆମର ଜୟର ଆଶା କ୍ଷୀଣ ଥିବାରୁ ପ୍ରତ୍ୟେକ ଦେଶବାସୀଙ୍କ ପକ୍ଷରେ ଦେଶ ସେବାରେ ନିଜର ଯଥା ଶକ୍ତି ବିନିଯୋଗ କରିବା ଏକାନ୍ତ ପ୍ରୟୋଜନୀୟ ।’’

 

ମୃଦୁ ହସି ପ୍ରିନ୍‌ସ ଆନ୍ଦ୍ରେ ସମ୍ମତି ଜଣାଇଲେ । ଟିକିଏ ଚୁପ୍ ରହି ସେ ପଚାରିଲେ–‘‘ଆଉ କିଛି କହିବାର ଅଛି ?’’

 

‘‘ହଁ, ଅଛି । ଯଦି ଏହି ଯୁଦ୍ଧରେ ମୋର ମୃତ୍ୟୁ ହୁଏ ଏବଂ ଯଦି ମୋର ପୁତ୍ର ସନ୍ତାନ ଜାତ ହୁଏ, ତାହା ହେଲେ ଆପଣ ତାହାକୁ ନିଜ ପାଖରେ ରଖି ଉପଯୁକ୍ତ ମଣିଷ କରି ଗଢ଼ିବେ, ଠିକ୍‌ ଯେମିତି ମୋତେ କରିଥିଲେ ।’’

 

‘‘ହେଉ, ଯାଅ, ବିଦାୟ’’ ବୃଦ୍ଧ ସହସା ଫାଟି ପଡ଼ିଲେ । ତା’ପରେ ଆନ୍ଦ୍ରେ ନିଜର ସ୍ତ୍ରୀର ରକ୍ତହୀନ ଅଧରରେ ଚୁମା ଦେଇ ଦ୍ରୁତ ପ୍ରସ୍ଥାନ କଲା ।

 

ପିୟେର ମସ୍କୋରେ ପହଞ୍ଚି ଦେଖିଲା, ବୃଦ୍ଧ କାଉଣ୍ଟ ବେଜୁହଭ ସାଙ୍ଘାତିକ ବେରାମ । ଗୋଟିଏ ଉଚ୍ଚ ଶଯ୍ୟାରେ ସେ ପଡ଼ିଛନ୍ତି, କଥା କହୁନାହାନ୍ତି, ପ୍ରାୟ ଅଚେତନ । ସେ ଶଯ୍ୟା ପାଖରେ ଠିଆ ହୋଇ କାଉଣ୍ଟଙ୍କର ମୁଖକୁ କିଛିକ୍ଷଣ ଅନାଇ ରହିଲା ଚଉଡ଼ା ଉଚ୍ଚଭ୍ର, ଦୃଢ଼ ଶୀତଳ ରମଣୀୟ ନୟନ । ସେ ଗଁ ଗଁ ହେଲେ । କଡ଼ ଲେଉଟାଇଲାବେଳେ ସେ ପିୟେରର କରୁଣ ଦୃଷ୍ଟି ଲକ୍ଷ୍ୟ କଲେ । ତାଙ୍କର ଅଧର କୋଣରେ କ୍ଷୀର ସ୍ମିତହାସ୍ୟ ରେଖାଟିଏ ଖେଳିଗଲା ଏବଂ ଗାଲ ଉପରେ କେତେ ଠୋପା ଲୁହ ଗଡ଼ି ପଡ଼ିଲା । ତା’ପରେ ବୃଦ୍ଧ ଆଖି ବୁଜିଲେ । ପିୟେର ବସି ପଡ଼ି ତାହାଙ୍କୁ ଅନାଇ ରହି କିଂକର୍ତ୍ତବ୍ୟ ବିମୂଢ଼ ହୋଇଗଲା ।

 

ଏତିକିବେଳେ ପିୟେରର ବାହୁରେ କାହାର ମୃଦୁ ପରଶ ଲାଗିଲା । ‘ଆସ, ସେ ଆଉ ନାହାନ୍ତି’ ଆନା ଫୁସ୍‌ ଫୁସ୍‌ କରି କହିଲା । ଦୁହେଁ ଘରୁ ବାହାରିଗଲେ ।

 

ଦୁଇଦିନ ପରେ, ଉଇର ପଢ଼ାଯିବାରୁ ଜଣାଗଲା, ପିୟେର କାଉଣ୍ଟ ବେଜୁହଭଙ୍କର ଅଗାଧ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରୀ ହୋଇଛି ।

 

(୨)

 

୧୮୦୫ ଅକ୍ଟୋବରର ମଝାମଝି । ରୁଷିଆର ସୈନ୍ୟମାନେ ପ୍ରଥମେ ପୂର୍ବ ଅଷ୍ଟ୍ରିୟାର ସହର ଓ ଗ୍ରାମସବୁ ଦଖଲ କରିବାକୁ ଲାଗିଲେ । ସେମାନେ ଶହ ଶହ ମାଇଲ ଯାତ୍ରା କରି କ୍ଳାନ୍ତ ହୋଇ ପଡ଼ିଥିଲେ ସୁଦ୍ଧା, ପରବର୍ତ୍ତୀ ଅଭିଯାନର ଆଦେଶକୁ ସମସ୍ତେ ଅପେକ୍ଷା କରିଥିଲେ । ଖାଦ୍ୟ, ପୋଷାକ ଓ ଅସ୍ତ୍ରଶସ୍ତ୍ର ପ୍ରାୟ ସରି ଆସୁଥିଲା ।

 

ବ୍ରୋନୋରେ ସେନାପତି କୁଟୁଜଭର ଛାଉଣି ପଡ଼ିଥିଲା । ଅଷ୍ଟ୍ରିୟାର ସେନାପତି ଆର୍କଡ଼ିଉକ ଫାର୍ଡ଼ିନାଣ୍ତ ଜଣେ ଦୂତର ହାତରେ ଖବର ପଠାଇଥିଲା, କୁଟୁଜଭ ସମସ୍ତ ରୁଷୀୟ ସୈନ୍ୟ ନେଇ ଅବିଳମ୍ୱେ ତାହା ସହିତ ମିଳିତ ହେଉ । କିନ୍ତୁ କୁଟୁଜଭ ଏଥିରେ ରାଜି ହେଲା ନାହିଁ, କାରଣ ଅଷ୍ଟ୍ରିୟାର ସୈନ୍ୟବହିନୀ ସହିତ ଯୋଗ ଦେଲେ ଆପଣା ଇଚ୍ଛା ମୁତାବକ କାମ କରିବା ପାଇଁ ତାହାର ଆଉ ସ୍ୱାଧୀନତା ରହିବ ନାହିଁ । ସେ ଗୋଟାଏ ନୂଆ ଫଦି ବାହାର କଲା ଯଦି ଅଷ୍ଟ୍ରିୟାର ସେନାପତି ଫରାସୀମାନଙ୍କୁ ପରାସ୍ତ କରିଥାଆନ୍ତି, ତାହା ହେଲେ ରୁଷୀୟ ସୈନ୍ୟଙ୍କର ସାହାଯ୍ୟ ତ ଆଉ ଲୋଡ଼ା ହେବ ନାହିଁ ।

 

କୁଟୁଜଭ କହିଲା ଅଷ୍ଟ୍ରିୟାର ସେନାପତି ଆର୍କଡ଼ିଉକର ଚିଠିଟା ଦେଖେ ।

 

ଆନ୍ଦ୍ରେ ଚିଠିଟା ବଢ଼ାଇଦେଲାରୁ, କୁଟୁକଭ ପଢ଼ିଲା ଆମର ପ୍ରାୟ ସତର ହଜାର ସୁଶୃଙ୍ଖଳିତ ସୈନ୍ୟ ଅଛନ୍ତି । ଯଦି ଶତ୍ରୁ ଲୋକ ସହର ପାଖ ଦେଇ ଯିବାକୁ ଚେଷ୍ଟା କରେ, ତାହା ହେଲେ ଆମର ସୈନ୍ୟ ବାହିନୀ ସେମାନଙ୍କୁ ଅକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେବା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି । ଉଲ୍ମ ଅଞ୍ଚଳରେ ଆମର ଅଧିକାର ଅକ୍ଷୁଣ୍ଣ ରହିଛି । ସୁତରାଂ ଦାନିୟୁବର ଉଭୟ ପାର୍ଶ୍ୱ ଅଧିକାର କରିବାର ସୁଯୋଗ ବା ଆମେ କାହିଁକି ଛାଡ଼ିବା ? ଯଦି ଶତ୍ରୁ ଲୋକ ସହର ଟପିବାକୁ ଚେଷ୍ଟା ନ କରେ, ତାହା ହେଲେ ଆମେ ଯେ କୌଣସି ମୁହୂର୍ତ୍ତରେ ଦାନିୟୁବ ପାରି ହୋଇ ସେମାନଙ୍କର ସକଳ ବ୍ୟମସ୍ଥା ସମୂଳେ ନଷ୍ଟ କରିଦେଇପାରିବା । ରୁଷୀୟ ସୈନ୍ୟ ବାହିନୀ ପ୍ରସ୍ତୁତ ନହେଲା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ତା’ପରେ ସେମାନଙ୍କ ସହିତ ଆମେ ଶତ୍ରୁ ଉପରେ ଚରମ ଆଘାତ ହାଣିବା ।

 

ଚିଠିଟା ପଢ଼ି ସାରି କୁଟୁଜଭ ସହଚର ଆନ୍ଦ୍ରେକୁ କହିଲା ‘‘ଯାଅ ତ, ଆମ ଗୁପ୍ତଚରମାନେ କି ଖବରସବୁ ଆଣିଛନ୍ତି ତୁରନ୍ତ ନେଇଆସ । ହଁ, ଆମ ପାଖରେ ଯେତେ ଖବର ପହଞ୍ଚିଛି ସବୁ ମିଳାଇ ଅଷ୍ଟ୍ରିୟ ସୈନ୍ୟବାହିନୀର ଗତିବିଧିର ଗୋଟାଏ ଧାରାବାହିକ ବିବରଣୀ ପ୍ରସ୍ତୁତ କର ।’’

 

ଆନ୍ଦ୍ରେ ବାହାରକୁ ଆସିଲାମାତ୍ରେ ସହକାରୀ କୋଜଲୋସ୍କି ସହିତ ଦେଖା ହେଲା । କୋଜଲୋସ୍କି ତାହାକୁ ପଚାରିଲା ‘‘ସେନାପତିମାନଙ୍କ ଠାରୁ ଖବର ଆସିଛି ?’’

 

‘‘ନା ।’’

 

‘‘ଯଦି ସେ ପରାସ୍ତ ହୋଇଥିବେ, ତାହା ହେଲେ ଅଚିରେ ଏଠାକୁ ଖବର ଆସିଯିବ ।’’

 

‘‘ଖୁବ୍‌ ସମ୍ଭବ’’ କହି ଆନ୍ଦ୍ରେ ଦୁଆର ଆଡ଼କୁ ଯାଉଥିଲା । ଠିକ୍‌ ସେତିକିବେଳେ ଜଣେ ଦୀର୍ଘକାୟ ଅଷ୍ଟ୍ରୀୟ ବାହିନୀର ସେନାପତି ମୁଣ୍ତରେ ପଟି ବାନ୍ଧି ଘର ଭିତରକୁ ପଶି ଆସିଲା ଏବଂ ସେନାପତି କୁଟୁଜଭ ସହିତ ଦେଖା କରିବାକୁ ଚାହିଁଲା ।

 

ତତ୍‌କ୍ଷଣାତ୍‌ କୁଟ୍‌ଜଭ ନିଜେ ଦୁଆର ଖୋଲି ବାହାରି ଆସିଲା ଏବଂ ଆଗନ୍ତୁକକୁ ଦେଖି ଆବାକାବା ହୋଇଗଲା ।

 

ଆହତ ସେନାପତି ଟିକିଏ ନଇଁ ଠିଆ ହେଲା ଏବଂ ଭଙ୍ଗା ଗଳାରେ କହିଲା ‘‘ଅଭାଗା ମାକ୍‌ ଆପଣଙ୍କ ସମ୍ମୁଖରେ ହାଜର ।’’ କୁଟୁଜଭର ମୁଖରେ ଗୋଟାଏ ଭ୍ରୂକୁଟି ଦେଖାଗଲା । ସେ ମାକ୍‌କୁ ସାଙ୍ଗରେ ନେଇଗଲା ।

 

ମନ୍ଦ ଖବରଟା ବଣ ନିଆଁ ପରି ରୁଷୀୟ ସୈନ୍ୟ ବାହିନୀ ଭିତରେ ଅବିଳମ୍ବେ ଖେଳିଗଲା–ଅଷ୍ଟ୍ରିୟ ସୈନ୍ୟବାହିନୀ ଉଲ୍ମ ଠାରେ ଆତ୍ମସମର୍ପଣ କରିଛି, ଆଉ ନେପୋଲିୟନଙ୍କଦ୍ୱାରା ପ୍ରତାରିତ ହୋଇ ଜେନାରେଲ ମାକ୍‌ କୌଣସିମତେ ଖସି ପଳାଇ ଆସିଛି ।

 

କେତେ ସପ୍ତାହ ହେଲା ରୁଷୀୟ ସୈନ୍ୟ ବାହିନୀ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା । ସ୍ୱୟଂ ନେପୋଲିୟନଙ୍କଦ୍ୱାରା ପରିଚାଳିତ ଏକଲକ୍ଷ ସୈନ୍ୟ ବିଶିଷ୍ଟ ଫରାସୀ ବାହିନୀଦ୍ୱାରା ଆକ୍ରାନ୍ତ ହୋଇ, କୁଟୁଜଭର ପଇଁତ୍ରିଶ ହଜାର ସୈନ୍ୟର ବାହିନୀକୁ ଦାନିୟୁବର ତଳ ଅଞ୍ଚଳକୁ ତୁରନ୍ତ ପଛଘୁଞ୍ଚା ଦେବାକୁ ପଡ଼ିଲା । ସେଠାରେବି ସେମାନେ ଶତ୍ରୁଦ୍ୱାରା ଆକ୍ରାନ୍ତ ହେଲେ-। ବହୁ ରୁଷୀୟ ସୈନ୍ୟ ଟଳି ପଡ଼ିଲେ । ଯୁଦ୍ଧ ସମ୍ମୁଖରେ ସଜା ହୋଇଥିଲେ ଡାହାଣରେ ପଦାତିକ ବାହିନୀ, ମଝିରେ କମାଣ ବାହିନୀ ଓ ବାମରେ ଅଶ୍ୱାରୋହୀ ବାହିନୀ । ଫରାସୀ ସୈନ୍ୟମାନେ ଅତି ଦ୍ରୁତ ଗତିରେ ମାଡ଼ି ଆସୁଥିଲେ । ଭଉୟ ପଟରୁ ବନ୍ଧୁକ ଓ କମାଣର ବାହିନୀ କମାଣର ଭୀମ ଗର୍ଜନ ଆକାଶ କମ୍ପାଇ ଦେଉଥିଲା । କଟୂ ବାରୁଦ ଧୂଆଁ ଓ ଗନ୍ଧରେ ପବନ ଦୂଷିତ ହୋଇଯାଉଥିଲା । ଆନ୍ଦ୍ରେ ବିଚଳିତ ହୋଇଗଲା । ଅନନ୍ୟୋପାୟ ହୋଇ ସେ ଗୋଟିଏ ଘୋଡ଼ାରେ ଚଢ଼ି ଆବଶ୍ୟକୀୟ ପରାମର୍ଶ ସକାଶେ ସେନାପତି କୁଟୁଜଭ ପାଖକୁ ଧାଇଁ ଗଲା ସେହି ବିପଦଜନକ ଗୁଳି ଗୁଳା ଭିତରେ ନିଜ ଜୀବନକୁ ତୁଚ୍ଛ କରି ।

 

ଇତିମଧ୍ୟରେ, ସାଲଜେନେକ ଗ୍ରାମରେ ହୁସାର ସୈନ୍ୟ ବାହିନୀର ଛାଉଣୀ ପଡ଼ିଥିଲା । ନିକୋଲେ ରଷ୍ଟଭ ଓ ଦଳର କପ୍ତାନ ଡେନିସଭ ଗାଁର ଗୋଟିଏ ଘରେ ରହୁଥିଲେ । ରଷ୍ଟଭ ରସଦ ସଂଗ୍ରହ କରିବାକୁ ଯାଇଥିଲା । ରାତିସାରା ଘୂରି ଘୂରି ସେ ଭୋରବେଳକୁ କ୍ଳାନ୍ତ ହୋଇ ନିଜର ଡେରାକୁ ଫେରିଆସିଲା । ଘର ସାମ୍ନାରେ ସେ ଘୋଡ଼ାରୁ ଓହ୍ଲାଇ ପଡ଼ିଲା ଏବଂ ଘୋଡ଼ାର ତତ୍ତ୍ୱ ନେବା ପାଇଁ ଅର୍ଦ୍ଦଳିକୁ ବରାଦ କରି ଭିତରକୁ ଚାଲିଗଲା ।

 

କିଛିକ୍ଷଣ ପରେ କପ୍ତାନ ଡେନିସଭ ସେଠାରେ ହାଜର ହେଲା ଖର୍ବକାୟ, ଲାଲ ମୁଖ, ଉଜ୍ଜ୍ୱଳ କଳା ଆଖି, ଅବିନ୍ୟସ୍ତ କେଶ, କଳା ନିଶ; ପରିଧାନ ଆଲଖାଲା, ପାଇଜାମା ଓ ଟୋପି । ରଷ୍ଟଭକୁ ଦେଖି ସେ ପଚାରିଲା ‘‘ଇତିମଧ୍ୟରେ ଉଠି ପଡ଼ିଲଣି ?’’

 

‘‘ଉଠିବି କ’ଣ, ରାତିସାରା ତ ଘୋଡ଼ାର ରସଦ ଖୋଜିବାରେ ଲାଗିଛି’’–ରଷ୍ଟଭ ଜବାବ ଦେଲା ।

 

‘‘ସତେ ! ମୁଁ ଏଣେ ରାତିସାରା ଜୁଆ ଖେଳରେ ମାତିଛି ! ପୋଡ଼ା କପାଳ ! ଖାଲି ହାରିବାଟା ସାର ହେଲା !’’ ଡେନିସଭ ତମାଖୁର ନଳୀରେ ନିଆଁ ଲଗାଇଲାବେଳେ, ସେଟା ଭାଙ୍ଗିଯାଇ ନିଆଁତକ ତଳେ ପଡ଼ିଗଲା । ଜାମା ଭିତରୁ ଟଙ୍କା ଥଳିଟା କାଢ଼ି ରଷ୍ଟଭ ଆଡ଼କୁ ଫିଙ୍ଗି ଦେଇ ସେ କହିଲା ‘‘ଦେଖ ତ ଭାଇ, ଆଉ କେତେ ରହିଲା ।’’

 

ରଷ୍ଟଭ ଥଳି ଖୋଲି ଗଣିବାକୁ ଲାଗିଲା କେତୁଟା ପୁରୁଣା ଓ ନୂଆ ମୋହର ଥିଲା । ଗଣି ସାରି ସେ ଥଳିଟା ଡେନିସଭର ତକିଆତଳେ ରଖିଦେଲା ।

 

ମାତ୍ର ତା’ପରେ ଘୋର ଅଶାନ୍ତି ସୃଷ୍ଟି ହେଲା । କାରଣ ଡେନିସଭର ତକିଆ ତଳୁ ଟଙ୍କା ଥଳିଟା ମିଳିଲା ନାହିଁ । ତତ୍‍କ୍ଷଣାତ୍‌ ରଷ୍ଟଭର ସନ୍ଦେହ ଯାଇ ପଡ଼ିଲା ତରୁଣ ଲେଫ୍‌ଟେନାଣ୍ଟ ତେଲିୟନିନ ଉପରେ । ସେ କାଳବିଳମ୍ୱ ନ କରି ତାହାକୁ ଖୋଜିବାକୁ ବାହାରିଲା । ଏଣେତେଣେ ଘୂରାଘୂରି ପରେ ଗୋଟିଏ ହୋଟେଲରେ ତେଲିୟାନିନର ଦେଖା ମିଳିଲା । ନାନାରକମ ରୁଚିକର ଖାଦ୍ୟ ଓ ପାନୀୟର ସଦ୍‌ବ୍ୟବହାରରେ ସେ ମାତିଥିଲା ।

 

ରଷ୍ଟଭ ତାହାକୁ ଝରକା ଆଡ଼କୁ ଟାଣି ନେଇ ପଚାରିଲା ‘‘ଡେନିସଭର ଟଙ୍କା ଥଳିଟା କାହିଁ ?’’

 

ପ୍ରଥମେ ତେଲିୟାନିନ ତର୍ଜନ ଗର୍ଜନ କରି କମ୍ପାଇଲା ‘‘ଏତେ ସାହସ ତୁମର ? କ’ଣ କହୁଛ ? ମୁଁ ଚୋରି କରିଛି ?’’ ପରମୁହୂର୍ତ୍ତରେ ତାହାର ନିଶା ତୁଟିଗଲା । ଭଙ୍ଗା ଗଳାରେ କାନ୍ଦି କାନ୍ଦି ସେ ଅନୁରୋଧ କଲା ‘‘ନିଅ ଥଳିଟା । ମୋର କିନ୍ତୁ ସର୍ବନାଶ କର ନାହିଁ । ଘରେ ବୁଢ଼ା ବାପା–ମାଆ ମୋତେ ଅନାଇ ବସିଛନ୍ତି ।’’

 

ରଷ୍ଟଭ ଥଳିଟା ନେଇ ଚାଲିଗଲାବେଳେ ତାହାକୁ ଭର୍ତ୍ସନା କଲା–‘‘କିପରି ଏମିତି ଅପକର୍ମ କଲ ।’’

 

ଜେନେରାଲ ମାକ୍‌ ପରାସ୍ତ ହୁଅନ୍ତେ, ଜେନାରେଲ କୁଟୁଜଭକୁ ଅଷ୍ଟ୍ରିୟାର ରାଜଧାନୀ ଭିୟେନା ଆଡ଼କୁ ପଛଘୁଞ୍ଚା ଦେବାକୁ ପଡ଼ିଲା । ଇନ୍‌ ଓ କ୍ରୋନ୍‌ ନଦୀର ପୋଲ ଧ୍ୱଂସ କରିଦେଇ ସେ ପଛେଇବାକୁ ଲାଗିଲା । ତା’ପରେ ସେ ଏନ୍‌ସ ନଦୀ ପାରି ହେଲା । ଯେଉଁଠି ଏନ୍‌ସ ଦାନିୟୁବ ସହିତ ମିଶିଛି, ସେଠାରେ ଗୋଟାଏ ଛୋଟ ଦ୍ୱୀପରେ ଦୁର୍ଗଟିଏ ଥିଲା । ଦାନିୟୁବର ଆରପାରିରେ ତୀଖ ପାହାଡ଼ ଉପରେ ଘନ ପାଇନ ବଣ ଏବଂ ତା’ପରେ ଗୋଟାଏ ଧଳା ମଠ । ହୁଏତ ଫରାସୀ ସେନା ସେଠାରେ ଛାଉଣି ପକାଇଛନ୍ତି ।

 

ଶତ୍ରୁ ପକ୍ଷର ଦୁଇଟା ଗୋଳା ଏନ୍‌ସ ନଦୀର ପୋଲ ଉପରେ ଆସି ପଡ଼ିଲାମାତ୍ରେ, ଯେଉଁ ସୈନ୍ୟମାନେ ପୋଲ ପାରି ହେଉଥିଲେ ସେମାନଙ୍କ ଭିତରେ ଧସ୍ତାଧସ୍ତି, ଠେଲାପେଲା ଲାଗିଲା । ତଳେ ନଦୀର ବକ୍ଷରେ ଢେଉ, ତା’ ଉପରେ ପୋଲର ବକ୍ଷରେ ସୈନ୍ୟମାନଙ୍କର ହାତାହାତିର ଢେଉ ଖେଳିଲା । ଏତିକିବେଳେ ଆସି ପହଞ୍ଚିଲା ଗୋଟିଏ ମାଲ ବୋଝାଇ ଘୋଡ଼ାଗାଡ଼ି ଦୁଇଟି ଘୋଡ଼ା ଟାଣୁଥିଲେ, ଗୋଟିଏ ପରିବାରର ଯାବତୀୟ ଜିନିଷପତ୍ର ପର୍ବତ ଆକାରରେ ଲଦା ହୋଇଥିଲା, ପଛରେ ଗୋଟିଏ ଦୁଧିଆଳି ଗାଈ, ଜିନିଷପତ୍ର ଉପରେ ଝିଅଟିଏ ବସିଥିଲା, ତାହାର କୋଳରେ ପିଲାଟିଏ । ଲଢ଼େଇ ଲାଗିବାରୁ ସେମାନେ ଗାଁ ଛାଡ଼ି ପଳାଇ ଯାଉଥିଲେ ।

 

ଠିକ୍‌ ସେତିକିବେଳେ ଗୋଟାଏ ଗୋଳା ଆସି ନଦୀରେ ପଡ଼ିଲା । ସୈନ୍ୟମାନଙ୍କ ଭିତରେ ଭୀଷଣ ଚାଞ୍ଚଲ୍ୟ ଖେଳିଗଲା । ପଛରୁ ଠେଲି ପେଲି କପ୍ତାନ ଡେନିସଭ ଗୋଟାଏ ଘୋଡ଼ାରେ ଚଢ଼ି ଆଗକୁ ମାଡ଼ି ଚାଲିଥିଲା । ତାହା ପଛେ ପଛେ ହୁସାର ସୈନ୍ୟମାନେ । ସେମାନଙ୍କ ଭିତରେବି ରଷ୍ଟଭ ଥିଲା ।

 

ସେପଟେ ସବୁଜ ବଣର ପଛରେ ରହି ଫରାସୀ ସୈନ୍ୟମାନେ ଗୋଲା ବୃଷ୍ଟି କରୁଥିଲେ-। ପୋଲ ଉପରେ ଗୋଳା ପଡ଼ିଲାବେଳକୁ ରୁଷୀୟ ସୈନ୍ୟମାନେ ପୋଲ ଟପି ଯାଇ ନିଆଁ ଲଗାଇ ଦେଲେ । ପୋଲ ଦାଉ ଦାଉ ହୋଇ ଜଳିବାକୁ ଲାଗିଲା । ଏହା ଦେଖି ରଷ୍ଟଭ ପ୍ରାୟ ଅଚେତ ହେଲା ଭଲି ଅବସ୍ଥାକୁ ଆସିଯାଇଥିଲା ।

 

ଫରାସୀ ସୈନ୍ୟମାନେ ସେଠାରେ ପହଞ୍ଚିବା ଆଗରୁ, ପୋଲଟିର କୌଣସି ସତ୍ତା ନଥିଲା ।

 

(୩)

 

ଜେନାରେଲ କୁଟୁଜଭ ଗୁପ୍ତ ଖବର ପାଇଲା–ଫରାସୀ ସୈନ୍ୟମାନେ ଭିୟେନା ଅଭିମୁଖେ ଅଗ୍ରସର ହେଉଛନ୍ତି । ଯଦି କୁଟୁଜଭ ନ ପଳାଏ, ତାହା ହେଲେ ସମ୍ରାଟ ନେପୋଲିୟନଙ୍କର ଦେଢ଼ ଲକ୍ଷ ସୈନ୍ୟ ଅଚିର ତାହାକୁ ଘେରାଉ କରିବେ ଏବଂ ଉଲ୍ମ ନିକଟରେ ମାକ୍‌ରେ ଯେଉଁ ଅବସ୍ଥା ହୋଇଥିଲା ତାହାକୁ ଅନୁରୂପ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ । କୁଟୁଜଭର ମାତ୍ର ଚାଳିଶ ହଜାର ଶ୍ରାନ୍ତ କ୍ଳାନ୍ତ ସୈନ୍ୟ ଥିବାରୁ, ଯୁଦ୍ଧ କରିବାର ପ୍ରଶ୍ନ ଉଠି ନ ପାରେ ।

 

ବାସ୍ତବିକ ଫରାସୀ ସୈନ୍ୟମାନେ ନଦୀ ପାରି ହୋଇ ଦ୍ରୁତ ଗତିରେ ଜାଇମ ଆଡ଼କୁ ମାଡ଼ି ଚାଲିଥିଲେ ! ସେଠାରୁ କୁଟୁଜଭର ଶିବିରର ଦୂରତା ହେଉଛି ପ୍ରାୟ ପଅଁଷଠି ମାଇଲ । ସୁତରାଂ ଫରାସୀମାନେ ସେଠାରେ ଆଗେ ପହଞ୍ଚି ପାରିଲେ, ରୁଷୀୟ ସୈନ୍ୟମାନେ ପଳାଇବାକୁ ଆଉ ବାଟ ପାଇବେ ନାହିଁ । ଏପରି ସ୍ଥଳେ, କୁଟୁଜଭ ଗୋଟାଏ ମହାସଙ୍କଟରେ ପଡ଼ିଲା ।

 

ଯାହାହେଉ, ବହୁ ଚିନ୍ତା ପରେ କୁଟୁଜଭକୁ ଗୋଟାଏ ବୁଦ୍ଧି ଦିଶିଲା । ଅନତି ବିଳମ୍ୱେ ସେ ପ୍ରିନ୍‌ସ ବାଗ୍ରାତିୟୋକୁ ଚାରି ହଜାର ସୈନ୍ୟ ସହ ପାର୍ବତ୍ୟ ପଥରେ ଜାଁଇମରେ ଯାଇ ପହଞ୍ଚିବାକୁ ପଠାଇଲା । ଦୂରତା କମ ଥିବାରୁ, ଆଶା କରାଗଲା ଯେ ବାଗ୍ରାତିୟୋ ଫରାସୀମାନଙ୍କର ଯଥେଷ୍ଟ ଆଗରୁ ଜାଁଇମରେ ପହଞ୍ଚିପାରେ । ତାହା ହେଲେ ସେ ଅନ୍ତତ କିଛିଦିନ ପାଇଁ ଶତ୍ରୁର ଜାଁଇମରେ ପ୍ରବେଶକୁ ପ୍ରତିରୋଧ କରିପାରିବ ଏବଂ ଇତିମଧ୍ୟରେ କୁଟୁଜଭ ସୈନ୍ୟ ନେଇ ଆଗେଇଯିବ । ତାହାଛଡ଼ା ରୁଷିଆରୁ ନୂତନ ସୈନ୍ୟମାନେ ମଧ୍ୟ ଅଚିରେ ଆସି ପହଞ୍ଚିବେ ।

 

ବାଗ୍ରାତିୟୋର ପାର୍ବତ୍ୟ ଅଭିଯାନ ଭିତରେ ଦେଢ଼ ହଜାର ସୈନ୍ୟ ପଛରେ ପଡ଼ିଗଲେ ପ୍ରତିକୁଳ ପାଗ, ଖାଦ୍ୟାଭାବ ଓ ବଣ ଜଙ୍ଗଲ ହେତୁ । ଅବଶିଷ୍ଟ ସୈନ୍ୟ ଧରି ସେ କୌଣସିମତେ ହୋଲାବ୍ରନ ଠାରେ ପହଞ୍ଚିଲା । ଭିୟେନା ଠାରୁ ଜାଁଇମର ରାସ୍ତାରେ ଏହି ସ୍ଥାନଟି ଅବସ୍ଥିତ । ଏଠାରେ ସେ ଶୁଣିଲା । ଯେ ଫରାସୀମାନେ ମଧ୍ୟ ପକା ରାସ୍ତାରେ ଆସି ଅଦୂରରେ ପହଞ୍ଚି ଗଲେଣି-। ତେଣୁ ପାହାଡ଼ ଭିତରେ ଗଲେ ସୁଦ୍ଧା ସେ ଶତ୍ରୁର ଆଗରୁ ଜାଁଇମରେ ପହଞ୍ଚି ପାରିବ ନାହିଁ । ଏଥିପାଇଁ ସେ ଚିନ୍ତିଚ ଥିଲାବେଳେ, ଫରାସୀ ସୈନ୍ୟର ଅଧିନାୟକ ମାର୍ଶାଲ ମୁରାଟ ବାଗ୍ରାତିୟୋର ମୃଷ୍ଟିମେୟ ସୈନ୍ୟଙ୍କୁ କୁଟୁଜଭର ବିରାଟ ସୈନ୍ୟ ବାହିନୀ ଭାବି ତାହା ପାଖକୁ ଦିନକ ପାଇଁ ଯୁଦ୍ଧ ବିରତିର ପ୍ରସ୍ତାବ ପଠାଇଲା, ଏବଂ ତେଣେ ନେପୋଲିୟନଙ୍କ ଠାକୁ ଭିୟେନାକୁ ଖବର ଦେଲା ଅତି ଶୀଘ୍ର ଆସନ୍ତୁ, ଶତ୍ରୁକୁ ମୁଁ ପିଞ୍ଜରାରେ ପୂରାଇ ରଖିଛି ।

 

ବାଗ୍ରାତିୟୋ ଏଥିରେ ରାଜି ହେଲା । କିନ୍ତୁ ଏହା ଶୁଣି ନେପୋଲିୟନ ରାଗରେ ଜଳିଗଲେ, କାରଣ ସେ ଜାଣିଥିଲେ ଯେ ଏଟା କୁଟୁଜଭର ମୂଳ ବାହିନୀ ନୁହେଁ । ତେଣୁ ସେ ତତ୍‌କ୍ଷଣାତ୍‌ ମାର୍ଶାଲ ମୁରାଟ ଠାକୁ କଡ଼ା ହୁକୁମ ପଠାଇଲେ ଯୁଦ୍ଧ ବିରତି ନାକଚ, ଏକ୍ଷଣି ଆକ୍ରମଣ କର ।

 

ତେଣେ ବାଗ୍ରାତିୟୋ ଠିକ୍‌ ପାର୍ବତ୍ୟ ପଥରେ ଅଭିଯାନ କଲା ପରେ, ପ୍ରିନ୍‌ସ ଆନ୍ଦ୍ରେ ଅଷ୍ଟ୍ରିୟାର ସାମୟିକ ରାଜଧାନୀ ବ୍ରାନ ସହରରୁ ଫେରିଆସିଲା ଏବଂ ଏହି ଅଭିଯାନର କଥା ଶୁଣି କୁଟୁଜଭ ଠାରୁ ଅନୁମତି ନେଇ ପାର୍ବତ୍ୟ ପଥରେ ଯାତ୍ରା କଲା । ବାଗ୍ରାତିୟୋ ତାହା ପରି ଜଣେ ସୁଦକ୍ଷ ସାହସୀ ସହଚର ପାଇ ଖୁବ୍‌ ଖୁସି ହେଲା । ଆନ୍ଦ୍ରେ ସମୁଦାୟ ଛାଉଣିଟା ଥରେ ଦେଖି ଆସିବାକୁ ବାହାରିଲା ।

 

ଛାଉଣିର ବାହାରେ ମାଟି ଖୋଳା ହୋଇ ପରିଖା କରାଯାଇଥିଲା ଏବଂ ଗୋଟିଏ ଗୋଟିଏ ଜାଗାରେ ମାଟିଗଦା କରି ପାଚେରୀ ତିଆରି ହୋଇଥିଲା । ଏସବୁ ଦେଖିସାରି ଆନ୍ଦ୍ରେ ପାହଡ଼ ଆଡ଼କୁ ସେଠାରୁ ଫରାସୀ ଛାଉଣି ଦିଶୁଥିଲା । ଆନ୍ଦ୍ରେ ନିଜ ସୈନ୍ୟଙ୍କର ଆଗେଇଲା । ଛାଉଣିଟା ଥରେ ଘୂରିଆସି ଗୋଟିଏ ଜାଗାରେ ଠିଆ ହେଲା । ଫରାସୀମାନଙ୍କୁ ବାଧା ଦେବା ପାଇଁ ସେଠାରେ ଚାରୋଟି କମାଣ କପ୍ତାନ ଟୁଶିନର ଦାୟିତ୍ୱରେ ରଖାହୋଇଥିଲା ।

 

ଠିକ୍‌ ସେତିକିବେଳେ ପବନରେ ଗୋଟାଏ ସାଁ ସାଁ ଶବ୍ଦ ଶୁଭିଲା ଏବଂ ଗୋଟାଏ ଗୋଳା ମାଟିରେ ପଡ଼ି ଏକ ବିରାଟ ଗାତ କରିଦେଲା । କପ୍ତାନଟୁଶିନ ସଙ୍ଗେ ପଙ୍ଗେ ଡେରା ଭିତରୁ ବାହାରି ଆସିଲା । ପ୍ରଥମ ଗୋଳାର ଧୂଆଁ କଟି ନ ଯାଉଣୁ, ଆଉ ଗୋଟାଏ ଗୋଳା ଧୂଆଁ ଉଡ଼ାଇ ଧାଇଁ ଆସିଲା । ପଛରେ ଗୋଳାବୃଷ୍ଟିର ଆବାଜ ଅଧିକ ଭୟଙ୍କର ହେବାକୁ ଲାଗିଲା । ଗୋଳା ପରେ ଗୋଳା କ୍ରମାଗତ ଛୁଟିଲା, ବିରତି ନାହିଁ । ରୁଷୀୟ ସୈନ୍ୟମାନେ ଏଥର ଜବାବ ଦେବାକୁ ଲାଗିଲେ । ବନ୍ଧୁକର ଶବ୍ଦ ଶୁଭୁଥିଲା । ନେପୋଲିୟନଙ୍କ ହୁକୁମ ପାଇଲାମାତ୍ରେ, ମୁରାଟ ଆକ୍ରମଣର ଆଦେଶ ଦେଇଥିଲା । ସେ ଆଶା କରିଥିଲା, ନେପୋଲିୟନଙ୍କର ଆଗମନ ପୂର୍ବରୁ ଶତ୍ରୁର ଏହି ଛୋଟ ବାହିନୀଟିକୁ ସେ ମୂଳପୋଛ କରିଦେଇଥିବ ।

 

ହେମନ୍ତର ଗୋଧୂଳି ଭିତରେ କେତେ ଜଣ ଅଶ୍ୱାରୋହୀ ଧାଇଁ ଆସିଲେ । ସେମାନଙ୍କ ସାମ୍ନାରେ ଥିଲା ପ୍ରିନ୍‌ସ ବାଗ୍ରାତିୟୋ । ଆନ୍ଦ୍ରେ ତାହା ପାଖରେ ଯାଇ ଠିଆ ହେଲା । ସମସ୍ତେ ମିଶି କପ୍ତାନ ଟୁଶିନର ଚାରୋଟି କମାଣ ଥିବା ଜାଗାକୁ ଗଲେ । ଯାଉଁ ଯାଉଁ ବାଟରେ ଦୁଇଟା ଗୋଳା ସେମାନଙ୍କ ସାମ୍ନାରେ ପଡ଼ି ମାଟି ଫଟାଇ ଦେଲା । ତଥାପି ଆଗକୁ ଯାଇ ସେମାନେ ଟୁଶିନର କମାଣ ସାମ୍ନାରେ ପହଞ୍ଚିଲେ । ଠିକ୍‌ ସେତିକିବେଳେ ଟୁଶିନର ଶେଷ କମାଣରୁ ଗୋଳା ଛୁଟିଲା । କମାଣର ଗର୍ଜନରେ କଚାଡ଼ି ପଡ଼ି କପ୍ତାନ ଟୁଶିନ ସେମାନଙ୍କ ଆଡ଼କୁ ଧାଇଁ ଆସିଲା ଏବଂ ତୀକ୍ଷ୍‌ଣ ସ୍ୱରରେ ଚିତ୍କାର କଲା–ଦୁଇ ପଏଣ୍ଟ ! ଦୁଇ ! ଫାୟାର !

 

ଶୋନଗ୍ରାବେନ ଗାଁରେ ବହୁ ଫରାସୀ ସୈନିକ ଘୁରିବୁଲୁଥିବାରୁ ସେହି ଆଡ଼କୁ କମାଣ ଫୁଟାଗଲା । ବାଗ୍ରାତିୟୋ ଆଦେଶ ଦେଲା ଡାହାଣ ଓ ବାମ ପଟରେ ଯେଉଁ ସୈନ୍ୟମାନେ ଅଛନ୍ତି, ସେମାନଙ୍କୁ ନ ଚଳାଇ ମଝିରୁ ଦୁଇଟି ଦଳକୁ ନଦୀ ଆଡ଼କୁ ପଠାଅ ଫରାସୀ ସୈନ୍ୟଙ୍କ ଆକ୍ରମଣକୁ ରୋକିବା ଲାଗି ।

 

ସହସା ଜଣେ ସୈନିକ କହି ପକାଇଲା–ମଝିରୁ ସୈନ୍ୟ ଅପସାରଣ କଲେ ଟୁଶିନର ଏହି କମାଣଗୁଡ଼ିକ ପହରା ଦେବା ପାଇଁ କେହି ରହିବେ ନାହିଁ । ତାହା ହେଲେ ଏସବୁ ନିଶ୍ଚୟ ଶତ୍ରୁର ହାତରେ ପଡ଼ିବ ।

 

ଏତିକିବେଳେ ଜଣେ ଅଶ୍ୱାରୋହୀ ବାର୍ତ୍ତାବହ ଆସି ଜଣାଇଲା ନଦୀ ଆଡ଼ ଅଗଣିତ ଫରାସୀ ସୈନ୍ୟ ଆସି ସେଠାକାର ରୁଷୀୟ ସୈନ୍ୟମାନଙ୍କୁ ଘେରାଉ କରିଛନ୍ତି । ଭାରାପ୍ରାପ୍ତ କର୍ଣ୍ଣେଲ ଆହୁରି ସୈନ୍ୟ ଦରକାର କରୁଛନ୍ତି ।

 

ବାଗ୍ରାତିୟୋ ହୁକୁମ ଦେଲା–ଡ୍ରାଗନ ଅଶ୍ୱାରୋହୀମାନେ ସଙ୍ଗେ ସଙ୍ଗେ ଯାଇ ଫରାସୀମାନଙ୍କ ଉପରେ ଚଢ଼ାଉ କରନ୍ତୁ ।

 

ଏହା କହି ସେ ନିଜେ ସେ ଆଡ଼କୁ ଅଗ୍ରସର ହେଲା । କିନ୍ତୁ ସେଠାରେ ପହଞ୍ଚିବା ଆଗରୁ ସେ ଜାଣିପାରିଲା ଯେ ଡ୍ରାଗନମାନେ ଆଗରୁ ନଦୀ ନିକଟରୁ ହଟି ଯାଇଛନ୍ତି ।

 

ବାମ ଦିଗର ଜଙ୍ଗଲ ଭିତରୁ ସେତେବେଳେ ଗୁଳିର ଆବାଜ ଶୁଭୁଥିଲା । ସେଠାକାର କର୍ଣ୍ଣେଲକୁ ନିରାପଦ ଜାଗାକୁ ହଟି ଯାଇ ଘାଟି ତିଆରି କରିବାକୁ ଆଦେଶ ପଠାଗଲା ।

 

ବାଗ୍ରାତିୟୋ ଡାହାଣ ଦିଗର ଯୁଦ୍ଧ କ୍ଷେତ୍ରର ଶେଷ ସୀମା ପର୍ଯ୍ୟନ୍ତ ଗଲା । ଷଷ୍ଠ ଚେଶାୟାର ବାହିନୀ ସାମ୍ନାକୁ ଆଗେଇଯିବାରୁ, ସେହି ଦିଗଟା ସୁରକ୍ଷିତ ହୋଇଥିଲା । କପ୍ତାନ ଟୁଶିନର କମାଣ ଯୋଗୁଁ ମଝିଟାବି ଅକ୍ଷତ ଥିଲା । କମାଣର ଗୋଳା ଫୁଟି ଶୋନଗ୍ରାବେନ ଗାଁରେ ନିଆଁ ଲାଗିଗଲା । ଫରାସୀ ସୈନ୍ୟମାନେ ନିଆଁ ଲିଭାଇବାରେ ବ୍ୟସ୍ତ ଥିଲାବେଳେ, ରୁଷୀୟ ସୈନ୍ୟମାନେ ପଛକୁ ହଟି ଆସିଲେ ।

 

ହୁସାର ବାହିନୀର ସୈନ୍ୟମାନେ ଘୋଡ଼ାରେ ଚଢ଼ିବା ଆଗରୁ ଶତ୍ରୁ ସେମାନଙ୍କୁ ଚଢ଼ାଉ କଲେ । ଫରାସୀ ଓ ରୁଷୀୟ ସୈନ୍ୟମାନେ ମୁହାଁମୁହିଁ ହେଲେ । ମଝିରେ ଖଣ୍ତିଏ ସଂକୀର୍ଣ୍ଣ ଫାଙ୍କା ଜାଗା ଥିଲା । ତାହା ଭିତରକୁ ପଶିବାମାନେ ନିଶ୍ଚିତ ମରଣ ।

 

କର୍ଣ୍ଣେଲ ଗୋଟାଏ ଆଦେଶ ଦେଲା । ତାହା କେହି ଶୁଣି ପାରିଲେ ନାହିଁ । ତା’ପରେ ଆଉ ଗୋଟାଏ ଆଦେଶ ଦିଆଗଲା । କିନ୍ତୁ କେହି ନିଜ ନିଜ ଜାଗାରୁ ଘୁଞ୍ଚିଲେ ନାହିଁ ।

 

ଅବଶେଷରେ କପ୍ତାନ ଡେନିସଭର କଣ୍ଠସ୍ୱର ଶୁଭିଲା–‘‘ଭଗବାନ ଭରସା । ଆଗେଇ ଯାଅ ବନ୍ଧୁମାନେ !’’

 

ରଷ୍ଟଭର ଘୋଡ଼ାଟା ମନକୁ ମନ ଛୁଟିଲା । ଡାହାଣ ଓ ବାମ ଦିଗରେ ନିଜ ବାହିନୀର ହୁସାରମାନେ । ସାମ୍ନାରେ ଗୋଟାଏ ଅସ୍ପଷ୍ଟ କଳାରେଖା ଦିଶିଲା, ଆଉ ଟିକିଏ ଦୂରରେ ଗୁଳିର ଆବାଜ ଶୁଭିଲା ।

 

ପୁଣି ଆଦେଶ ମିଳିଲା–‘‘ଆହୁରି ଦ୍ରୁତ ଗତିରେ ।’’

 

ରଷ୍ଟଭର ଘୋଡ଼ା ବିଜୁଳି ବେଗରେ ଧାଇଁ ଚାଲିଲା । ଅସ୍ୱାଭାବିକ ବେଗରେ ଧାଇଁଥିଲାବେଳେ, ଏକ ସମୟରେ ରଷ୍ଟଭର ମନେହେଲା ଯେ ସେ ଆଉ ଆଗୋଉ ନାହିଁ, ଗୋଟାଏ ଜାଗାରେ ଠିଆ ହୋଇଛି । ସେ ନିଜକୁ ନିଜେ ପଚାରିଲା ‘‘କ’ଣ ହେଲା ? ମୁଁ ଯେ ହଲଚଲ ହେଉ ନାହିଁ ! ମୁଁ କ’ଣ ପଡ଼ିଗଲି ? ମୁଁ କ’ଣ ମରିଗଲି ?’’ ଯୁଦ୍ଧକ୍ଷେତ୍ରର ମଝିରେ ସେ ଏକା ଠିଆ ହୋଇ ନିଜ ପ୍ରଶ୍ନର ଉତ୍ତର ନିଜେ ଦେଉଥିଲା । ଘୋଡ଼ାଟା କୁଆଡ଼େ ଗଲା ? ଚତୁର୍ଦ୍ଦିଗରେ ନିଶ୍ଚଳ ପୃଥିବୀ । ଏ କ’ଣ ? ତାହାର ଦେହରେ ରକ୍ତ ଆସି ଲାଗିଲା କେଉଁଠୁ ? ସେ କ’ଣ ଆହତ, ନା ଘୋଡ଼ାଟା ମରିଗଲା ? ଘୋଡ଼ାଟା ପଡ଼ିଗଲା, ପୁଣି ଉଠିବାକୁ ଚେଷ୍ଟାକଲା, ମାତ୍ର ପାରିଲା ନାହିଁ । ଆରୋହୀର ପାଦ ଘୋଡ଼ାର ପେଟତଳେ ରହିଗଲା । ଘୋଡ଼ାର ମୁଣ୍ତରୁ ରକ୍ତ ଗଡ଼ିଲା । ଘୋଡ଼ା ଓ ରଷ୍ଟଭ ଉଭୟେ ଉଠିବାକୁ ଚାହୁଁଥିଲେ, ମାତ୍ର କେହି ପାରୁନଥିଲେ । ଅବଶେଷରେ ରଷ୍ଟଭ ବହୁ କଷ୍ଟରେ ଘୋଡ଼ାର ପେଟତଳୁ ଗୋଡ଼ କାଢ଼ି ଆଣି ଛିଡ଼ା ହେଲା । ତାହାର ବାମ ହାତଟା ପ୍ରାୟ ଅଚଳ ହୋଇଯାଇଥିଲା । ସେ ଦେଖିଲା, କେତେ ଜଣ ଫରାସୀ ଜଣେ ରୁଷୀୟ ହୁସାରର ହାତ ଧରି ତାହା ଆଡ଼କୁ ଧାଇଁ ଆସୁଛନ୍ତି । ସେ ମନେ ମନେ ଭାବିଲା ସେମାନେ କ’ଣ ମୋତେ ହତ୍ୟା କରିବେ ? ଏହି କଥାଟା ତାହାର ମଗଜରେ ପଶିଲାମାତ୍ରେ, ସେ ଗୋଟିଏ ଜାଗାରେ ପଥର ମୂର୍ତ୍ତିପରି ନିସ୍ପନ୍ଦ ହୋଇ ରହିଲା । ସବାଆଗରେ ଯେଉଁ ଲୋକଟି ଆସୁଥିଲା, ତାହା ଉପରେ ଦୃଷ୍ଟି ପଡ଼ିଲାମାତ୍ରେ ରଷ୍ଟଭ ପିସ୍ତଲଟା ବାହାର କରି ଭୟରେ ତାହାର ମୁହଁ ଉପରକୁ ପିଙ୍ଗିଦେଲା ଏବଂ ବଣବୁଦା ଆଡ଼କୁ ଜୋରରେ ଦଉଡ଼ି ପଳାଇଲା । ବୁଦାମୂଳରେ ପହଞ୍ଚି ସେ ପଛକୁ ବୁଲିପଡ଼ି ଦେଖିଲା, ଶତ୍ରୁମାନେ ତାହା ଆଡ଼କୁ ଚାଲି ଆସୁଛନ୍ତି, ଆଉ ସବାଆଗରେ ଫରାସୀ ଜଣକ ତାହା ଆଡ଼କୁ ବନ୍ଧୁକ ଲକ୍ଷ୍ୟ କରୁଛି । ସଙ୍ଗେ ସଙ୍ଗେ ସେ ଟିକିଏ ଘୁଞ୍ଚିଗଲା । ବୁଲେଟ ପରେ ବୁଲେଟ ସାଁ ସାଁ ଗର୍ଜନ କରି ତାହାର ଦୁଇ ପାଖ ଦେଇ ବାହାରିଗଲା । ସେ ନିଜର ଭାରୀ ବାମ ହାତଟା ଡାହାଣ ହାତରେ । ଧରି ପୁଣି ଧାଇଁଯାଇ ବୁଦା ଭିତରେ ପଶିଗଲା-। ସେଠାରେ ଦଳେ ରୁଷୀୟ ସୈନ୍ୟ ଫରାସୀଙ୍କୁ ସାବାଡ଼ କରିବା ପାଇଁ ଛପି ରହିଥିଲେ ।

 

ଚାରିଆଡ଼େ ଦିନକର ଲଢ଼େଇ ସରିଯାଇଥିଲେ ସୁଦ୍ଧା, ମଝି ଧାଡ଼ିର ଗୋଟାଏ ଜାଗାରୁ କମାଣ ଗର୍ଜୁଥିଲା । ତତ୍‌କ୍ଷଣାତ୍‌ ବାଗ୍ରାତିୟୋର ବୋଧହୁଏ ଟୁଶିନ ଓ ତାହାର ଚାରୋଟି କମାଣର କଥା ମନେପଡ଼ିଲା । ଖୋଜଖବର ନେବା ପାଇଁ ଆନ୍ଦ୍ରେକୁ ପଠାଗଲା ।

 

ଆନ୍ଦ୍ରେ କମାଣ ଜାଗାରେ ପହଞ୍ଚିଲାବେଳକୁ, ଫରାସୀ ସୈନ୍ୟ ବାହାନୀର ଗୋଳା ବୃଷ୍ଟି ପ୍ରଚଣ୍ତ ଆକାର ଧାରଣ କରିଥିଲା । ଚାରୋଟି ଭିତରୁ ଟୁଶିନର ଦୁଇଟି କମାଣ ଅକାମୀ ହୋଇଯାଇଥିଲା । ଶତ୍ରୁର ଗୋଳା ବୃଷ୍ଟିକୁ ଖାତିର ନ କରି ଆନ୍ଦ୍ରେ ଅନ୍ୟମାନଙ୍କ ସହିତ କମାଣ ଦୁଇଟିକୁ ଠେଲି ଠେଲି ଆଣି ଗାଡ଼ିରେ ଲଦିଲା । ତା’ପରେ ସେ ବାଗ୍ରାତିୟୋକୁ ଖବର ଦେବା ପାଇଁ ଘୋଡ଼ା ଛୁଟାଇଲା ।

 

କମାଣର ଗାଡ଼ିଟା ଯାଇ ଯୁଦ୍ଧ କ୍ଷେତ୍ରର ବାମ ଦିଗରେ ପହଞ୍ଚିଲା । ଏତିକିବେଳେ ଜଣେ ଆହତ ଯୁବକ ସୈନିକ ଛୋଟେଇ ଛୋଟେଇ ଆସି କାତର ସ୍ୱରରେ ଟୁଶିନକୁ ଅନୁନୟ କଲା–‘‘କପ୍ତାନ, ଆଉ ବଳ ପାଉ ନାହିଁ, ଚାଲିପାରୁ ନାହିଁ । ଦୟାକରି ମୋତେ ଟିକିଏ ଗାଡ଼ି ଉପରକୁ ଉଠାଇ ଦିଅ ।’’

 

ତା’ପରେ ରଷ୍ଟଭ ଅଚେତ ହୋଇ ତଳେ ପଡ଼ିଗଲା । କପ୍ତାନ ଟୁଶିନ ତାହାକୁ ଗାଡ଼ି ଉପରକୁ ଟେକିଦେଲା ।

 

(୪)

 

କିଛିଦିନ ହେଲା ରଷ୍ଟଭ ଖବର ନ ପାଇ ଘରେ ସମସ୍ତେ ବିଶେଷ ଚିନ୍ତିତ ଥିଲେ । ଶୀତ ଋତୁର ମଝିରେ ବୃଦ୍ଧ କାଉଣ୍ଟ ଖଣ୍ଡିଏ ଚିଠି ପାଇଲେ । ଖାମ ଉପରେ ପୁଅର ହସ୍ତାକ୍ଷର ଦେଖି ସେ ସଙ୍ଗେ ସଙ୍ଗେ ଚିଠିଟା ପଢ଼ିବାକୁ ଲାଗିଲେ । ତେଣେ ଚିଠି ଆସିବାର ଖବର ପାଇ, ଆନା ମିହାଲୋଭନା ତାହାଙ୍କ ପାଖରେ ଆସି ତୁରନ୍ତ ହାଜର ହୋଇଗଲା ।

 

କାଉଣ୍ଟ କାନ୍ଦି କାନ୍ଦି ଥଙ୍ଗେଇ ଥଙ୍ଗେଇ କହିଲେ–‘‘ନିକୋଲୁସ୍କା...ଚିଠି ଆହତ...ବୁଝିଲ ଭଉଣୀ...ଆହତ... ପୁଅ ମୋର...କାଉଣ୍ଟେସ ଯେ କ’ଣ କରିବ...ପଦୋନ୍ନତି ହୋଇଛି...ଭଗବାନଙ୍କୁ ଧନ୍ୟବାଦ...କାଉଣ୍ଟେସକୁ କିପରି ଖବରଟା ଦେବାକୁ ହେବ ?’’

 

ଆନା ମିହାଲୋଭନା ବାରମ୍ୱାର ଚିଠିଟା ପଢ଼ିଲା ଏବଂ ଅତି ସାବଧାନତା ସହକାରେ ରଷ୍ଟଭର ରୋଗଣା ମାଆକୁ ତାହାର ଖବରଟା ଆସ୍ତେ ଆସ୍ତେ ଶୁଣାଇଲା । ଆନାର ଚତୁର ପୁଅ ବୋରିସ କୌଣସି ବିପଦର ସମ୍ମୁଖୀନ ନ ହୋଇ ମଝିରେ ମଝିରେ ଗୋଟିଏ ଲେଖାଏଁ ପାହାଚ ଉପରକୁ ଉଠୁଥିଲା । ସେ ବରାବର ମାଆର ସୁଚିନ୍ତିତ ପରାମର୍ଶ ଅନୁଯାୟୀ କାମ କରୁଥିଲା ଏବଂ ତଦ୍ୱାରା ତାହାର ଉନ୍ନତି ମଧ୍ୟ ହେଉଥିଲା । ସେ ପ୍ରଧାନ ସେନାପତି କୁଟୁଜଭର ବ୍ୟକ୍ତିଗତ ସହକାରୀ ଭାବରେ କାର୍ଯ୍ୟ କରୁଥିଲା । କୁଟୁଜଭ ଠାକୁ ରାଜଧାନୀରୁ ଚିଠିପତ୍ର ନେଇ ବରାବର ଲୋକ ଯାଉଥିଲେ । ତେଣୁ ରଷ୍ଟଭ ପାଇଁ ଚିଠି ଓ କିଛି ଟଙ୍କା ବୋରିସ ପାଖକୁ ପଠାଇ ଦିଆଗଲା । ବୋରିସ ଠାରୁ ଖବର ପାଇ, ରଷ୍ଟଭ ଠାରୁ ଚିଠି ଓ ଟଙ୍କା ବୁଝିନେଲା ।

 

ବୋରିସ ତାହାକୁ ପଚାରିଲା, ସେ କେଉଁଠି କିପରି ଆହତ ହୋଇଥିଲା । ତହୁଁ ରଷ୍ଟଭ ଯୁଦ୍ଧର ଟିକିନିଖି ବିବରଣୀ ପ୍ରଦାନ କଲା । ସେଥିରେ ତାହାର ନିଜର ବୀରତ୍ୱର ପରିଚୟ ଅଧିକ ପରିମାଣରେ ଥିଲା ।

 

ଠିକ୍‌ ସେତିକିବେଳେ ପ୍ରିନ୍‌ସ ଆନ୍ଦ୍ରେ ଆସି ସେଠାରେ ପହଞ୍ଚିଲା । ଗତକାଲି ବୋରିସର ତାହା ସହିତ ପରିଚୟ ହେଲା । ଆନ୍ଦ୍ରେ ପ୍ରଧାନ ସେନାପତି କୁଟୁଜଭ ଠାରୁ କାଗଜପତ୍ର ନେଇ ଜାର୍‌ଙ୍କ ପାଖକୁ ଆସିଥିଲା । ସେ ରଷ୍ଟଭର ବାହାଦୁରୀ ଶୁଣି ନାପସନ୍ଦ କଲାରୁ, ଏହି ବିଷୟ ଉପରେ ଦୁହିଁଙ୍କ ଭିତରେ ଖୁବ୍‌ କଡ଼ା ଯୁକ୍ତିତର୍କ ଚାଲିଲା ।

 

ରୁଷିଆରୁ ନୂତନ ସୈନ୍ୟମାନେ ଆସି କୁଟୁଜଭର ବାହିନୀରେ ଯୋଗ ଦେଇଥିଲେ, ଜେନାରେଲ ଓୟାଇରୋଦାର ନେତୃତ୍ୱରେ ଅଷ୍ଟ୍ରିୟାର ଏକ ବୃହତ୍‌ ବାହିନୀ ମଧ୍ୟ । ଅଷ୍ଟ୍ରିୟାର ସମ୍ରାଟ ଫ୍ରାନ୍‌ସିସ ଓ ରୁଷିଆର ଜାର୍‌ ଆଲେକଜାଣ୍ତାର ଓଲମୁଜ୍‌ ଠାରେ ଏକ ବୈଠକରେ ମିଳିତ ହୋଇ ନେପୋଲିୟନଙ୍କ ବିରୁଦ୍ଧରେ ଅବିଳମ୍ୱେ ଯୁଦ୍ଧ କରିବା ପାଇଁ ସ୍ଥିର କଲେ ।

 

ରାତି ଦଶଟାରେ କୁଟୁଜଭର ଶିବିରରେ ରୁଷିଆ ଓ ଅଷ୍ଟ୍ରିୟାର ସମସ୍ତ ସେନାପତିଙ୍କର ଏକ ଯୁଦ୍ଧ ପରିଷଦର ବୈଠକ ବସିଲା । କୁଟୁଜଭର ଶିବିର ଅଷ୍ଟାରଲିଜ ନିକଟରେ ଗୋଟିଏ ଛୋଟ କିଲା ଭିତରେ ପଡ଼ିଥିଲା । ଦରବାର କକ୍ଷରେ ସେନାପତିମାନେ ବସିଥିଲେ । ଆଗାମୀ ଆକ୍ରମଣ କିପରି ଭାବରେ ଚଳାଇବାକୁ ହେବ, ସେହି ସମ୍ୱନ୍ଧରେ ଅଷ୍ଟ୍ରିୟାର ସେନାପତି ଓୟାଇରୋଦାର ଗୋଟାଏ ଯୋଜନା ପ୍ରଣୟନ କରିଥିଲା । ରୁଷିଆର ପ୍ରଧାନ ସେନାପତି ତାହା ଦେଖିବା ଆଗରୁ ସମ୍ରାଟ ଅନୁମୋଦନ କରିସାରିଥିଲେ । ସମସ୍ତେ ପ୍ରିନ୍‌ସ ବାଗ୍ରାତିୟୋକୁ ଚାହିଁ ବସିଥିଲେ । ବୁଢ଼ା କୁଟୁଜଭ ଢୁଳାଉଥିଲା । ଓୟାଇରୋଦାର ପଢ଼ି ଯାଉଥିଲା–ଶତ୍ରୁର ବାମ ଦିଗଟା ପାହାଡ଼ ଉପରେ ଜଙ୍ଗଲଦ୍ୱାରା ଆବୃତ ହୋଇ ରହିଛି । ଡାହାଣ ଦିଗରେ କୋବେଲନିଜ ଓ ସୋକଲନିଜ ଦେଇ ରାସ୍ତା ଚାଲିଯାଇଛି । ଯଦି ଆମେ ଏହି ଦୁଇଟି ଗାଁ ଦଖଲ କରି ନେବା ଏବଂ ଶ୍ଳାପନିଜ ଓ ଥ୍ରୁସାଓୟାଲ୍‌ଡ଼ିଜ ଭିତର ଦେଇ ଶତ୍ରୁକୁ ଆକ୍ରମଣ କରିବା, ତାହା ହେଲେ ଆମର ପ୍ରଥମ ବାହିନୀ ବେଲାଇଜର ଗିରିପଥ ଭିତରେ ଆଗେଇ ଯାଇ ପାରିବ, ଦ୍ୱିତୀୟ ଓ ତୃତୀୟ ବାହିନୀ ମଧ୍ୟ ।

 

ପୂରା ଏକ ଘଣ୍ଟା ପଢ଼ିଲା ପରେ ଓୟାଇରୋଦାର ବନ୍ଦ ହେଲା । ଲାଙ୍ଗୋରୋ ଉଠି ଆପତ୍ତି କଲା–‘‘ଏପରି ଏକ ଜଟିଳ ଯୋଜନା କାର୍ଯ୍ୟରେ ପରିଣତ କରିବା ସହଜ ନୁହେଁ । ଶତ୍ରୁତ ଗୋଟିଏ ଜାଗାରେ ବସି ରହି ନାହିଁ, ଅବିରାମ ଘୂରି ବୁଲୁଛି ।’’

 

ତାହାର ସବୁ ଆପତ୍ତି ଖଣ୍ତନ କରି ଓୟାଇରୋଦାର କହିଲା–‘‘ଯଦି ଶତ୍ରୁର ତିଳେ ହେଲେ ଶାନ୍ତି ଥାଆନ୍ତା, ସେ ଆଜି ଆମକୁ ଆକ୍ରମଣ କରିଥାଆନ୍ତା ।’’

 

‘‘ଆପଣ କ’ଣ ଭାବୁଛନ୍ତି ଯେ ତାହାର ଶକ୍ତି ନାହିଁ ?’’

 

‘‘ସେମାନଙ୍କର ଚାଳିଶ ହଜାର ସୈନିକ ଅଛନ୍ତି କି ନା ସନ୍ଦେହ’’ ତାଚ୍ଛଲ୍ୟରେ ହସି ହସି ଓୟାଇରୋଦାର ଜବାବ ଦେଲା । ସେ ପୁଣି କହିଲା–‘‘ସେମାନଙ୍କର ସାହସ ହେଉ ନାହିଁ ପୋଡ଼ିଜାଳି ଦେବାକୁ । ସେମାନେ ଖାଲି ପଳାଇବାରେ ଲାଗିଛନ୍ତି । ଯଦି ସେମାନେ ଟୁରାସ ପର୍ଯ୍ୟନ୍ତ ପଳାଇ ଯାଇପାରନ୍ତି, ତାହା ହେଲେ ଆମର ଯୋଜନା କାର୍ଯ୍ୟକାରୀ ହୋଇପାରିବ ।’’

 

ହଠାତ୍‌ କୁଟୁଜଭ ନିଦ ମଳମଳ ଆଖିରେ ଉଠିପଡ଼ି କହିଲା–‘‘କାଲିର ବ୍ୟବସ୍ଥା ତ ହୋଇଗଲା । କାଲି ନ କହି ବରଂ ଆଜି କହିଲେ ଭଲହେବ । କାରଣ ଏକ୍ଷଣି ରାତି ଗୋଟାଏ । ଯୁଦ୍ଧ ଆଗରୁ ସମସ୍ତଙ୍କର ଟିକିଏ ଶୋଇବା ଦରକାର ।’’

 

ସେହି ସଭାରେ ପ୍ରଧାନ ସେନାପତିର ମୁଖ୍ୟ ସହଚର ଭାବରେ ଆନ୍ଦ୍ରେ ଉପସ୍ଥିତ ଥିଲା-। ତାହାର ମନରେ ଗୋଟାଏ ଦାରୁଣ ସଂଶୟ ଜାତ ହେଲା । କୁଟୁଭର ମତ, ଏକ୍ଷଣି ନେପୋଲିୟନଙ୍କୁ ଆକ୍ରମଣ କରିବା ଠିକ୍‌ ନୁହେଁ । କିନ୍ତୁ କାଲି ଯୁଦ୍ଧ ହେଲେ, ଯଦି ନେପୋଲିୟନଙ୍କର ସୈନ୍ୟ ବାହିନୀ ଅନୁମାନ ଅପେକ୍ଷା ବେଶୀ ହୋଇଥାଏ, ତାହା ହେଲେ ଯୁଦ୍ଧ ଖୁବ୍ ଭୟଙ୍କର ହେବ ଏବଂ ଦଶ କୋଡ଼ିଏ ହଜାର ସୈନ୍ୟ ମୃତ୍ୟୁ ମୁଖରେ ପଡ଼ି ପାରନ୍ତି । ସୁତରାଂ ଆନ୍ଦ୍ରେ ମନେ ମନେ ଭାବିଲା, ସେ ବି କାଲି ମରିଯାଇପାରେ । ମୃତ୍ୟୁ ଚିନ୍ତା ସଙ୍ଗେ ସଙ୍ଗେ ନିଜ ଘରର ସ୍ମୃତି ତାହାର ମନରେ ଭାସିଗଲା ବାପାଙ୍କ ଠାରୁ ଶେଷ ବିଦାୟ, ଆଉ ଆସନ୍ନ ପ୍ରସବା ପତ୍ନୀ-। ତାହାର ମନ କୋମଳ ଓ ମଥା ଗରମ ହୋଇଗଲା । ସେ ବାହାରକୁ ଆସି ଦେଖିଲା, ଜହ୍ନ ଆଲୁଅରେ ଚତୁର୍ଦିଗ ଧବଳମୟ ହୋଇଛି । ସେ ପୁଣି ଭାବିଲା–ହୁଏତ କାଲି ସବୁ ଶେଷ ହୋଇଯିବ । ଏହିସବୁ ସ୍ମୃତିର ଆଉ କିଛି ମୂଲ୍ୟ ରହିବ ନାହିଁ । ତେଣୁ କାଲି ନିଶ୍ଚୟ ନିଜ ଶକ୍ତିର ପୂର୍ଣ୍ଣ ପରିଚୟ ଦେବାକୁ ହେବ । ମୃତ୍ୟୁ ତୁଚ୍ଛ । ଏକା ମୋର ମୃତ୍ୟୁ କାହିଁକି, ସଂସାରରେ ମୋର ଯେତେ ପ୍ରିୟଜନ ଅଛନ୍ତି ସମସ୍ତଙ୍କର ମୃତ୍ୟୁ ଯଦି ମୋତେ ଆଖିରେ ଦେଖିବାକୁ ହୁଏ, ସେଥିରେ ମୋର ଦୁଃଖ ହେବ ନାହିଁ, ଯଦି ବିନିମୟରେ କେବଳ ପାଇବି ମୁହୂର୍ତ୍ତକର ବାସ୍ତବ ଗୌରବ, ଯୁଦ୍ଧ ଜୟର ଗୌରବ, ଆଉ ଜଣାଅଜଣା ସମସ୍ତଙ୍କର ଉଚ୍ଛ୍ୱସିତ ପ୍ରଶଂସା ।

 

ତେଣେ ଗୋଟାଏ ଗୋଳମାଳ ଶୁଭିଲା । ସୈନ୍ୟମାନେ ଜିନିଷପତ୍ରସବୁ ବନ୍ଧାବନ୍ଧି କରୁଥିଲେ, କାରଣ କାଲି ସକାଳେ ଏଠାରେ କେହି ନଥିବେ । ଆନ୍ଦ୍ରେର ଚିନ୍ତାବି ସରି ଆସିଲା ସତରେ ମୁଁ ଯାହା ଚାହେଁ, ତାହା ହେଉଛି ସବୁ ମଣିଷଙ୍କ ଉପରେ ବିଜୟ ଗୌରବ । ସେହି ଗୌରବ ଲାଭ କରିବାର ଶକ୍ତି ଏକ୍ଷଣି ମୁଁ ମୋ ଭିତରେ ଅନୁଭବ କରୁଛି ।

 

ଇତିମଧ୍ୟରେ ରଷ୍ଟଭ ଲେଫ୍‌ଟେନାଣ୍ଟ ପଦ ପାଇଛି । ଏକ୍ଷଣି ଗୋଟିଏ ହୁସାର ସୈନ୍ୟ ଦଳ ତାହାର ଅଧୀନରେ ଅଛି । ସେହି ରାତିରେ ସେ ତାହାର ଛୋଟ ଦଳଟି ସହିତ ବାଗ୍ରାତିୟୋର ଛାଉଣି ପହରା ଦେଉଥିଲା । ନିଦରେ ଆଖିପତା ମୁଦି ଆସୁଥିଲା, ଆଉ ଏଣେ କୁହୁଡ଼ି ଓ ଅନ୍ଧାରରେ କିଛି ବାରି ହେଉନଥିଲା । ସେ ଥରେ ମାତ୍ର ସମ୍ରାଟଙ୍କୁ ଦେଖିଛି । ସମ୍ରାଟ ବହୁ ଲୋକଙ୍କୁ ବିଶେଷ କାର୍ଯ୍ୟରେ ନିଜ ପାଖରେ ରଖିଛନ୍ତି । ରଷ୍ଟଭ ମନେ ମନେ ଭାବିଲା, ଯଦି ସମ୍ରାଟ ଠିକ୍‌ ଯେମିତି ତାହାକୁ କୌଣସି ବିଶେଷ କାମରେ ନିଜ ପାଖରେ ରଖନ୍ତେ, ତାହା ହେଲେ ସେ ବରାବର ତାଙ୍କରି ସେବାରେ ମନପ୍ରାଣ ଢାଳି ଦିଅନ୍ତା । ହଠାତ୍‌ ଦୂରରେ ଗୋଟାଏ ଚିତ୍କାରରେ ରଷ୍ଟଭ ଚମକି ପଡ଼ିଲା । ତାହାର ତନ୍ଦ୍ରା ତୁଟିଗଲା । ସେ ପହରା ଲାଇନରେ ଆସି ପହଞ୍ଚି ଯାଇଥିଲା । ଅନ୍ଧାର ତାହାକୁ ହାଲୁକା ମନେ ହେଲା ।

 

ବାମ ଦିଗରେ ଗୋଟାଏ ଉଚ୍ଚ କୁଦର ମୁଣ୍ତ ଉପରେ ଟିକିଏ ସାଦା ଜାଗା । ତାହାରି ଉପରେ ଗୋଟାଏ କ’ଣ ହଲଚଲ ହେଉଛି । ହଠାତ୍‌ ବହୁ କଣ୍ଠର ଚିତ୍କାର ଶୁଭିଲା । ରଷ୍ଟଭର ଘୋଡ଼ାଟା କାନ ପାତି ଠିଆ ହେଲା । ଯେଉଁଠ ଚିତ୍କାର ଶୁଭୁଥିଲା, ସେଠାରେ ଗୋଟାକ ପରେ ଗୋଟାଏ ଆଲୁଅ ଜଳୁଥିଲା, ଆଉ ଲିଭୁଥିଲା । ତା’ପରେ ଫରାସୀ ଭାଷାରେ ଚିତ୍କାର ଶୁଭିଲା–‘‘ସମ୍ରାଟ ଦୀର୍ଘଜୀବୀ ହେଉନ୍ତୁ ! ସମ୍ରାଟ ଦୀର୍ଘଜୀବୀ ହେଉନ୍ତୁ !’’

 

ରଷ୍ଟଭ ଅନୁମାନ କଲା, ବେଶୀ ଦୂରରେ ନୁହେଁ, ନିଶ୍ଚୟ ନଦୀ ସେପାରିରେ ଫରାସୀମାନେ ଆସି ପହଞ୍ଚିଲେଣି ।

 

ହଠାତ୍‌ ବାଗ୍ରାତିୟୋ ଦୁଇ ଜଣ ସେନାପତିଙ୍କୁ ସାଙ୍ଗରେ ଧରି ସେଠାରେ ଆସି ପହଞ୍ଚିଲା-। ରଷ୍ଟଭ ଯାହା ଦେଖିଥିଲା, ତାହାକୁ ସବୁ ଜଣାଇଲା । ବାଗ୍ରାତିୟୋ ପଚାରିଲା–‘‘ଏଯାଏ କ’ଣ ଶତ୍ରୁର ପହରା ସେଠାରେ ଅଛି ?’’

 

ରଷ୍ଟଭ ଜବାବ ଦେଲା ‘‘ଟିକିଏ ଆଗରୁ ତ ଥିଲା । ଏକ୍ଷଣି ଅଛି କି ନା, ଯାଇ ଦେଖିବି-?’’

 

‘‘ଯାଅ, ତୁରନ୍ତ ଦେଖ ।’’

 

ତହୁଁ ରଷ୍ଟଭ ଘୋଡ଼ା ଛୁଟାଇଲା ।

 

ବାଗ୍ରାତିୟୋ ପଛରୁ ପାଟି କଲା ‘‘ନଦୀ ସେପାରିକୁ ଯିବ ନାହିଁ ।’’ କିନ୍ତୁ ରଷ୍ଟଭ ତାହା ଶୁଣି ପାରିଲା ନାହିଁ ।

 

ଢାଲୁ ପାହାଡ଼ରତଳେ ପହଞ୍ଚି ରଷ୍ଟଭକୁ ମାଲୁମ ହେଲା, ସାମ୍ନାରେ ଗୋଟାଏ ନଦୀ । କିନ୍ତୁ ପ୍ରକୃତରେ ସେଟା ନଦୀ ନୁହେଁ, ଗୋଟାଏ ରାସ୍ତା । ସେ ରାସ୍ତା ଟପି ଆଗକୁ ଧାଇଁଲା । ସଞ୍ଜବେଳେ ଫରାସୀ ପହରା ଯେଉଁଠି ଥିଲା, ସେ ସେଠାରେ ଆସି ପହଞ୍ଚିଲା । ସାମ୍ନାରେ ହଠାତ୍‌ କଳା କଳା କ’ଣ ଗୋଟାଏ ତଳୁ ଉପରକୁ ଉଠିଲା, ସଙ୍ଗେ ସଙ୍ଗେ ନିଆଁର ଝଲକ ଓ ବନ୍ଧୁକର ଆବାଜ । ସାଁ କରି ଗୋଟାଏ ବୁଲେଟ ଆକାଶ ଆଡ଼କୁ ଛୁଟିଗଲା, ଲାଗେ ଲାଗେ ଆଉ ଦୁଇଟା ।

 

ରଷ୍ଟଭ ଘୋଡ଼ାର ମୁହଁ ପଛକୁ ବୁଲାଇ ଦେଇ ପୁଣି ଧାଇଁଲା ଏବଂ ବାଗ୍ରାତିୟୋକୁ ଆସି ଜଣାଇଲା–‘‘ଫରାସୀ ଘାଟି ସେଠାରେ ଅଛି ।’’

 

‘‘ଧନ୍ୟବାଦ ।’’

 

ଏପରି ଏକ ସୁଯୋଗ ଉଣ୍ତି ରଷ୍ଟଭ ଅନୁନୟ କଲା–‘‘ସେନାପତି ! ମୋର ଗୋଟାଏ ଗୁହାରି ଅଛି । ହୁକୁମ ମିଳିଛି, କାଲି ଆମ ଦଳକୁ ପଛରେ ରହିବାକୁ ହେବ । ମାତ୍ର ମୋର ପ୍ରାର୍ଥନା, ମୋତେ ପ୍ରଥମ ଦଳ ସହିତ ରହିବାକୁ ଦିଅନ୍ତୁ ।’’

 

‘‘ଆଚ୍ଛା, ତୁମେ ମୋର ପାର୍ଶ୍ୱଚର ହୋଇ ରହିବ ।’’

 

(୫)

 

ଫରାସୀ ଶିବିର ଆଲୋକିତ ହୋଇଥିଲା । ଆକାଶ ପବନ ଜୟଧ୍ୱନିରେ ପ୍ରକମ୍ପିତ ହେଉଥିଲା । କାରଣ ସମ୍ରାଟ ନେପୋଲିୟନଙ୍କର ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା ସୈନ୍ୟମାନଙ୍କ ଭିତରେ ପ୍ରଚାରିତ ହେଉଥିଲା–

 

‘‘ସୈନ୍ୟବୃନ୍ଦ ! ଉଲ୍ମରେ ଅଷ୍ଟ୍ରିୟାର ସୈନ୍ୟ ବାହିନୀ ଯେଉଁ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲା, ତାହାର ପ୍ରତିଶୋଧ ନେବା ପାଇଁ ରୁଷୀୟ ସୈନ୍ୟମାନେ ତୁମକୁ ଭେଟିବାକୁ ଧାଇଁ ଆସୁଛନ୍ତି । ତୁମେ ସେମାନଙ୍କୁ ଥରେ ହୋଲାବ୍ରୁନ ଠାରେ ଖତମ କରିଦେଇଥିଲ । ଆମେ ଯେଉଁ ଘାଟି ମାଡ଼ି ବସିଛନ୍ତି, ତାହା ବାସ୍ତବିକ ଦୁର୍ଭେଦ୍ୟ । ସେମାନେ ଆମକୁ ଡାହାଣ ପଟରୁ ଆକ୍ରମଣ କରିବାକୁ ଆସୁଛନ୍ତି । ଫଳରେ, ଆମେ ସେମାନଙ୍କୁ ବାମ ପଟରୁ ଆକ୍ରମଣ କରିବାର ସୁଯୋଗ ପାଇବା । ସୈନ୍ୟବୃନ୍ଦ ! ଆଜି ମୁଁ ନିଜେ ତୁମ୍ଭମାନଙ୍କୁ ପରିଚାଳନା କରିବି । ଯଦି ନିଜର ସ୍ୱାଭାବିକ ବୀରତ୍ୱ ସହିତ ତୁମ୍ଭେମାନେ ଶତ୍ରୁ ସୈନ୍ୟର ଅଭ୍ୟନ୍ତର ପର୍ଯ୍ୟନ୍ତ ପରାଜୟ ଓ ବିଶୃଙ୍ଖଳା ଭରି ଦେଇପାରିବ, ତାହା ହେଲେ ମୁଁ ଜାଣିବି ଯେ ମୁଁ ସେମାନଙ୍କ ଗୋଳାବୃଷ୍ଟି ଠାରୁ ନିରାପଦ ରହିବି । କିନ୍ତୁ ବିଜୟ ସମ୍ୱନ୍ଧରେ ଯଦି କେବେ ତିଳେମାତ୍ର ସନ୍ଦେହ ଦେଖାଦିଏ, ତାହା ହେଲେ ତୁମ୍ଭେମାନେ ଦେଖିବ ଯେ ତୁମ୍ଭମାନଙ୍କର ପ୍ରିୟ ସମ୍ରାଟ ଶତ୍ରୁର ପ୍ରଚଣ୍ତତମ ଆକ୍ରମଣ ସାମ୍ନାରେ ନିଜକୁ ସ୍ଥାପନ କରିଛନ୍ତି । ଆଜି ଫରାସୀ ପଦାତିକ ବାହିନୀ ଉପରେ ଜାତିର ସମ୍ମାନ ନିର୍ଭର କରୁଛି-। ଆଜି କ’ଣ ସେମାନେ ଯୁଦ୍ଧରେ ବିଜୟର ନିଶ୍ଚୟତା ମୋତେ ଦେଇପାରିବେ ନାହିଁ ? କଦାପି ତୁମ୍ଭେମାନେ ଛତ୍ରଭଙ୍ଗ ଦେବ ନାହିଁ, ଆହତମାନଙ୍କୁ ଉଠାଇନେବା ପାଇଁ ମଧ୍ୟ ନୁହେଁ । ଏହି ଧାରଣା ସମସ୍ତଙ୍କ ମନରେ ବଦ୍ଧମୂଳ ହେଉ ଯେ ଇଂଲଣ୍ତର ପଦଲେହନକାରୀ ଏହି ଶତ୍ରୁମାନଙ୍କୁ ଯେ କୌଣସିମତେ ପରାସ୍ତ କରିବାକୁ ହେବ । ଆଜିର ବିଜୟରେ ଏଥରକା ଅଭିଯାନର ସମାପ୍ତି ହେବ, ଏବଂ ତା’ପରେ ଆମେ ଶୀତାବାସରେ ଯାଇ ଆରାମ କରିବା । ସେଠାରେ ଆମ ସହିତ ଆସି ଯୋଗ ଦେବେ ନୂତନ ସୈନ୍ୟ ବାହିନୀ, ଯେଉଁମାନେ ଏକ୍ଷଣି ଫ୍ରାନ୍‌ସରେ ତାଲିମ ପାଉଛନ୍ତି । ତା’ପରେ ଶାନ୍ତି ପ୍ରତିଷ୍ଠିତ ହେବ । ଏପରି ଶାନ୍ତି, ଯେଉଁଥି ପାଇଁ ତୁମ୍ଭେମାନେ ଗର୍ବ କରିପାରିବ, ମୁଁ ଗୌରବାନ୍ୱିତ ହେବି ଏବଂ ଫରାସୀ ଜାତି ମଧ୍ୟ ଗୌରବାନ୍ୱିତ ହେବ ।’’

 

ଭୋର ପାଞ୍ଚଟା । ଅନ୍ଧାର ହୋଇଥିଲା ।

 

ମଧ୍ୟ ଭାଗର ସୈନ୍ୟ ଦଳ, ସଂରକ୍ଷିତ ସୈନ୍ୟ ଦଳ ଓ ବାଗ୍ରାତିୟୋର ଅଧୀନସ୍ଥ ଦକ୍ଷିଣ ଭାଗର ସୈନ୍ୟ ଦଳ ସେତେବେଳେ ନିଦ୍ରାମଗ୍ନ ଥିଲେ । କିନ୍ତୁ ବାମ ଭାଗର ସବୁ ପଦାତିକ, ଅଶ୍ୱାରୋହୀ ଓ କମାଣଧାରୀ ସୈନ୍ୟ ଇତିମଧ୍ୟରେ ଉଠିପଡ଼ି ଅଭିଯାନ ନିମନ୍ତେ ପ୍ରସ୍ତୁତ ହେଉଥିଲେ-। ସୈନ୍ୟମାନେ ତରବରରେ ପ୍ରାତଃଭୋଜନ ଓ ଚାହା ପାନ ସାରୁଥିଲେ । ବେଳେ ବେଳେ ସୈନ୍ୟମାନଙ୍କ ଭିତରେ ପାଟିତୁଣ୍ତ ଶୁଭୁଥିଲା ତୁରନ୍ତ ଅଭିଯାନ ପାଇଁ ପ୍ରସ୍ତୁତ ହୁଅ ।

 

କିଛିକ୍ଷଣ ପରେ ସେନାପତି ଓ ନାୟକମାନେ ଘୋଡ଼ାରେ ଚଢ଼ିଲେ, ଛାତି ଉପରେ ଆଙ୍ଗୁଳିରେ କ୍ରୁଶ ଚିହ୍ନ ଆଙ୍କିଲେ ଏବଂ ସୈନ୍ୟମାନଙ୍କୁ ଅଗ୍ରସର ହେବାକୁ ହୁକୁମ ଦେଲେ । ତା’ପରେ ସୈନ୍ୟମାନେ ପାଦ ମିଳାଇ ଦ୍ରୁତ ଗତିରେ ଅଗ୍ରସର ହେଲେ ।

 

କୁହୁଡ଼ି କ୍ରମେ କ୍ରମେ ଘନ ହେଉଥିଲା । ସୂର୍ଯ୍ୟ ଉଠିଲେଣି ସତ, ମାତ୍ର ଦଶ ପାହୁଣ୍ତ ଦୂରକୁ କିଛି ଦେଖାଯାଉ ନଥିଲା । ବୁଦାଗୁଡ଼ାକ ବଡ଼ ବଡ଼ ଗଛ ପରି ଏବଂ ସମତଳ ଭୂମି ଢାଲୁ ବା ନଳା ପରି ମାଲୁମ ହେଉଥିଲା । ସୈନ୍ୟମାନଙ୍କୁ ବହୁତବେଳ ଯାଏ ଉଠାଣି ଗଡ଼ାଣିରେ ଅଗ୍ରସର ହେବାକୁ ପଡ଼ିଲା । ତଥାପି ଶତ୍ରୁର ଦେଖା ମିଳିଲା ନାହିଁ । ତେଣୁ ରୁଷୀୟ ସୈନ୍ୟମାନେ ଅଷ୍ଟ୍ରିୟମାନଙ୍କୁ ବିଦ୍ରୂପ କରିବାକୁ ଲାଗିଲେ, କାରଣ ଆଜିର ଅଭିଯାନର ଯୋଜନା ଅଷ୍ଟ୍ରିୟ ସେନାପତି ପ୍ରଣୟନ କରିଥିଲା ।

 

ସେମାନେ ଦଶଟା ଭିତରେ ରଣଙ୍ଗନରେ ପହଞ୍ଚିବାର ଥିଲା । ମାତ୍ର ଏଯାଏ ସେମାନେ ଅଧେ ବାଟବି ଯାଇନଥିଲେ । ଗୋଳମାଳ ବାଧିଲା, ଯେତେବେଳେ ଅଷ୍ଟ୍ରିୟ ଅଶ୍ୱାରୋହୀ ବାମ ଆଡ଼କୁ ବୁଲିପଡ଼ିଲେ । ଠିକ୍‌ ସେତିକିବେଳେ ଜଣାପଡ଼ିଲା ଯେ ବାହିନୀର ଡାହାଣ ଭାଗ ମଧ୍ୟଭାଗଠାରୁ ଅତି ବେଶୀ ଦୂରରେ ଆସି ପଡ଼ିଛି । ତେଣୁ ମଝିର ଫାଙ୍କଟା ବନ୍ଦ କରିବା ପାଇଁ ଅଶ୍ୱାରୋହୀମାନଙ୍କୁ ହୁକୁମ ଦିଆଗଲା । ସେଥିପାଇଁ ପଦାତିକ ବାହିନୀର ଅଗ୍ରଗତି ବନ୍ଦ କରି ସେମାନଙ୍କ ସାମ୍ନାରେ କେତେ ହଜାର ଅଶ୍ୱାରୋହୀଙ୍କୁ ଚଳାଇ ନିଆ ହେଲା । ଅବଶେଷରେ ରୁଷିଆର ପଦାତିକ ବାହିନୀର ସେନାପତି ଅଧୈର୍ଯ୍ୟ ହୋଇ ଅଷ୍ଟ୍ରିୟାର ଅଶ୍ୱାରୋହୀ ସେନାପତି ସହିତ ଝଗଡ଼ା ଆରମ୍ଭ କଲା । ସୈନିକମାନେ ମୂକ ପରି ଠିଆ ହୋଇ ତାହା ଦେଖିଲେ ।

 

ଘଣ୍ଟାକ ପରେ ପୁଣି ଅଭିଯାନ ଆରମ୍ଭ ହେଲା । ଘନକୁହୁଡ଼ି ଭିତରେ କେଉଁଠୁ ଗୋଟାଏ ବନ୍ଧୁକର ଆବାଜ ଶୁଭିଲା, ତା’ପରେ ଆଉ ଗୋଟିଏ । କ୍ରମେ କ୍ରମେ ନିୟମୀତ ବ୍ୟବଧାନରେ ଗୁଳିର ଆବାଜ ଅବିରାମ ଆସିବାକୁ ଲାଗିଲା । ସୈନ୍ୟମାନେ କୁହୁଡ଼ିରେ ନିଜର କମ୍ପାନୀକୁ ଖୋଜି ପାଉ ନଥିଲେ । ତେଣେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ କମ୍ପାନୀ ହୋଲ୍‌ ଡବାକ ନଦୀକୂଳରେ ପହଞ୍ଚି ଅନ୍ୟ ସୈନ୍ୟମାନଙ୍କୁ ଅପେକ୍ଷା କଲେ । ଜେନାରେଲ କୁଟୁଜଭ ନିଜେ ଚତୁର୍ଥ କମ୍ପାନୀ ସାଙ୍ଗରେ ପ୍ରାଜେନ ଠାରେ ରହିଥିଲା ।

 

ସକାଳ ନଅଟା । ତଥାପି ସମତଳ ଭୂମି ଉପରେ କୁହୁଡ଼ି ସମୁଦ୍ର ଭଳି ବ୍ୟାପି ରହିଥିଲା-। ମୁଣ୍ତ ଉପରେ ଉଦାର ନୀଳ ଆକାଶ । ସୂର୍ଯ୍ୟଙ୍କର ପ୍ରକାଣ୍ତ ଗୋଲକ ଦୁଧ ପରି ଧଳା କୁହୁଡ଼ିର ସମୁଦ୍ର ଉପରେ ଖଣ୍ତିଏ ବିଶାଳ ଲାଲ ଥାଳି ଭଳି ଭାସୁଥିଲା, କମ୍ପୁଥିଲା, ଦୋହଲୁଥିଲା । ଅଷ୍ଟ୍ରିୟ ସୈନ୍ୟମାନଙ୍କର ଯୋଜନା ଥିଲା ସେହି ଗାଁ ଦୁଇଟିର ସେପଟକୁ ଯାଇ ଘାଟି ବସାଇବେ । କିନ୍ତୁ ନେପୋଲିୟନ ଅଚାନକ ସେହି ଗାଁ ଦୁଇଟି ଛାଡ଼ି ଏବଂ ହୋଲଡ଼ବାଳ ନଦୀ ଟପି ଏକାବେଳେ ପ୍ରାଜେନ ନିକଟରେ ଆସି ପହଞ୍ଚିଗଲେ । ରୁଷୀୟ ସୈନ୍ୟମାନେ ଦଳ ଦଳ ହୋଇ ଦୁଇଟି ପାହାଡ଼ର ମଝିରେ ଆଗେଇ ଆସୁଥିଲେ ।

 

ଡିସେମ୍ୱର ୨ ତାରିଖ ସେହି ଦିନଟି ଥିଲା ନେପୋଲିୟନଙ୍କ ରାଜ୍ୟ ଅଭିଷେକର ବାର୍ଷିକ ଦିବସ । ସକାଳେ କିଛି ସମୟ ବିଶ୍ରାମ ନେଇଥିବାରୁ, ସେ ବେଶ୍‌ ସତେଜ ବୋଧ କରୁଥିଲେ ଏବଂ ମନରେ ଦୃଢ଼ ଆତ୍ମ-ବିଶ୍ୱାସ ପୋଷଣ କରିଥିଲେ । ସେ ଗୋଟିଏ ଛୋଟ ଧୂସର ଆରବ ଘୋଡ଼ା ଉପରେ ବସି ନୀରବରେ ପ୍ରାଜେନର ପାହାଡ଼ ଆଡ଼କୁ ଅନାଇ ଭାସମାନ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରୁଥିଲେ ।

 

ସୂର୍ଯ୍ୟ କୁହୁଡ଼ିର ଆବରଣ ଭିତରୁ ପୂର୍ଣ୍ଣ ତେଜରେ ବାହାରି ଆସିଲା କ୍ଷଣି, ନେପୋଲିୟନ ନିଜର ନରମ ହାତରୁ ଦସ୍ତାନା ଖୋଲି ତାହାକୁ ହଲାଇ ସେନାପତିମାନଙ୍କୁ ଯୁଦ୍ଧ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଲେ । ମାର୍ଶାଲମାନେ ନିଜ ନିଜର ପାର୍ଶ୍ୱଚରମାନଙ୍କୁ ନେଇ ଭିନ୍ନ ଭିନ୍ନ ଦିଗକୁ ଘୋଡ଼ା ଛୁଟାଇଲେ । କିଛିକ୍ଷଣ ଭିତରେ ଫରାସୀ ବାହିନୀର ପ୍ରଧାନ କମ୍ପାନୀ ସବୁ ପ୍ରାଜେନର ଅଧିତ୍ୟକା ଅଭିମୁଖେ ଧାଇଁଲେ ।

 

ସେତେବେଳେ ରୁଷୀୟ ସୈନ୍ୟମାନେ ଉପତ୍ୟକା ଭିତରେ ପ୍ରବେଶ କରିଥିଲେ । ଚତୁର୍ଥ କମ୍ପାନୀ ସହିତ ଜେନାରେଲ କୁଟୁଜଭ ଆଠଟାବେଳେ ପ୍ରାଜେନରେ ପହଞ୍ଚିଲା ପଛେ ପଛେ ପ୍ରିନ୍‌ସ ଆନ୍ଦ୍ରେ ସମେତ ଅସଂଖ୍ୟ ପାର୍ଶ୍ୱଚର ।

 

ଆନ୍ଦ୍ରେର ମନରେ ଗୋଟାଏ ଦୃଢ଼ ବିଶ୍ୱାସ ଥିଲା ଯେ ଆଜିକା ଯୁଦ୍ଧରେ ତାହାର ଜୀବନରେ ଗୋଟାଏ ବିରାଟ ପରିବର୍ତ୍ତନ ଆସିବ । ପାଦତଳେ କୁହୁଡ଼ିରେ ଆଚ୍ଛାଦିତ ଉପତ୍ୟକାରୁ ଅଦୃଶ୍ୟ ସୈନିକମାନଙ୍କର ବନ୍ଧୁକର ଆବାଜ ଭାସି ଆସୁଥିଲା । ଆନ୍ଦ୍ରେ ଭାବିଲା, ଆଜି ଏଠାରେ ନିଶ୍ଚୟ ତାହାର ଭାଗ୍ୟ ନିର୍ଦ୍ଧାରିତ ହେବ ।

 

ହଠାତ୍‌ ପଦାତିକ ସୈନ୍ୟମାନେ ଅଟକିଲେ । ସାମ୍ନାରେ ଗୋଟାଏ କିଛି ସେମାନଙ୍କର ଗତି ରୋଧ କରୁଥିଲା ।

 

ଜେନାରେଲ କୁଟୁଜଭ ରାଗି ଯାଇ ସେନାପତିକୁ ଡାକି ହୁକୁମ ଦେଲା–‘‘ସୈନ୍ୟମାନଙ୍କୁ ଧାଡ଼ିରେ ଠିଆ କରାଇ ଗ୍ରାମଟା ବେଷ୍ଟନ କରି ଆଗେଇ ଯିବାକୁ କୁହ ।’’

 

‘‘ଭାବିଥିଲି, ଗାଁଟା ଟପିଗଲେ ସେମାନଙ୍କୁ ଧାଡ଼ିରେ ଠିଆ କରାଇବି ।’’

 

‘‘ନା, ନା, ଶତ୍ରୁର ଦୃଷ୍ଟି ସାମ୍ନାରେ ସେମିତି କରିବା ଠିକ୍‌ ନୁହେଁ ।’’

 

ତୃତୀୟ କମ୍ପାନୀ ଗାଁ ଟପି ଯାଇଥିଲା । ତାହା ସାମ୍ନାରେ ବନ୍ଧୁକଧାରୀ ସୈନ୍ୟନଥିବାରୁ, ପଛକୁ ବନ୍ଧୁକଧାରୀ ସୈନ୍ୟମାନଙ୍କୁ ଅଣାଇ ତୃତୀୟ କମ୍ପାନୀର ସାମ୍ନାରେ ଠିଆ କରାହେଲା ।

 

ଦୂରରୁ ସୈନିକମାନଙ୍କର ଜୟ ଧ୍ୱନି ଭାସି ଆସୁଥିଲା । ଜେନାରେଲ କୁଟୁଜଭ ଗୋଟିଏ ପାଖକୁ ଘୁଞ୍ଚିଯାଇ ଚାରିଆଡ଼େ ଆଖି ବୁଲାଇଲା ।

 

ପ୍ରାଜେନ ଆଡ଼ୁ ଦଳେ ଅଶ୍ୱାରୋହୀ ଧାଇଁ ଆସୁଥିଲେ । ସାମ୍ନାରେ ଥିଲେ ଦୁଇ ଜଣ–ଜଣକର କଳା ସାମରିକ ପୋଷାକ, ଅନ୍ୟ ଜଣକର ଧଳା ପୋଷାକ । କୁଟୁଜଭ ଆଗେଇ ଯାଇ ଅଭିବାଦନ ଜଣାଇଲା । ରୁଷିଆର ତରୁଣ ସମ୍ରାଟ ଆଲେକଜାଣ୍ତରଙ୍କ ବଦନ ମଣ୍ତଳରେ ଆନନ୍ଦ ଉଦ୍‌ଭାସିତ ହେଲା–ସୁନ୍ଦର ଧୂସର ନୟନରେ ମହିମା ଓ କରୁଣାର ସମନ୍ୱୟ, ଆଉ ଆରକ୍ତ ବଙ୍କିମ ଅଧରରେ ଯୌବନ ସୁଲଭ ଅକପଟ ଉଦାରତାର ଆଭାସ ।

 

ଅଷ୍ଟ୍ରିୟାର ସମ୍ରାଟ ଫ୍ରାନ୍‌ସିସ ଘୋଡ଼ା ଉପରେ ସିଧା ହୋଇ ବସିଥିଲେ–ଶରୀର ଗୋଲାପର ବର୍ଣ୍ଣ, ମୁଖ ଈଷତ୍‌ ଲମ୍ୱ ।

 

ସମ୍ରାଟମାନଙ୍କ ସହିତ ବହୁ ରୁଷୀୟ ଓ ଅଷ୍ଟ୍ରିୟ ସୁନ୍ଦର ସୁବେଶ ଆଭିଜାତ ଯୁବକ ଥିଲେ-। ସୈନ୍ୟ ବାହିନୀର ବିଭିନ୍ନ ଦଳରୁ ସେମାନଙ୍କୁ ଅଣାଯାଇଥିଲା ଦୁଇ ସମ୍ରାଟଙ୍କର ପାର୍ଶ୍ୱଚର ହେବା ପାଇଁ । କେତେଗୁଡ଼ିଏ ସୁନ୍ଦର ଘୋଡ଼ାବି ସାଙ୍ଗରେ ଥିଲେ ।

 

ସମ୍ରାଟ ଆଲେକଜାଣ୍ତର ପଚାରିଲେ ‘‘ଯୁଦ୍ଧ କାହିଁକି ଏଯାଏ ଆରମ୍ଭ ହେଉ ନାହିଁ ?’’

 

ଜେନାରେଲ କୁଟୁଜର ସସମ୍ଭ୍ରମରେ ଅଭିବାଦନ ଜଣାଇ ଜବାବ ଦେଲା–‘‘ସବୁ କମ୍ପାନୀ ଏ ଅବଧି ଯଥା ସ୍ଥାନରେ ପହଞ୍ଚି ନାହାନ୍ତି ।’’

 

ଏପରି ଜବାବରେ ସମ୍ରାଟ ଆଲେକଜାଣ୍ତର ସୁଖୀ ହେଲେ ନାହିଁ–‘‘ଆମେ ତ ଏକ୍ଷଣି ପିଟାର୍ସବର୍ଗର ଜାରିତ୍‌ସିନ୍‌ ମଇଦାନରେ ଠିଆ ହୋଇ ନାହିଁ ଯେ ସବୁ ଦଳ ଆସି ନିଜ ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ହେଲେ ପରେଡ଼ ଆରମ୍ଭ ହେବ ନାହିଁ ?’’

 

ଆଲେକଜାଣ୍ତର ସମ୍ରାଟ ଫ୍ରାନସିସଙ୍କ ଆଡ଼କୁ ଅନାଇଲେ । ମାତ୍ର ଫ୍ରାନସିସ ନୀରବରେ ଦୂରକୁ ଚାହିଁ ରହିଥିଲେ ।

 

ଜେନାରେଲ କୁଟୁଜଭ ଟିକିଏ ଚଢ଼ା ସ୍ୱରରେ କହିଲା–‘‘ସେଇଥିପାଇଁ ତ ମୁଁ ଆରମ୍ଭ କରିପାରୁ ନାହିଁ, ସମ୍ରାଟ । ଆମେ ତ ଆଜି ପରେଡ଼ ପାଇଁ ମଇଦାନରେ ଠୁଳ ହୋଇନାହାନ୍ତି । ଯଦି ସମ୍ରାଟ ଆଦେଶ ଦେବେ, ମୁଁ ନିଶ୍ଚୟ ଆରମ୍ଭ କରିବି ।’’ ତହୁଁ ସେ ଚତୁର୍ଥ କମ୍ପାନୀର ସେନାପତିକୁ ଡାକି ଅଗ୍ରସର ହେବା ପାଇଁ ହୁକୁମ ଦେଲା । ସୈନିକମାନେ ସମ୍ରାଟଙ୍କ ସାମ୍ନାରେ ଯାତ୍ରା ଆରମ୍ଭ କଲେ ।

 

ଅଧ ମାଇଲିଏପରେ ଗୋଟିଏ ପରିତ୍ୟକ୍ତ ଘର ପଡ଼ିଲା । ଆଗେ ବୋଧହୁଏ ସେଟା ହୋଟେଲ ଥିଲା । କୁଟୁଜଭ ସେଠାରେ ଅଟକିଲା ଘର ସାମ୍ନାରେ ଦୁଇଟା ରାସ୍ତା ଦୁଇ ଦିଗକୁ ପଡ଼ିଥିଲା । ସୈନ୍ୟମାନେ ଦୁଇ ରାସ୍ତାରେ ପାହାଡ଼ ଆଡ଼କୁ ଚାଲିଥିଲେ ।

 

ଧୀରେ ଧୀରେ କୁହୁଡ଼ି କଟି ଯାଉଥିଲା । ଦେଢ଼ ମାଇଲ ଦୂରରେ ପାହାଡ଼ ଉପରେ ଶତ୍ରୁ ସୈନ୍ୟ ଦିଶୁଥିଲେ । ତଳେ ବାମ ଦିଗରେ ଗୁଳିର ଆବାଜ ସ୍ପଷ୍ଟ ହେବାକୁ ଲାଗିଲା ।

 

ପ୍ରିନ୍‌ସ ଆନ୍ଦ୍ରେ ଜଣେ ସହଚରକୁ ଦୂରବୀକ୍ଷଣ ମାଗିଲା । ସେ ତତ୍‌କ୍ଷଣାତ୍‌ ଭୟରେ ସିଧା ପାହାଡ଼ ତଳକୁ ଆଙ୍ଗୁଳି ଦେଖାଇ ଚିତ୍କାର କଲା–‘‘ହେଇ, ଦେଖ, ଫରାସୀମାନେ !’’

 

ପ୍ରାୟ ଦୁଇ ଗଜ ଦୂରରେ ବହୁ ସଂଖ୍ୟକ ଫରାସୀ ସୈନ୍ୟ ପାହାଡ଼ ଉପରୁ ରୁଷୀୟ ପଦାତିକ ବାହିନୀ ଆଡ଼କୁ ମାଡ଼ି ଆସୁଥିଲେ ।

 

ଆନ୍ଦ୍ରେ ଧାଇଁ ଯାଇ କୁଟୁଜଭକୁ କହିଲା–‘‘ଆପ୍‌ସେରନ ବାହିନୀକୁ ଅଟକାଅ ।’’ କିନ୍ତୁ ଠିକ୍‌ ସେତିକିବେଳେ ଗୋଟାଏ ଧୂଆଁଳିଆ ମେଘ ଆସି ଚତୁର୍ଦ୍ଦିଗ ଘୋଡ଼ାଇ ପକାଇଲା, ଆଉ ସହସା ଗୋଟିଏ ରୁଷୀୟ କର୍କଶ ଆତଙ୍କିତ ଚିତ୍କାର ଶୁଭିଲା–‘‘ଭାଇ, ସବୁ ଖତମ !’’

 

ସେହି ଚିତ୍କାର ଶୁଣିଲାମାତ୍ରେ ସମସ୍ତେ ଊର୍ଦ୍ଧଶ୍ୱାସରେ ପଛକୁ ଧାଇଁବାକୁ ଲାଗିଲେ । ସେମାନଙ୍କର ଗତିରୋଧ କରିବା ଏକାବେଳେ ଅସମ୍ଭବ । ସେମାନେ ଚାଲିଯାଆନ୍ତେ, ଆନ୍ଦ୍ରେ ଦେଖିଲା, ଜେନାରେଲ କୁଟୁଜଭ ଖଣ୍ତିଏ ରକ୍ତ-ଲଗା ରୁମାଲ ଗାଲ ଉପରେ ଚାପି ଧରିଛି ।

 

ଆନ୍ଦ୍ରେ ଧଇଁ ସଇଁ ହୋଇ ପଚାରିଲା–‘‘ଆପଣ ଆହତ ?’’

 

ପଳାତକ ସୈନ୍ୟଙ୍କ ଆଡ଼କୁ ହାତଠାରି ପ୍ରଧାନ ସେନାପତି କୁଟୁଜଭ କହିଲା–‘‘କ୍ଷତ ଏଠାରେ ନୁହେଁ, ସେଠାରେ । ସେହି କାପୁରୁଷଗୁଡ଼ାଙ୍କୁ ଅଟକାଅ ।’’ ମାତ୍ର ଠିକ୍‌ ସେତିକିବେଳେ ଫରାସୀ ସୈନ୍ୟପଟୁ ଗୋଟାଏ ଗୁଳି ଆସି କୁଟୁଜଭର ପାଦରେ ବାଜିଲାରୁ, ସେ ଗୋଡ଼କୁ ମୁଠାଇ ବସି ପଡ଼ିଲା । ଆଉ କେତେ ଜଣ ସୈନ୍ୟ ମଧ୍ୟ ଗୁଳିର ଆଘାତରେ ଟଳି ପଡ଼ିଲେ । ଦ୍ୱିତୀୟ ଲେଫ୍‌ଟେନାଣ୍ଟର ହାତରୁ ପତାକାଟା ଖସି ପଡ଼ିଲା ।

 

ତତ୍‌କ୍ଷଣାତ୍‌ ଆନ୍ଦ୍ରେ ଘୋଡ଼ାରୁ କୁଦି ପଡ଼ି ତଳୁ ପତାକାଟା ଉଠାଇ ନେଇ, ତୀକ୍ଷ୍‍ଣ ସ୍ୱରରେ ‘‘ବନ୍ଧୁ, ଆଗେଇ ଯାଅ’ ଆହ୍ୱାନ ଦେଇ, ଏକା ସାମ୍ନାକୁ ଧାଇଁଗଲା । ହଠାତ୍‌ ତାହାର ମଥାରେ ଗୋଟାଏ ଶକ୍ତ ଆଘାତ ବସିଲା । ତାହାକୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । ତାହାର ମୁଣ୍ତରୁ ରକ୍ତ ବହିବାକୁ ଲାଗିଲା ଏବଂ ମୁହଁରୁ ଗୋଟାଏ ଅସ୍ପଷ୍ଟ କାତର ଆର୍ତ୍ତନାଦ ବାହାରିଲା । ରୁଷୀୟ ପତାକାଟିକୁ ହାତରେ ଜାବୁଡ଼ି ଧରି ଆନ୍ଦ୍ରେ ପ୍ରାଜେନ ପାହାଡ଼ରେ ଦିନସାରା ପଡ଼ି ରହିଲା ।

 

ସଞ୍ଜବେଳକୁ କେତେ ଜଣ ଫରାସୀ ସୈନ୍ୟ ସେଠାକୁ ଆସିଲେ ।

 

ଜଣେ ଆନ୍ଦ୍ରେ ଆଡ଼କୁ ଅନାଇ କହିଲା–‘‘ବୀର ଏହିପରି ମୃତ୍ୟୁ ବରଣ କରେ । ମଲାବେଳେବି ସେ ଜାତୀୟ ପତାକାଟାକୁ ଜାବୁଡ଼ି ଧରିଛି ।’’

 

ଆଉ ଜଣେ ଜଣାଇଲା–‘‘ସମ୍ରାଟ, ବାରୁଦ ନାହିଁ ।’’

 

ସମ୍ରାଟ ଶବ୍ଦର ଉଚ୍ଚାରଣରେ ଆନ୍ଦ୍ରେର ଟିକିଏ ଚେତା ପଶିଲା । ସେ ମନେ ମନେ ଭାବିଲା, ତାହା ହେଲେ ଏ କ’ଣ ପ୍ରବଳ ପ୍ରତାପୀ ନେପୋଲିୟନ ?

 

ନେପୋଲିୟନ ସଙ୍ଗେ ସଙ୍ଗେ ଆଦେଶ ଦେଲେ–‘‘ସଂରକ୍ଷିତ ଭଣ୍ତାରରୁ ଅଣାଇବାର ବ୍ୟବସ୍ଥା କର ।’’ ସେ ଆନ୍ଦ୍ରେ ଆଡ଼କୁ ଅନାଇଲେ । ଆନ୍ଦ୍ରର ଗୋଡ଼ ଧୀରେ ଧୀରେ ହଲିଲା । ତହୁଁ ନେପୋଲିୟନ କହିଲେ–‘‘ଆରେ, ଲୋକଟି ତ ମରି ନାହିଁ । ତାହାକୁ ଆମ୍ୱୁଲାନ୍‌ସରେ ତୁରନ୍ତ ଡାକ୍ତରଖାନାକୁ ପଠାଇଦିଅ ।’’

 

(୬)

 

ନଅଟାବେଳ ପର୍ଯ୍ୟନ୍ତ ଯୁଦ୍ଧ ଆରମ୍ଭ ହୋଇ ନଥିଲା । ଅଷ୍ଟ୍ରିୟ ସେନାପତି ଡୋଲକୁରଭ ଝଟତି ଯୁଦ୍ଧ ଆରମ୍ଭ କରିବା ପାଇଁ ବାରମ୍ୱାର ପ୍ରିନ୍‌ସ ବାଗ୍ରାତିୟୋକୁ ଲଗାଉଥିଲା । କିନ୍ତୁ ବାଗ୍ରାତିୟୋର ସେହି ଗୋଟାଏ ଆପତ୍ତି–ପ୍ରଧାନ ସେନାପତିଙ୍କ ଠାରୁ ଆଦେଶ ମିଳି ନାହିଁ ।

 

ପ୍ରଧାନ ସେନାପତି ଯୁଦ୍ଧ କ୍ଷେତ୍ରର ବାମ ପ୍ରାନ୍ତରେ ଥିଲା । ତାହା ପାଖକୁ କୌଣସି ବାର୍ତ୍ତାବହ ପଠାଇଲେ, ସେ ନିଶ୍ଚୟ ମୃତ୍ୟୁମୁଖରେ ପତିତ ହେବ । ତଥାପି ସେ ଲେଫ୍‌ଟେନାଣ୍ଟ ରଷ୍ଟଭକୁ ପଠାଇଲା ।

 

ରଷ୍ଟଭ ପଚାରିଲା–‘‘ଯଦି ପ୍ରଧାନ ସେନାପତିଙ୍କ ଆଗରୁ ସମ୍ରାଟଙ୍କର ଦେଖା ମିଳେ ?’’

 

ଡୋଲକୁରଭ ତତ୍‌କ୍ଷଣାତ କହି ପକାଇଲା–‘‘ତାହା ହେଲେ ଖବରଟା ତାହାକୁ ଦେବ ।’’

 

ପହରା କାମସାରି ରାତିର ଶେଷ ପ୍ରହରରେ ରଷ୍ଟଭ କେତେ ଘଣ୍ଟା ଶୋଇ ପାରିଥିବାରୁ, ତାହାର ଶରୀର ସତେଜ ଓ ମନ ପ୍ରଫୁଲ୍ଲ ଥିଲା । ସେ ଯାହା ଆଶା କରିଥିଲା, ସବୁ ପୂର୍ଣ୍ଣ ହୋଇଛି । ଗୋଟାଏ ସମ୍ମୁଖ ସମର ଅବଶ୍ୟ ହେବାକୁ ଯାଉଛି । ସେ ସେଥିରେ ଯୋଗ ଦେଇପାରିଛି । ସବୁଠାରୁ ବଡ଼ କଥା ହେଉଛି, ସେ ସର୍ବାଧିକ ସାହସୀ ସେନାପତି ସହିତ ରହିଛି । ତାହା ଛଡ଼ା, ତାହାକୁ ଏକ୍ଷଣି ଗୋଟାଏ ଗୁରୁତର କାମରେ ପ୍ରଧାନ ସେନାପତି ନିକଟକୁ ପଠା ହେଉଛି । ସେଠାରେ ସ୍ୱୟଂ ସମ୍ରାଟଙ୍କ ସହିତ ତାହାର ସାକ୍ଷାତ ହେବାର ଯଥେଷ୍ଟ ସମ୍ଭାବନା ଅଛି ।

 

କିନ୍ତୁ ଅଧେବାଟ ଅତିକ୍ରମ କଲା ଆଗରୁ ଯୁଦ୍ଧର ସାଧାରଣ ପ୍ରସ୍ତୁତି ଛଡ଼ା ଆଉ କିଛି ରଷ୍ଟଭର ନଜରରେ ପଡ଼ିଲା ନାହିଁ । କ୍ରମେ କ୍ରମେ ବନ୍ଧୁକର ଆବାଜ ଶୁଭିଲା । ସେ ଯେତେ ବାମ ଦିଗକୁ ଆଗେଇବାକୁ ଲାଗିଲା, ସେହି ଆବାଜ ସେତେ ସ୍ପଷ୍ଟ ଓ ଘନଘନ ଶୁଣାଗଲା । ପ୍ରାଜେନ ପାହାଡ଼ରୁ ତଳକୁ ଓହ୍ଲାଇବା ସମୟରେ ଅବିଶ୍ରାନ୍ତ ଗୋଳାବୃଷ୍ଟିର ପାହାଡ଼ରୁ ତାହାର କାନ ଅତଡ଼ା କରିଦେଲା । ମଝିରେ ମଝିରେ ଏକାସାଙ୍ଗରେ ଗୁଡ଼ାଏ କମାଣର ପ୍ରଳୟ ଗର୍ଜନ । ସେହି ପ୍ରଚଣ୍ତ ଭୟଙ୍କର ଶବ୍ଦରେ ସତେ ଯେମିତି ଆକାଶ ଭାଙ୍ଗି ପଡ଼ୁଥିଲା । ବେଳେ ବେଳେ ବେୟନେଟ ଝଲସୁଥିଲା । ପଦାତିକ ସୈନ୍ୟମାନେ ଆକ୍ରମଣ କରିବାକୁ ଧାଇଁ ଯାଉଥିଲେ ।

 

ଗୋଟିଏ ମୁଣ୍ତିଆ ଉପରେ ଠିଆ ହୋଇ ରଷ୍ଟଭ ବୁଝିବାକୁ ଚେଷ୍ଟା କଲା, ଯୁଦ୍ଧ କେତେ ଦୂର ଆଗେଇଲାଣି । କିନ୍ତୁ ସେ ସାଧ୍ୟ ତାହାର ନଥିଲା । ଚାରିଆଡ଼େ ଧୂଆଁର କୁଣ୍ତଳୀ । ଯେତେବେଳେ ବିଭିନ୍ନ ସୈନ୍ୟ ଦଳ ନଜରରେ ପଡ଼ୁଥିଲେ । ସମସ୍ତେ ମାଡ଼ି ଚାଲିଥିଲେ–କେହି ସାମ୍ନାକୁ ତ କେହି ପଛକୁ ।

 

ଅବଶେଷରେ ରଷ୍ଟଭ ଆସି ଗୋଟାଏ ଜାଗାରେ ପହଞ୍ଚିଲା । ସେଠାରେ ହାତାହାତି ଲଢ଼େଇ ଚାଲିଥିଲା । ଦଳେ ସୈନ୍ୟ ରୁଷୀୟ ରଣକ୍ଷେତ୍ରରୁ ପଳାଉଥିଲେ । ରଷ୍ଟଭର ଘୋଡ଼ା ଅନବରତ ଧାଇଁଥିଲା । ଟିକିଏ ପରେ ବାମ ଦିଗରେ ଏକ ବିରାଟ ସମତଳ କ୍ଷେତ୍ରରେ ଅଗଣିତ ଅଶ୍ୱାରୋହୀ ସୈନ୍ୟ ଦେଖାଗଲେ । ସମସ୍ତଙ୍କର ଧଳା ପୋଷାକ ଆଉ କଳା ଘୋଡ଼ା । ସେମାନଙ୍କୁ ଦ୍ରୁତ ଗତିରେ ଆଗେଇ ଆସିବାର ଦେଖି, ରଷ୍ଟଭ ତୀର ବେଗରେ ଘୋଡ଼ା ଛୁଟାଇଲା ।

 

ଏହି ଅଶ୍ୱାରୋହୀ ସୈନ୍ୟମାନେ ଜୟଧ୍ୱନି କରି ଲାଲ ପୋଷାକଧାରୀ ସୈନ୍ୟମାନଙ୍କୁ ଆକ୍ରମଣ କରିବାକୁ ଧାଇଁଥିଲେ । ସେତେବେଳେ ସେମାନଙ୍କ ବୀରତ୍ୱରେ ନିଜେ ଅଂଶ ଗ୍ରହଣ କରିନପାରିବାରୁ, ରଷ୍ଟଭ ବହୁ ପରିମାଣରେ ନୈରାଶ୍ୟବୋଧ କଲା । ପରମୁହୂର୍ତ୍ତରେ ସେ ମନକୁ ମନ ସାନ୍ତ୍ୱନା ଦେଲା, ବର୍ତ୍ତମାନ ନିଜର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ କରିପାରିଲେ ସେ ନିଶ୍ଚୟ ଯଥେଷ୍ଟ ଗୌରବର ଅଧିକାରୀ ହୋଇପାରିବ ।

 

କମାଣରୁ ଗୋଳାସବୁ ତାହାର ମୁଣ୍ତ ଉପର ଦେଇ ଅନେକ ଦୂରରେ ଯାଇ ପଡ଼ୁଥିଲା । କେତୁଟା ପଦାତିକ ଦଳ ସେହି ବାଟେ ଯାଉଥିଲେ । ସେମାନଙ୍କର ମୁଖ ବିରସ ଦିଶୁଥିଲା । ସେମାନଙ୍କ ଭିତରୁ ହଠାତ୍‌ ଜଣେ ଡାକିଲା–‘‘ରଷ୍ଟଭ ! ରଷ୍ଟଭ !’’

 

ରଷ୍ଟଭ ଚମକି ପଡ଼ିଲା ଏବଂ ବୁଲିପଡ଼ି ଦେଖିଲା, ବୋରିସ ତାହା ଆଡ଼କୁ ଅନାଇଛି ।

 

ବୋରିସ ପଚାରିଲା–‘‘କୁଆଡ଼େ ଯାଉଛ ?’’

 

ଗମ୍ଭୀର ସ୍ୱରରେ ରଷ୍ଟଭ ଜବାବ ଦେଲା–‘‘ସମ୍ରାଟଙ୍କ ନିକଟକୁ ।’’

 

ରଷ୍ଟଭ ଅଯଥା ସମୟ ନଷ୍ଟ ନକରି ଘୋଡ଼ା ଛୁଟାଇଦେଲୋ । ବର୍ତ୍ତମାନ ସେ ବୁଲି ବୁଲି ଯିବାକୁ ଲାଗିଲା, ଯେମିତି କୌଣସି ସୈନ୍ୟ ଦଳ ସାମ୍ନାରେ ସେ ନ ପଡ଼େ । ଏହିପରି ଭାବରେ ସୈନ୍ୟ ବାହିନୀର ଖୁବ୍‌ ପଛ ଦେଇ ଯିବାବେଳେ, ସେ ହଠାତ୍‌ ଦେଖିଲା, ଠିକ୍‌ ତାହାରି ସାମ୍ନାରେ ଦୁଇ ଦଳ ସୈନ୍ୟ ଯୁଦ୍ଧରେ ମାତିଛନ୍ତି–ଅବିରାମ ଗୁଳି ଚାଲିଛି, ସୂର୍ଯ୍ୟ କିରଣରେ ତରବାରୀ ଝଲସୁଛି । ସେ ମନକୁ ମନ ପଚାରିଲା, ତାହା ହେଲେ କ’ଣ ଫରାସୀମାନେ ସେମାନଙ୍କୁ ଚାରିଆଡ଼ୁ ଘେରାଉ କଲେଣି ? ପରମୁହୂର୍ତ୍ତରେ ତାହାର ଏହି ଭୁଲ ଭାଙ୍ଗିଲା, ଯେତେବେଳେ ସେ ଜାଣିପାରିଲା ଯେ ରୁଷୀୟ ସୈନ୍ୟ ଓ ଅଷ୍ଟ୍ରିୟ ସୈନ୍ୟ ପରସ୍ପରକୁ ଆକ୍ରମଣ କରିଛନ୍ତି । ଏପରି ଏକ ମାରାତ୍ମକ ଭୁଲ ଧରା ପଡ଼ିବା ଆଗରୁ ବେଶ୍‌ କିଛି ସୈନ୍ୟ ହାତାହାତି ହୋଇଥିଲେ । ରଷ୍ଟଭ ଭାବିଲା, କି ଲଜ୍ଜାକର କଥା ! ସମ୍ରାଟ ଶୁଣିଲେ କ’ଣ ଭାବିବେ ?

 

ରଷ୍ଟଭ ପ୍ରାଜେନରେ ପହଞ୍ଚି ଦେଖିଲା, ସେଠାରେ ଜେନାରେଲ କୁଟୁଜଭ କି ସମ୍ରାଟ କେହି ନାହାନ୍ତି । ଏପରିକି ଜଣେ ଛୋଟ ଅଫିସରବି ନାହିଁ । ଖାଲି ଅଛନ୍ତି କେତେକ ଆହତ ଓ ପଳାତକ ସୈନ୍ୟ । ରାସ୍ତାରେ ଗାଡ଼ି ଘୋଡ଼ାର ଅସମ୍ଭବ ଭିଡ଼ ।

 

କେହି ଜଣେ ଖବର ଦେଲା, ସମ୍ରାଟ ଆହତ ହୋଇଛନ୍ତି । ମାତ୍ର ରଷ୍ଟଭ ତାହା ବିଶ୍ୱାସ କଲା ନାହିଁ ।

 

ଆଉ ଜଣେ ଜଣାଇଲା–‘‘ଜେନାରେଲ କୁଟୁଜଭ ପ୍ରାଣ ହରାଇଛନ୍ତି । ମୋ ଆଖିଆଗରେ କମାଣରୁ ଗୋଟାଏ ଗୋଳା ଆସି ତାହାଙ୍କ ଛାତି ଉପରେ ପଡ଼ିଲା ।’’

 

‘‘ଗୋଳା ବାଜିଛି ସତ, କିନ୍ତୁ ସେ କରିନାହାନ୍ତି, ଆହତ ହୋଇଛନ୍ତି’’ ତୃତୀୟ ଜଣକ କହିଲା ।

 

‘‘ଏଁ, କୁଟୁଜଭ ଆହତ ହୋଇଛନ୍ତି ?’’ ରଷ୍ଟଭ ସନ୍ଦେହରେ ପଚାରିଲା ।

 

‘‘କୁଟୁଜଭ ?ନା, ନା, ସେ କାହିଁକି ଆହତ ହେବେ ? ଆଉ ଜଣେ ସେନାପତି ଆହତ ହୋଇଛନ୍ତି ।’’

 

ରଷ୍ଟଭ ବୁଝିପାରିଲା, ଏସବୁ ଉଡ଼ା ଖବର । କେଉଁଟା ଖାଣ୍ଟି ସତ ନୁହେଁ । ମାତ୍ର ସମ୍ରାଟ କି ପ୍ରଧାନ ସେନାପତି, ଯେ କେହି ନିହତ କି ଆହତ ହୋଇଥାଆନ୍ତୁ ନା କାହିଁକି, ଲଢ଼େଇରେ ନିଶ୍ଚୟ ସେମାନଙ୍କର ପରାଜୟ ହୋଇଛି । ଯାହାହେଉ, ରଷ୍ଟଭ ଉଦ୍ଦେଶ୍ୟହୀନ ଭାବରେ ଯାଉଁ ଯାଉଁ ପ୍ରାଜେନର ପଛ ପଟେ ଗୋଟାଏ ସମତଳ ଜାଗାରେ ବସି ପଡ଼ିଲା । ସେଠାରେ ହଜାର ହଜାର ସୈନ୍ୟମରି ଶୋଇଥିଲେ । ରୁଷୀୟମାନେ ଢେର୍‌ବେଳୁ ସେଠାରୁ କୁଆଡ଼େ ପଳାଇଥିଲେ । ଫରାସୀମାନେ ସେ ଆଡ଼କୁ ଆଉ ଗୁଳି ଚଳାଉନଥିଲେ । କାରଣ ସେମାନଙ୍କର ଧାରଣା, ସେଠାରେ ଆଉ ଜୀବିତ ମଣିଷ ନାହାନ୍ତି । ଗଦା ଗଦା ମଲା ମଣିଷ ଦେଖି ଏବଂ ଆହତମାନଙ୍କର କରୁଣ ଆର୍ତ୍ତନାଦ ଶୁଣି, ରଷ୍ଟଭ ଭୟଭୀତ ହୋଇଗଲା । ଏହି ସବୁ ବିଭତ୍ସ ଦୃଶ୍ୟ ଦେଖି, ହଠାତ୍‌ ପରେ ତାହାର ମାଆର କଥା ମନେପଡ଼ିଲା ।

 

ରୁଷୀୟ ସୈନ୍ୟମାନେ ଗୋଟିଏ ନିକଟବର୍ତ୍ତୀ ଗ୍ରାମରେ ଯାଇ ଆଶ୍ରୟ ନେଇଥିଲେ । ସେମାନେ ଯୁଦ୍ଧ କ୍ଷେତ୍ରରୁ ପଳାଇ ଆସିଥିଲେ ସତ, ମାତ୍ର ଏକାବେଳେ ଛତ୍ରଭଙ୍ଗ ଦେଇନଥିଲେ । ନିରାପତ୍ତା ଦୃଷ୍ଟିରୁ ସେମାନେ ଶତ୍ରୁର କମାଣର ସୀମା ବାହାରକୁ ଚାଲି ଆସିଥିଲେ । ରଷ୍ଟଭ ଏଠାରେ ସମ୍ରାଟ ଓ ପ୍ରଧାନ ସେନାପତିଙ୍କର ଦେଖାପାଇଲା ।

 

(୭)

 

ତା’ପରେ ସନ୍ଧି ସ୍ଥାପିତ ହେଲା । ଜାର୍‌ ଓ ନେପୋଲିୟନଙ୍କ ଭିତରେ ସଦ୍‌ଭାବ ପ୍ରତିଷ୍ଠିତ ହେଲା । ଅଧିକାଂଶ ରୁଷୀୟ ସୈନ୍ୟ ଅଷ୍ଟ୍ରିୟାରୁ ଦେଶକୁ ଫେରିଗଲେ । ସେମାନଙ୍କ ଭିତରେ ରଷ୍ଟଭ ଓ କପ୍ତାନ ଡେନିସଭ ମଧ୍ୟ ଥିଲେ । ସ୍ଥିର ହୋଇଥିଲା, ଡେନିସଭ କିଛିଦିନ ରଷ୍ଟଭର ଘରେ ଆତିଥ୍ୟ ଗ୍ରହଣ କରିବ । ବର୍ତ୍ତମାନ ରଷ୍ଟଭର ପରିବାର ପିଟାର୍ସବର୍ଗରେ ଥିଲେ ।

 

ବୋରିସ, ବାର୍ଗ ଓ ଡଲୋହଭ ମଧ୍ୟ ମସ୍କୋକୁ ଆସିଥିଲେ । ଯଦିଚ ଜଣେ ସାହସୀ ଯୋଦ୍ଧା, ଡଲୋହଭକୁ ପଶୁ ଛଡ଼ା ଆଉ କିଛି କହି ହେବ ନାହିଁ । ପିୟେର ଓ ଡଲୋହଭ ଦୁହିଁଙ୍କର ଆଗରୁ ପରିଚୟ ଓ ବନ୍ଧୁତା ଥିଲା । ଡଲୋହଭ ଭାରି ଚାଲାକ । ସେହି ପୂର୍ବ ବନ୍ଧୁତାର ସୁଯୋଗ ନେଇ ସେ ବେଜୁହଭ ପ୍ରାସାଦରେ ନିର୍ବିଘ୍ନରେ ଆସ୍ଥାନ ଜମାଇଲା ।

 

ଇତିମଧ୍ୟରେ ପିୟେର ପ୍ରିନ୍‌ସ ଭାସିଲିର ରୁପସୀ କନ୍ୟା ଏଲେନକୁ ବିଭା ହୋଇଥିଲା । ବିବାହ ପରେ ସେମାନେ ବେଜୁହଭ ପ୍ରାସାଦରେ ରାଜାଙ୍କ ପରି ମହାଆଡ଼ମ୍ୱରରେ ଦିନ ଯାପନ କରୁଥିଲେ । ଅତିଥି ଡଲୋହଭ ଓ ପତ୍ନୀ ଏଲେନକୁ କେନ୍ଦ୍ର କରି ନାନାକୁତ୍ସିତ ଅପବାଦ ଚାରିଆଡ଼େ ରଟିଲା । ଏହା ଶୁଣି ପିୟେରର ସରଳ ପ୍ରାଣରେ ଆଘାତ ଲାଗିଲା ।

 

ଦିନେ ମସ୍କୋର ଏକ କ୍ଳବରେ ପିୟେର, ଡଲୋହଭ, ରଷ୍ଟଭ ଓ ଡେନିସଭ ତାଆସ ଖେଳୁଥିଲେ । ହଠାତ୍‌ ଗୋଟାଏ ସାମାନ୍ୟ କାରଣରୁ ସନ୍ଦେହ କରି ପିୟେର ଡଲୋହଭକୁ ଯୁଦ୍ଧକୁ ଆହ୍ୱାନ କଲା ।

 

ଡେନିସଭ ଦୁହିଁଙ୍କୁ ବୁଝାଇବାକୁ ଲାଗିଲା ଯେ ନିଜ ନିଜ ଭିତରେ କୌଣସିମତେ ତ୍ରୁଟି ସ୍ୱୀକାର କରି ସେମାନେ ବିବାଦଟା ମେଣ୍ଟାଇ ଦିଅନ୍ତୁ । କିନ୍ତୁ ଡଲୋହଭ ଯୁଦ୍ଧ ଚାହିଁଲା । କାରଣ ସେ ଜାଣିଥିଲା ଯେ ପିୟେର କେବେହେଲେ ହାତରେ ପିସ୍ତଲ ଧରିନଥିବାରୁ, ତାହାର ମୃତ୍ୟୁ ସୁନିଶ୍ଚିତ ଏବଂ ପିୟେରର ମୃତ୍ୟୁ ପରେ ସେ ଏଲେନକୁ ବିଭା ହୋଇ ବେଜୁହଭ ଜମିଦାରୀର ମାଲିକ ହେବ । ଡଲୋହଭ ଏହି ପ୍ରଲୋଭନକୁ ଏଡ଼ି ଦେଇପାରିଲା ନାହିଁ ।

 

ଅପର ପକ୍ଷରେ ନିଶ୍ଚିତ ମୃତ୍ୟୁ ଜାଣି ସୁଦ୍ଧା ପିୟେର କୌଣସିମତେ ଫଇସଲା କରିବାକୁ ରାଜି ହେଲା ନାହିଁ । ସେଥିରେ ତାହାର ଭୟ ନଥିଲା, ବରଂ ଉଲ୍ଲାସ ଥିଲା । ସ୍ତ୍ରୀ ଏଲେନର ବିଶ୍ୱାସଘାତକତା ଯୋଗୁଁ ସେ ସାରା ଦୁନିଆର ଲୋକଙ୍କ ଉପରେ କ୍ରୁଦ୍ଧ ହୋଇଥିଲା ।

 

ବିବାଦ ନ ମେଣ୍ଟିବାରୁ, ଦ୍ୱନ୍ଦ୍ୱ ଯୁଦ୍ଧ ନିମନ୍ତେ ସହରର ବାହାରେ ଗୋଟିଏ ବଣ ଭିତରେ ଜାଗା ଠିକ୍‌ ହେଲା । ରଷ୍ଟଭ ଓ ଡେନିସଭ ସବୁ ବ୍ୟବସ୍ଥା କଲେ ।

 

ଦୁଇ ପ୍ରତିଦ୍ୱନ୍ଦ୍ୱୀ ପିୟେର ଓ ଡଲୋହଭ ସକାଳ ଆଠଟାବେଳେ ସେଠାରେ ଯାଇ ଉପସ୍ଥିତ ହେଲେ । ବରଫ ଉପରେ ତିରିଶ ପାହୁଣ୍ତ ଲମ୍ୱର ଗୋଟିଏ ଗାର ଟଣାଗଲା । ସେହି ଗାରର ଦୁଇ ମୁଣ୍ତରୁ ପ୍ରତିଦ୍ୱନ୍ଦ୍ୱୀ ଦୁହେଁ ପରସ୍ପର ଆଡ଼କୁ ଆଗେଇବାକୁ ଲାଗିଲେ । ଯାହାର ଯେତେବେଳେ ଇଚ୍ଛା ଗୁଳି ଫୁଟାଇପାରେ, କିନ୍ତୁ ଥରେମାତ୍ର ! ଦୁହିଁଙ୍କର ଥରେ ଲେଖାଏଁ ଗୁଳି କରିବାର ଅଧିକାର ଅଛି ।

 

ଡାହାଣ ହାତରେ ପିସ୍ତଲ ଧରି ଡଲୋହଭ ଆଡ଼କୁ ମୁହଁ କରି ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲାକ୍ଷଣି, ପିୟେର କ୍ରୋଧରେ ଏମିତି ଉନ୍ମାଦ ହୋଇଗଲା ଯେ ତାହାର ଆଦୌ ଧୈର୍ଯ୍ୟ ରହିଲା ନାହିଁ । ଦୁଇ ଚାରି ପାହୁଣ୍ତ ଯାଉ ନ ଯାଉଣୁ ପିୟେର ହଠାତ୍‌ ଆଖି ମୁଦି ଗୁଳି ଫୁଟାଇଦେଲା । ସେହି ଗୁଳିଟା ଡଲୋହଭର ପେଟ ଭିତରେ ଗଳିଗଲା । ସେ ସଙ୍ଗେ ସଙ୍ଗେ ବାମ ହାତରେ ପେଟକୁ ଚାପି ଧରି ତଳେ ବସି ପଡ଼ିଲା । କ୍ଷତ ସ୍ଥାନରୁ ରକ୍ତ ବହିବାକୁ ଲାଗିଲା । ତାହାକୁ ଚିକିତ୍ସା ନିମନ୍ତେ ସହରକୁ ପଠାଇବା ଦରକାର । କିନ୍ତୁ ଡଲୋହଭ ମନା କଲା । ସେ ଏକ୍ଷଣି ଯିବ ନାହିଁ । ପିୟେରକୁ ଗୁଳି କରିବାର ଅଧିକାର ତାହାର ଅଛି । ଗୁଳି କଲେ ଯେ ପିୟେର ମରିବ, ଏଥିରେ ତାହାର ଆଦୌ ସନ୍ଦେହ ନଥିଲା । ସେ ଗାର ଉପରେ ଘୁଷୁରି ଘୁଷୁରି ଧୀରେ ଧୀରେ ଆଗେଇବାକୁ ଲାଗିଲା ।

 

ପିୟେର ଗାର ଉପରେ ଚାରି ପାହୁଣ୍ତ ଦୂରରେ ଏକାନ୍ତ ଉଦାସୀନ ଭାବରେ ସିଧା ଠିଆ ହୋଇଥିଲା । ଡଲୋହଭର ଅପ୍ରତ୍ୟାଶିତ ଆହତରେ ସେ ଆନନ୍ଦ ଅନୁଭବ କରୁନଥିଲା । ନିଜେ ମରିଲେ ଯାଇ ସେ ଆନନ୍ଦ ପାଇବ ଏବଂ ଅବିଶ୍ୱାସୀ ଏଲେନର ହାତରୁ ତ୍ରାହି ମିଳିବ ।

 

ଡଲୋହଭ ପିସ୍ତଲ ଉଠାଇଲାମାତ୍ରେ, ରଷ୍ଟଭ ଓ ଡେନିସଭ ଚିତ୍କାର କଲେ–‘‘ପିୟେର, ମୁଖଟା ତୁରନ୍ତ ବୁଲାଇ ଦିଅ ।’’

 

କିନ୍ତୁ ପିୟେର ସେ କଥା କାନକୁ ନେଲା ନାହିଁ, କି ମୁହଁ ବୁଲାଇଲା ନାହିଁ । ଡଲୋହଭ ଗୁଳି ଫୁଟାଇଲା । ମାତ୍ର ଗୁଳିଟା ପିୟେରର ମୁଣ୍ତ ପାଖ ଦେଇ ବାହାରିଗଲା । ଡଲୋହଭ ହତାଶାରେ ଓଲଟି ପଡ଼ିଲା । ସଙ୍ଗେ ସଙ୍ଗେ ରଷ୍ଟଭ ଓ ଡେନିସଭ ତାହାକୁ ଟେକିଟାକି ଘୋଡ଼ାଗାଡ଼ି ଉପରକୁ ଉଠାଇଦେଲେ ।

 

ଡଲୋହଭ ଧୀରେ ଧୀରେ ଆରୋଗ୍ୟ ହେବାକୁ ଲାଗିଲା । ଅନେକ ଦିନ ତାହାକୁ ବିଛଣାରେ ପଡ଼ି ରହିବାକୁ ହେଲା । ସେତେବେଳେ ରଷ୍ଟଭ ବରାବର ତାହାକୁ ଦେଖିବାକୁ ଯାଉଥିଲା । ଫଳରେ, ଦୁହିଁଙ୍କ ଭିତରେ ବନ୍ଧୁତା ବଢ଼ିବାକୁ ଲାଗିଲା । ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ, ଡଲୋହଭ ଜୁଆ ଖେଳରେ ମାତିଲା । ସେ ଜଣେ ପକା ଜୁଆଡ଼ି । ରଷ୍ଟଭ ତାହା ସହିତ ଖେଳିବାକୁ ଆରମ୍ଭ କଲା । କେଉଁ ଦିନ ସେ ହାରିଯାଏ ତ କେଉଁ ଦିନ ସାମାନ୍ୟ କିଛି ଲାଭ କରେ । ରଷ୍ଟଭର ମଦ ନିଶା ସାଙ୍ଗରେ ଜୁଆର ନିଶା ମଧ୍ୟ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା ।

 

ଅବଶେଷରେ ଦିନେ ଡଲୋହଭ ହିସାବ କରି ଦେଖିଲା ଯେ ରଷ୍ଟଭ ତାହା ଠାରୁ ତେୟାଳିଶ ହଜାର ରୁବଲ ହାରି ଯାଇଛି । ଏହା ଶୁଣି ରଷ୍ଟଭର ମଥାରେ ଚଡ଼କ ପଡ଼ିଲା । ଯେ କୌଣସିମତେ ତାହାକୁ ତେୟାଳିଶ ହଜାର ରୁବଲ ଦେବାକୁ ପଡ଼ିବ । ନିରୂପାୟ ହୋଇ ରଷ୍ଟଭ ତାହାର ବାପାକୁ ନତମୁଖରେ ଜଣାଇଲା–‘‘ବାପା, ଜୁଆରେ ମୁଁ ହାରି ଯାଇଛି ।’’

 

‘‘ଜାଣେ, ସମସ୍ତଙ୍କର ଏମିତିକା ଅବସ୍ଥା ଦିନେ ନା ଦିନେ ହୁଏ । କେତେ ଦରକାର ?’’

 

‘‘ତେୟାଳିଶ ହଜାର ରୁବଲ ।’’

 

ବୃଦ୍ଧ କାଉଣ୍ଟ ଚମକି ପଡ଼ିଲା । ତାହାର ହସ ହସ ମୁଖ ଝାଉଁଳି ଗଲା । ମାତ୍ର ସଙ୍ଗେ ସଙ୍ଗେ ସେ ନିଜକୁ ସମ୍ଭାଳି ନେଇ କହିଲା ‘‘ହୁଁ । ଏତେ ଟଙ୍କା ! ଦେବି, ଟିକିଏ ସମୟ ଦରକାର । କ’ଣ କରାଯିବ ?’’

 

ଯୁଦ୍ଧ ଓ ଶାନ୍ତି

କାଉଣ୍ଟ ତରବରରେ ଉଠି ଚାଲିଗଲା । ରଷ୍ଟଭ ଦୁଇ ହାତରେ ମୁହଁ ଢାଙ୍କି କାନ୍ଦିଲା । ସେ ଅନୁତାପନଳରେ ଦଗ୍‌ଧ ହେବାକୁ ଲାଗିଲା ।

 

ତେଣେ ବ୍ଳିକ ହିଲରେ ଆନ୍ଦ୍ରେର ଆସନ୍ନ ପ୍ରସବା ସ୍ତ୍ରୀ ଲିସେ ଦାରୁଣ ସଂଶୟରେ କାଳାତିପାତ କରୁଥିଲା । ଆନ୍ଦ୍ରେ ଯୁଦ୍ଧରେ ମୃତ କି ବନ୍ଦୀ, କେଉଁଠୁ କିଛି ଖବର ମିଳିଲା ନାହିଁ । ଯୁଦ୍ଧ ପରେ ସମସ୍ତେ ଘରକୁ ଫେରିଆସିଲେ, କିନ୍ତୁ ଆନ୍ଦ୍ରେ ଫେରିଲା ନାହିଁ । ସାମରିକ ଦପ୍ତର ତାଙ୍କର ଏକମାତ୍ର ପୁତ୍ର ସମ୍ୱନ୍ଧରେ ନୀରବ ରହିବାରୁ, ବୁଢ଼ା ବାପା ପ୍ରିନ୍‌ସ ବଲକନସ୍କି ପ୍ରାୟ ପାଗଳ ହୋଇଗଲେ ।

 

ସେ ଦିନ ରାତିରେ ତୁଷାର ଝଡ଼ରେ ସମୁଦାୟ ଅଞ୍ଚଳ ବିପର୍ଯ୍ୟସ୍ତ ହେଲା । ଲୋକମାନେ ପଦାରୁ ବାହାରି ନ ପାରି ଦୁଆର ଝରକା ବନ୍ଦ କରି ଘର ଭିତରେ ପଶିଲେ । ଆନ୍ଦ୍ରେର ସ୍ତ୍ରୀପାଇଁ ଡାକ୍ତର ଡାକିବାକୁ ମସ୍କୋକୁ ଗାଡ଼ି ପଠା ଯାଇଥିଲା । ଅବିରାମ ତୁଷାରପାତ ସଙ୍ଗେ ମହିଳାଟିର ଅବସ୍ଥା କ୍ରମେ କ୍ରମେ ଜଟିଳ ହେଉଥିଲା । ପ୍ରସୂତି ଭୀଷଣ ଯନ୍ତ୍ରଣାରେ ଛଟପଟ ହେଉଥିଲା । ଘରର ସ୍ତ୍ରୀ ଲୋକମାନେ ଅସହାୟ ଭାବରେ ଲୁହ ଗଡ଼ାଇ ଈଶ୍ୱରଙ୍କୁ କାତର ପ୍ରାର୍ଥନା କରୁଥିଲେ । ବୁଢ଼ା ବଲକନସ୍କି ଅସ୍ଥିର ହୋଇ ଘର ଭିତରେ ପଦଚାରଣ କରୁଥିଲେ ।

 

ଶେଷରେ ସେହି କାଳ ରାତିରେ ଗାଡ଼ି ଫେରିଆସିଲା ଡାକ୍ତରଙ୍କୁ ନେଇ, ଆଉ ସାଙ୍ଗରେ ପ୍ରିନ୍‌ସ ଆନ୍ଦ୍ରେ । ତାହାର ସ୍ତ୍ରୀ ପୁତ୍ରଟିଏ ପ୍ରସବ କରି ଚିରଦିନ ପାଇଁ ଆଖି ବୁଜିଲା । ତହୁଁ ଆନ୍ଦ୍ରେ ଓ ତାହାର ଭଉଣୀ ମାରିୟା ଶିଶୁଟିକୁ ଲାଳନପାଳନ କରିବାକୁ ଲାଗିଲେ । ତାହାଛଡ଼ା, ଆନ୍ଦ୍ରେ ଜମିଦାରୀର ପରିଚାଳନା ଭାର ନିଜ ହାତକୁ ନେଲା । ପିୟେର ଠାରୁ ପ୍ରେରଣା ପାଇ ସେ ଭୂମି–ଦାସମାନଙ୍କୁ ମୁକ୍ତି ଦେଲା । ଏଣିକି ସେମାନେ ବେତନ ଭୋଗୀ ଶ୍ରମିକ ଭାବରେ କାମ କରିବେ ।

 

ଗାଁକୁ ଫେରିଆସି ଆନ୍ଦ୍ରେର ପିୟେର ସହିତ ଦେଖା ହେଲା । ବିଶାଳ ବେଜୁହଭ ଜମିଦାରୀ ହାତକୁ ନେଇ ପିୟେର ଶ୍ରମିକମାନଙ୍କର କ୍ରୀତଦାସ ପ୍ରଥା ଲୋପ କଲା ଏବଂ ନାନାପ୍ରକାର ଭୂସଂସ୍କାର କରିବାକୁ ଲାଗିଲା । ମାତ୍ର ସେ ସବୁ ଅଧିକ ଫଳପ୍ରଦ ହେଲା ନାହିଁ ଏବଂ ଚାଷବାସରେ ନାନା ଅପ୍ରତ୍ୟାଶିତ ଅସୁବିଧା ଉପୁଜିଲା । ଅନ୍ୟ ଜମିଦାରମାନେ ତାହାକୁ ଉପହାସ କଲେ । କିନ୍ତୁ ନିଜର ଅସାଧାରଣ କର୍ମଶକ୍ତିଦ୍ୱାରା ଆନ୍ଦ୍ରେ ପ୍ରମାଣ କଲା ଯେ ପିୟେରର ଭୂସଂସ୍କାର ବାସ୍ତବିକ ଏକାନ୍ତ ପ୍ରୟୋଜନୀୟ ଓ ଲାଭଜନକ । ମୂଳରୁ ବିଶେଷ ସତର୍କ ରହିଥିବାରୁ, ବିଚକ୍ଷଣ ଆନ୍ଦ୍ରେର ଜମିଦାରୀ ଋଷିଆର ଅର୍ଥନୀତି କ୍ଷେତ୍ରରେ ଏକ ନବଯୁଗର ସ୍ପଷ୍ଟ ସୂଚନା ଦେଲା ।

 

ଯୁଦ୍ଧ ବିଭାଗର ସଂସ୍କାର ନିମନ୍ତେ ଆନ୍ଦ୍ରେ ଯେଉଁ ସ୍ମାରକପତ୍ର ପ୍ରଣୟନ କରିଥିଲା, ତାହା ସମ୍ରାଟଙ୍କ ନିକଟରେ ଦାଖଲ କରିବା ପାଇଁ ସେ ଦିନେ ପିଟାର୍ସବର୍ଗ ଅଭିମୁଖେ ଯାତ୍ରା କଲା । ସେଠାରେ ରଷ୍ଟଭର ପରିବାର ସହିତ ତାହାର ଆଳାପ ହେଲା । ରଷ୍ଟଭର ମଝିଆଁ ଭଉଣୀ ଅପରୂପ ସୁନ୍ଦରୀ ନାଟାଶା ତାହାକୁ ବିଶେଷ ଆକୃଷ୍ଟ କଲା । ପତ୍ନୀ ବିୟୋଗ ପରେ ଆନ୍ଦ୍ରେ ସ୍ଥିର କରିଥିଲା, ଏଣିକି ଦେଶ ସେବାରେ ସେ ନିଜର ଜୀବନ ଉର୍ତ୍ସଗ କରିବ । ବର୍ତ୍ତମାନ ତାହାର ମତ ପରିବର୍ତ୍ତିତ ହେଲା । ରୂପସୀ ଯୁବତୀ ନାଟାଶାକୁ ବିଭା ହେବା ପାଇଁ ସେ ପ୍ରସ୍ତାବ କଲା, କିନ୍ତୁ ଝିଅଟିର ବୟସ ଖୁବ୍ କମ୍ ହୋଇଥିବାର ଛଳନା କରି ତାହାର ବାପା ଆପାତତଃ ସେଥିରେ ସମ୍ମତ ହେଲେ ନାହିଁ ଏବଂ ଆଉ ବର୍ଷେ ଅପେକ୍ଷା କରିବାକୁ ଆନ୍ଦ୍ରେକୁ ପରାମର୍ଶ ଦେଲେ । ତହିଁ ସେ ହୃତ ସ୍ୱାସ୍ଥ୍ୟର ପୁନରୁଦ୍ଧାର ନିମନ୍ତେ ସୁଇଜରଲାଣ୍ଡକୁ ଚାଲିଗଲା ।

 

ଏଣେ ଆନ୍ଦ୍ରେର ଅନୁପସ୍ଥିତିରେ ପିଟାର୍ସବାର୍ଗରେ ସୁନ୍ଦରୀ ନାଟାଶାକୁ କେନ୍ଦ୍ର କରି ଏକ ଅଶୋଭନୀୟ ପରିସ୍ଥିତି ଉପୁଜିଲା । ପ୍ରିନ୍‌ସ ଭାସିଲି କୁରାଗିନର ଉଚ୍ଛୃଙ୍ଖଳ ପୁତ୍ର ଆନାତୋଲ ନିଜର ଭଉଣୀ ଏଲେନର ଘରେ ନାଟାଶାକୁ ଦେଖି ବିମୋହିତ ହେଲା । ନାଟାଶାକୁ ଆନ୍ଦ୍ରେର ବାଗ୍‍ଦତ୍ତା ଜାଣି ଆନାତୋଲ ତାହାକୁ ଭୁଲାଇ ଘରୁ ନେଇ ପଳାଇବା ସକାଶେ ଫନ୍ଦି ପାଞ୍ଚିଲା । ମାତ୍ର ସେ ଶେଷରେ ଧରା ପଡ଼ି ନିଜେ ଦେଶ ତ୍ୟାଗ କଲା ।

 

ଏତିକିବେଳେ ଅଚାନକ ରଷ୍ଟଭର ଦିନେ ଆନ୍ଦ୍ରେର ଭଉଣୀ ମାରିୟା ସହିତ ଭେଟ ହେଲା । ଉଭୟ ପରସ୍ପରକୁ ଭଲପାଇଲେ । ରଷ୍ଟଭ ତାହାକୁ ବିଭା ହେବାକୁ ଚାହିଁଲା । କିନ୍ତୁ ସେ ଗରିବ ହୋଇଥିବାରୁ, ଆନ୍ଦ୍ରେର ବାପା ଏହି ପ୍ରସ୍ତାବରେ ରାଜି ହେଲା ନାହିଁ ।

 

(୮)

 

୧୮୦୭ ମସିହା ଜୁନ୍ ମାସର ଏକ ସୂର୍ଯ୍ୟାଲୋକିତ ଅପରାହ୍ନ । ନିକୋଲ ରଷ୍ଟଭ ତିକ୍ତ କଣ୍ଠରେ ମନକୁ ମନ ପଚାରିଲା–‘‘ଏଇଥିପାଇଁ କ’ଣ ଆମେ ଯୁଦ୍ଧ କରିଥିଲୁ ? ଏଇଥିପାଇଁ କ’ଣ ଆମେ ୟୁରୋପର ସ୍ୱାଧୀନତା ରକ୍ଷା କଲୁ ?’’

 

ଅଷ୍ଟାରଲିଜର ଯୁଦ୍ଧ ପରେ ପ୍ରାୟ ଅଠର ମାସ ବିତି ଗଲାଣି । ଫରାସୀମାନେ ଗୋଟାକ ପରେ ଗୋଟାଏ ସ୍ଥାନରେ ଜୟ ଲାଭ କଲେ । ଅବଶେଷରେ ସମ୍ରାଟ ଆଲେକଜାଣ୍ଡର ଯୁଦ୍ଧରେ କ୍ଳାନ୍ତ ହୋଇ ସନ୍ଧି କଲେ ।

 

ଡ୍ରେସଡ଼େନ ଠାରେ ସମ୍ରାଟ ନେପୋଲିୟନଙ୍କ ସହିତ ସମ୍ରାଟ ଆଲେକଜାଣ୍ଡରଙ୍କର ସାକ୍ଷାତ ହେଲା । ଉଭୟେ ଘୋଡ଼ାରୁ ଓହ୍ଲାଇ ହସି ହସି ପରସ୍ପର ସହିତ କରମର୍ଦ୍ଦନ କଲେ । ନେପୋଲିୟନ ସ୍ୱହସ୍ତରେ ଫ୍ରାନ୍‍ସର ଶ୍ରେଷ୍ଠ ସମ୍ମାନର ପ୍ରତୀକରୂପେ ‘ଲିଜିୟନ ଅଫ ଅନର୍’ର ପଦକ ଆଲେକଜାଣ୍ଡରଙ୍କୁ ପିନ୍ଧାଇଦେଲେ । ବିନିମୟରେ ନେପୋଲିୟନ ମଧ୍ୟ ଲାଭ କଲେ ରୁଷିଆର ଉଚ୍ଚତମ ସମ୍ମାନ ‘ସେଣ୍ଟ ଜର୍ଜ ପଦକ ।’

 

ଦୁଇବର୍ଷ ପରେ, ୧୯୦୯ ମସିହାରେ, ଦୁଇ ଦେଶ ମଧ୍ୟରେ ଏତେ ଘନିଷ୍ଠତା ସ୍ଥାପିତ ହୋଇଥିଲା ଯେ ନେପୋଲିୟନ ଅଷ୍ଟ୍ରିୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତେ, ରୁଷୀୟ ସୈନ୍ୟ ବାହିନୀ ଫରାସୀ ସହିତ ଯୋଗ ଦେଲା ।

 

ବିଜୟଲକ୍ଷ୍ମୀ ନେପୋଲିୟନଙ୍କ ପ୍ରତି ସୁପ୍ରସନ୍ନ ଥିବାରୁ, ସେ ଗୌରବର ଉଚ୍ଚତମ ଶୀଖର ଆହୋରଣ କଲେ । ପ୍ରତ୍ୟେକ ଯୁଦ୍ଧରେ ସେ ଅଭୂତପୂର୍ବ ବିଜୟ ଲାଭ କରିବାକୁ ଲାଗିଲେ-। ଏକମାତ୍ର ଅପରାଜିତ ଶତ୍ରୁ ରହିଲା ଇଂଲଣ୍ଡ । ନେପୋଲିୟନଙ୍କ ମନରେ ଗୋଟାଏ ଅହେତୁକ ସନ୍ଦେହ ଜାଗିଲା ଯେ ରୁଷୀୟ ସମ୍ରାଟ ଆଲେକଜାଣ୍ଡର ହେଉଛନ୍ତି ଇଂଲଣ୍ଡର ପକ୍ଷପାତି-। ତେଣୁ ରୁଷିଆକୁ ପଦାନତ କରି ନ ପାରିଲେ ଫ୍ରାନ୍‍ସର ଦିଗ୍‍ବିଜୟ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି ତାଙ୍କର ଧାରଣା ବଦ୍ଧମୂଳ ହେଲା । ଅଷ୍ଟ୍ରିୟାରେ ରୁଷୀୟ ସେନା ପରାସ୍ତ ହୋଇଥିଲେ ସୁଦ୍ଧା, ସେଥିରେ ତାହାର ବିଶେଷ କିଛି କ୍ଷତି ହୋଇ ନଥିଲା କି ତାହାର ଶକ୍ତି ଆଦୌ ଊଣା ପଡ଼ି ନଥିଲା । ଅଷ୍ଟ୍ରିୟା, ଇଟାଲୀ ଓ ଜର୍ମାନୀକୁ ଯେପରି ପଦାନତ କରି ରଖିଥିଲେ, ରୁଷିଆକୁ ମଧ୍ୟ ସେପରି ନିଜ ଅକ୍ତିଆରରେ ରଖିବାକୁ ସେ ସ୍ଥିର କଲେ । ନିଜର ଅସନ୍ତୋଷର କାରଣଗୁଡ଼ିକ ଅସ୍ପଷ୍ଟ ଭାବରେ ଲିପିବଦ୍ଧ କରି, ନେପୋଲିୟନ ସମ୍ରାଟ ଆଲେକଜାଣ୍ଡରଙ୍କୁ ଖଣ୍ଡିଏ ପତ୍ର ପଠାଇଲେ ଏବଂ ଜବାବକୁ ଅପେକ୍ଷା ନ କରି ରୁଷିଆର ସୀମା ଭିତରକୁ ସୈନ୍ୟ ଚାଳନା କରିଦେଲେ । ରୁଷିଆ ଓ ପୋଲାଣ୍ଡର ସୀମା ନୀମେନ ନଦୀ ପାରି ହୋଇ ପାଞ୍ଚ ଲକ୍ଷ ଫରାସୀ ସୈନ୍ୟ ରୁଷିଆରେ ପ୍ରବେଶ କଲେ ।

 

ଏ ଖବର ପାଇଲାମାତ୍ରେ ସମ୍ରାଟ ଆଲେକଜାଣ୍ଡର ନେପୋଲିୟନଙ୍କୁ ଚିଠି ଲେଖିଲେ–‘‘ମୁଁ କାଲି ଜାଣିପାରିଲି ଯେ ଆନ୍ତରିକତା ସହକାରେ ଆପଣଙ୍କ ସହିତ ସମସ୍ତ ପ୍ରତିଶ୍ରୁତି ପାଳନ କରିବା ସତ୍ୱେ, ଆପଣଙ୍କ ସୈନ୍ୟ ବାହିନୀ ରୁଷିଆର ସୀମାନ୍ତ ଅତିକ୍ରମ କରିଛନ୍ତି । ଆପଣ ଅସନ୍ତୋଷର ଯେଉଁସବୁ ତୁଚ୍ଛ କାରଣ ଆଗରୁ ଜଣାଇଥିଲେ, ସେ ସବୁ ଏକାବେଳେ ଭିତ୍ତିହୀନ । ଯଦି ସେଇଥିପାଇଁ ଆପଣଙ୍କ ସୈନ୍ୟମାନଙ୍କର ରକ୍ତପାତ କାମ୍ୟ ନ ହୋଇଥାଏ, ତା ହେଲେ ଆପଣଙ୍କ ସୈନ୍ୟବାହିନୀକୁ ମୋ ରାଜ୍ୟ ସୀମାର ବାହାରକୁ ଫେରାଇ ନେବାର ବ୍ୟବସ୍ଥା କରିବେ । ତାହା ହେଲେ ସୀମା ଲଙ୍ଘନର ଘଟଣାଟାକୁ ମୁଁ ଭୁଲିଯିବା ପାଇଁ ଚେଷ୍ଟା କରିବି ଏବଂ ଆମ ଭିତରେ ଗୋଟାଏ ଚୁକ୍ତି ସମ୍ପାଦିତ ହୋଇପାରିବ । ନୋହିଲେ ମୁଁ ବାଧ୍ୟ ହୋଇ ଆକ୍ରମଣର ପ୍ରତିରୋଧ କରିବି, ଯେହେତୁ ଏପରି ଏକ ଆକ୍ରମଣ ଆମ ଉପରେ ଜାଣି ଜାଣି ଲଦି ଦିଆଯାଇଛି । ମାନବ ଜାତିକୁ ଆଉ ଗୋଟାଏ ଯୁଦ୍ଧର ବିଭୀଷିକାରୁ ରକ୍ଷା କରିବା ପାଇଁ ଆପଣଙ୍କ ହାତରେ ଯଥେଷ୍ଟ ଶକ୍ତି ଅଛି ।’’

 

ସମ୍ରାଟ ଆଲେକଜାଣ୍ଡର ଏହି ପତ୍ରଟି ବିଶ୍ୱସ୍ତ ସୈନିକ ବାଲାଶଭର ହାତରେ ପଠାଇ ଯୁଦ୍ଧ ଶିବିରରେ ସ୍ୱୟଂ ସମ୍ରାଟ ନେପୋଲିୟନଙ୍କୁ ଦେବା ପାଇଁ କହିଲେ । ଯେଉଁ ଗୁରୁତର କଥାଟି ପତ୍ରରେ ଲେଖା ହୋଇ ନଥିଲା, ସେପରି ଏକ ମୌଖିକ ଖବର ନେପୋଲିୟନଙ୍କୁ ଜଣାଇବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଲେ–ନୀମେନ ନଦୀର ପଶ୍ଚିମକୂଳକୁ ସମସ୍ତ ଫରାସୀ ସୈନ୍ୟ ଅପସାରିତ ନ ହେଲା ଯାଏ ସନ୍ଧିର କଥା ବିଚାରକୁ ନିଆଯାଇପାରିବ ନାହିଁ ।

 

ନୀମେନର ପୂର୍ବକୂଳରେ ରିକଣ୍ଟି ଗ୍ରାମରେ ଫରାସୀ ସୈନ୍ୟମାନେ ଶିବିର ପକାଇଥିଲେ-। ବାଲାଶଭକୁ ତିନି ଦିନ କାଳ ସେହି ଶିବିରରେ ରହିବାକୁ ପଡ଼ିଲା । ଚତୁର୍ଥ ଦିନ ନେପୋଲିୟନଙ୍କ ସହିତ ତାହାର ସାକ୍ଷାତ ହେଲା ।

 

ଭିଲନାରେ ରୁଷିଆର ସମ୍ରାଟଙ୍କର ଗୋଟିଏ ପ୍ରାସାଦ ଅଛି । ନେପୋଲିୟନ ଆରାମରେ ସେଠାରେ ବାସ କରୁଥିଲେ । ଦରବାର କକ୍ଷରେ ବାଲାଶଭ ତାହାଙ୍କୁ ଭେଟିବାରୁ, ନେପୋଲିୟନ ଗୋଟାଏ ଲମ୍ୱା ବକ୍ତୃତା ଦେବାକୁ ଲାଗିଲେ । ତାହାର ସାରାଂଶ ହେଉଛି–ଯଦି ରୁଷିଆର ସମ୍ରାଟ ଆଲେକଜାଣ୍ଡର ନିଜ ଇଚ୍ଛାରେ ଅନ୍ୟ ଦେଶ ସହିତ ସନ୍ଧି କରିବେ, ତାହା ହେଲେ ନେପୋଲିୟନ ସେଥିରେ ରାଜି ହେବେ ନାହିଁ । ଯଦି ରୁଷିଆ ସ୍ୱାଧୀନ ସତ୍ତା ବିସର୍ଜନ ଦେଇ ଇଟାଲୀ ଓ ଅଷ୍ଟ୍ରିଆ ପରି ନେପୋଲିୟନଙ୍କର ଆଜ୍ଞାବହ ହେବାକୁ ପ୍ରସ୍ତୁତ ଥାଏ, ତାହା ହେଲେ ସନ୍ଧି ହେବ, ନଚେତ୍ ଯୁଦ୍ଧ ଅନିବାର୍ଯ୍ୟ । ସେହି ଯୁଦ୍ଧରେ ଯେ ରୁଷିଆର ସର୍ବନାଶ ହେବ, ଏଥିରେ କିଛି ସନ୍ଦେହ ନାହିଁ ।

 

ବାଲାଶଭ ଦୂତରୂପେ ଯାଇଥିବାରୁ, ସେ ଖାଲି ପତ୍ରଟି ଦେଲା ଏବଂ ଅତି ସାବଧାନରେ ନିଜର କ୍ରୋଧ ଦମନ କରି ନେପୋଲିୟନଙ୍କର ସଦମ୍ଭ ବକ୍ତବ୍ୟ ଆମୂଳଚୂଳ ଶୁଣିଲା । ତାହାକୁ ବିଦାୟ ଦେଲାବେଳେ ନେପୋଲିୟନ କହିଲେ, ଜାର୍‍ଙ୍କ ପତ୍ରର ଜବାବ ପରେ ପଠାଯିବ ।

 

ସେହି ଉତ୍ତର ଯଥା ସମୟରେ ସମ୍ରାଟ ଆଲେକଜାଣ୍ଡରଙ୍କ ହାତରେ ପଡ଼ିଲା ସତ, କିନ୍ତୁ ସମ୍ରାଟ ସେତେବେଳେ ଯାଏ ବସି ରହି ନଥିଲେ । ବାଲାଶଭ ଠାରୁ ମୌଖିକ ବିବରଣୀ ଶୁଣି ସେ ଯୁଦ୍ଧର ପ୍ରସ୍ତୁତି ନିମନ୍ତେ ବିପୁଳ ଆୟୋଜନ ଆରମ୍ଭ କରିଦେଲେ ।

 

ଅପରାଜୟ ନେପୋଲିୟନ ପାଞ୍ଚ ଲକ୍ଷ ସୈନ୍ୟ ନେଇ ଆସିଥିଲେ । ସେ ପ୍ରତିଜ୍ଞା କରିଥିଲେ, ରୁଷିଆର ସ୍ୱାଧୀନ ସତ୍ତା ବିଲୋପ ନ କରି ସେ ତରବାରୀ କଦାପି କୋଷବଦ୍ଧ କରିବେ ନାହିଁ ।

 

ଏପରି ଏକ ଭୀଷ୍ମ ପ୍ରତିଜ୍ଞାକୁ ବ୍ୟର୍ଥ କରିବା ପାଇଁ ସମ୍ରାଟ ଆଲେକଜାଣ୍ଡର ଆବଶ୍ୟକୀୟ ଆୟୋଜନରେ ଲାଗି ପଡ଼ିଲେ । ସବୁ ପୁରାତନ ସୈନିକମାନଙ୍କୁ ଯୁଦ୍ଧରେ ଯୋଗ ଦେବା ପାଇଁ ସେ ଆଦେଶ ଦେଲେ । ସୁତରାଂ ପୁରାତନ ସୈନିକମାନଙ୍କୁ ଏକତ୍ରିତ କରିବା ଏବଂ ନୂତନ ସୈନିକମାନଙ୍କୁ ଯଥାଯଥ ଶିକ୍ଷା ଦେବା ଏକା ସାଙ୍ଗରେ ଚାଲିଲା ।

 

ପ୍ରିନ୍‌ସ ଆନ୍ଦ୍ରେ ସୁଇଜରଲାଣ୍ଡରେ ଜଳବାୟୁ ପରିବର୍ତ୍ତନ କରୁଥିଲା । ତାହାର ଶରୀର ସୁସ୍ଥ ନଥିଲେ ସୁଦ୍ଧା, ଆଦେଶ ପାଇଲାମାତ୍ରେ ସେ ଆସି ପ୍ରଧାନ ସେନାପତିଙ୍କ ନିକଟରେ ହାଜର ହେଲା । ରଷ୍ଟଭ, ବୋରିସ୍, ଡେନିସଭ, ଡଲୋହଭ, ପ୍ରଭୃତିଙ୍କୁ ମଧ୍ୟ ଯୁଦ୍ଧରେ ଯୋଗ ଦେବାକୁ ପଡ଼ିଲା ।

 

ବୋରୋଦିନୋ ଠାରେ ରୁଷୀୟ ସୈନ୍ୟ ବାହିନୀ ଶତ୍ରୁର ସମ୍ମୁଖୀନ ହେଲା । ତାହା ଆଗରୁ ପ୍ରଧାନ ସେନାପତି କୁଟୁଜଭ ଫରାସୀ ସୈନ୍ୟ ବାହିନୀ ଠାରୁ ପଛଘୁଞ୍ଚା ଦେଉଥିଲା । ସେ ଫରାସୀମାନଙ୍କୁ ଲୋଭ ଦେଖାଇ ରୁଷିଆ ଭିତରକୁ ଢୁକାଇବାକୁ ଚାହୁଁଥିଲା । କିନ୍ତୁ ନେପୋଲିୟନ ଏପରି ଭାବରେ ଦେଶର ଅଭ୍ୟନ୍ତରରେ ପ୍ରବେଶ କରିବାକୁ ଇଚ୍ଛୁକ ନଥିଲେ । କାରଣ ରୁଷିଆ ଏକ ବିଶାଳ ଦେଶ ହୋଇଥିବାରୁ, ତାହା ଭିତରେ ବେଶୀ ଦୂର ଢୁକିବା ଆଗରୁ ସେହି ଦେଶର ସାମରିକ ଶକ୍ତିକୁ ସମ୍ପୂର୍ଣ୍ଣରୂପେ ଚୂର୍ଣ୍ଣ ବିଚୂର୍ଣ୍ଣ କରିବା ଦରକାର ।

 

ରୁଷିଆର ପଶ୍ଚିମ ସୀମାନ୍ତ ହେଉଛି ଫ୍ରାନ୍‍ସ ଠାରୁ ଅଢ଼େଇ ହଜାର ମାଇଲ ଦୂର । ତାହା ପରେ ଯଦି ଆଉ ହଜାରେ କି ଦୁଇ ହଜାର ମାଇଲ ଭିତରକୁ ପଶିବାକୁ ହୁଏ, ତାହା ହେଲେ ନେପୋଲିୟନ ନିଜ ଶକ୍ତିର କେନ୍ଦ୍ର ଠାରୁ ବହୁ ଦୂରରେ ଚାଲିଯିବେ । ଯଦି ସେତେବେଳେ ରୁଷୀୟ ସୈନ୍ୟ ବାହିନୀ ବୁଲିପଡ଼େ, ତାହା ହେଲେ ସ୍ୱଦେଶ ଭିତରେ ଥିବା ଯୋଗୁଁ ସେମାନେ ବହୁସୁବିଧା ଲାଭ କରିବେ, ମାତ୍ର ଫରାସୀ ସୈନ୍ୟ ବାହିନୀ ନାନାଦିଗରୁ ସାଙ୍ଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ । ସୁତଂରା ସମ୍ରାଟ ନେପୋଲିୟନ ଯୁଦ୍ଧ ଚାହିଁଲେ । ବିନା ଯୁଦ୍ଧରେ ଅଗ୍ରସର ହେବା ତାହାଙ୍କ ମତରେ ବିବେକହୀନତା ଛଡ଼ା ଅନ୍ୟ କିଛି ନୁହେଁ ।

 

ଏଣେ ପ୍ରବୀଣ ରୁଷୀୟ ପ୍ରଧାନ ସେନାପତି କୁଟୁଜଭ ବରାବର ଯୁଦ୍ଧ ନ କରିବାକୁ ଚାହୁଁଥିଲା । କାରଣ ସମ୍ମୁଖ ସମରରେ ଫରାସୀ ସୈନ୍ୟଙ୍କୁ ପାରିହେବ ନାହିଁ । ତେଣୁ ଭିଲନାରେ ସେ ଫରାସୀ ସୈନ୍ୟ ସମ୍ମୁଖରୁ ହଟି ଆସିଲା, ସୁଲେନସ୍କ ଠାରେ ମଧ୍ୟ । ବୋରୋଦିନୋରେବି ସେ ସେହି ଚେଷ୍ଟା ଚଳାଇଥିଲା, ମାତ୍ର ଅସୁବିଧା ହେଲା ଏଇଥିପାଇଁ ଯେ ଅନତିଦୂରରେ ମସ୍କୋ ଅବସ୍ଥିତ । ବୋରୋଦିନୋରୁ ପଛଘୁଞ୍ଚା ଦେଲେ ଯାଇ ମସ୍କୋରେ ଘାଟି ବାନ୍ଧିବାକୁ ହେବ । ତା’ପରେ ଯେତେବେଳେ ନେପୋଲିୟନ ମସ୍କୋ ଉପରେ ଚଢ଼ାଉ କରିବେ, ସେତେବେଳେ କ’ଣ କରାଯିବ ? ସେପରି ପରିସ୍ଥିତିରେ ହୁଏତ ମସ୍କୋକୁ ଶତ୍ରୁର ହାତରେ ଟେକି ଦେଇ ପଳାଇବାକୁ ପଡ଼ିବ, ନଚେତ୍ ମସ୍କୋରେ ଲଢ଼େଇ କରିବାକୁ ହେବ । ମସ୍କୋ ପରେ ସେଣ୍ଟପିଟାର୍ସବର୍ଗ ଆହୁରି ହଜାରେ ମାଇଲ । ଯାଆନ୍ତୁ ନେପୋଲିୟନ କେତେ ଦୂର । ଏଣେ ରୁଷିଆର ଦୁର୍ଜୟ ଶୀତ ଆସିଯିବ । ହଜାର ହଜାର ମାଇଲ ଉଷ୍ମର ପ୍ରାନ୍ତର ବରଫରେ ଆଚ୍ଛାଦିତ ହେବ । ଅନାହାର ଓ ଶୀତରେ ଫରାସୀ ସୈନ୍ୟମାନେ ପୋକ ମାଛି ପରି ମରି ଶୋଇବେ ।

 

ମାତ୍ର ସମ୍ରାଟ ଆଲେକଜାଣ୍ଡର ପ୍ରଧାନ ସେନାପତି କୁଟୁଜଭକୁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ଦେଲେ ନାହିଁ । ନେପୋଲିୟନଙ୍କର ସମ୍ମୁଖୀନ ହେବା ଲାଗି ସେ କୁଟୁଜଭ ଉପରେ ଚାପା ପକାଇଲେ । କାରଣ ରାଜଧାନୀ ମସ୍କୋକୁ ଶତ୍ରୁ ହାତରେ ଛାଡ଼ିଦେଲେ, ଦେଶ ବିଦେଶରେ ରୁଷିଆର ବଦନାମ ହେବ ଏବଂ ଦେଶବାସୀମାନଙ୍କର ମନୋବଳ ଭାଙ୍ଗିଯିବ । ତେଣୁ ଜାର୍ କଡ଼ା ହୁକୁମ ଜାରି କଲେ–‘‘ଯୁଦ୍ଧ ନିଶ୍ଚୟ କରିବାକୁ ହେବ । ଯୁଦ୍ଧରେ ପରାଜୟ ଘଟିଲେ ଲଜ୍ଜା ନାହିଁ । କିନ୍ତୁ ବିନା ଯୁଦ୍ଧରେ ରାଜଧାନୀ ଛାଡ଼ି ପଳାଇବା ଠିକ୍ ହେବ ନାହିଁ ।’’ ଅଗତ୍ୟା ବୋରୋଦିନୋରେ କୁଟୁଜଭକୁ ଫରାସୀ ସେନା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେଲା ।

 

ଏଥର ରଷ୍ଟଭ କପ୍ତାନ ପଦ ପାଇ ଦଳେ ହୁସାର ସୈନ୍ୟଙ୍କୁ ପରିଚାଳନା କରୁଥିଲା । ଆଗେ ଆଗେ ଗୋଟାଏ ଉଲହାନ ରେଜିମେଣ୍ଟ ପାହାଡ଼ରୁ ଉପତ୍ୟକା ଭିତରକୁ ଓହ୍ଲାଇଗଲା । ସେଠାରେ ଥିବା ଫରାସୀ ସେନା ଉପରେ ଆକ୍ରମଣ କରିବାକୁ ସେମାନଙ୍କୁ ଆଦେଶ ଦିଆହୋଇଥିଲା ।

 

ରଷ୍ଟଭ ହୁସାର ବାହିନୀକୁ ଧରି ପାହାଡ଼ ପାଖରେ ଠିଆ ହୋଇ ନିରପେକ୍ଷ ଦର୍ଶକ ପରି ଯୁଦ୍ଧ ଦେଖୁଥିଲା । ଯୁଦ୍ଧରେ ଅଂଶ ଗ୍ରହଣ କରିବା ପାଇଁ ତାହାକୁ ଆଦେଶ ଦିଆଯାଇ ନଥିଲା । ତଥାପି ସାମରିକ ଆଇନର ସମସ୍ତ ବିଧି ନିଷେଧ ଭୁଲିଯାଇ ସେ ନିଜର ହୁସାର ସୈନିକମାନଙ୍କୁ ଆକ୍ରମଣ କରିବାକୁ ଆଦେଶ ଦେଲା । ତତ୍‍କ୍ଷଣାତ୍ ସେମାନେ ଜୟଧ୍ୱନି କରି ପାହାଡ଼ ଉପରୁ କୁଦି ପଡ଼ିଲେ । ଏହି ନୂତନ ଶତ୍ରୁର ଆକ୍ରମଣରେ ଫରାସୀ ସୈନ୍ୟମାନେ ଦିଗହରା ହୋଇ ପଳାଇବାକୁ ଲାଗିଲେ । କିନ୍ତୁ ସମସ୍ତେ ପଳାୟନର ସୁଯୋଗ ପାଇଲେ ନାହିଁ । ଏକ ଦିଗରେ ଉଲହାନ ଓ ଅନ୍ୟ ଦିଗରେ ହୁସାରଙ୍କଦ୍ୱାରା ପରିବେଷ୍ଟିତ ହୋଇ ବହୁ ଫରାସୀ ସୈନ୍ୟମାନେ ମୃତ୍ୟୁ ମୁଖରେ ପତିତ ହେଲେ ।

 

ଯୁଦ୍ଧ–ଜୟର ଉନ୍ମାଦନା କଟୁ ନ କଟୁଣୁଁ ସେନାପତିଙ୍କ ଠାରୁ ରଷ୍ଟଭକୁ ଆଦେଶ ଆସିଲା ଭେଟିବା ପାଇଁ । ତିରସ୍କାର ବଦଳରେ ସେନାପତିଙ୍କର ପ୍ରଶଂସା ତାହା ଉପରେ ଅଜସ୍ର ଧାରାରେ ବର୍ଷିଲା–‘‘ସାବାସ ! ଏମିତି ବୁଦ୍ଧିର କାମ ତ ଲୋଡ଼ା । ସଙ୍କଟ ସମୟରେ ଯେ ଉପରିସ୍ଥ ଅଧିକାରୀଙ୍କ ମୁଖକୁ ଅନାଇ ନ ରହି ଆପଣାର କର୍ତ୍ତବ୍ୟ ନିର୍ଦ୍ଧାରଣ କରିପାରେ, ସେହିଁ ଯୋଗ୍ୟ ଅଫିସର ।’’ ଶାସ୍ତି ବଦଳରେ ରଷ୍ଟଭ ‘‘ସେଣ୍ଟ ଜର୍ଜ କ୍ରଶ’’ ପଦକ ପାଇଲା ବୀରତ୍ୱର ଶ୍ରେଷ୍ଠ ପୁରସ୍କାରରୂପେ । ଖାଲି ସେତିକି ନୁହେଁ, ତାହାକୁ କର୍ଣ୍ଣେଲ ପଦକୁ ଉନ୍ନୀତ କରି ଭେରୋନେଜକୁ ପଠାଇ ଦିଆଗଲା । ସେଠାରେ ସମଗ୍ର ରୁଷୀୟ ସୈନ୍ୟ ବାହିନୀ ନିମନ୍ତେ ଯୁଦ୍ଧର ଘୋଡ଼ା ସଂଗ୍ରହ କରାଯାଏ ।

 

(୯)

 

ତାହାର ପରିଚିତ ଲୋକମାନେ ଯୁଦ୍ଧରୁ ଚାଲିଯିବାରୁ, ପିୟେରକୁ କିଛି ଭଲଲାଗିଲା ନାହିଁ । ଏହି ବିପଦବେଳେ କିପରି ନିଜକୁ ଦେଶର କାମରେ ଲଗାଯାଇପାରେ, ତାହା ଦେଖିବା ଲାଗି ପିୟେର ମସ୍କୋରୁ ବୋରୋଦିନୋକୁ ଚାଲି ଆସିଲା । ଆନ୍ଦ୍ରେ ହଠାତ୍ ତାହାକୁ ଏଠାରେ ଦେଖି ଅବାକ୍ ହେଲା । ପିୟେର ସାମରିକ ଶିକ୍ଷା ପାଇନଥିବାରୁ, ଏଠାରେ ରହିବା ତାହା ପକ୍ଷରେ ନିରାପଦ ନୁହେଁ । ତେଣୁ ତାହାର ଫେରିଯିବା ଉଚିତ୍ । ଆନ୍ଦ୍ରେ ତାହାକୁ ଏହି କଥା ଯେତେ ବୁଝାଇଲା, ପିୟେର କୌଣସିମତେ ମାନିଲା ନାହିଁ । ସେ ଫେରିଯିବାକୁ ନାରାଜ ହେଲା । ସେ ଯୁଦ୍ଧ କରିନପାରୁ, ଅନ୍ତତଃ ଯୁଦ୍ଧଟା ନିଜ ଆଖିରେ ଦେଖିପାରିବ ତ । ଅଭିମାନରେ ସେ ବୋରୋଦିନୋରୁ ଗୋର୍ଜିକୁ ଚାଲିଆସିଲା । ଏଠାରେ ବୋରିସ୍ ତାହାକୁ ରହିବା ପାଇଁ ଟିକିଏ ଜାଗା ଦେଲା ।

 

ଭୋରବେଳେ ଘନ ଘନ କମାଣର ବଜ୍ର ନିନାଦରେ ରଷ୍ଟଭର ନିଦ ଭାଙ୍ଗିଗଲା । ସଙ୍ଗେ ସଙ୍ଗେ ପୋଷାକ ପିନ୍ଧି ଯୁଦ୍ଧ ଦେଖିବା ପାଇଁ ସେ ଗୋଟାଏ ମୁଣ୍ଡିଆ ଉପରକୁ ଉଠିଗଲା । ସେ ଦେଖିଲା–ପ୍ରଧାନ ସେନାପତି କୁଟୁଜଭ ସେଠାରେ ଉପସ୍ଥିତ । ସାମ୍ନାରେ ବିସ୍ତୀର୍ଣ୍ଣ ସମତଳ ଭୂମି, ସୈନିକର ପରିପୂର୍ଣ୍ଣ ଏବଂ ଚତୁର୍ଦ୍ଦିଗ ଧୂଆଁରେ ଆଚ୍ଛନ୍ନ । ପ୍ରାତଃ ସୂର୍ଯ୍ୟଙ୍କର ତୀର୍ଯ୍ୟକ ରଶ୍ମିରେଖା ସେହି ଧୂଆଁ ଭିତରେ ଆସି ସୈନିକମାନଙ୍କର ଶିରସ୍ତ୍ରାଣ ଉପରେ ପଡ଼ିଥିଲା । ପ୍ରାନ୍ତର ଉପରେ ଓ ବଣବୁଦାର ମୁଣ୍ଡରେ ଚମତ୍କାର ଛାଇ-ଆଲୁଅର ଖେଳ ଚାଲିଥିଲା । ଦୂରଦିଗନ୍ତରେ ଅର୍ଦ୍ଧ ଚନ୍ଦ୍ରାକାରରେ ସବୁଜ ହଳଦିଆ ଅରଣ୍ୟ । ତାହା ପଛରେ ସୁଲେନସ୍କ ଗାମୀ ରାଜପଥରେ ସୈନିକମାନେ ଦଳ ଦଳ ହୋଇ ଚାଲିଥିଲେ ।

 

ଏଠାରେ ଭୟନା ନଦୀ ଆସି କଲୋଚା ନଦୀ ସହିତ ମିଶିଛି । କଲୋଚାର ଦୁଇକୂଳରେ ବିସ୍ତୀର୍ଣ୍ଣ ପାଟ । ତାହା ଉପରେ କୁହୁଡ଼ି ଭାସୁଛି–କେଉଁଠି ହାଲୁକା, କେଉଁଠି ଛାଡ଼ି ଛାଡ଼ି, ଆଉ କେଉଁଠି ସୁନେଲି କିରଣରେ କମ୍ପମାନ । କମାଣର ଧୂଆଁ ଆସି ଏହି କୁହୁଡ଼ି ସହିତ ମିଶୁଥିଲା । ନଦୀର ଜଳରୁ, ଘାସ ଉପରେ ଶିଶିରରୁ, ବେୟନେଟର ଫଳକରୁ ଆଲୋକର ରେଖା ଝଲସୁଥିଲା-। କୁହୁଡ଼ି ଭିତରେ ଅସ୍ପଷ୍ଟ ଭାବରେ ଦେଖାଯାଉଥିଲା ଗୋଟାଏ ଧଳା ଗୀର୍ଜା, ବୋରୋଦିନୋ ଗ୍ରାମର ଧଳା କୁଡ଼ିଆ ସବୁ, ଗଦା ଗଦା ସବୁଜ ବାରୁଦର ବାକ୍ସ, ଆଉ ପ୍ରକାଣ୍ଡ କମାଣସବୁ ।

 

ସେହି ପ୍ରାନ୍ତର ବ୍ୟାପୀ କୁହୁଡ଼ିର ଆସ୍ତରଣ ଭେଦ କରି ହଠାତ୍ ଗୋଟାଏ ଗୋଲାକାର ଧୂଆଁର ଗୋଳା ବାଇଗଣି ପାଉଁଶିଆ ଓ ଧଳା ରଙ୍ଗ ଛାଡ଼ି ଛାଡ଼ି ଛୁଟିଲା । ଠିକ୍ ତା’ପରେ କମାଣ ଗର୍ଜନ କଲା । ଏକାସାଙ୍ଗରେ ଦୁଇଟା କମାଣ । ଧୂଆଁର କୁଣ୍ଡଳୀ । ଧୂଆଁର ପ୍ରବାହ । ସଙ୍ଗେ ସଙ୍ଗେ କମାଣର ଭୟଙ୍କର ଗର୍ଜନ । ମଝିରେ ମଝିରେ ବନ୍ଧୁକର ଗୁଳିର ଆବାଜ ।

 

ହଠାତ୍ ଜେନେରାଲ କୁଟୁଜଭ କହିଲା–‘‘ଯାଅ ଭାଇ, ଯାଅ । ଭଗବାନ ତୁମର ସହାୟ ହୁଅନ୍ତୁ ।’’

 

ତତ୍‍କ୍ଷଣାତ୍ ଜଣେ ସେନାପତି ତାହା ପାଖରୁ ବାହାରି ଆସି ଘୋଡ଼ାରେ ବସିଲା ଏବଂ ପାହାଡ଼ର ଗଡ଼ାଣିରେ ଘୋଡ଼ା ଛୁଟାଇ ଦେଲା ।

 

ହଠାତ୍ ପିୟେରର ମଗଜରେ ଭୂତସବାର ହେଲା । ସେ ଗୋଟିଏ ଘୋଡ଼ା ଉପରକୁ କୁଦି ପଡ଼ିଲା । ସଙ୍ଗେ ସଙ୍ଗେ ଘୋଡ଼ାଟି ଆଗ ଘୋଡ଼ାକୁ ଅନୁସରଣ କଲା । ପିୟେର ଗୋଟିଏ ହାତରେ ଲଗାମ ଓ ଅନ୍ୟ ହାତରେ କେଶରକୁ ଜାବୁଡ଼ି ଧରି ଘୋଡ଼ାର ପିଠି ଉପରେ ଏକାବେଳେ ଶୋଇ ପଡ଼ିଲା । ଖୁବ୍ କମ୍ ସମୟ ଭିତରେ ତାହାକୁ ମାଲୁମ ହେଲା ଯେ ସେ ଶତ୍ରୁ ପରିବେଷ୍ଟିତ । ତାହାର ଘୋଡ଼ାଟା ଆଉ ତୀର ବେଗରେ ଧାଇଁ ପାରିଲା ନାହିଁ । ଜଣେ ଫରାସୀ ସୈନିକ ଘୋଡ଼ାକୁ ଅଟକାଇ ତାହାକୁ ଟାଣି ତଳକୁ ଓହ୍ଲାଇ ଦେଲା । ଆତ୍ମରକ୍ଷା ସକାଶେ ପିୟେର ତାହାର ବେକ ଚିପି ଧରିଲା । ଦୁହିଁଙ୍କ ଭିତରେ ଧସ୍ତାଧସ୍ତି ଆରମ୍ଭ ହେଲା । ସେମାନଙ୍କର ହାତାହାତି ଅବଶ୍ୟ ବେଶୀ ବେଳ ଯାଏ ଚାଲିଲା ନାହିଁ । ଗୋଟାଏ ଗୋଳା ଆସି ଠିକ୍ ସେମାନଙ୍କ ସାମ୍ନାରେ ପଡ଼ିଲା । ତହୁଁ ସେମାନେ ପରସ୍ପରକୁ ଛାଡ଼ି ଦେଇ ଦୁଇ ହାତରେ ମୁହଁ ଢାଙ୍କିଲେ । ଗୋଳା ଫୁଟିଲା, ବହୁ ଲୋକ ଆର୍ତ୍ତନାଦ କଲେ । କିନ୍ତୁ ପିୟେରର କିଛି ହେଲା ନାହିଁ । ଫରାସୀ ଶତ୍ରୁଟି କୁଆଡ଼େ ଅଦୃଶ୍ୟ ହେଲା-

 

ଚାରିଆଡ଼େ ଶତ୍ରୁ ପିୟେରଙ୍କୁ ବେଢ଼ି ରହିଥିଲେ । ପିୟେର ନିଜର ଘୋଡ଼ାଟିକୁ ନ ପାଇ ଅଗତ୍ୟା ଯେତେ ଜୋରରେ ପାରେ ଦଉଡ଼ିବାକୁ ଲାଗିଲା । ତାହା ପଛେ ପଛେ ମଧ୍ୟ ବହୁ ଲୋକ ଧାଇଁଲେ । ପିୟେର ଧାଇଁ ଧାଇଁ ଅଣନିଃଶ୍ୱାସୀ ହୋଇ ଗୋଟାଏ ରାସ୍ତାରେ ଆସି ପହଞ୍ଚିଲା । ଠିକ୍ ସେତିକିବେଳେ ଆନ୍ଦ୍ରେ ଦଳେ ସୈନିକ ଧରି ଅନ୍ୟ ଦିଗରେ ପାହାଡ଼ରୁ ଓହ୍ଲାଉଥିଲା ।

 

ହଠାତ୍ ଗୋଳା ବୃଷ୍ଟି ଆରମ୍ଭ ହେଲା । ସୈନିକମାନେ ସଙ୍ଗେ ସଙ୍ଗେ ଭୂଇଁରେ ଶୋଇ ପଡ଼ିଲେ । ଆନ୍ଦ୍ରେ ସେମାନଙ୍କୁ ତୀକ୍ଷ୍‍ଣ ସ୍ୱରରେ ତିରସ୍କାର କଲା । ଏହି ସମୟରେ ଗୋଟାଏ ଗୋଳା ଆସି ଆନ୍ଦ୍ରେର ଠିକ୍ ସାମ୍ନାରେ ଦୁଇ ପାହୁଣ୍ଡ ତଫାତରେ ପଡ଼ି ଲଟୁ ପରି ଘୁରିବାକୁ ଲାଗିଲା-। ଆନ୍ଦ୍ରେ ସେଠାରୁ ଘୁଞ୍ଚି ନ ଯାଇ ମନ୍ତ୍ର ମୁଗ୍‍ଧ ପରି ଠିଆ ହୋଇ ସେହି ଲାଟୁ ପରି ଗୋଲା ଆଡ଼କୁ ଅନାଇ ରହିଲା । କେତେ ସେକେଣ୍ଡ ଭିତରେ ଗୋଳାଟା ଫାଟିବାରୁ, କାନ-ଫଟା ଆବାଜ ହେଲା ଏବଂ ନିଆଁ ଓ ଲୁହା ଖଣ୍ଡ ସବୁ ଚାରିଆଡ଼େ ବିଛେଇ ହୋଇଗଲା । ଆନ୍ଦ୍ରେ ତିନିଥର ଡିଗବାଜି ଖାଇ କେତେ ଗଜ ଦୂରରେ ଯାଇ ଓଲଟିପଡ଼ିଲା ।

 

ଗୋଳା ବୃଷ୍ଟି ବନ୍ଦ ହେଲାରୁ, ସୈନିକମାନେ ଆନ୍ଦ୍ରେକୁ ଷ୍ଟେଚାରରେ ପକାଇ ଡାକ୍ତରଖାନାକୁ ନେଇଗଲେ । ସେତେବେଳେ ଆନ୍ଦ୍ରେର ତଳ ପେଟରୁ ରକ୍ତର ସୁଅ ଛୁଟିଥିଲା । ରାତିରେ ଡାକ୍ତର ତାହାର ଗୋଟାଏ ଉରୁ କାଟିଦେଲା ।

 

ବୋରୋଦିନୋରେ ଲଢ଼େଇ ସରିଲା । ଏହି ଯୁଦ୍ଧରେ ରୁଷୀୟ ସୈନ୍ୟବାହିନୀର ଅଧେ ହତାହତ ହେଲେ, କିନ୍ତୁ କେହି ସ୍ଥାନ ତ୍ୟାଗ କଲେ ନାହିଁ । ସୁତରାଂ ପ୍ରବଳ ପରାକ୍ରମୀ ନେପୋଲିୟନଙ୍କର ଆତ୍ମବିଶ୍ୱାସରେ ପ୍ରଥମେ ଆଘାତ ଲାଗିଲା । ଏଣେ ଭୀଷଣ ଶୀତ ପଡ଼ିଥିଲା ଏବଂ ଖାଦ୍ୟାଭାବରୁ ତାଙ୍କର ସୈନ୍ୟମାନେ ପ୍ରାୟ ଉପବାସ ରହୁଥିଲେ ।

 

ଜେନାରେଲ କୁଟୁଜଭ ବୋରୋଦିନୋରୁ ମସ୍କୋକୁ ପଛଘୁଞ୍ଚା ଦେଲା, ଏବଂ ତା’ପରେ କାଳବିଳମ୍ୱ ନ କରି ଉତ୍ତରର ଦିଗନ୍ତ ବିସ୍ତୃତ ପ୍ରାନ୍ତର ଟପି ଆହୁରି ପଛକୁ ହଟିଗଲା । ମସ୍କୋ ଅରକ୍ଷିତ ହୋଇ ପଡ଼ି ରହିଲା । ଫରାସୀ ସେନାକୁ ବାଧାଦେବା ପାଇଁ ସେଠାରେ କେହି ରହିଲେ ନାହିଁ । ଫରାସୀମାନଙ୍କ ଡରରେ ଯେ ଯୁଆଡ଼େ ପାରିଲା ପଳାଇଲା । ଚାହୁଁ ଚାହୁଁ ମସ୍କୋ ପ୍ରାୟ ଖାଲି ହୋଇଗଲା ।

 

ସମସ୍ତେ ଗଲେ । ପ୍ରିନ୍‌ସ ବଲକନସ୍କି ଆଗରୁ ଯାଇଥିଲେ, ଏଥର ରଷ୍ଟଭ ପ୍ରଭୃତି ଗଲେ-। ବୋରୋଦିନୋରୁ ଫେରିଲା ଦିନରୁ ରଷ୍ଟଭ ଆଉ ପ୍ରକୃତିସ୍ଥ ନଥିଲା । ଗୋଟାଏ କି ନିଶାରେ ସେ ଯେମିତି ମସଗୁଲ ହୋଇଯାଇଥିଲା । ଫରାସୀମାନେ ଦେଶର କି ସର୍ବନାଶ କରିଛନ୍ତି ଏବଂ କରୁଛନ୍ତି ମଧ୍ୟ । ପାପିଷ୍ଠ ନେପୋଲିୟନ ରକ୍ତର ନଦୀ ବୁହାଇ ଦେଇଛି ଏବଂ କଙ୍କାଳର ଗଦାସବୁ ପାହାଡ଼ ପ୍ରମାଣେ ଠିଆ ହୋଇଛି । ମସ୍କୋ ପର୍ଯ୍ୟନ୍ତ ରୁଷିଆ ତାହାର ପାଦତଳେ ଗଡ଼ୁଛି । ଦୁଇ ଦିନ ପରେ ପିଟାର୍ସବର୍ଗର ଅସ୍ତିତ୍ୱ ଆଉ ରହିବ ନାହିଁ ।

 

ନେପୋଲିୟନଙ୍କୁ ହତ୍ୟା କରିବା ପାଇଁ ମନସ୍ଥ କରି ପିୟେର ମସ୍କୋରେ ରହିଲା । ସେହି ରକ୍ତ ଲୋଲୁପୀ ନରଘାତୀ ମସ୍କୋରେ ପହଞ୍ଚିଲେ, ସେଠାରେ ତାହାର ସବୁ ଅତ୍ୟାଚାର ଶେଷ ହେବ । ପିୟେର ଦିନ ଗଣିବାକୁ ଲାଗିଲା ।

 

ଅବଶେଷରେ ଫରାସୀମାନେ ଆସିଲେ । ପ୍ରଥମେ ଆସିଲେ ମୁରାଟର ସୈନ୍ୟମାନେ, ତା’ପରେ କ୍ରମେ କ୍ରମେ ଅନ୍ୟମାନେ । ସବାଶେଷରେ ନେପୋଲିୟନ ଆସିଲେ । ସେ ଲୁଟ୍‍ପାଟ ବନ୍ଦ କଲେ, କଡ଼ା ଶାସନଦ୍ୱାରା ଶାନ୍ତି ସ୍ଥାପନ କଲେ, ପୋଲିସ୍ ମୃତୟନ କଲେ ଏବଂ ଅଦାଲତ ଖୋଲିଲେ ।

 

ପିୟେର କୃଷକର ଛଦ୍ମବେଶ ଧାରଣ କରି ଜଣେ ବନ୍ଧୁର ପରିତ୍ୟକ୍ତ ଘରେ ଆତ୍ମଗୋପନ କରି ରହିଥିଲା । ସେ ସୁଯୋଗ ଉଣ୍ଡୁଥିଲା, ନେପୋଲିୟନ ରାଜପଥକୁ ବାହାରିଲେ ସେ ତାହାଙ୍କୁ ଖତମ କରିଦେବ । କିନ୍ତୁ ତାଙ୍କର ପହରାର ବେଷ୍ଟନୀ ଏତେ ଦୁର୍ଭେଦ୍ୟ ଯେ ପିୟେର ନିଜ ଶିକାର ପାଖରେ ପହଞ୍ଚି ପାରିଲା ନାହିଁ । ଦିନେ ସେ ଧରା ପଡ଼ିଗଲା । ପୋଲିସ୍ ତାହାକୁ ଗିରଫ କଲା ।

 

କାରାଗାରରେ ଅଗଣିତ ବନ୍ଦୀ ଥିଲେ । ସେଥିରୁ ଅଧିକାଂଶ ରାଜନୀତିକ ଅପରାଧରେ ଧରା ହୋଇଥିଲେ । ସାମରିକ ଅଦାଲତ ସେମାନଙ୍କର ବିଚାର କରିବ । ବନ୍ଦୀମାନେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । କିନ୍ତୁ ବିଚାରବେଳେ, କୌଣସି ବ୍ୟକ୍ତିଗତ କାରଣରୁ ତାଙ୍କର ମଥା ଠିକ୍ ନଥିବାରୁ, ବିଚାରପତି କେତେକଙ୍କୁ ପ୍ରାଣ ଦଣ୍ଡ ଆଦେଶ ଦେଲେ ଏବଂ ବାକି ସମସ୍ତଙ୍କୁ, କାରାଗାରକୁ ପଠାଇ ଦେଲେ । ସେମାନେ ବର୍ତ୍ତମାନ ସେଠାରେ ଅଟକ ରହିଥିବେ ଏବଂ ଲଢ଼େଇ ସରିଲେ ସେମାନଙ୍କୁ ଫ୍ରାନ୍‍ସକୁ ଚାଲାଣ କରାଯିବ ।

 

ଆହତମାନେ ଯୁଦ୍ଧକ୍ଷେତ୍ରରୁ ବୋହା ହେବାକୁ ଲାଗିଲେ । ଗାଡ଼ିଗୁଡ଼ାକ ପଡ଼ିଆ ବଣ ପାହାଡ଼ ଟପି ମଫସଲ ସହର ସବୁକୁ ଯାଉଥିଲା । ସେଠାରେ ଗୀର୍ଜାରେ, ବିଦ୍ୟାଳୟରେ ଓ ଜମିଦାରମାନଙ୍କର ବାସଭବନରେ ଡାକ୍ତରମାନେ ଆହତ ସୈନ୍ୟମାନଙ୍କୁ ଛାଡ଼ି ଦେଇ ଆସୁଥିଲେ । ଡାକ୍ତରମାନେ ସେଠାକୁ ପାଳି କରି ଦିନେ ଦିନେ ଯାଉଥିଲେ ଚିକିତ୍ସା ପାଇଁ, କିନ୍ତୁ ସେବା ଶୁଶ୍ରୂଷାର ଭାର ପଡ଼ିଥିଲା ସ୍ଥାନୀୟ ଲୋକମାନଙ୍କ ଉପରେ ।

 

ଏକ ନିଭୃତ ପଲ୍ଲୀ ଅଞ୍ଚଳରେ ରଷ୍ଟଭର ଘର । ଦିନେ ସେଠାରେ ଆସି ରହିଲା କେତୁଟା ଗାଡ଼ି । ଆହତମାନଙ୍କୁ ଧରାଧରି କରି ନେଇ ଘର ଭିତରେ ରଖିଦିଆଗଲା । ବୃଦ୍ଧ କାଉଣ୍ଟ ବିଶାଳ ପ୍ରାସାଦର ଗୋଟାଏ ବଡ଼ ଅଂଶ ରୋଗୀମାନଙ୍କ ପାଇଁ ଛାଡ଼ି ଦେଇଥିଲେ । ରୋଗୀମାନଙ୍କ ଭିତରେ ଆନ୍ଦ୍ରେର ମୁଖ ଦେଖି ନାଟାଶା ବିସ୍ତୃତ ହେଲା, ସତେ ଯେମିତି ତାହାର ମଥାରେ ଚଡ଼କ ପଡ଼ିଲା ।

 

ତେଣେ ଇତିମଧ୍ୟରେ ଆନ୍ଦ୍ରେର ବାପାଙ୍କର ଦେହାନ୍ତ ହୋଇଥିଲା । ସେହି ସମୟରେ ମାରିୟା ଖବର ପାଇଲା ଯେ ରଷ୍ଟଭର ଘରେ ତାହାର ଭାଇ ଆନ୍ଦ୍ରେ ମୃତ୍ୟୁ ଶର୍ଯ୍ୟାରେ ଶାୟିତ । ସଙ୍ଗେ ସଙ୍ଗେ ସେ ଆନ୍ଦ୍ରେର ଛୋଟ ପୁଅଟିକୁ ଧରି ସେଠାରେ ଉପସ୍ଥିତ ହେଲା । ନାଟାଶା ଓ ମାରିୟା ଦୁହେଁ ମିଶି ପ୍ରାଣପଣେ ତାହାର ସେବା ଶୁଶ୍ରୂଷାରେ ଲାଗି ପଡ଼ିଲେ । କିନ୍ତୁ ନିଜ ସଂସାରରେ ଅତି ଆପଣାର ତିନି ଜଣ ପ୍ରିୟଜନଙ୍କୁ ଦେଖି, ଆନ୍ଦ୍ରେ ଦିନେ ଶେଷ ନିଃଶ୍ୱାସ ତ୍ୟାଗ କଲା ।

 

ନାଟାଶାର ବାପା ମଧ୍ୟ ଆଉ ବେଶୀ ଦିନ ବଞ୍ଚିଲେ ନାହିଁ । ଏକେ ଅର୍ଥାଭାବ, ତା’ପରେ ଯୁଦ୍ଧରେ ସାନ ପୁଅର ଆକସ୍ମିକ ମୃତ୍ୟୁହିଁ ତାଙ୍କର କାଳ ହେଲା । ସେତେବେଳେ ରଷ୍ଟଭ ଦୂରରେ ଯୁଦ୍ଧ ବିଭାଗରେ କାର୍ଯ୍ୟରେ ବ୍ୟାପୃତ ଥିଲା । ସେଠାରେ ତାହାର ମାଆର ଆକୁଳ ଆବେଦନ ଯାଇ ପହଁଞ୍ଚିଲା–‘‘ତୁରନ୍ତ ଫେରିଆ, ନୋହିଲେ ଆମ ସଂସାର ଭାସିଗଲା ।’’

 

ଏତିକିବେଳେ ହଠାତ୍ ମସ୍କୋରେ ନିଆଁ ଲାଗିଲା । ବହୁ ଶତାବ୍ଦୀର ସଯତ୍ନରେ ନିର୍ମିତ ମହାନଗରୀ ଏକାବେଳେ ପୋଡ଼ିଜଳି ଭସ୍ମସ୍ତୂପରେ ପରିଣତ ହେଲା ।

 

ପାଞ୍ଚ ସପ୍ତାହ ହେଲା ସମ୍ରାଟ ନେପୋଲିୟନ ମସ୍କୋରେ ରହିଥିଲେ । ସେ ଆଶା କରିଥିଲେ, ରୁଷୀୟ ସମ୍ରାଟ ଆଲେକଜାଣ୍ଡର ତାହାଙ୍କ ନିକଟରେ ସନ୍ଧି ଭିକ୍ଷା କରିବେ । ମାତ୍ର ତାହା ହେଲା ନାହିଁ । ମୂଳରୁ ଆଲେକଜାଣ୍ଡର ଧରି ବସିଲେ ଯେ ସମସ୍ତ ଫରାସୀ ସୈନ୍ୟ ନୀମେନ ନଦୀର ପଶ୍ଚିମକୂଳକୁ ହଟି ନ ଯିବା ଯାଏ ସେ ସନ୍ଧିର ପ୍ରଶ୍ନ ଉଠାଇବେ ନାହିଁ । ସେ ସେହି ସର୍ତ୍ତ ଉପରେ ବରାବର ଅବିଚଳିତ ରହିଲେ ।

 

ରୁଷୀୟ ସୈନ୍ୟ ବାହିନୀର ଅଧେ ବୋରୋଦିନୋରେ ହତାହତ ହେଲା, ଆଉ ସୁପ୍ରାଚୀନ ରାଜଧାନୀ ମସ୍କୋ ପରାଧୀନ ଓ ଭସ୍ମୀଭୂତ ହେଲା । ତଥାପି ରୁଷିଆର ରାଜା ଓ ପ୍ରଜାମାନେ ନିଜର ଆମରଣ ପ୍ରତିଜ୍ଞାରେ ଅଟଳ ରହିଲେ–ଶତ୍ରୁ ଦେଶରୁ ବିତାଡ଼ିତ ନ ହେଲେ କଦାପି ସେମାନେ ସନ୍ଧି କରିବେ ନାହିଁ ।

 

ନେପୋଲିୟନ ବଡ଼ ଅଡ଼ୁଆରେ ପଡ଼ିଲେ । ଶତ୍ରୁ କୌଣସିମତେ ସମ୍ମୁଖ ସମରରେ ଅବତୀର୍ଣ୍ଣ ହେଲା ନାହିଁ । କାରଣ ସେମାନେ ମସ୍କୋର ଧ୍ୱଂସ ଅମ୍ଳାନ ବଦନରେ ସହ୍ୟ କଲେ ସତ, ମାତ୍ର ସୈନ୍ୟ ବାହିନୀର ଧ୍ୱଂସ ଆଉ ଘଟିବାକୁ ଦେବେ ନାହିଁ । ବୃଦ୍ଧ ଜେନେରାଲ କୁଟୁଜଭର ଧାରଣା ଯେ ସୈନ୍ୟ ବାହିନୀ ବଜାୟ ଥିଲେ ପୁଣି ସବୁ କିଛି ଉଦ୍ଧାର ହୋଇପାରିବ ।

 

ସୁତରାଂ ନେପୋଲିୟନଙ୍କ ଆଗରେ ଏକ ଜଟିଳ ସମସ୍ୟା ଉପସ୍ଥିତ ହେଲା–ମସ୍କୋର ଭଗ୍ନସ୍ତୂପ ଭିତରେ ଅଯଥା ବସି ରହିଲେ କିଛି ଫଳ ନାହିଁ । ତାହାଛଡ଼ା, ଏଠାରେ ବାସସ୍ଥାନ କି ଖାଦ୍ୟ କିଛି ନାହିଁ । ଦେଢ଼ ହଜାର ମାଇଲ ଦୂରବର୍ତ୍ତୀ ସୀମାନ୍ତରୁ ଖାଦ୍ୟ ଆସିବାକୁ ବହୁତ ସମୟ ଲାଗିବ । ଅତଏବ ସୈନ୍ୟମାନେ କ’ଣ ଖାଇବେ ? ତାହାଛଡ଼ା ପିଟାର୍ସବର୍ଗ ଏଠାରୁ ହଜାର ମାଇଲ ଦୂର । ସେଆଡ଼କୁ ଆଗେଇ ଗଲେ, ରୁଷୀୟ ସେନା ସବୁ ସହର ଗ୍ରାମ ପୋଡ଼ି ଦେବେ, ଯଦ୍ୱାରା ଫରାସୀ ସେନା ଆଦୌ ଖାଦ୍ୟ ଓ ଆଶ୍ରୟ ପାଇବେ ନାହିଁ ।

 

(୧୦)

 

ଶୀତ କାଳ । ରାସ୍ତା ଅରଣ୍ୟ ପ୍ରାନ୍ତର ସବୁ ଘନ ବରଫରେ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ ହେଲା । ପିଟାର୍ସବର୍ଗରେ ପହଞ୍ଚିବା ପୂର୍ବରୁ ଫରାସୀ ସୈନ୍ୟମାନେ ଶୀତ ଓ ଅନାହାରରେ ଖତମ ହୋଇଯିବେ ବୋଲି ମାଲୁମ ହେଲା ।

 

ସୁତରାଂ ଫରାସୀ ସେନା ପକ୍ଷରେ ଏକମାତ୍ର ସହଜ ବାଟ ହେଉଛି ନୀମେନ ପାରି ହୋଇ ରୁଷିଆରୁ ହଟିଯିବା । ସମ୍ରାଟ ଆଲେକଜାଣ୍ଡର ସେୟା ଚାହାନ୍ତି । ନେପୋଲିୟନ ଯେତେ ଭାବିଲେହେଁ ଆଉ କିଛି ସୁବିଧାଜନକ ବାଟ ତାହାଙ୍କୁ ଦିଶିଲା ନାହିଁ ।

 

ତେଣୁ ପାଞ୍ଚ ସପ୍ତାହ ପରେ ବାଧ୍ୟ ହୋଇ ଫରାସୀ ସୈନ୍ୟମାନେ ମସ୍କୋରୁ ପଛଘୁଞ୍ଚା ଦେଲେ । ସେମାନଙ୍କ ପଛେ ପଛେ ହଜାରେ ବନ୍ଦୀ ମଧ୍ୟ ଚାଲିଲେ । ପିୟେର ସେହି ବନ୍ଦୀ ଦଳ ଭିତରେ ଥିଲା ।

 

ଅନାହାର ଓ ଅନିଦ୍ରାରେ ସେମାନଙ୍କର ଦିନ ବିତୁଥିଲା । ରାସ୍ତାରେ ମଲା ଘୋଡ଼ା ମିଳିଲେ, ସେହି ମାଂସକୁ ନିଆଁରେ ପୋଡ଼ି ବନ୍ଦୀମାନେ ଖାଉଥିଲେ । ଆଗେ ଆଗେ ଫରାସୀ ସୈନ୍ୟମାନେ ଯାଉଥିଲେ । ସେମାନଙ୍କ ଭିତରୁ ଅନେକେ ପ୍ରାଣ ହରାଉଥିଲେ । ବହୁତ ଘୋଡ଼ାବି ମରି ଯାଉଥିଲେ । ବନ୍ଦୀମାନଙ୍କ ଉପରେ କଡ଼ା ନଜର ଥିବାରୁ, କେହି ପଳାଇ ଯାଇପାରୁ ନଥିଲେ-। ଦୈବାତ୍ କେହି ପଳାଇଗଲେ ପହରାବାଲାମାନେ ତାହାକୁ ଗୁଳି କରି ମାରି ଦେଉଥିଲେ-

 

ଦିନେ ଅପ୍ରତ୍ୟାଶିତ ଭାବରେ ପିୟେରର ମୁକ୍ତି ଆଦେଶ ଆସିଲା । ଶାମଶେଭୋ ଗ୍ରାମରେ ନିଆଁ କତିରେ ବସି ଢୁଳୋଉ ଢୁଳୋଉ ହଠାତ୍ ପିୟେର ଶୁଣିଲା–ବହୁ କଣ୍ଠର କୋଳାହଳ, ରୁଷୀୟ ଭାଷାରେ ଧମକ ଓ ଫରାସୀ ଭାଷାରେ କାତର ଚିତ୍କାର । ପିୟେର ଚମକି ପଡ଼ି ଦେଖିଲା, ଫରାସୀମାନେ ପଳାଉଛନ୍ତି ଏବଂ ଦଳେ ରୁଷୀୟ କସାକ କୃଷକ ବନ୍ଦୀମାନଙ୍କ ଆଡ଼କୁ ଧାଇଁ ଆସୁଛନ୍ତି । ଯେତେବେଳେ କସାକମାନେ ବୁଝିପାରିଲେ ଯେ ଏହି ଲୋକମାନେ ହେଉଛନ୍ତି ସେମାନଙ୍କର ସ୍ୱଜାତି ଏବଂ ଫରାସୀମାନେ ସେମାନଙ୍କୁ ବନ୍ଦୀ କରି ନିଜ ଦେଶକୁ ନେଇଯାଉଛନ୍ତି, ସେତେବେଳେ ସେମାନେ ବନ୍ଦୀମାନଙ୍କୁ ଆଦର ଯତ୍ନ କରି ଖୁଆଇ ପିଆଇ ସେମାନଙ୍କ ଘରେ ରଖିଲେ ।

 

ନିକଟବର୍ତ୍ତୀ ଓରେଲ ସହରରେ ପିୟେର ଏକ କଠିନ ରୋଗରେ ପଡ଼ିଲା । ଡାକ୍ତରଖାନାରେ ତିନି ମାସ କାଳ ରହି, ଟିକିଏ ସୁସ୍ଥ ହେଲାରୁ, ସେ ମସ୍କୋକୁ ଫେରିଗଲା ।

 

ସେତେବେଳକୁ ସମ୍ରାଟ ନେପୋଲିୟନ ରୁଷିଆରୁ ବିଦାୟ ନେଲେଣି । ପାଞ୍ଚ ଲକ୍ଷ ସୈନ୍ୟ ଭିତରୁ ସେ ପଚାଶ ହଜାର ସୁଦ୍ଧା ଫେରାଇ ନେଇଯାଇ ପାରିଲେ ନାହିଁ । ମସ୍କୋଠାରୁ ସୀମାନ୍ତ ଆଡ଼କୁ ସେ ଯେତେ ଅଗ୍ରସର ହେଉଥିଲେ, ସୈନ୍ୟବାହିନୀ ଭିତରେ ସେତେବେଶୀ ବିଶୃଙ୍ଖଳା ପରିଲକ୍ଷିତ ହେଉଥିଲା । ଅବଶେଷରେ ତାଙ୍କର ଅଭିଯାନ ଏକ ଐତିହାସିକ ପଳାୟନରେ ପର୍ଯ୍ୟବେସିତ ହେଲା ।

 

ତା’ପରେ ରୁଷିଆର ସମ୍ରାଟ ସୀମାନ୍ତରେ ଉପସ୍ଥିତ ହେଲେ ଏବଂ ପ୍ରଧାନ ସେନାପତି ଜେନାରେଲ କୁଟୁଜଭକୁ ଶ୍ରେଷ୍ଠ ସାମରିକ ସମ୍ମାନ ‘‘ସେଣ୍ଟ ଜର୍ଜ’’ ପଦକ ପ୍ରଦାନ କଲେ ।

 

ରଷ୍ଟଭ ମସ୍କୋକୁ ଫେରିଯାଇ ଦେଖିଲା ଯେ ସେ ସର୍ବସ୍ୱ ହରାଇଛି–ଘର ପୋଡ଼ି ଯାଇଛି ଏବଂ ଜମିଦାରୀ ଋଣ ଭାରରେ ବୁଡ଼ିଛି । ସେ ଅନନ୍ୟୋପାୟ ହୋଇ ତାହାର ବୁଢ଼ୀ ମାଆ ଓ ଆଶ୍ରିତା ସୋନିୟାକୁ ନେଇ ଗୋଟିଏ ଭଡ଼ା ଘରେ ରହିଲା । ଜମିବାଡ଼ି ସବୁ ବିକିଦେଇ ମଧ୍ୟ ସେ ସମସ୍ତ ଋଣପରିଶୋଧ କରିପାରିଲା ନାହିଁ । ବାଧ୍ୟ ହୋଇ ଶେଷକୁ ସେ ସାମାନ୍ୟ ବେତନର ଖଣ୍ଡିଏ ଚାକିରୀ ଯୋଗାଡ଼ କଲା । ବୁଢ଼ୀ ଆନା ମିହାଲୋଭନା ଆଉ ତାହା ପାଖରେ ରହିଲା ନାହିଁ । ତାହାର ପୁଅ ବୋରିସ୍ ଯୁଦ୍ଧ ଭିତରେ ଯଥେଷ୍ଟ ଧନୀ ହୋଇଯାଇଥିଲା । ସେ ସ୍ୱେଚ୍ଛାରେ ନିଜ ମାଆର ଭାର ନେଲା ।

 

ଯୁଦ୍ଧ ସମୟରେ ପିୟେରର ସ୍ତ୍ରୀ ଏଲେନ ତାହାକୁ ଛାଡ଼ପତ୍ର ଦେଇ ଦ୍ୱିତୀୟ ସ୍ୱାମୀ ଗ୍ରହଣ କରିଥିଲା । ଯାହାହେଉ, ସେହି ସୁବିଧାବାଦୀ ଓ ସ୍ୱାର୍ଥପର ନାରୀ ଚିରଦୁଃଖୀ ପିୟେରକୁ ମୁକ୍ତି ଦେଇଥିବାରୁ, ସେ ବିଚରା ତରୁଣୀ ନାଟାଶାକୁ ବିଭା ହୋଇ ସୁଖରେ କାଳାତିପାତ କଲା ।

 

ରଷ୍ଟଭର ଦୁର୍ଦ୍ଦଶା ଅଚିରେ ଦୂର ହେଲା । ତାହାର ଭିଣେଇ ପିୟେର ତାହାକୁ କୋଡ଼ିଏ ହଜାର ରୁବଲ୍ ଧାର ଦେବାରୁ, ସେ ନିଜର ଅବଶିଷ୍ଟ ଋଣପରିଶୋଧ କରିଦେଲା । ତା’ପରେ ଆନ୍ଦ୍ରେର ଭଉଣୀ ମାରିୟା ସହିତ ତାହାର ବିବାହ ହେଲା । ବାପର ଅଗାଧ ସମ୍ପତ୍ତିରୁ ଅଧେ ମାରିୟାର ଭାଗରେ ପଡ଼ିଲା । ସୁତରାଂ ରଷ୍ଟଭ ଅଭିଜାତ ସମାଜରେ ସହଜରେ ଏକ ବିଶିଷ୍ଟ ସ୍ଥାନ ଲାଭ କଲା ।

 

କରୁଣାମୟୀ ମାରିୟା ନିଜର ପୁତୁରାଟିକୁ ଅତିଶୟ ସ୍ନେହ ଓ ଯତ୍ନରେ ଲାଳନପାଳନ କରିବାକୁ ଲାଗିଲା । ପୁଅଟି ଅବିକଳ ତାହାର ବାପ ଆନ୍ଦ୍ରେ ଭଳି ଦିଶୁଥିଲା । ତାହାକୁ ଦେଖିଲାକ୍ଷଣି ମାରିୟାର ଆଖି ଲୁହ ଛଳ ଛଳ ହୋଇଯାଉଥିଲା, ଆଉ ଭାଇର ସରଳ ନିର୍ମଳ ମୁଖଟି ତାହା ସାମ୍ନାରେ ଭାସି ଯାଉଥିଲା ।

Image

 

ତ୍ରିପୁରାନେନି ଗୋପୀଚାନ୍ଦ

ଅକ୍ଷମ ଜୀବନ

 

(୧)

 

ସୀତାରାମ ରାଓର ଜୀବନଯାତ୍ରା ଅତିଶୟ ଧରଣର ଥିଲା । ସେ ମନେପକାଇ ଦିଏ, ଉଚ୍ଚ ଶିଖରରୁ ନିର୍ଗତ ସ୍ୱଚ୍ଛ ଜଳ-ଧାରା-ବାହୀ ସେହିସବୁ ତଟିନୀର କଥା, ଯେଉଁମାନେ ସମତଳର ସକଳ ଆବିଳତା ଦେହରେ ବୋଳି ହୋଇ ଆବର୍ଜନାପୂର୍ଣ୍ଣ କଦର୍ଯ୍ୟ ଖାଲରେ କିମ୍ୱା ନାଳରେ ଶେଷ ଗତି ଲାଭକରନ୍ତି । ନିଜ ଯାତ୍ରା ପଥର ସୂଚନା ଠାରୁ ଆରମ୍ଭ କରି ସଙ୍ଗମ ପର୍ଯ୍ୟନ୍ତ ସଂଘଟିତ ପରିବର୍ତ୍ତନ ରାଓ ପକ୍ଷରେ ସମ୍ପୂର୍ଣ୍ଣ ଭାବରେ ଅପରିଚିତ ରହିଥିଲା । ଏହି ପରିବର୍ତ୍ତନ ସମ୍ୱନ୍ଧରେ ଅବହିତ ହେଲେ ସେ ବ୍ୟଥିତ ହେବ, ନା ଅଭିମାନରେ କ୍ଷୁବ୍‌ଧ ହେବ, ତାହା କୁହାଯାଇ ନ ପାରେ-। ତେବେ ଯେଉଁମାନେ ତାହାର ଏହି ଅଧୋପତନର ସାକ୍ଷୀ, ସେମାନେ ତାହା ପ୍ରତି କରୁଣା ପ୍ରଦର୍ଶନ କରୁଥିଲେ ।

 

ମୃତ୍ୟୁ ଶଯ୍ୟାରେ ଶୋଇ ରହି ସୀତାରାମ ବାପ ନିଜର ପୁଅକୁ ଏହି ପରାମର୍ଶ ଦେଇଥିଲା–‘‘ବାବା, ବଂଶର ମର୍ଯ୍ୟାଦାର କଥା କଦାପି ଭୁଲିବୁ ନାହିଁ । ତୋ ଠାରୁ ଏତିକି ମାତ୍ର ମୁଁ ଚାହେଁ ।’’ ତାହା ପାଖରେ ଆଉ ଯେଉଁମାନେ ବସିଥିଲେ, ସେମାନେ ମଧ୍ୟ ପରସ୍ପରର ମୁଖକୁ ଚାହିଁ ମନ୍ତବ୍ୟ କରିଥିଲେ–‘‘ଦେଖିଲ ତ, କି ଉଦାର ମନ ! ଧନ ସମ୍ପତ୍ତି କଥା ସେ ତୁଣ୍ଡରେ ଧରିଲେ ନାହିଁ, କେବଳ ବଂଶର ମର୍ଯ୍ୟାଦା ଯେମିତି ଠିକ୍‌ ରହେ ସେହି ଉପଦେଶ ପୁଅକୁ ଦେଲେ ।’’ ଏହି ଗୁଣଟି ସେମାନଙ୍କର ବଂଶାନୁକ୍ରମ ପ୍ରଥା ହିସାବରେ ଚଳି ଆସୁଥିଲା । କର୍ତ୍ତାଙ୍କ ବକ୍ତବ୍ୟର ଅର୍ଥ ଯେଝା ଯେଝାର ଇଚ୍ଛା ଅନୁସାରେ କରିବାକୁ ଲାଗିଲେ ।

 

ପ୍ରକୃତରେ ସେମାନଙ୍କର ବଂଶ ହେଉଛି ସୁପ୍ରସିଦ୍ଧ । ସୀତାରାମର ପିତୃ–ପିତାମହମାନେ ଗ୍ରାମରେ ପୁଷ୍କରିଣୀ ଖୋଳାଇଥିଲେ, ଧର୍ମଶାଳା ପ୍ରତିଷ୍ଠା କରିଥିଲେ, ମନ୍ଦିର ନିର୍ମାଣ କରିଥିଲେ–ଆଉ କ’ଣ ବା କରି ନଥିଲେ ! ସେମାନେ ରାସ୍ତାରେ ଯାଉଛନ୍ତି ବୋଲି ଶୁଣିଲାମାତ୍ରେ ସ୍ତ୍ରୀଲୋକମାନେ ସଙ୍କୋଚରେ ଯେଝା ଯେଝାର ଘରେ ଯାଇ ପଶନ୍ତି, ପୁରୁଷମାନେ ସମସ୍ତେ ଉଠି ଛିଡ଼ା ହୁଅନ୍ତି ଏବଂ ଶିଶୁମାନେ ଅବାକ ହୋଇ ଭୟରେ ଆଖି ମିଟିମିଟି କରି ଚାହିଁ ରହନ୍ତି ! ଗ୍ରାମର ମନ୍ଦିରରେ ଉତ୍ସବ ଆୟୋଜନ ସମୟରେ ଏକମାତ୍ର ସେମାନଙ୍କର ଉଚ୍ଚ ଆସନରେ ବସିବାର ଅଧିକାର ଥିଲା । ଏହି ଅଧିକାର ଅର୍ଜନ ନିମନ୍ତେ ସେମାନେ ତିରିଶ ହଜାର ଟଙ୍କା ଖର୍ଚ୍ଚ କରି ହାଇକୋର୍ଟ ପର୍ଯ୍ୟନ୍ତ ଲଢ଼ିଥିଲେ । ବାର୍ଷିକ ଉତ୍ସବର ସମୁଦାୟ ଖର୍ଚ୍ଚ ସେମାନେ ବହନ କରୁଥିଲେ । ଗରୀବମାନେ ସେମାନଙ୍କ ନିକଟରୁ ବରାବର ଅନ୍ନବସ୍ତ୍ର ଓ ଦକ୍ଷିଣା ଲାଭ କରୁଥିଲେ । ଯେ କୌଣସି ବରଯାତ୍ରୀ ଦଳ ନିଜର ଗନ୍ତବ୍ୟ ପଥରେ ଗଲାବେଳେ ସେମାନଙ୍କ ଗ୍ରାମରେ ଆସି ପହଞ୍ଚିଲେ, ସେମାନେ ବେଳାଏ ଆତିଥ୍ୟ ଗ୍ରହଣ ନ କରି କେବେହେଲେ ଗ୍ରାମ ଟପି ଯାଇପାରୁ ନଥିଲେ ।

 

ସୀତାରାମ ଶୈଶବରୁ ନିଜ ବଂଶ ମର୍ଯ୍ୟାଦାର କଥା ଶୁଣି ଆସିଥିଲା । ସେମାନଙ୍କ ବଂଶର ମୂଳମନ୍ତ୍ର ଥିଲା–‘‘ଅର୍ଥରେ କିଛି ଯାଏ ଆସେ ନାହିଁ । ପ୍ରତିଷ୍ଠା ଦରକାର, ଏକମାତ୍ର ପ୍ରତିଷ୍ଠା-।’’

 

ସୀତାରାମର ପାର୍ଶ୍ୱଚରମାନେବି ଏହି ଉକ୍ତିକୁ ସମର୍ଥନ କରୁଥିଲେ । ବଂଶର ମୂଳମନ୍ତ୍ରଟିକୁ ସାର୍ଥକ କରିବା ଉଦ୍ଦେଶ୍ୟରେ ସୀତାରାମ ପ୍ରଥମ ପଦକ୍ଷେପ ହିସାବରେ ନିଜର ପିତୃ-ଶ୍ରାଦ୍ଧରେ ଦଶ ହଜାର ଟଙ୍କା ଖର୍ଚ୍ଚ କଲା । ଦଶ ଦିନ ଧରି ଅନ୍ନଦାନ ଓ ବସ୍ତ୍ର ବିତରଣ ଚାଲିଲା । ଖାତକମାନେ ଯାହା ଦେଲେ, ହିସାବ ନିକାଶ ନ କରି ସୁଦ୍ଧା ତାହା ନିଆହେଲା । ସୀତାରାମ ସମସ୍ତଙ୍କ ପାଖରେ କହି ବୁଲିଲା ଯେ ସେ ଅଦାଲତର ଆଶ୍ରୟ ନେବାକୁ ଚାହେଁନା । ତାହାର ଏତାଦୃଶ ମନୋଭାବର ସୁଯୋଗ ନେଇ ବହୁ ଖାତକ ଉପକୃତ ହେଲେ । ସବୁ ଠାରୁ ବେଶୀ ଲାଭବାନ ହେଲା ସ୍ୱୟଂ ସୀତାରାମର ମାମୁଁ ।

 

ଦିନେ ମାମୁଁ ଏକା ଆସି ସୀତାରାମକୁ ତାହାର ଘରକୁ ଡାକି ନେଇଗଲା । ମାମୁଁ ଘରେ ସେ ଅଭୂତପୂର୍ବ ଅଭ୍ୟର୍ଥନା ଲାଭ କଲା । ତିନି ଚାରି ଦିନ ଧରି ତାହାକୁ ଖୁବ୍‌ ଖୁଆଇ ପିଆଇ, ଶେଷରେ ପ୍ରଶଂସାରେ ମୁଖର ହୋଇ ମାମୁଁ ସବିନୟରେ ତାହାକୁ ଜଣାଇଲା–‘‘ବାବା, ମୁଁ କିନ୍ତୁ ଚାଳିଶ ହଜାର ଦେଇପାରିବି ନାହିଁ । ଏତେଗୁଡ଼ିଏ ଛୁଆପିଲାଙ୍କର ସଂସାର, କେଉଁଠୁ ପାଇବି ଯେ ଦେବି ! ଦଶ ଏକର ଜମି ଦେଇପାରେ । ମୋର ସଂସାର ଭାସିଗଲା । ତୁ ମୋତେ ଉଦ୍ଧାର କର । ତୁହିଁ ମୋର ଏକମାତ୍ର ଭରସା । ତୁ ତ ଶିକ୍ଷିତ, ତୋର ସାମର୍ଥ୍ୟବି ଅଛି । ଇଚ୍ଛାକଲେ କାଲି ତୁ ଏହା ଠାରୁ ଢେର୍‌ ବେଶୀ ଟଙ୍କା ଉପାର୍ଜନ କରିପାରିବୁ ।’’

 

ମାମୁଁ ମାଇଁ ଏହିପରି ଭାବରେ ମଧୁର ବଚନରେ ସୀତାରାମକୁ ତୁଷ୍ଟ କରି ମାତ୍ର ଦଶ ଏକର ଜମିର ବିନିମୟରେ ଚାଳିଶ ହଜାର ଟଙ୍କା ଋଣର ଦାୟରୁ ଅକ୍ଳେଶରେ ମୁକ୍ତି ପାଇଲେ ।

 

ସୀତାରାମର ଉଦାରତାର ସୁଯୋଗ ନେଇ ଗ୍ରାମର ଲୋକମାନଙ୍କୁ ଏହିପରି ଭାବରେ ନିଜ ନିଜର ଫାଇଦା ଉଠାଇବାର ଦେଖି, ବୁଢ଼ା ରାମାଇୟା ବାବୁ ଆଉ ରହିପାରିଲା ନାହିଁ । ଦିନେ ସୀତାରାମକୁ ଡାକି ପାଖରେ ବସାଇ ସେ ତାହାକୁ ବୁଝାଇବାକୁ ଚେଷ୍ଟା କଲା–‘‘ବାବା, ମଣିଷର ଆତ୍ମୀୟତା ହେଉଛି ଧନ ସମ୍ପତ୍ତି ସହିତ । ମନେରଖ, ସେହି ବସ୍ତୁ ହାତଛଡ଼ା ହେଲେ କେହି ଆଉ ତୋତେ ପାସଙ୍ଗରେ ପକାଇବେ ନାହିଁ ।’’

 

ସୀତାରାମ ଜବାବ ଦେଲା–‘‘କୌଣସି ଫଳଲାଭର ଆଶାରେ ନିଜର ଅର୍ଥ–ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମୁଁ ମଣିଷର ଉପକାର କରୁ ନାହିଁ, ଜେଜେ ! ଉପକାର ନିମନ୍ତେ ଉପକାରହିଁ ମୋର ଉଦ୍ଦେଶ୍ୟ ।’’

 

ବୁଢ଼ା ପୁଣି ପରାମର୍ଶ ଦେଲା–‘‘ଏମିତିକା କାମ କରିବୁ ନାହିଁ, ଯଦ୍ୱାରା ପରେ ତୋତେ ପସ୍ତାଇବାକୁ ପଡ଼ିବ । ଆଜି ତୁ ଯାହାକୁ ଭଲ କାମ ବୋଲି ମନେକରୁଛୁ, କାଲି ସେହି କଥା ତୋ ପକ୍ଷରେ ସର୍ବନାଶ ବୋଲି ପ୍ରମାଣିତ ହେବ । ଆଜି ଯେଉଁମାନେ ତୋଠାରୁ ସାହାଯ୍ୟ ପାଉଛନ୍ତି, ସେମାନେ କାଲି ତୋହରି ବିରୁଦ୍ଧରେ ଠିଆ ହେବାକୁ ତିଳେ ହେଲେ ପଛାଇବେ ନାହିଁ । ଅତିରିକ୍ତ ଭଲ ମଣିଷ ପଣିଆ ଦିନେ ନା ଦିନେ ନିଶ୍ଚୟ ତୋହର ପତନ ଘଟାଇବ ।’’

 

‘‘ମୁଁ କେବେ କୌଣସି ଫଳର ଆଶା ଆଦୌ କରେ ନାହିଁ’’–ଶେଷ କଥା ପଦକ ଜଣାଇ ଦେଇ ସୀତାରାମ ନିଜର ଘର ଆଡ଼କୁ ପାଦ ବଢ଼ାଇଲା ।

 

ଅତି ଶୈଶବରୁ ସେ ଏକ ଆଦର୍ଶମୟ ଜୀବନ ଯାପନର ସ୍ୱପ୍ନ ଦେଖି ଆସିଥିଲା । ତାହାର ଚିନ୍ତାଧାରାରେ, କଥାରେ ତଥା ଆଚରଣରେ ଏହି ଉଚ୍ଚ ଆକାଙ୍‍କ୍ଷା ସଦାବେଳେ ଅତି ସ୍ପଷ୍ଟ ଭାବରେ ପ୍ରକଟିତ ହେଉଥିଲା । ଯେତେବେଳେ ଅନ୍ୟମାନେ ଦୈନନ୍ଦିନ ଜୀବନର ଛୋଟ ଛୋଟ କାମରେ ଲାଗି ରହୁଥିଲେ, ସେତେବେଳେ ସେ ଏ ସବୁର ଉପରେ କୌଣସି ଏକ କଳ୍ପ ଲୋକରେ ବିଚରଣ କରୁଥିଲା । ସୁତରାଂ ଘରୋଇ ଜୀବନ ପ୍ରତି ତାହାର ଅନ୍ତରରେ ଅଶେଷ ଘୃଣା ଭରି ରହିଥିଲା । ବିବାହ, ସନ୍ତାନସନ୍ତତିଙ୍କର ଜନ୍ମ, ସେମାନଙ୍କର ଭରଣପୋଷଣ ପାଇଁ ନୈତିକ ଆଦର୍ଶକୁ ଜଳାଞ୍ଜଳି ଦେବା, ପ୍ରଭୃତି ତାହାର କୋମଳ ହୃଦୟକୁ ଅତିଶୟ ବିଚଳିତ କରୁଥିଲା । ବର୍ଦ୍ଧିତ–ଜଠର–ଭାରରେ ଭାରାକ୍ରାନ୍ତା ସନ୍ତାନ–ସମ୍ଭବା ନାରୀମାନଙ୍କର ମନ୍ଥର ଗମନ, ପ୍ରସବ-ବେଦନା-ଜାତ ଆର୍ତ୍ତନାଦ, ଶିଶୁମାନଙ୍କର ପରିଚର୍ଯ୍ୟା, ଇତ୍ୟାଦି ତାହାର ମନ ଭିତରେ ତୀବ୍ର ଘୃଣାର ଭାବ ଉପୁଜାଉଥିଲା ।

 

ସୀତାରାମ ବହୁତ ମଥା ଖେଳାଇଲା । କିନ୍ତୁ କାହିଁକି ଯେ ଲୋକେ ବିବାହ କରନ୍ତି, ଏହି ସାମାନ୍ୟ ପ୍ରଶ୍ନଟା ବରାବର ତାହା ନିକଟରେ ଏକ ଗୋଲକଧନ୍ଦା ପରି ରହିଲା । ବିବାହର ଦୁଇ ଦିନ ଯାଉ ନ ଯାଉଣୁ ସ୍ୱାମୀ ସ୍ତ୍ରୀକୁ ଉତ୍ୟକ୍ତ କରିବାକୁ ଆରମ୍ଭ କଲେ । ଅବସ୍ଥା ଓ ସୁଯୋଗର ସୀମିତ ପରିସର ଭିତରେ ରହି ସୁଦ୍ଧା ସ୍ତ୍ରୀବି ନିଜର ସ୍ୱାମୀକୁ ଯନ୍ତ୍ରଣା ଦେବାକୁ ପଛାଏ ନାହିଁ । ଆଉ କିଛି ନ ହେଉ ପଛକେ, ପ୍ରତିବେଶିନୀ ନିକଟରେ ଆପଣାର ଦୁଃଖର କାହାଣୀ ଶୁଣାଇ କିମ୍ୱା ସ୍ୱାମୀ ପ୍ରତି ରାଗର ତୋଡ଼ଟା ପିଲାମାନଙ୍କ ପିଠିରେ ଛଡ଼ାଇ ସେମାନେ କିଞ୍ଚିତ ଆନନ୍ଦ ଲାଭ କରନ୍ତି ।

 

ଛିଅର ବାପମାନେ ଯେପରି ଭାବରେ ପାତ୍ର ଖୋଜନ୍ତି, ସୀତାରାମକୁ ତାହା ଖୁବ୍‌ ଖରାପଲାଗେ । ସେମାନେ କହିବୁଲନ୍ତି–ମୋ ଝିଅ ଶିକ୍ଷିତା, ସ୍ୱାସ୍ଥ୍ୟବତୀ, ରୂପସୀ, ସୁଲକ୍ଷଣା; ତେଣୁ ରୋଗଣା ପାତ୍ର ହେଲେ ଚଳିବ ନାହିଁ । ଝିଅର ବାପମାନଙ୍କର ଏହି କଥା ତାହାକୁ ପଶୁ ପ୍ରଜନନ କେନ୍ଦ୍ରର କଥା ମନେପକାଇ ଦିଏ ।

 

ସୁତରାଂ କୌଣସି ଆତ୍ମୀୟ କି ବନ୍ଧୁବାନ୍ଧବ ସୀତାରାମର ବିବାହ ପ୍ରସଙ୍ଗ ଉଠାଇଲେ, ସେ ତତ୍‌କ୍ଷଣାତ୍‌ ଜବାବ ଦିଏ–‘‘ମୁଁ ! ଆଉ ମୋର ବିବାହ ! ନା ବାବା, ମୋର ବିବାହ ଲୋଡ଼ା ନାହିଁ-।’’ ବିବାହ କରିଥିବା ଲୋକମାନଙ୍କ ଠାରୁ ବହୁ ଉଚ୍ଚ ସ୍ତରରେ ଅଛି ବୋଲି ସେ ନିଜକୁ ମନେକରେ ।

 

ଏତାଦୃଶ ସୀତାରାମର ବିବାହ ଖବର ଶୁଣି ଯେ ସମସ୍ତେ ଦିନେ ଅବାକ ହେବେ, ସେଥିରେ ବା ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏହି ସମ୍ପର୍କରେ ସୀତାରାମକୁ ପଚରା ଗଲାରୁ, ସେ ଜବାବ ଦେଲା–‘‘ମୁଁ ତୁମ୍ଭମାନଙ୍କ ପରି ବିବାହ ଯନ୍ତ୍ରର ଗୋଲାମ ହେବି ନାହିଁ । ନିଜର ଆଦର୍ଶକୁ ବାସ୍ତବରେ ରୂପାନ୍ତରିତ କରିବା ପାଇଁ ମୁଁ ଏହାକୁ ନିଶ୍ଚୟ କାର୍ଯ୍ୟରେ ଲଗାଇବି ।’’

 

ଅସଲ ରହସ୍ୟର କଥା ହେଉଛି ଯେ ଗୁରୁ ଗୃହରେ ରହି ପଢ଼ାଶୁଣା କଲାବେଳେ ସୀତାରାମ ଇନ୍ଦିରାକୁ ଭଲପାଇଥିଲା । ଆଜି ସୁଦ୍ଧା ସେ ତାହାକୁ ପାଶୋରି ପାରି ନଥିଲା । ଅଥଚ ବିଭା ନ ହେଲେ ଇନ୍ଦିରା ତାହାକୁ ପାଖ ମଡ଼ାଇ ଦେଉ ନଥିଲା–ଯେତେହେଲେ ଯୁବତୀ ଝିଅ ତ ! ଝିଅଟିର ବାପ ହେଉଛି ଜଣେ ପୋଲିସ ଅଫିସର । ହୁସିଆର ହୋଇ ଚଳିଲେ ଛୁଆ ପିଲା ବା କାହିଁକି ହେବେ ? ଯେତେବେଳେ ଡାକ ଫୁକାରରେ ଝିଅର ଇଚ୍ଛା ଅନୁସାରେ ବିବାହ ହେଉଛି, ସେତେବେଳେ ଦାମ୍ପତ୍ୟ ଜୀବନର ତ୍ରୁଟିଗୁଡ଼ିକ ଯେ ତାହାର ସ୍ତ୍ରୀକୁ ସ୍ପର୍ଶବି କରିବ ନାହିଁ, ଏହା ତ ଅବଧାରିତ । ମୁକ୍ତ ବିହଙ୍ଗ ପରି ସେ ଦୁହେଁ ଆନନ୍ଦରେ ଆକାଶରେ ଡେଣା ମେଲି ସ୍ୱଚ୍ଛନ୍ଦରେ ଉଡ଼ି ବୁଲିବେ । ଏହିପରି ଭାବରେ ସୀତାରାମ ତାହାର ମନକୁ ବୁଝାଇ ଆଖି ଠାରି ହସିଲା । କିନ୍ତୁ ହାୟ-! ବିବାହ ପରେ ତାହାର ସବୁ ପରିକଳ୍ପନା ଧୂଳିସାତ୍‌ ହୋଇଗଲା ।

 

ପ୍ରସବ ବେଦନାରେ କାତର ଯନ୍ତ୍ରଣା ଭୋଗୁଥିବା ସ୍ତ୍ରୀ ଆଡ଼କୁ ଲୋତକ ଛଳ ଛଳ ନୟନରେ ଅନାଇ ସୀତାରାମର ଅନ୍ତର ଆତ୍ମଗ୍ଳାନିରେ ଭରିଗଲା–‘‘ଏହି ବର୍ବରତାର ମୂଳକାରଣ ହେଉଛି ମୁଁ । ମୁଁ ଜଣେ ମସ୍ତ ବଡ଼ ପାପିଷ୍ଠ ।’’ ପାଞ୍ଚ ଛଅବର୍ଷ ଭିତରେ ତାହାର ଦୁଇଟି ସନ୍ତାନ ଜନ୍ମିଲେ । ଇତିମଧ୍ୟରେ ତିନି ଥର ଗର୍ଭପାତ ହୋଇଥିଲା ।

 

ଜୀବନର ହାତରେ ସୀତାରାମ ଏବେ ଗୋଟିଏ ପିତୁଳା ହୋଇଯାଇଥିଲା । ପରିସ୍ଥିତ ମଧ୍ୟ ବଦଳିଗଲା । ତାହାକୁ ଚାକିରୀର ଶରଣ ନେବାକୁ ପଡ଼ିଲା । ଶଶୁରର ସୁପାରିଶରେ କୌଣସି ଗୋଟାଏ ବଡ଼ କମ୍ପାନିରେ ସେ କିରାନି କାମଟିଏ ପାଇଲା ।

 

‘‘ମୋ ଜୋଇଁ...କିଛି ଜାଣେ ନାହିଁ । ଆସ୍ତେ ଆସ୍ତେ ଶିଖିଶାଖି ସବୁ ଚଳାଇ ନେବ’’–ଅନୁଚ୍ଚ କଣ୍ଠର ଏହି କଥା କେତେ ପଦ ସେ ଦିନ କମ୍ପାନିର ମେନେଜରର ଘରୁ ଆସି ଅନେକଙ୍କ କାନରେ ବାଜିଲା । ମେନେଜର ପାଖରୁ ଚାଲି ଆସି ଅନେକଙ୍କ କାନରେ ବାଜିଲା । ମେନେଜର ପାଖରୁ ଚାଲି ଆସି ଶଶୁର ସୀତାରାମକୁ ବୁଝାଇଲା ‘‘ଦେଖ ବାବୁ, ଖୁବ ହୁସିଆର ହୋଇ କାମ ଦାମ କରିବ । ମଝିରେ ମଝିରେ ଯାଇ ମେନେଜରକୁ ସଲାମ ଜଣାଇ ଆସୁଥିବ । ବଡ଼ଲୋକଙ୍କ ସହିତ ସମ୍ପର୍କ ରଖିଥିଲେ କେବେ ନା କେବେ କାମରେ ଲାଗିବ ।’’ ସେ ସୀତାରାମକୁ ଏହି ଉପଦେଶ ଦେଇଥିଲା ।

 

ଶଶୁରର ସାହାଯ୍ୟରେ ଅନ୍ନସଂସ୍ଥାନର ଗ୍ଳାନିରେ ସୀତାରାମ ଅନ୍ତରେ ଅନ୍ତରେ ଜଳିପୋଡ଼ି ଯିବାକୁ ଲାଗିଲା । ଶଶୁରର ଦୃଷ୍ଟିରେ ସେ ତ ଜଣେ ମଣିଷ ନୁହେଁ ! ତାହାର ସ୍ତ୍ରୀ ବା କ’ଣ ଭାବୁଛି କେଜାଣି ? ବନ୍ଧୁମାନେ ଏଣିକି ତାହାକୁ ଥଟା ନ କରି ଛାଡ଼ିଲେ ନାହିଁ–‘‘ଏହା ବୋଧହୁଏ ତୁମର ବିବାହର ନବତମ ବ୍ୟାଖ୍ୟା ! ତୁମେ ନିଜର କଥା ରଖିଛ ସତ । ତୁମେ ତ ବିବାହର ଗୋଲାମ ହୋଇ ନାହଁ, ତୁମ ମାମୁଁର ଗୋଲାମ ହୋଇଛ ।’’

 

ଶଶୁର ପ୍ରତି ରାଗରେ ସୀତାରାମର ଅନ୍ତର ଜଳିଗଲା । ଶଶୁର ନଥିଲେ ତାହାର ଝିଅବି ନ ଥାଆନ୍ତା, ଝିଅ ନଥିଲେ ତାହାର ବିବାହ ହୋଇ ନ ଥାଆନ୍ତା, ଆଉ ବିବାହ ନ ହୋଇଥିଲେ ଏସବୁ ଝଞ୍ଝାଟ ଉପୁଜି ନ ଥାଆନ୍ତା । ସୁତରାଂ ସାରା ଜଗତ ତାହା ନିକଟରେ ଶଶୁରମୟ ଦେଖାଗଲା । ନେପଥ୍ୟରୁ ଶଶୁର ମହାଶୟ ବିଶ୍ୱ ସଂସାରର ଚାବି ମୋଡ଼ୁଥିଲା । ଦିନେ ଅଫିସରେ ସୀତାରାମ ହିସାବ ଖାତାର କଡ଼ରେ ଗୋଟାଏ ବ୍ୟଙ୍ଗ ଚିତ୍ର ଆଙ୍କିଲା ।

 

ଚିତ୍ରଟି ଦେଖି ମାନେଜର ପଚାରିଲା–‘‘ଏ କ’ଣ ହେଉଛି ?’’

 

‘‘ଶଶୁର ବାବୁ, ଶଶୁର’’–ଦାନ୍ତ ନେଫେଡ଼ି ସୀତାରାମ ଜବାବ ଦେଲା

 

‘‘କାହାର ଶଶୁର ।’’

 

‘‘ଆପଣଙ୍କର ଶଶୁର ବୋଧହୁଏ ଏହି ରକମ ଦେଖିବାକୁ ? ହି–ହି–ହି....ଜଣକର ନୁହେଁ, ସମସ୍ତଙ୍କର ଶଶୁର । ଝିଅ ଯୋଗାଡ଼ିଆ ଶଶୁର । ଦେଖୁ ନାହାନ୍ତି ଏହାର ମୁଣ୍ଡଟା କେତେ ବଡ଼, ଆଖି ଦୁଇଟା ଟିକିଟିକି, ନାକଟା ଲମ୍ୱା । ହି–ହି–ହି ।’’ ଛବିର ବ୍ୟାଖ୍ୟା କରାଗଲା ।

 

ସଙ୍ଗେ ସଙ୍ଗେ ସେହି ଦିନ ସୀତାରାମ ବରଖାସ୍ତ ହେଲା । ମାନେଜର ସାହେବ ଆଗରୁ ତାହା ଉପରେ ଅସନ୍ତୁଷ୍ଟ ହୋଇଥିଲେ । ପହରି ଦିନ ସେ ତାଙ୍କର ଝିଅକୁ ଷ୍ଟେସନକୁ ପଠାଇବା ପାଇଁ ତାହାକୁ ଗାଡ଼ି ଡାକି ଆଣିବାକୁ କହିଥିଲେ । ସେ ଜବାବ ଦେଇଥିଲା–‘‘ମୁଁ, ଆଉ ତୁମର ଝିଅ ପାଇଁ ଗାଡ଼ି ? ଗାଡ଼ି ମୁଁ ଆଣିବି ?’’ ବରଖାସ୍ତର ଖବର ପାଇ ସେ ମେନେଜରଙ୍କ ଘରକୁ ଗଲା । ସେ ଭାବିଲେ, ସୀତାରାମ କ୍ଷମା ମାଗିବାକୁ ଆସିଛି । ସୁତରାଂ ସେ ଟିକିଏ ଉଠି ପଡ଼ି ବସିଲେ ।

 

‘‘ଆପଣଙ୍କ ଝିଅ ପାଇଁ ଗାଡ଼ି ପାଇଲେ ?’’–ସୀତାରାମ ପଚାରିଲା ।

 

ମେନେଜରଙ୍କ ଠାରୁ କିଛି ଜବାବ ନ ପାଇ ତାହାର ଉତ୍ସାହ ବଢ଼ିଗଲା–‘‘ନିଜ ଝିଅକୁ ଜୋଇଁ ପାଖକୁ ପଠାଇବା, ଆଉ ଗର୍ଭବତୀ ହେବା ସଙ୍ଗେ ସଙ୍ଗେ ତାହାକୁ ପୁଣି ନିଜ ପାଖକୁ ନେଇ ଆସିବା, ଏହି କାରବାରରେ ଆପଣ ବରାବର ଲାଗିଛନ୍ତି ।’’ କଥାଗୁଡ଼ାକ କହୁଁ କହୁଁ ସେ ଅଟ୍ଟହାସ୍ୟ କରି ସେଠାରୁ ପ୍ରସ୍ଥାନ କଲା । କେହି ପଚାରିଲେ ସେ କହିଲା–‘‘ମୋ ଶଶୁର ମୋତେ ବରଖାସ୍ତ କରାଇଛି ।’’

 

ତା’ପରେ ସୀତାରାମ ଆଉ କେଉଁ ଦିନ ଚାକିରୀ ପାଇଁ ଚେଷ୍ଟା କଲା ନାହିଁ । ତାହାର ରାଗଟା ଖାଲି ନିଜ ଶଶୁର ଉପରେ ନୁହେଁ, ମାତ୍ର ଯେଉଁ ସବୁ ଲୋକେ ଏକ ସମୟରେ ତାହା ଠାରୁ ସାହାଯ୍ୟ ପାଇଛନ୍ତି, ସେମାନଙ୍କ ଉପରେବି ତାହାର ସମାନ ରାଗ । ଆଜିକାଲି ସେମାନେ ସୀତାରାମର ନିନ୍ଦା ଅପଯଶ ଗାଇ ବୁଲନ୍ତି–‘‘ଯେତେ ଦିନ ପଇସା ଥିଲା, ଆଖି ବୁଜି ଯେମିତି ଖର୍ଚ୍ଚ କରିଛି । ଆଜି ସେମିତି ତାହାର ଫଳ ଭୋଗିବାକୁ ପଡ଼ୁଛି । ଯଦି ବା ଖର୍ଚ୍ଚ କରିଥାଏ, ତାହା ସେ କାହା ପାଇଁ କରିଛି ? ଆମ ପାଇଁ ନିଶ୍ଚୟ ନୁହେଁ, ନିଜର ନାମ କମେଇବା ପାଇଁ କରିଛି ।’’

 

ସେହି ଦିନ ସୀତାରାମ ଗୋଟିଏ ଗୀତ ଲେଖି ପକାଇଲା–

 

ଭାଙ୍ଗି ପକାଅ ତାଜମହଲ

 

ଖୋଳି ପକାଅ ତୁଘଲକର କବର

 

ସ୍ତ୍ରୀର ଶ୍ରୀକୁ କର ଦଳିତ...ଇତ୍ୟାଦି ଇତ୍ୟାଦି ।

 

ସୀତାରାମ ଆଜିକାଲି ଘରେ ରହୁଥିଲା । ଘରର ଚୌହଦିହିଁ ତାହାର ମନସ୍ତତ୍ୱ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହୋଇଛି । ଯଦି କେହି ତାହାକୁ ପଚାରେ–‘‘କିରେ ଭାଇ, ଆଜି କାଲି କ’ଣ କରୁଛୁ ?’’ ସେ ସଙ୍ଗେ ସଙ୍ଗେ ଜବାବ ଦିଏ–‘‘କରିବାର ବା ଆଉ କ’ଣ ଅଛି ?

 

କିନ୍ତୁ ସୀତାରାମ ଶେଷ ଅବଧି ଏହି ସିଦ୍ଧାନ୍ତରେ ପହଞ୍ଚିଲା । ଯେ ଅକାମୀ ହୋଇ ବସି ରହିଲେ ନାନାରକମ ଚିନ୍ତା ଆସି ମଣିଷର ମନରେ ବସା ବାନ୍ଧେ । ତେଣୁ ତା’ପରେ ଘରର ପଛ ପଟ ଜମିରେ ପନିପରିବାର ଚାଷ ଆରମ୍ଭ ହେଲା । ସେହି ଚାଷବାସର ଆବଶ୍ୟକୀୟ କାମରେ, ଅର୍ଥାତ ବିଲରେ ପାଣି ମଡ଼ାଇବା, ଘାସ ବାଛିବା, ଇତ୍ୟାଦିରେ ତାହାର ସମୟ ବିତିବାକୁ ଲାଗିଲା । ଅଭ୍ୟାସ ନଥିବା ଯୋଗୁଁ ଦିନକୁ ଦିନ ତାହାର ଦେହ ଦୁର୍ବଳ ହେବାକୁ ଲାଗିଲା । ଶାରୀରିକ ଦୁର୍ବଳତାର ବୃଦ୍ଧି ସଙ୍ଗେ ସଙ୍ଗେ ତାହାର କ୍ରୋଧ ନାମକ ରିପୁଟି କ୍ରମେ କ୍ରମେ ଉଗ୍ର ଓ ପ୍ରବଳ ହେଲା-। ପରିଣାମରେ, ସେ ନିଜର ସ୍ତ୍ରୀ ଓ ଝିଅକୁ ମାରଧର କଲା ।

 

ରାମାଇୟାବାବୁ ତାହାକୁ ଅନେକ ବୁଝାଇଲେ, ସେ ଯେମିତି ନିଜ ଜୀବନକୁ ଏପରି ଭାବରେ ବିଷମୟ ନ କରୁ । ସେତେବେଳେ ସୀତାରାମ ନୈରାଶ୍ୟର ଭଙ୍ଗୀରେ ଜବାବ ଦେଲା–‘‘ମୁଁ ଏସବୁ ଝାମେଲା ଆଉ ସହିପାରୁ ନାହିଁ, ଜେଜେ । ଯେତେବେଳେ ଦିନେ ନା ଦିନେ ମରିବାକୁ ହେବ, ସେତେବେଳେ ଏସବୁ ବଖେଡ଼ା ବା ସହିବି କାହିଁକି ?’’

 

ରାମାଇୟାବାବୁ ତାହାକୁ ବୁଝାଇବାକୁ ଚେଷ୍ଟା କଲା–‘‘ମଲା ପରେ ସୁଖଦୁଃଖର ବୋଧ ତ ଲୋପ ହୋଇଯାଏ । ସୁତରାଂ ବଞ୍ଚିବାଟା ମଣିଷ ପକ୍ଷରେ କାମ୍ୟ ହେବା ଉଚିତ ନୁହେଁ କି ?’’

 

ଏକାସାଙ୍ଗରେ ନାନାରକମର ଚିନ୍ତା ଆସି ଠୁଳ ହୋଇ ସୀତାରାମର ମନରେ ଏକ ଜଟିଳ ଗ୍ରନ୍ଥି ସୃଷ୍ଟି କଲା । ଯେତେବେଳେ ସେ ବାହାର ଜଗତର ଚିନ୍ତା ଦୂରକୁ ହଟାଇ ଦେଇ ଆଖି ବୁଜି ଭାବିବାକୁ ଚେଷ୍ଟା କରେ, ସେତେବେଳେ ଅସଂଖ୍ୟ ଅଦ୍‌ଭୁତ ପ୍ରଶ୍ନ ଆସି ତାହାର ମାନସ ପଟରେ ଜମା ହୁଅନ୍ତି । ସେହି ସବୁ ପ୍ରଶ୍ନର କୌଣସି ଯଥାର୍ଥ ଉତ୍ତର ସେ ଖୋଜି ପାଏ ନାହିଁ ।

 

(୨)

 

ଚୁଲିରୁ ପାଉଁଶ କାଢ଼ୁ କାଢ଼ୁ ସୀତାରାମର ସ୍ତ୍ରୀ ତାହାର ଝିଅକୁ କହିଲା–‘‘ଅଗଣାଟା ଟିକିଏ ଲିପିଦେ ତ, ମା’ ।’’

 

ସେତେବେଳେ ଚାରିଆଡ଼ ଫରଚା ହୋଇ ନଥିଲା । ଉଛୁର ହେଲେ, ଲୋକ ଚଳାଚଳ ଆରମ୍ଭ ହେଲେ ମାଡ଼ି ଚକଟି ଅଗଣାକୁ ଖରାପ କରିଦେବେ । ତେଣୁ ଝିଅ ମଇଳା ଶାଢ଼ୀଟାଏ ପିନ୍ଧି ତରବରରେ ବାହାରି ଆସୁଁ ଆସୁଁ, ସୀତାରାମ ରାଗରେ ଗର୍ଜନ କଲା–‘‘ମୋର ମାନମର୍ଯ୍ୟାଦା ସବୁ ଗଲା ।’’

 

ଏହିପରି ଛୋଟ ଛୋଟ ଘଟଣାକୁ ଉପଲକ୍ଷ୍ୟ କରି ସୀତାରାମ ତିଳକୁ ତାଳ କରିବାକୁ ଲାଗିଲା । ଏହି ବଦମିଜାଦ ଫଳରେ ତାହାର ସ୍ତ୍ରୀ ଓ ଝିଅ ପ୍ରାୟ ଗାଳି ଖାଉଥିଲେ–କେବେ କେବେ ଗୋଟାଏ ଦୁଇଟା ଥାପଡ଼ ମଧ୍ୟ ।

 

ସୀତାରାମର ସ୍ତ୍ରୀ ବଡ଼ ଘରର ଝିଅ । ଦୁଧବାଲୀ ବୁଢ଼ୀକୁ ସମୟ ମୁତାବକ ପଇସା ଦେଇ ନ ପାରିବାରୁ, ସେ ଆଉ ପାଣି ଦେଲା ନାହିଁ । ଗାଁରେ ତ ନଳ କୂଅ ନାହିଁ । କୂଅରୁ ପାଣି କାଢ଼ି ଆଣିବାକୁ ହୁଏ । ବୋହୂଟିର କଷ୍ଟ ଦେଖି କେହି ନା କେହି ତାହାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିଲେ ।

 

ସୀତାରାମର ସ୍ତ୍ରୀ ନିତି ଝିଅଟିକୁ ବସି ପଢ଼ାଏ । ଦିନେ ଝିଅ ସ୍କୁଲକୁ ଯିବ ନାହିଁ ବୋଲି ଅଡ଼ି ବସିଲା । କାରଣ ପଚାରିବାରୁ ଜଣାପଡ଼ିଲା, ସେ ବାସନକୁସନ ମାଜିବ । ମାଆ ଝିଅକୁ ପଚାରିଲା–‘‘ମୁଁ ତ ରହିଛି, ତୋର କ’ଣ ଦରକାର ?’’ ଝିଅ ଜବାବ ଦେଲା–‘‘ଏକ୍ଷଣି ପରା ତୁ କହୁଥିଲୁ ଯେ ତୋ ଦେହ ଭଲ ନାହିଁ ।’’ ମାଆର ଦୁଇ ଆଖି ସଜଳ ହୋଇଗଲା । ସତରେ ତ ତାହାର ଦେହ ଆଜି ଭଲ ନାହିଁ । କିନ୍ତୁ ତାହା ବୋଲି କ’ଣ ଏଡ଼ିକି ବକଟେ ଝିଅକୁ ଲଗାଇ ଏ ସବୁ କାମ କରାଇବାର କଥା ! ତଥାପି ବେଳ ସେମିତି ପଡ଼ିଛି, କରିବାକୁ ତ ହେଉଛି । ତାହାର ମନଟା ଭାରୀ ହୋଇଗଲା । ମାଆକୁ ନୀରବ ଦେଖି ଝିଅର ସାହସ ବଢ଼ିଗଲା । ସେ କହିଲା–‘‘ମାଆ, ଆଜି ମୁଁ ସ୍କୁଲକୁ ଯିବି ନାହିଁ । ମାଷ୍ଟ୍ରେ ଦରମା ନେବାକୁ କହିଛନ୍ତି । ବାବାଙ୍କୁ କହିଲାରୁ ସେ ରାଗି ଗଲେ ।’’

 

ସେ ଦିନ ଝିଅ ସ୍କୁଲକୁ ଗଲା ନାହିଁ । ମାଆବି ଜୋର କଲା ନାହିଁ । ପାରିବାରିକ ମାନ–ମର୍ଯ୍ୟାଦା ବିଷୟରେ ସ୍ୱାମୀ ଠାରୁ ସ୍ତ୍ରୀ ଅଧିକ ସଚେତନ । ସଂସାରରେ କେଉଁ ଜିନିଷଟା ନାହିଁ, ସେ ତାହାର ଖବର ଯଥା ସମୟରେ ରଖେ । ଶାଢ଼ୀରେ ଫୁଲ ପକାଇ ସେ ଦି’ ପଇସା ରୋଜଗାରବି କରେ । କେତେ ଦିନ ଧାର କରି ଚଳାଇବା ପରେ ଆଜି ପାଞ୍ଚଟା ଟଙ୍କା ତାହାର ହାତକୁ ଆସିଛି । ଯାହା ନିହାତି ନ ହେଲେ ନ ଚଳେ, ସେମିତି କେତୁଟା ଜିନିଷ ଅଣାଇ ସେ ସ୍ୱସ୍ତିର ନିଃଶ୍ୱାସ ଛାଡ଼ିଲା-। ଆଜି ଦିନଟା ତ ଚଳିଗଲା । କିନ୍ତୁ ଏମିତି ଭାବରେ ଆଉ କେତୁଟା ଦିନ ଚଳିବ ! ଏହା ଭାବିଲା କ୍ଷଣି ତାହାର ଛାତି ଶୁଖି କଳାକାଠ ହୋଇଗଲା ।

 

ଚୁଲିରୁ କଫିର ପାତ୍ରଟା ଓହ୍ଲାଇବାବେଳେ ନିଜର ହାତ ଦୁଇଟି ଉପରେ ତାହାର ନଜର ପଡ଼ିଲା । ବାସନ ମାଜି ମାଜି ତାହାର ହାତସବୁ କଦର୍ଯ୍ୟ ଓ ବିବର୍ଣ୍ଣ ହୋଇଯାଇଛି । ହାତର ପିଠିରେ କଳା ଦାଗ ବସି ଯାଇଛି । ତାହାର ଆକୃତି ଓ ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ଆସିଛି । ନିଜ ଦୁରବସ୍ଥାର କଥା ଚିନ୍ତା କରି ସେ ଥରିବାକୁ ଲାଗିଲା । ସ୍କୁଲରେ ପଢ଼ିଲାବେଳେ ଶିକ୍ଷକମାନଙ୍କର କଥା ଶୁଣି ବିବାହିତ ଜୀବନ ସମ୍ୱନ୍ଧରେ ସେ କେତେ କଳ୍ପନାର ଜାଲ ବୁଣି ଥିଲା । ସେ ଭାବିଥିଲା, ବିବାହ ପରେ ସମସ୍ତେ ତାହାକୁ ଭାଗ୍ୟବତୀ ବୋଲି ମନେକରିବେ । ତାହାର ଏପରି ଧାରଣା ସହିତ ବାସ୍ତବତାର କୌଣସି ମେଳ ସେ ଆଜି ଆଉ ଖୋଜି ପାଇଲା ନାହିଁ ।

 

ଝିଅର ପ୍ରଶ୍ନରେ ତାହାର ଚିନ୍ତାର ସୂତ୍ର ଛିନ୍ନ ହୋଇଗଲା । ସେ ପଚାରି ଚାଲିଲା–‘‘ନକ୍ଷତ୍ର ଭିତରେ କ’ଣ ଅଛି ? ପବନ କିପରି ବହେ ? ଆକାଶ କେତେ ଉଚ୍ଚ ? ବାବାଙ୍କୁ ମୁଁ ପଚାରିଥିଲି । ସେ କହିଲେ, ସେ ଜାଣନ୍ତି ନାହିଁ । ତୁମେ କୁହନା ମାଆ !’’

 

ଝିଅର କଥା ଶୁଣି ମାଆକୁ ହସ ମାଡ଼ିଲା । ନିଜ ଶୈଶବର ସ୍ମୃତି ତାହାର ମାନସ ପଟରେ ଖେଳିଗଲା । ଝିଅମାନେ ବୁଦ୍ଧିମତୀ ହେଲେ କ’ଣ ହେବ ? ସେମାନଙ୍କ ବୁଦ୍ଧିର ବ୍ୟବହାରର କ୍ଷେତ୍ର କାହିଁ ? ଝିଅମାନଙ୍କ କପାଳରେ କ’ଣ ଅଛି ତାହା ବା କିଏ ଜାଣେ ? ସେ ଭାବିବାକୁ ଲାଗିଲା ।

 

(୩)

 

ଘରକୁ ଫେରି ସୀତାରାମ ତାହାର ମାମୁଁ ଠାରୁ ଖଣ୍ଡିଏ ଚିଠି ପାଇଲା । ଶହେଟି ଟଙ୍କା ପଠାଇବା ପାଇଁ ସେ ତାହାର ମାମୁଁ କୁ ଚିଠି ଦେଇଥିଲା । କିଛି ଜବାବ ନ ପାଇବାରୁ ସେ ପୁଣି ଖଣ୍ଡିଏ ଚିଠି ଲେଖିଲା । ତାହାର ସାରାଂଶ ହେଲା–‘‘ହଜାର ହଜାର ଟଙ୍କାର ସମ୍ପତ୍ତି ତୁମେ ଗ୍ରାସ କରିଛ । ମୋ ଦରକାରବେଳକୁ ତୁମେ ଶହେଟି ଟଙ୍କା ପଠାଉ ନାହଁ । କେତେ ଦିନ ତଳେ ଆମ ଏଠାକୁ ଗୋଟିଏ କୁକୁର ଆସିଥିଲା । କେଉଁ ଦିନ ତାହା ସହିତ ମୋର କୌଣସି ସମ୍ପର୍କ ଥିବାର କଥା ନୁହେଁ । ତାହାକୁ ଦିନେ ଗଣ୍ଡିଏ ଭାତ ଦେଇଥିଲି । ତା’ପରଠୁଁ ସେ ନିତି ଆମ ଘରକୁ ଆସେ । ତାହାକୁ କିଛି ଖାଇବାକୁ ଦିଏ ବା ନ ଦିଏ, ରାତିରେ ସେ ଆମ ଘର ଜଗେ । ବିଶ୍ୱାସୀ ଜନ୍ତୁ ସେ । ମୁଁ ତୁମକୁ ଆଜି ଯାଏ ଯେତେ ଟଙ୍କା ଦେଇଛି, ତାହାଦ୍ୱାରା ସେହିଭଳି ଯେ କେତେଗୁଡ଼ିଏ କୁକୁର ପୋଷା ହୋଇ ଥାଆନ୍ତେ, ମୁଁ ଆଜି ସେହି କଥା ଭାବୁଛି ।’’

 

ଏହି ଶେଷ ଚିଠିର ଜବାବ ତାହାର ମାମୁଁ ଦେଇଛନ୍ତି । ତାଙ୍କର ବକ୍ତବ୍ୟର ସରଳାର୍ଥ ହେଲା–‘‘ତୁମ ଚିଠି ପାଇଲି । ତୁମ ବାପା ଗୋସେଇଁ ବାପାଙ୍କୁ ମୁଁ ଭଲଭାବରେ ଜାଣେ । ତୁମ୍ଭମାନଙ୍କର ଚାଲିଚଳଣବି ମୁଁ ଦେଖି ଆସିଛି । ତୁମ୍ଭମାନଙ୍କର ସବୁ ଠାରୁ ବଡ଼ ଦୋଷ ହେଉଛି, ନିଜକୁ ତୁମ୍ଭେମାନେ ସବୁଠାରୁ ବଡ଼ ବୋଲି ମନେକର । ସମସ୍ତଙ୍କ ଠାରୁ ପ୍ରଶଂସା ପାଇବାର ଲୋଭଟା ତୁମ୍ଭମାନଙ୍କ ଭିତରେ ଖୁବ୍‌ ବେଶୀ ଦେଖାଯାଏ । ଏହି ଆକାଙ୍‌କ୍ଷାର ପରିତୃପ୍ତି ନିମନ୍ତେ ତୁମ୍ଭମାନଙ୍କର ପରିବାର ଏ ଅବଧି ବହୁ କୁକୀର୍ତ୍ତି କରିଅଛି ।

 

ହୁଏତ ତୁମ୍ଭମାନଙ୍କଦ୍ୱାରା କେତେକ ଲୋକ ଉପକୃତ ହୋଇଛନ୍ତି । କିନ୍ତୁ ତୁମ୍ଭମାନଙ୍କର ଅହଙ୍କାରର ଆତିଶଯ୍ୟରେ କେତେ ଲୋକ ଯେ ଆହତ ହୋଇଛନ୍ତି, ତାହା ତୁମ୍ଭମାନଙ୍କୁ ମାଲୁମ ନାହିଁ । ତୁମ୍ଭମାନଙ୍କର ଘରେ ରହି ତୁମ୍ଭମାନଙ୍କର ଜମିବାଡ଼ି ଓ ଖେତ ଖମାରର କାମ ମୁଁ କରିଛି । ତୁମ ବାବା ମନେକରୁଥିଲେ, ସେ ସୁଖ ଭୋଗ ନିମନ୍ତେ ଏବଂ ଆମେ ଜଞ୍ଜାଳରେ ପଡ଼ିବା ନିମନ୍ତେ ଜନ୍ମ ହୋଇଛୁ । ମୁଁ ମୋ ଭଉଣୀକୁ (ତୁମର ମାଆ) ତୁମ ବାପାଙ୍କ ସାଙ୍ଗରେ ବିବାହ ଦେଇଥିଲି । କିନ୍ତୁ ତାହାର ଜୀବନରେ ସୁଖ ଜୁଟିଲା ନାହିଁ । ତୁମ ବାପା ଆମ କାହାକୁ ତାଙ୍କର ସମବଂଶ ମର୍ଯ୍ୟାଦା ସମ୍ପନ୍ନ ବୋଲି ମନେକରୁ ନଥିଲେ । ତାଙ୍କର ଦୃଷ୍ଟିରେ ଆମେ ଚିରଦିନ ପର ଏବଂ ନିକୃଷ୍ଟ ଜାତୀୟ ବୋଲି ବିବେଚିତ ହୋଇଛୁ । ନିଜ ବଂଶ ମର୍ଯ୍ୟାଦାର ଅହଙ୍କାର ତାହାଙ୍କ ଭିତରେ ଅତ୍ୟନ୍ତ ପ୍ରବଳ ଥିଲା । ତୁମର ବାପା ମୋତେ କେଉଁ ଦିନ ହେଲା ନିଜ ସହିତ ଏକ ଧାଡ଼ିରେ ଖାଇବାକୁ ବସିବାର ସୁଯୋଗ ସୁଦ୍ଧା ଦେଇ ନଥିଲେ । ତୁମ ସମସ୍ତଙ୍କୁ ଖୁଆଇ ପିଆଇ ଓ ପାନ, ଇତ୍ୟାଦି ଦେଇ ସାରିଲା ପରେ ଯାଇ ମୋ ଭଉଣୀ ଖାଇ ବସୁଥିଲା । ମୋତେ ଖାଇବାକୁ ଡାକିଲାବେଳେ ତାହାର ଛାତି ଥରୁଥିଲା । ମୋତେ ଥାଳିରେ ଖାଇବାକୁ ଦିଆହୋଇଛି ଦେଖି ତୁମ ବାପା ଦିନେ ମୋତେ ଅପମାନ ଦେଇଥିଲେ । ସେ ଦିନ ତୁମ ମାଆ ଖୁବ୍‌ କାନ୍ଦିକାଟି ମୋତେ କହିଥିଲା–‘ଭାଇ, ଏ ଘରେ ଆଉ ଆମକୁ ଆହାର ଜୁଟିବ ନାହିଁ । କାହିଁକି ବା ତୁମେ ମୋ ପାଇଁ ଏମିତି ଭାବରେ ଅପମାନ ସହିବ ? ଚାଲ, ଆମେ ଚାଲିଯିବା ।’’ ତୁମର ପିଇସୀ ସ୍ୱାମୀ ପରିତ୍ୟକ୍ତା ହୋଇ ତୁମ ଘରେ ବାସ କରୁଥିଲା । ଅପୂର୍ଣ୍ଣ କାମନାରୁ ତାହା ଭିତରେ ଈର୍ଷା ଓ ଦ୍ୱେଷ ଆସି ବସା ବାନ୍ଧିଥିଲା । ସେ ଆମକୁ ସହିପାରୁ ନଥିଲା ।

 

ତୁମେ ଜନ୍ମ ହେଲା ପରେ ତୁମର ମାଆ ଟିକିଏ ଶାନ୍ତି ପାଇଥିଲା । କିନ୍ତୁ ତୁମର ବୟସ ଯେତେ ବଢ଼ିବାକୁ ଲାଗିଲା, ତୁମ ମାଆର ମନୋବେଦନା ମଧ୍ୟ ସେତେ ବେଶୀ ବଢ଼ିବାକୁ ଲାଗିଲା-। ସେ ଦିନେ ମୋତେ କହିଥିଲା–‘‘ଭାଇ, ପୁଅଟା ଆମର କିଛି ସ୍ୱଭାବ ପାଇବ ନାହିଁ । ବାପର ସବୁ ଲକ୍ଷଣ ତାହା ଭିତରେ ଦେଖାଯାଉଛି ।’’ ମୁଁ ଖୁବ୍‌ ଭଲଭାବରେ ହିସାବ କରି ଦେଖିଛି ଏବଂ ଦେଖୁଛି-। ଭଉଣୀର ବିଭାଘରରେ ମୋ ରୋଜଗାରର ସମୁଦାୟ ଚାଳିଶ ହଜାର ଟଙ୍କା ମୁଁ ପଣ ହିସାବରେ ଦେଇଥିଲି । ସେ ଟଙ୍କା ତକ ମୁଁ ପୁଣି ବହୁ କଷ୍ଟରେ ଉପାର୍ଜନ କରିଥିଲି । ବହୁ କଷ୍ଟାର୍ଜିତ ଅର୍ଥ । ଏଥିପାଇଁ ମୋତେ ଅଜସ୍ର ପରିଶ୍ରମ କରିବାକୁ ହୋଇଛି, ମୁଣ୍ଡ ଝାଳ ତୁଣ୍ଡରେ ମାରିବାକୁ ହୋଇଛି । ତୁମେ ମଧ୍ୟ ତୁମ ସ୍ତ୍ରୀକୁ ଯେ କି ସୁଖରେ ରଖିଛି, ତାହା ମୋତେ ଜଣା ଅଛି । ତୁମ୍ଭମାନଙ୍କର ଘରର ବୋହୂମାନେ ଯେ ପଳାନ୍ତି ନାହିଁ, ଏଟା ବଡ଼ ଆଶ୍ଚର୍ଯ୍ୟର କଥା । ତୁମ୍ଭେମାନେ ସେମାନଙ୍କୁ ଯେଉଁ ଦୃଷ୍ଟିରେ ଦେଖ, ସେଥିରେ ଆତ୍ମବିଶ୍ୱାସର କାଣିଚାଏ ସୁଦ୍ଧା ସେମାନଙ୍କ ଭିତରେ ନଥାଏ । ସୁତରାଂ ତୁମ୍ଭମାନଙ୍କ ଉପରେ ନିର୍ଭର କରିବା ଛଡ଼ା ସେମାନଙ୍କର ଅନ୍ୟ ଗତି ନାହିଁ ? ତୁମକୁ ଟଙ୍କା ଦେଲେ ତୁମେ ସେହି ଟଙ୍କାକୁ ତୁମର ବଡ଼ଲୋକି ସକାଶେ ଫୁଙ୍କି ଉଡ଼ାଇ ହେବ । ମୋତେ ଆଉ କେବେ ଚିଠି ଦେବ ନାହିଁ । ଜୀବନର ଚଲାବାଟରେ ତୁମେ ପଛେଇ ଯାଇଛ । ତୁମେ ଅକ୍ଷମ, ଭୀରୁ । ଯଦି ତୁମେ ଜୀବନ ଯୁଦ୍ଧରେ ବଞ୍ଚିବାକୁ ଚାହଁ, ତାହା ହେଲେ ନିଜର ରାସ୍ତା ନିଜେ ଦେଖ ।’’

 

ଚିଠିଟି ପଢ଼ି ସାରି ସୀତାରାମ ଆଖିରେ ଅନ୍ଧାର ଦେଖିଲା । ପ୍ରତ୍ୟେକ ଶବ୍ଦ ତୀକ୍ଷ୍‍ଣ ଅଗ୍ର ଅସ୍ତ୍ର ପରି ତାହାର ଛାତିରେ ବିନ୍ଧିଲା । ତାହା ହେଲେ ଆଜି ପର୍ଯ୍ୟନ୍ତ ତାହାର ମାମୁଁ ତାହା ସହିତ ପ୍ରତାରଣାର ଖେଳ ଖେଳିଛନ୍ତି ? ତାଙ୍କର ଦୃଷ୍ଟିରେ, ସେ ଆଜି ଜଣେ ଅକ୍ଷମ ବ୍ୟକ୍ତି ପରି ଉପହାସ୍ୟାସ୍ପଦ ! ମନେ ହେଲା, ଦୁନିଆର ପ୍ରତ୍ୟେକ ଲୋକ ତାହା ସହିତ ବିଶ୍ୱାସଘାତକତା କରି ଚାଲିଛନ୍ତି । ମୂର୍ଖ ଓ ଅଶିକ୍ଷିତମାନଙ୍କ ଦୃଷ୍ଟିରେବି ସେ ଆଜି ଅକ୍ଷମ ଛଡ଼ା କିଛି ନୁହେଁ । ମାମୁଁଙ୍କୁ ଆଉ ପଦେ ଅଧେ ଲେଖିବା ଲାଗି ସେ କଲମ ଧରିଲା । କିନ୍ତୁ କ’ଣ ଲେଖିକ ? ଶେଷ ଅବଧି ସେ ଗୋଟାଏ ଛବି ଆଙ୍କିଲା । ଚିତ୍ରର ପରିଚୟରେ ସେ ଲେଖିଲା–‘‘ମାମୁଁ ଓ ଶଶୁର ଭିତରେ ଐକ୍ୟ ।’’

 

(୪)

 

ଘରର ପ୍ରତ୍ୟେକ ଜିନିଷ ଆଜି ତାହାକୁ ଉପହାସ କରୁଛି ବୋଲି ସୀତାରାମର ମନେ ହେଲା । ସାମ୍ନା କାନ୍ଥରେ ଖଣ୍ଡିଏ ଛବି ଝୁଲୁଥିଲା । ତାହାର ବିବାହ ସମୟର ଫଟ । ସୀତାରାମ ଠିଆ ହୋଇଛି, ଆଉ ତାହାର ସ୍ତ୍ରୀ ଚଉକିରେ ବସିଛି । ସ୍ତ୍ରୀ ଚିନ୍ତାକୁଳ ଦିଶୁଛି । ପ୍ରଭୁ ନିକଟରେ ଭୃତ୍ୟର ଯେଉଁ ସଙ୍କୋଚ, ସର୍କସରେ ବାଘର ପିଠି ଉପରେ ଛେଳିର ଯେଉଁ ଅବସ୍ଥା, ସେ ବି ଠିକ୍‌ ସେହିପରି ଭାବରେ ଚଉକିରେ ବସି ରହିଛି । ସୀତାରାମ ନିଜର ପୁରୁଣା ଦିନଲିପିଟା ଖୋଲି ଆଡ଼େଇଲା ।

 

୨ ଜୁଲାଇ–ସେ ତାହାର ସ୍ତ୍ରୀ ସହିତ ସମୁଦ୍ରକୂଳରେ ବସି ସୂର୍ଯ୍ୟାସ୍ତ ଦେଖୁଥିଲା । ସେ ସ୍ତ୍ରୀକୁ ପଚାରିଲା–‘‘ତୁମେ କେବେଠୁଁ ମୋତେ ପ୍ରଥମେ ଭଲପାଇବାକୁ ଆରମ୍ଭ କଲ ?’’ କିଛିକ୍ଷଣ ଲଜ୍ଜାରେ ସଙ୍କୁଚିତ ରହିଲା ପରେ ସ୍ତ୍ରୀ ତାହାକୁ ଶେଷ ଅବଧି କହିଥିଲା–‘‘ରେଶମୀ କୋଟ ପିନ୍ଧି ତୁମେ ଯେତେବେଳେ ସ୍କୁଲ ଯାଉଥିଲ, ସେହି ସମୟରୁ ମୋର ମନେହେଉଥିଲା ଯେ ତୁମେ ମୋର ସ୍ୱାମୀ ହେଲେ କି ଭଲ ନ ହୁଅନ୍ତା !’’

 

୩ ଜୁଲାଇ–ସଞ୍ଜବେଳେ ଫୁଲ ବଗିଚାରେ...... ।

 

୪ ଜୁଲାଇ–ନଉକାରେ କୃଷ୍ଣା ନଦୀରେ...... ।

 

‘‘ଆମେ ଦୁହେଁ ସୌଭାଗ୍ୟବାନ’’–ସୀତାରାମ ସେ ଦିନ କହିଥିଲା ।

 

‘‘ମୁଁ ବି ତ...... ।’’

 

‘‘ଆମ ପରି ପରିଭ୍ରମଣକୁ ଭଲପାଉଥିବା ମଣିଷ ପୃଥିବୀରେ ଆଉ ଅଛନ୍ତି କି ନା ସନ୍ଦେହ ।’’

 

‘‘ଖାଣ୍ଟି କଥା କହିଛନ୍ତି, ଆପଣ ।’’

 

‘‘ଆପଣ କୁହ ନାହିଁ, କୁହ ତୁମେ । ମୁଁ ତୁମେ, ଆଉ ତୁମେହିଁ ମୁଁ । ଏଣିକି ନାମ ଧରି ରାମୁ ବୋଲି ଡାକିବ ।’’

 

ସେ ଦିନ ନବବଧୂକୁ ଏପରି କଥାରେ ଭାରି ଲାଜ ମାଡ଼ିଲା ।

 

ମନରେ ସାହସ ଯୋଗାଇବା ଲାଗି ସୀତାରାମ କହିଥିଲା–‘‘ମୁଁ ତ ତୁମକୁ ଇନ୍ଦିରା ଦେବୀ ବୋଲି ଡାକେନା । ଡାକେ ଇନ୍ଦି ।’’

 

ସେ ଦିନ ତାହାର ସ୍ତ୍ରୀ ସୀତାରାମକୁ ନାମ ଧରି ଡାକିଥିଲା । ସୀତାରାମର ଉତ୍ସାହର ଆଉ ସୀମା ରହିଲା ନାହିଁ–‘‘ଜୋରରେ ଡାକ ।’’

 

ଇନ୍ଦିରା ସେୟା କରିଥିଲା । ନିଜର କଣ୍ଠ ସ୍ୱରରେ ନିଜେ ଲଜ୍ଜିତ ହୋଇ ଶେଷରେ ତାହାକୁ ସ୍ୱାମୀର କୋଳରେ ମୁଖ ଲୁଚାଇବାକୁ ହୋଇଥିଲା ।

 

ସେ ଦିନ ସୀତାରାମ ତାହାର ମୁଣ୍ଡରେ ପରମ ତୃପ୍ତିରେ ହାତ ବୁଲାଇଥିଲା । ସେହି ଆନନ୍ଦର କୌଣସି ତୁଳନା ନାହିଁ–‘ଆନନ୍ଦବ୍ରହ୍ମ ।’’

 

୫ ଜୁଲାଇ–‘‘ଆମ ଜୀବନ ଚିରଦିନ ଯେମିତି ଏମିତିକା ଥାଏ.... ।’’

 

ଇନ୍ଦିରା କମ୍ପି ଉଠିଥିଲା ।

 

‘‘ଦେହ ଆମ୍ଭମାନଙ୍କର ଅଲଗା ହେଲେ ସୁଦ୍ଧା, ଆତ୍ମା ତ ଏକ ।’’

 

ସେ ମୁଣ୍ଡ ହଲାଇ ସମର୍ଥନ ଜଣାଇଥିଲା ।

Image

 

ଲିଓ ଓୟାଲେସ

ମାନବ ତନୟ

 

(୧)

 

ପବିତ୍ର ନକ୍ଷତ୍ରରୁ ଏକ ସ୍ପଷ୍ଟ ଶୂନ୍ୟବାଣୀ ହେଲା–‘‘ପୃଥିବୀର ବିଭିନ୍ନ କୋଣରୁ ଆସି ତୁମେ ତିନି ଜଣ ଆରବର ମରୁଭୂମିରେ ଏକାଠି ମିଳିତ ହେବ । ଜେବେଲ–ଜୁବଲା ପାହାଡ଼ ଅତିକ୍ରମ କରି ସିଧା ଉତ୍ତର ଦିଗକୁ ଚାଲିଯିବ, ଆଉ ସୂର୍ଯ୍ୟ ଯେଉଁଠି ଠିକ୍‌ ମୁଣ୍ଡ ଉପରକୁ ଆସିବେ ସେଠାରେ ରହିବ । ତା’ପରେ– ।’’

 

ସାତ ଶହ ସଡ଼ଚାଳିଶ ଅବ୍ଦ । ଡିସେମ୍ୱରର ଏକ ସକାଳ । ସୁଦୂରପ୍ରସାରୀ ଦୂସ୍ତର ଆରବ ମରୁଭୂମିର ପଶ୍ଚିମ ପଟେ ଇଉଫ୍ରେତିସ ନଦୀର କୂଳ ପର୍ଯ୍ୟନ୍ତ ବିସ୍ତୃତ ପ୍ରାୟ ପଚାଶ ମାଇଲ ଦୀର୍ଘ ଜେବେଲ–ଜୁବଲା ପାହାଡ଼ । ସେଥିରୁ ଅଗଣିତ ନିର୍ଝରିଣୀ ବାହାରିଛନ୍ତି । ବର୍ଷା ଋତୁ ଛଡ଼ା ଅନ୍ୟ ସମୟରେ ଏଗୁଡ଼ିକ ବାଲୁକାମୟ ଖାଲରେ ପରିଣତ ହୋଇଯାଏ । ଯେଉଁ ଖାଲଟି ଜାବୋକ ନଦୀ ନାମରେ ପରିଚିତ, ତାହାରି ଭିତରୁ ଭୋରବେଳେ ରକ୍ତିମ ଆଲୋକରେ ଗୋଟିଏ ବୃହଦାକାୟ ଧଳା ଓଟ ବାହାରି ଆସିଲା । ତାହାର ପିଠି ଉପରେ ସୁବିନ୍ୟସ୍ତ ହାଉଦା, ଉପରେ ସବୁଜ ଚାନ୍ଦୁଆ, ଭିତରେ ରେଶମୀ କପଡ଼ାରେ ଆଚ୍ଛାଦିତ ଗତି, ଆଉ ଚାରିପଟେ ପରଦା । ଓଟର ବେକରେ ଘଣ୍ଟି, କପାଳରେ ପିତଳ ଗହଣା ଏବଂ ପେଟ ଉପରେ ବନ୍ଧା ହୋଇଥିବା ରଙ୍ଗ ବେରଙ୍ଗର ସୁଦୃଶ୍ୟ କନାରେ ତିଆରି ଦଉଡ଼ିସବୁ । ହାଉଦା ଭିତରେ ଜଣେ ମାତ୍ର ଆରୋହୀ ସୁଖ ଶୟନରେ ନିଦ୍ରାମଗ୍ନ । ଜାବୋକର ଖାଲରୁ ଉଠି ଓଟଟି ଖୋଲା ମରୁଭୂମିରେ ନିଆଁ ପରି ଗରମ ବାଲିରେ ଚାଲିବାକୁ ଲାଗିଲା ।

 

ସୂର୍ଯ୍ୟ ଠିକ୍‌ ମୁଣ୍ଡ ଉପରକୁ ଆସିଲେ । ଚତୁର୍ଦ୍ଦିଗରେ ଅନନ୍ତ ନୀରବ ଭୟଙ୍କର ବାଲୁକାମୟ ମରୁଭୂମି । ହଠାତ୍‌ ଓଟ ଅଟକିଗଲା ଏବଂ ଗଭୀର ସ୍ୱରରେ ଥରେ ଡାକିଲା । ସେହି ଡାକ ଶୁଣିଲାମାତ୍ରେ ଅରୋହୀ ଜଣକ ହାଉଦାର ପରଦା ଟେକି ଥରେ ମରୁଭୂମି ଆଡ଼କୁ ଅନାଇଲା ଏବଂ ଓଟକୁ ଗୋଟାଏ ସଙ୍କେତ ଦେଲା । ଓଟ ବାଲି ଉପରେ ଆଣ୍ଠୁ ମାଡ଼ି ବସି ପଡ଼ିଲା । ତାହାର ଲମ୍ୱା ଗଳାରେ ପାଦ ରଖି ଆରୋହୀ ତଳକୁ ଓହ୍ଲାଇ ଆସିଲା । ଆରୋହୀର ଦେହର ରଙ୍ଗ କଳା, ସୁପୁଷ୍ଟ ଓ ସବଳ, ବୟସ ପଇଁଚାଳିଶ, ପରିଧାନ ଲମ୍ୱା ସୂତା କାମିଜ, ଅଧା ହାତ ପଶମୀ ଆବା, ଫିତାବାଲା ଚଟି ଏବଂ ମୁଣ୍ଡରେ ବନ୍ଧା ହୋଇଥିବା ଲାଲ ରୁମାଲରେ ମୁଖର ଅଧେ ଆବୃତ । ବହୁତ ସମୟ ଯାଏ ଚାରିଆଡ଼େ ପର୍ଯ୍ୟବେକ୍ଷଣ କରି ମରୁଯାତ୍ରୀ ବେଲଥାଜାର ନିଶ୍ଚିନ୍ତ ହେଲା । ଏଠାରେ ପ୍ରତୀକ୍ଷା କରିବା ଲାଗି ତାହାକୁ ନିର୍ଦ୍ଦେଶ ମିଳିଥିଲା । ଓଟ ରୌଦ୍ରତପ୍ତ ବାଲୁକାରେ ବସିଥିଲା । ଗୋଟିଏ କାଠ ବାକ୍ସରୁ ବୋତଲଟିଏ କାଢ଼ି ଆଣି ସେ ବୁରୁସରେ ସେଥିରୁ ପାଣି ନେଇ ଓଟର ମୁହଁ ଧୋଇଦେଲା ଏବଂ ଗୋଟିଏ ଝୁଡ଼ିରେ କିଛି କଞ୍ଚା ଡାଳ ପୂରାଇ ତାହାର ବେକରେ ଝୁଲାଇଦେଲା । ଆଉ ଗୋଟିଏ କାଠ ବାକ୍ସରୁ କେତେ ଖଣ୍ଡ ଖୁଣ୍ଟ କାଢ଼ି ତଳେ ପୋତି ଦେଇ ତାହା ଉପରେ ଖଣ୍ଡିଏ ବଡ଼ ଚମଡ଼ା ପାଲ ଲଗାଇ ଦେବାରୁ, ଗୋଟିଏ ଛୋଟ ତମ୍ୱୁ ହୋଇଗଲା । ତା’ପରେ ସେହି ତମ୍ୱୁ ଭିତରେ ଗାଲିଚା ପକାଇ ତିନି ଖଣ୍ଡ ଆସନ ବିଛାଇ ଦେଲା ଏବଂ ତିନି ଜଣଙ୍କ ପାଇଁ ଖାଦ୍ୟ ଓ ପାନୀୟ ସଜାଇ ରଖିଲା ।

 

ତା’ପରେ ବେଲଥାଜାର ତମ୍ବୁର ବାହାରକୁ ଆସି ସତୃଷ୍ଣ ନୟନରେ ଦିଗନ୍ତକୁ ଅନାଇ ରହିଲା । ସେ ମନେ ମନେ ଭାବିଲା, ପବିତ୍ର ନକ୍ଷତ୍ରର ନିର୍ଦ୍ଦେଶ ଯେ ପୃଥିବୀର ବିଭିନ୍ନ କୋଣରୁ ନିଶ୍ଚୟ ଦୁଇ ଅପରିଚିତ ଭ୍ରାତା ପରମ ସତ୍ୟର ସନ୍ଧାନରେ ଆସି ତାହା ସହିତ ମିଳିତ ହେବେ ।

 

ସୂର୍ଯ୍ୟ ପଶ୍ଚିମକୁ ଢଳି ପଡ଼ିଲେ । ବେଲଥାଜାର ଭୋକ ଓ ଶୋଷରେ ଆଉଟି ପାଉଟି ହେବାକୁ ଲାଗିଲା । କିନ୍ତୁ ଅତିଥିମାନଙ୍କୁ ଛାଡ଼ି ସେ ଏକା ଭୋଜନ କରିପାରୁ ନଥିଲା । ଅବଶେଷରେ ଉତ୍ତର ପୂର୍ବ କୋଣରେ ଗୋଟାଏ ଅସ୍ପଷ୍ଟ ବିନ୍ଦୁ ଦେଖାଗଲା । ତାହା କ୍ରମେ କ୍ରମେ ସ୍ପଷ୍ଟ ଓ ବୃହତ ଆକାର ଧାରଣ କଲା । ନବଗତ ଓଟଟି ଦ୍ରୁତ ତମ୍ୱୁ ଆଡ଼କୁ ଆଗେଇ ଆସିଲା ଏବଂ ଆଣ୍ଠୁ ମାଡ଼ି ବସି ପଡ଼ିଲାରୁ ଏକ ସୌମ୍ୟ ଦୀର୍ଘ ଶୁଭ୍ର ମୂର୍ତ୍ତି ଓହ୍ଲାଇ ଆସିଲା–ଶୀର୍ଣ୍ଣ ମୁଖ, ଶୁଭ୍ର କେଶ, ଶ୍ୱେତ ଶ୍ମଶ୍ରୁ, ମୁଣ୍ଡରେ ପଗଡ଼ି, ଦେହରେ ଲମ୍ୱା ଢିଲା ସାଦା ଅଚକନ ଓ ଆବା । ଦୁହେଁ ପରସ୍ପରକୁ ଆଲିଙ୍ଗନ କଲେ । ନବାଗତ ମେଳଶୀ ସଂସ୍କୃତ ଭାଷାରେ କହିଲା–‘‘ଭଗବାନଙ୍କର ପ୍ରକୃତ ସତ୍ୟ ସେବକ, ତୁମର ଶାନ୍ତି ହେଉ ।’’ ବେଲ୍‌ଥାଜାର ମିସରୀ ଭାଷାରେ ଉତ୍ତର ଦେଲା–‘‘ସ୍ୱାଗତ ଭ୍ରାତା ! ସତ୍ୟ ଧର୍ମର ଏକନିଷ୍ଠ ସେବକ ।’’

 

କିଛିକ୍ଷଣ ପରେ ଦକ୍ଷିଣ–ପଶ୍ଚିମ ଦିଗରୁ ଆଉ ଗୋଟିଏ ଓଟ ଆସି ପହଞ୍ଚିଲା । ଅଲିମ୍ପାସରୁ ଆଗତ ତୃତୀୟ ଗ୍ରୀକ ଅତିଥି ଗାସ୍‌ପାର ଓଟରୁ ଓହ୍ଲାଇଲା–ଦୀର୍ଘ ସୁଠାମ ଦେହ, ବରିପୋଲ ଗଛର ରଙ୍ଗ, ତାରୁଣ୍ୟର ଅକ୍ଷୁଣ୍ଣ ଦୀପ୍ତି । ସମସ୍ତେ ନିଜ ନିଜ ଭାଷାରେ କଥା କହିଲେ ଏବଂ ପରସ୍ପରର କଥା ମଧ୍ୟ ବୁଝିପାରିଲେ । ହାତ ଧରାଧରି ହୋଇ ସଦ୍ୟମିଳିତ ତିନି ଅପରିଚିତ ବନ୍ଧୁ ତମ୍ୱୁରେ ପ୍ରବେଶ କଲେ । ମଝିରେ ଭୋଜ୍ୟ ପାନୀୟକୁ ସଜାଇ ରଖି ତିନିହେଁ ଘେରି ବସିଲେ ଏବଂ ଆଖି ମୁଦି ନିଜ ନିଜ ଭାଷାରେ କହିଲେ–‘‘ହେ ଭଗବାନ, ଆଜି ଯାହା କିଛି ଆମ ସାମ୍ନାରେ ରହିଛି, ସେ ସବୁ ତୁମର ଦାନ । ତାହାର ସଦ୍‌ବ୍ୟବହାର କରି ଆମେ ଯେଉଁ ଶକ୍ତି ଲାଭ କରିବୁ, ତାହା ତୁମରି ସେବାରେ ନିୟୋଜିତ ହେଉ ।’’ ଶୁଣିଲା ମେଣ୍ଢା ମାଂସ, ରୋଟି, ଲହୁଣୀ, ଖଜୁରୀ ଡାଳିମ୍ୱ ଓ ମଦ ଭୋଜନ କରି ପରିତୃପ୍ତ ହୋଇ ସେମାନେ ପରସ୍ପରର କାହାଣୀ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କଲେ ।

 

ପ୍ରଥମେ ସର୍ବ କନିଷ୍ଠ ଗାସ୍‌ପାର ଆରମ୍ଭ କଲା–‘‘ଏଥେନ୍‌ସ ନଗରୀରେ ମୋର ଜନ୍ମସ୍ଥାନ । ଆଭିଜାତ ବଂଶରେ ମୋର ଜନ୍ମ । ମୁଁ ବିପୁଳ ସମ୍ପତ୍ତିର ଅଧିକାରୀ । ଗ୍ରୀକ ଜାତି ବହୁ ଦେବ-ଦେବୀର ଉପାସକ ହେଲେ ସୁଦ୍ଧା ଦୁଇଟି ଉତ୍କୃଷ୍ଟ ମତବାଦକୁ ମର୍ଯ୍ୟାଦାର ଆସନରେ ପ୍ରତିଷ୍ଠା କରିବାକୁ ସତତ ବ୍ୟାକୁଳ । ଗୋଟିଏ ହେଉଛି ଆତ୍ମାର ଅସ୍ତିତ୍ୱ, ଅପରଟି ପରମାତ୍ମାର ଅସ୍ତିତ୍ୱ । ପରମ ସତ୍ୟ ପରମାତ୍ମାର ତତ୍ତ୍ୱ-ଅନୁସନ୍ଧାନରେ ମୁଁ ସଂସାର ତ୍ୟାଗ କଲି । ଥେସାଲୀ ପ୍ରଦେଶର ଅଲିମ୍ପାସ ପାହାଡ଼ର ଏକ ନିଭୃତ ଗୁହାରେ ମୁଁ ତପସ୍ୟାରେ ନିରତ ହେଲି । ଦିନେ ମୋ ଗୁହାତଳେ ସମୁଦ୍ରର ଖାଡ଼ିରେ ଜଣେ ମଣିଷ ଭାସୁଥିବାର ଦେଖି, ମୁଁ ପାଣିକୁ ଡେଇଁପଡ଼ି ତାହାକୁ ଧରି କୂଳକୁ ନେଇ ଆସିଲି । ସେହି ଇହୁଦୀ ଲୋକଟି ସୁସ୍ଥ ହୋଇ ମୋତେ ତାହାର ଧର୍ମ ସମ୍ୱନ୍ଧରେ ବହୁତ କଥା କହିଲା । ସାର ମର୍ମ ହେଉଛି, ତାହାର ଧର୍ମଗ୍ରନ୍ଥରେ ଲିଖିତ ଅଛି ଯେ ଇହୁଦୀ ଜାତିର ବାହାରେ ଈଶ୍ୱରଙ୍କର ଅନୁଗୃହୀତ ଲୋକ କେହି ନାହିଁ, ଅଥାତ୍‌ ଏକମାତ୍ର ଇହୁଦୀମାନେହିଁ ଈଶ୍ୱରଙ୍କ କୃପାର ଅଧିକାରୀ । କିନ୍ତୁ ମୁଁ ସେ କଥା କୌଣସିମତେ ବିଶ୍ୱାସ କରିପାରିଲି ନାହିଁ । ଇହୁଦୀ ଜଣକ ବିଦାୟ ନେଲା । ମୁଁ ଦୁଇ ଗୁଣ ନିଷ୍ଠାର ତପସ୍ୟା କରିବାକୁ ଲାଗିଲି । ଦିନେ ଗଭୀର ନିଶୀଥରେ ସହସା ମୋର ଧ୍ୟାନ ଭାଙ୍ଗିଗଲା । ଆଖି ଖୋଲି ଆକାଶ ଆଡ଼କୁ ଅନାଇଲି । ମୋତେ ମାଲୁମ ହେଲା, ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଆକାଶରୁ ପୃଥିବୀ ଆଡ଼କୁ ଓହ୍ଲାଇ ଆସୁଛି । ଅବଶେଷରେ ନକ୍ଷତ୍ରଟି ଆସି ଗିରିଶୃଙ୍ଗ ଉପରେ ରହିଲା । ମୁଁ ବିସ୍ମୟରେ ତାହା ଆଡ଼କୁ ଅନାଇ ରହିଲି । ଏତିକିବେଳେ ତାହା ଭିତରୁ ଗୋଟାଏ ମଧୁର ଗମ୍ଭୀର ସ୍ୱର ଶୁଭିଲା–‘ଉଠ, ଗାସ୍‌ପାର ! ମୁଁ ତୁମର ପ୍ରାର୍ଥନା ଶୁଣିଛି । ବହୁ ଦେବଦେବୀ ପ୍ରପୀଡ଼ିତ ପୃଥିବୀରେ ଏକେଶ୍ୱରର ମହିମା ବିଘୋଷିତ କରିବା ନିମନ୍ତେ ମୁଁ ମୋ ପୁଅକୁ ପଠାଇଛି । ଏହି ନକ୍ଷତ୍ରର ଗତି ଲକ୍ଷ୍ୟ କରି ତୁମେ ତାହାର ସନ୍ଧାନରେ ଯାତ୍ରା କର । ପୃଥିବୀର ସୁଦୂରତମ ଦୁଇ ଅଂଶରୁ ତୁମ ପରି ଆଉ ଦୁଇ ଜଣ ସତ୍ୟାନ୍ୱେଷୀ ଆସି ଆରବର ମରୁଭୂମିରେ ପ୍ରତୀକ୍ଷା କରିବେ । ତୁମେ ସେମାନଙ୍କ ସହିତ ମିଳିତ ହେବ । ତା’ପରେ ତିନିହେଁ ଏକାଠି ଅବିରାମ ଯାତ୍ରା କରିବ ନବଜାତ ଇହୁଦୀ ରାଜାଙ୍କର ସାକ୍ଷାତ ନ ପାଇବା ପର୍ଯ୍ୟନ୍ତ-। ତାଙ୍କର ସାକ୍ଷାତ ମିଳିଲେ, ତୁମ୍ଭେମାନେ ତାହାଙ୍କୁ ପୂଜା କରିବ ଏବଂ ପ୍ରଚାର କରିବ ଯେ ସେ ହେଉଛନ୍ତି ଭଗବାନଙ୍କର ପୁତ୍ର ।’’

 

ଏଥର ମେଳଶ୍ରୀ ନିଜର କାହାଣୀ କହିବାକୁ ଲାଗିଲା–‘‘ଭାରତବର୍ଷର ଏକ ପ୍ରାଚୀନ ଜନପଦରେ ମୋର ଜନ୍ମ । ସେଠାରେ ବହୁ ଦେବଦେବୀର ପୂଜା ପ୍ରଚଳିତ ଥିଲେ ସୁଦ୍ଧା ଏକମାତ୍ର ଅଦ୍ୱୈତ ଭଗବାନଙ୍କ ସମ୍ୱନ୍ଧରେ ଭାରତୀୟମାନେ ଚିରଦିନ ସଚେତନ । ସେହି ତତ୍ତ୍ୱ ଅନ୍ଧକାରରେ ବିଲୁପ୍ତ ହୋଇଯାଇ ଥିବାରୁ, ମୁଁ ତାହାକୁ ବିସ୍ମୃତିର ଗର୍ଭରୁ ଉଦ୍ଧାର କରି ଲୋକସମାଜରେ ପ୍ରଚାର କରିବାକୁ ଲାଗିଲି । ମୋର ପ୍ରଚାର ଶୁଣି ଅନେକେ ମୋତେ ପୀଡ଼ନ କଲାରୁ, ମୁଁ ନିଜ ସ୍ଥାନରୁ ପଳାଇ ଯାଇ ଗଙ୍ଗାସାଗର ତୀର୍ଥରେ କପିଳାଶ୍ରମରେ ବସତି ସ୍ଥାପନ କଲି । ମାତ୍ର ମୋର ମତବାଦ ଶୁଣି ସେଠାକାର ସନ୍ନ୍ୟାସୀମାନେ ମୋତେ ଖେଦିବାରୁ, ମୁଁ ଶେଷରେ ମାନସ ସରୋବରର କୂଳରେ ଯାଇ ଉପସ୍ଥିତ ହେଲି । ସେଠାରେ କୈଳାସ ଗିରିର ଗୋଟିଏ ଗୁହାରେ ତପସ୍ୟା କଲି । ବହୁବର୍ଷ କଟିଗଲା । ଦିନେ ସହସା ଭ୍ରାତା ଗାସ୍‌ପାରଙ୍କ ପରି ମୋର ନୈଶ ଧ୍ୟାନ ଭାଙ୍ଗିଗଲା । ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ହ୍ରଦ ଭିତରୁ ବାହାରି ଆକାଶରେ ଆରୋହଣ କରିବାକୁ ଲାଗିଲା । ତାହାରି ଭିତରୁ ଦୈବବାଣୀ ଶୁଭିଲା–‘ବହୁ ଦେବଦେବୀ ପ୍ରପୀଡ଼ିତ ପୃଥିବୀରେ ଏକେଶ୍ୱର ମହିମା ପ୍ରଚାର କରିବା ନିମନ୍ତେ ମୁଁ ମୋ ପୁତ୍ରକୁ ପୃଥିବୀକୁ ପଠାଇଛି । ଏହି ନକ୍ଷତ୍ରର ଗତି ଲକ୍ଷ୍ୟ କରି ତୁମେ ତାହାରି ସନ୍ଧାନରେ ଯାତ୍ରା କର । ପାଥେୟସ୍ୱରୂପ ହ୍ରଦ କୂଳରୁ କିଛି ମଣି ମୁକ୍ତା ସଂଗ୍ରହକରି, ମୁଁ ହରିଦ୍ୱାର ବାଟେ ପଞ୍ଚନଦ, ଗାନ୍ଧାର, ଇରାନ ହୋଇ ନିରାପଦରେ ଆସି ଆରବର ମରୁଭୂମିରେ ପହଞ୍ଚିଛି । ବର୍ତ୍ତମାନ ତୁମ୍ଭମାନଙ୍କର ଦର୍ଶନ ମିଳିବାରୁ, ଆଶା କରୁଛି ଯେ ଅଳ୍ପ ଦିନ ଭିତରେ ନବ ଜାତ ଇହୁଦୀ ରାଜାଙ୍କର ଦର୍ଶନ ଆମେ ନିଶ୍ଚୟ ପାଇବା ।’’

 

ତା’ପରେ ବେଲଥାଜାର ନିଜର କାହାଣୀ ଶୁଣାଇଲା–‘‘ମୁଁ ହେଉଛି ମିଶରବାସୀ । ସୁପ୍ରାଚୀନ ଫାରାଓ ବଂଶର ଜଣେ ବଂଶଧର । ଦେଶରେ ବହୁ ଦେବାଦେବୀଙ୍କର ପୂଜା ପ୍ରଚଳିତ ଥିବାରୁ, ମୁଁ ଯାଜକ ବୃତ୍ତି ଗ୍ରହଣ କଲି ଏବଂ ଧର୍ମ ସଂସ୍କାରରେ ବ୍ରତୀ ହେଲି । ମୋ ତୁଣ୍ଡରୁ ଦେବାଦେବୀଙ୍କର ନିନ୍ଦା ଶୁଣି ଅନେକେ ରୁଷ୍ଟ ହେଲେ । ସୁତରାଂ ମୁଁ ମନସ୍ଥ କଲି ଯେ ଧ୍ୟାନମଗ୍ନ ହୋଇ ମୋର ସାମାନ୍ୟ ଇଚ୍ଛା ଶକ୍ତିଦ୍ୱାରା ମୁଁ ଆଜୀବନ ଈଶ୍ୱରଙ୍କୁ ଆବାହନ କରୁଥିବି । ତେଣୁ ମୁଁ ଲୋକାଳୟ ତ୍ୟାଗ କରି ନୀଳ ନଦୀର ଉତ୍ସରେ ଯାଇ ପହଞ୍ଚିଲି । ଯେଉଁଠି ଏକ ନୀଳ ବର୍ଣ୍ଣ ମହାଗିରିତଳେ ଏକ ବିସ୍ତୃତ ନୀଳ ଜଳର ହ୍ରଦ ନୀଳକାଶ ଆଡ଼କୁ ଅନାଇ ନିରାକାର ଈଶ୍ୱରଙ୍କୁ ଆରାଧନା କରୁଛି, ମୁଁ ସେଠାରେ ମୋ ତପସ୍ୟାର ଆସନ ପାତିଲି । କଠୋର ତପସ୍ୟାରେ ଦୀର୍ଘ ଯୁଗ ବିତିଗଲା । ଅବଶେଷରେ ଏକ ଗଭୀର ନିଶୀଥରେ ହ୍ରଦର ଜଳରେ ଏକ ପବିତ୍ର ନକ୍ଷତ୍ରର ଆବିର୍ଭାବ ହେଲା । ସେହି ଉଜ୍ଜ୍ୱଳ ନକ୍ଷତ୍ର ଭିତରୁ ଏକ ଗମ୍ଭୀର ମଧୁର ଦୈବବାଣୀ ଶୁଭିଲା ‘ଏହି ନକ୍ଷତ୍ରକୁ ଅନୁସରଣ କରି ଅଗ୍ରସର ହୁଅ । ନବଜାତ ଇହୁଦୀ ରାଜାଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଆଉ ଦୁଇ ଜଣ ସତ୍ୟାନ୍ୱେଷୀ ପୃଥିବୀର ବିଭିନ୍ନ କୋଣରୁ ଆସି ଆରବ ମରୁଭୂମିରେ ତୁମ ସହିତ ମିଳିତ ହେବେ । ସେହି ନବଜାତକ ମୋର ପ୍ରିୟ ପୁତ୍ର । ସେହି ମେସାୟା, ଖ୍ରୀଷ୍ଟ, ଆଉ ପ୍ରତିଶ୍ରୁତ ମାନବ ତନୟ । ସଂସାରରୁ ଅଜ୍ଞାନ, ଅନ୍ଧକାର ଦୂର କରି ସେ ସେଠାରେ ଏକେଶ୍ୱର ମହିମା ପ୍ରଚାର କରିବ ।’’

 

ଦୀର୍ଘ ପଥ ଅତିକ୍ରମ କରି ବେଲଥାଜାର, ମେଳଶ୍ରୀ ଓ ଗାସ୍‌ପାର ଜେରୁଜେଲମରେ ପହଞ୍ଚିଲେ । ନଗରବାସୀଙ୍କ ଭିତରୁ କେହି ସେମାନଙ୍କୁ ନବଜାତ ଇହୁଦୀ ରାଜାଙ୍କ ବିଷୟରେ କିଛି କହିପାରିଲେ ନାହିଁ । ସନ୍ଧ୍ୟା ହେବାରୁ ସେମାନେ ପାନ୍ଥଶାଳାରେ ଆଶ୍ରୟ ନେଲେ । ରାତିରେ ରାଜା ହେରଡ଼ଙ୍କର ଦୂତ ଯାଇ ସେମାନଙ୍କୁ ଡାକି ଆଣିଲା । ରାଜା ପଚାରିଲେ–‘‘ଆପଣମାନେ କିପରି ନବଜାତ ଇହୁଦୀ ରାଜାର ସନ୍ଧାନ ପାଇଲେ ?’’

 

ତହୁଁ ତିନି ଜ୍ଞାନୀ ଜଣ ଜଣ କରି ନିଜର କାହାଣୀ ବର୍ଣ୍ଣନା କଲେ । ରାଜା ବହୁ କ୍ଷଣ ଚିନ୍ତା କରି କହିଲେ–‘‘ମୋର ଯାଜକମାନେ କହିଛନ୍ତି, ମେସାୟା ବେଥଲିହେମରେ ଜନ୍ମ ଗ୍ରହଣ କରିବେ । ଆପଣମାନେ ସେଠାକୁ ଯାଆନ୍ତୁ । ଯଦି ତାହାଙ୍କୁ ପାଆନ୍ତି, ମୋ ଠାକୁ ନେଇ ଆସନ୍ତୁ । ମୁଁ ଅପୁତ୍ରକ । ତାହାଙ୍କୁ ମୁଁ ନିଜର ପୁଅ ପରି ଲାଳନପାଳନ କରିବି ।’’

 

ସେହି ରାତିରେ ତିନି ଜ୍ଞାନୀ ପୁରୁଷ ପୁଣି ଓଟ ସଜାଇ ବାହାରି ପଡ଼ିଲେ । ଆକାଶରେ ପବିତ୍ର ଉଜ୍ଜ୍ୱଳ ନକ୍ଷତ୍ରଟି ସେମାନଙ୍କୁ ପଥ ଦେଖାଇ ନେଇଗଲା । ଦୀର୍ଘ ପଥ ଅତିକ୍ରମ କରି ସେମାନେ ବେଥଲିହେମରେ ଉପସ୍ଥିତ ହେଲେ । ପାନ୍ଥଶାଳା ପଛରେ ଗୋଟିଏ ସୁପ୍ରାଚୀନ ଘୋଡ଼ାଶାଳ ଭିତରେ ଏଗାର ଦିନର ଶିଶୁ ପ୍ରତିଶ୍ରୁତ ମେସାୟାଙ୍କୁ କୁମାରୀ ମାତା ମେରୀଙ୍କ କୋଳରେ ଶୋଇଥିବାର ସେମାନେ ଦେଖିପାରିଲେ । ତତ୍‌କ୍ଷଣାତ୍‌ ସେମାନେ ସେହି ପରମାତ୍ମାଙ୍କୁ ପୂଜା ନିବେଦନ କଲେ ।

 

(୨)

 

ଯୀଶୁଙ୍କ ଜନ୍ମର ବର୍ଷକ ପରେ ରାଜା ହେରଡ଼ଙ୍କର ଦେହାନ୍ତ ହେଲା । ତା’ପରେ ଦୀର୍ଘ ଦିନ ଚାଲିଲା ଜୁଡ଼ିୟା ଦେଶରେ ବିପ୍ଳବ । ରୋମ ସମ୍ରାଟଙ୍କ ଆଦେଶରେ ରାଜାଙ୍କ ବଂଶଧରମାନେ ନିର୍ବାସିତ ହେଲେ । ବର୍ତ୍ତମାନ ଜୁଡ଼ିୟା ରୋମ ସାମ୍ରାଜ୍ୟର ଏକ ପ୍ରଦେଶ । ସିରିୟାର ରାଜ୍ୟପାଳଙ୍କର ଜଣେ ପ୍ରତିନିଧି ଉପଶାସକ ଭାବରେ ଜେରୁଜେଲମରେ ଅବସ୍ଥାନ କରୁଥିଲା ।

 

ଜେରୁଜେଲମର ଅଧିବାସୀ ଜୁଡ଼ାସର ବୟସ ସତରବର୍ଷ । ତାହାର ବାପା ଥିଲେ ବେନହୁର ବଂଶୀୟ ଇଫେମାର, ସମଗ୍ର ଇହୁଦୀ ଜାତି ଭିତରେ ସର୍ବାଧିକ ସମ୍ମାନିତ ବ୍ୟକ୍ତି । ସେ ରାଜା ହେରଡ଼ଙ୍କର ବିଶେଷ ପ୍ରିୟ ପାତ୍ର ଥିଲେ ଏବଂ ରୋମ ସମ୍ରାଟଙ୍କର ଶ୍ରଦ୍ଧା ଲାଭ କରିଥିଲେ । ମାତ୍ର ଅଳ୍ପ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଜୁଡ଼ାସ ଅତି ସାନ ଥିଲା ।

 

ଦିନେ ସକାଳେ ଜୁଡ଼ାସ ଓ ତାହାର ସୁନ୍ଦରୀ ଭଉଣୀ ତିର୍ଜା ଛାତ ଉପରେ ପଦଚାରଣ କରୁଥିଲେ । ହଠାତ୍‌ ରାଜପଥରେ ବିଶାଳ ଜନତା ଉପରେ ନଜର ପଡ଼ନ୍ତେ, ଜୁଡ଼ାସ ବୁଝିପାରିଲା ଯେ ଆଜି ରୋମର ଉପଶାସକ ଗ୍ରେଟାସ ଜେରୁଜେଲମରେ ପ୍ରବେଶ କରିବ । ଜନତା ତାହାକୁ ଦେଖିବା ଲାଗି ଠୁଳ ହୋଇଥିଲା ।

 

କିଛିକ୍ଷଣ ପରେ ଦଳେ ରୋମ ସୈନ୍ୟ ଅଗ୍ରସର ହେବାର ଦେଖାଗଲା । ତା’ପରେ ସ୍ୱୟଂ ଗ୍ରାଟାସ ଘୋଡ଼ାରେ ଚଢ଼ି ଆସିଲା । ତାହା ପଛରେ ଆଉ ଦଳେ ସୈନ୍ୟ । ଇହୁଦୀ ଜନତା ଏହି ସୈନ୍ୟମାନଙ୍କୁ ଦେଖି ବିରକ୍ତ ହେଲା ।

 

ଗ୍ରେଟାସ ଘୋଡ଼ାରେ ଚଢ଼ି ବେନହୁର ପ୍ରାସାଦ ପାଖ ଦେଇ ଯିବାବେଳେ ହଠାତ୍‌ ଛାତରୁ ଖଣ୍ଡିଏ ଭାରୀ ଟାଇଲ ତାହାର ମୁଣ୍ଡ ଉପରେ ଖସି ପଡ଼ିଲା । ସଙ୍ଗେ ସଙ୍ଗେ ସେ ଅଜ୍ଞାତ ହୋଇ ରକ୍ତାକ୍ତ ଦେହରେ ଘୋଡ଼ାର ପିଠିରୁ ତଳେ ଖସି ପଡ଼ିଲା । ଜନତା ସ୍ତମ୍ଭିତ ହୋଇ ଦେଖିଲା, ବେନହୁର–ରାଜପୁତ୍ର ଜୁଡ଼ାସ ଛାତ ଉପରେ ଛିଡ଼ା ହୋଇଛି । ରୋମାନ ସୈନ୍ୟ ବାହିନୀ ଜନତାକୁ ଆକ୍ରମଣ କଲା, ଜୁଡ଼ାସକୁ ବାନ୍ଧି ନେଇଗଲା ଏବଂ ତିର୍ଜାକୁ ପ୍ରାସାଦରୁ ବାହାର କରିଦେଲା । ତା’ପରେ କେତେ ଜଣ ରାଜକର୍ମଚାରୀ ପ୍ରାସାଦର ରୁଦ୍ଧ ଦ୍ୱାର ଉପରେ ଲେଖିଦେଲେ–‘‘ସମ୍ରାଟଙ୍କ ସମ୍ପତ୍ତି ।’’

 

ଦୁଇ ଦିନ ପରେ ବେଥଲିହେମର ଅନତି ଦୂରରେ ଜୋସେଫ ନାମକ ଜଣେ ବୟସ୍କ ସୂତ୍ରଧର ହାତରେ ଗୋଟିଏ ଥଳିରେ ନିଜର ଯନ୍ତ୍ରପାତି ଧରି କାମକୁ ଯାଉଥିଲା । ତାହା ପଛରେ ପିଲାଟିଏ ଖାଦ୍ୟର ଝୁଡ଼ି ଓ ପାଣି ମାଠିଆ ନେଇ ଚାଲିଥିଲା ।

 

ସାମ୍ନା ଆଡ଼ୁ ଦଶ ଜଣ ରୋମାନ ସୈନ୍ୟ ଜଣେ ଯୁବକ ବନ୍ଦୀକୁ ନେଇ ଆସିଲେ ଏବଂ ଶ୍ରାନ୍ତ ହୋଇ ଖଣ୍ଡିଏ ବଡ଼ ପଥର କତିରେ ବସି ପଡ଼ିଲେ । ଘୋଡ଼ାର ପିଠିରୁ ଖାଦ୍ୟ ପାନୀୟ ବାହାର କରି ସେମାନେ ଖାଇବାକୁ ଲାଗିଲେ, ମାତ୍ର ବନ୍ଦୀ ଆଡ଼କୁ ଟିକିଏ ଅନାଇଲେ ନାହିଁ ।

 

ଜୋସେଫ ଆଗେଇ ଯାଇ ସୈନ୍ୟମାନଙ୍କର ନାୟକକୁ ପଚାରିଲା–‘‘ବନ୍ଦୀଟି ଜଣେ ଯୁବକ ପରି ମାଲୁମ ହେଉଛି, ସେ କି ଦୋଷ କରିଛି ?’’

 

ଜବାବ ମିଳିଲା–‘‘ପହରି ଦିନ ଜେରୁଜେଲମର ରାଜପଥରେ ଶାସକ ଗ୍ରେଟାସ ଗଲାବେଳେ ଏହି ଇହୁଦୀ ଯୁବକ ନିଜ ଛାତରୁ ତାହାଙ୍କ ଉପରକୁ ଖଣ୍ଡିଏ ଟାଇଲ ଫିଙ୍ଗିଥିଲା । ସେ ଅବଶ୍ୟ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଗଲେ । ଏହି ଯୁବକ ହେଉଛି ଇଫେମାର ବେନହୁରଙ୍କର ପୁଅ ।’’

 

‘‘ତାହା ହେଲେ ଗ୍ରେଟାସ ତ ମରି ନାହାନ୍ତି । ଏ କି ଦଣ୍ଡ ପାଇଲା ?’’

 

‘‘ସାରା ଜୀବନ ଜାହାଜର ଆହୁଲା ଭିଡ଼ିବ ।’’

 

ଜୋସେଫ ଚଞ୍ଚଳତା ପ୍ରକାଶ ନ କରି ବ୍ୟାକୁଳ କଣ୍ଠରେ କହିଲା–‘‘ଭଗବାନ ବିଚରାକୁ ଦୟା କରନ୍ତୁ ।’’

 

ପିଲାଟି ଜୋସେଫର ପଛରେ ଠିଆ ହୋଇଥିଲା । ସେ ହଠାତ୍‌ ନୀରବରେ ବନ୍ଦୀ ପାଖକୁ ଆଗେଇ ଯାଇ ପାଣି ମାଠିଆଟା ତାହାର ମୁହଁ ପାଖରେ ଦେଖାଇଲା । ଜୁଡ଼ାସ ପେଟ ଭରି ଅମୃତ ନୀର ପାନ କଲା । ଜଳପାନ ପରେ ବାଳକ ଯୀଶୁ ଜୁଡ଼ାସର ମୁଣ୍ଡର ବାଳ ଭିତରେ ନିଜର ଡାହାଣ ହାତର ଆଙ୍ଗୁଳିଗୁଡ଼ିକ କିଛି ସମୟ ବୁଲାଇଲେ । ତହୁଁ ଜୁଡ଼ାସ ଏପ ପରମ ଆଶୀର୍ବାଦ ଲାଭ କଲା ।

 

ତା’ପରେ ସୈନିକମାନେ ବନ୍ଦୀକୁ ନେଇ ପ୍ରସ୍ଥାନ କଲେ । ଜୋସେଫର ପଛେ ପଛେ ବାଳକ ଯୀଶୁ ମଧ୍ୟ ଗନ୍ତବ୍ୟ ପଥରେ ଚାଲିଲେ ।

 

ଏହି ସମୟରେ ଆଦ୍ରିୟାତିକ ସାଗରରେ ଜଳଦସ୍ୟୁଙ୍କର ଉତ୍ପାତ ହଠାତ୍‌ ବହୁ ଗୁଣ ବଢ଼ିଗଲା । ଭୂମଧ୍ୟ ସାଗରରୁ ସେମାନଙ୍କୁ ସମୂଳେ ଉଚ୍ଛେଦ କରିବା ନିମନ୍ତେ ରୋମର ସମ୍ରାଟ ଆଦେଶ ଦେଲେ । ଶତାଧିକ ବଛା ବଛା ଜାହାଜକୁ ଏକାଠି କରି ଏକ ବିରାଟ ନୌବାହିନୀ ଗଠିତ ହେଲା । ସୁଦକ୍ଷ ନୌଯୋଦ୍ଧା କୁଇଣ୍ଟାସ ଏରିୟାସ ସେନାପତି ପଦରେ ନିଯୁକ୍ତ ହେଲେ । ପ୍ରଥମ ଶ୍ରେଣୀର ରୋମାନ ଯୁଦ୍ଧ ଜାହାଜ ଏସ୍ତ୍ରିୟାର ଦାୟିତ୍ୱରେ ରହିଲେ ନିଜେ ସେନାପତି । ଏଥିରେ ଶହେ କୋଡ଼ିଏଟି ଆହୁଲା ଥିଲା । ଜାହାଜର ଦୁଇ ପଟେ ଷାଠିଏ ଜଣ ଲେଖାଏଁ ବନ୍ଦୀ ଲମ୍ୱା କାଠ ବେଞ୍ଚ ଉପରେ ବସି ଆହୁଲା ଭିଡ଼ୁଥିଲେ । ସେମାନଙ୍କର ଦେହ ଲୌହ ଶୃଙ୍ଖଳରେ ଆବଦ୍ଧ ହୋଇଥିଲା । ଏହି ନାବିକ ଦଳରେ ପ୍ରାୟ ସବୁ ଦେଶର ବନ୍ଦୀ ଥିଲେ । ସେମାନଙ୍କର କାମ ଥିଲା ଖାଲି ଜୀବନ୍ତ ଯନ୍ତ୍ର ପରି ଆହୁଲା ଭିଡ଼ିବା, ଖାଇବା ଏବଂ ଅବସର ସମୟରେ ବିଶ୍ରାମ କରିବା । କାହା ସହିତ କଥାବାର୍ତ୍ତା ହେବା ନିଷେଧ । ଏରିୟାସ ଜାହାଜର ଉପର ତାଲାରେ ନିଜର କକ୍ଷରେ ବସି ସମସ୍ତଙ୍କ ଉପରେ ଲକ୍ଷ୍ୟ ରଖୁଥିଲେ । ଦିନେ ଷାଠିଏ ନମ୍ୱର ବନ୍ଦୀ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ସେ ତାହାର ପରିଚୟ ଶୁଣି ସ୍ତମ୍ଭିତ ହେଲେ । କାରଣ ସେ ବନ୍ଦୀର ବାପା ଇଫେମାର ବେନହୁରଙ୍କୁ ରୋମରେ ଜୁଡ଼ିୟାର ରାଷ୍ଟ୍ରଦୂତରୂପେ ଖୁବ୍‌ ଭଲଭାବରେ ଜାଣିଥିଲେ । ସେ ଜୁଡ଼ାସକୁ ପଚାରିଲେ–‘‘କି ଅପରାଧରେ ତୁମକୁ ଏମିତି କଠୋର ଦଣ୍ଡ ଦିଆଗଲା ?’’

 

ଜୁଡ଼ାସ ସବୁ କଥା ଖୋଲି କହିଲା । ବିନା ବିଚାରରେ ଗୋଟିଏ ଆଭିଜାତ ବଂଶକୁ କିପରି ଏକାବେଳେ ଧ୍ୱଂସ ମୁଖରେ ନିକ୍ଷେପ କରାଗଲା, ତାହା ଶୁଣି ଏରିୟାସ ଶିହରି ଉଠିଲେ ଏବଂ ଜୁଡ଼ାସକୁ ପଚାରିଲେ–‘‘ବିଚାର ହେଲେ ତୁମେ ନିଜର ନିର୍ଦୋଷିତା ପ୍ରମାଣ କରିପାରିବ ?’’

 

‘‘କାହିଁକି ପାରିବି ନାହିଁ ? ଆପଣ ବିଚାର କରନ୍ତୁ । ମୋର ଗ୍ରେଟାସଙ୍କୁ ହତ୍ୟା କରିବାରେ କି କାରଣ ଥାଇପାରେ ? ମୁଁ ତାହାଙ୍କୁ କେବେ ଦେଖି ନାହିଁ, କି ତାହାଙ୍କ ସହିତ ମୋର କିଛି ଶତ୍ରୁତା ନାହିଁ । ତାହାଛଡ଼ା ସମ୍ରାଟଙ୍କ ପ୍ରତି ମୋର ପିତା ଅନୁରକ୍ତ ଥିଲେ, ମୁଁ ମଧ୍ୟ । ସୈନ୍ୟମାନଙ୍କ ମଝିରେ ଗ୍ରେଟାସଙ୍କୁ ହତ୍ୟା କରିବାକୁ ଗଲେ ମୃତ୍ୟୁ ସୁନିଶ୍ଚିତ ଜାଣି ଓ ରାଜବଂଶର ଜଣେ ସନ୍ତାନ ହୋଇ ସୁଦ୍ଧା, ହଠାତ୍‌ ପାଗଳଙ୍କ ପରି ଏପରି ଏକ ଅପକର୍ମ କରିବା କ’ଣ ମୋ ପକ୍ଷରେ କେବେ ସମ୍ଭବ ? ଛାତ ଉପରେ କାର୍ନିସକୁ ଆଉଜି ମୁଁ ରାଜପଥର ଶୋଭାଯାତ୍ରା ଦେଖୁଥିଲାବେଳେ ଅଚାନକ ମୋ ହାତର ଚାପାରେ ଖଣ୍ଡିଏ ଟାଇଲ ବାହାରି ଯାଇ ଗ୍ରେଟାସଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା । ଏଟା ଗୋଟାଏ ଆକସ୍ମିକ ଦର୍ଘଟଣା । କିନ୍ତୁ ଏହି ଅପରାଧରେ ବିନା ବିଚାରରେ ମୁଁ ଆଜୀବନ ଜାହାଜର ଆହୁଲା ଭିଡ଼ା ବେଞ୍ଚରେ ଶୃଙ୍ଖଳିତ ହୋଇଛି, ଆଉ ମୋର ମାଆ ଓ ଭଉଣୀ ମଧ୍ୟ ବିନା ବିଚାରରେ ଗୃହରୁ ବିତାଡ଼ିତ ହୋଇଛନ୍ତି । ମୋ କପାଳରେ ଯାହା ଅଛି, ମୁଁ ତାହା ଭୋଗିବି । ମାତ୍ର ଆପଣ ମୋର ନିରପରାଧିନୀ ମାଆ ଓ ଭଉଣୀଙ୍କର ଟିକିଏ ସନ୍ଧାନ ନିଅନ୍ତୁ । ଭଗବାନ ଆପଣଙ୍କୁ ଆଶୀର୍ବାଦ କରିବେ । ଆପଣ ଟିକିଏ ସଦୟ ହୁଅନ୍ତୁ ମୋ ମାଆ ଓ ଭଉଣୀଙ୍କ ପ୍ରତି, ମୋ ପ୍ରତି ନୁହେଁ ।’’

 

ଏରିୟାସ ଲଜ୍ଜାରେ ମୁଣ୍ଡ ନୁଆଁଇଲେ । ସେ ମନେ ମନେ ଭାବିଲେ, ଯଦି ସମସ୍ତେ ଏପରି ଭାବରେ ରୋମର ସୁବିଚାର ଉପରୁ ଆସ୍ଥା ହରାନ୍ତି ତାହା ହେଲେ ବିଶାଳ ସାମ୍ରାଜ୍ୟର ସମୃଦ୍ଧି ଆଉ କେତେ ଦିନ ବଜାୟ ରହିବ ?

 

ତିନି ଦିନ କଟିଗଲା । ଆସନ୍ନ ନୌଯୁଦ୍ଧ ସମ୍ୱନ୍ଧରେ ଏରିୟାସ ଏତେ ବ୍ୟସ୍ତ ଥିଲେ ଯେ ସେ ଜୁଡ଼ାସର କଥା ଭାବିବାକୁ ଆଦୌ ସମୟ ପାଇଲେ ନାହିଁ । ଜଳଦସ୍ୟୁର ନୌବହର ଆଗେଇ ଆସୁଥିଲା । ଏରିୟାସ ଶତ୍ରୁକୁ ଆକ୍ରମଣ କରିବା ନିମନ୍ତେ ନିଜର ସୈନ୍ୟ ବାହିନୀକୁ ଆଦେଶ ଦେଲେ । ସେନାପତି ଏରିୟାସ ଏସ୍ତ୍ରିୟା ଜାହାଜରେ ଥିବାର ଖବର ପାଇ ଦୁଇ ଦିଗରୁ ଦୁଇଟି ଶତ୍ରୁ ପକ୍ଷର ଜାହାଜ ଆସି ହଠାତ୍‌ ଏସ୍ତ୍ରିୟାକୁ ଘେରାଉ କଲା । ହାତାହାତି ପ୍ରଚଣ୍ଡ ଲଢ଼େଇ ଚାଲିଲା । ଶତ୍ରୁ ପକ୍ଷ ବନ୍ଦୀ ନାଉରିମାନଙ୍କୁ ଶୃଙ୍ଖଳମୁକ୍ତ କରିଦେବାରୁ, ସେମାନେ ଜଳଦସ୍ୟୁମାନଙ୍କ ସହିତ ଯୋଗ ଦେଲେ । ଏକମାତ୍ର ଜୁଡ଼ାସକୁ ଉଦାସୀନ ରହିବାର ଦେଖି, ଦସ୍ୟୁମାନେ କ୍ରୁଦ୍ଧ ହୋଇ ତାହାକୁ ଆକ୍ରମଣ କରିବାକୁ ସେ ସମୁଦ୍ରକୁ ଡେଇଁ ପଡ଼ିଲା । ବହୁ ସମୟ ଏଣେତେଣେ ପହଁରି ପହଁରି ଶେଷରେ ସେ ଖଣ୍ଡିଏ ଭାସମାନ ତକ୍ତାକୁ ଆଶ୍ରୟ କରି ରହିଲା । ତକ୍ତାଟିକୁ ଭସାଇ ନେଉଥିଲାବେଳେ ସାମ୍ନାରେ ଜଣେ ଅଚେତନ ଲୋକକୁ ଜଳରେ ବୁଡ଼ି ଯାଉଥିବାର ଦେଖି ସେ କୌଣସିମତେ ତାହାକୁ ତକ୍ତା ଉପରକୁ ଟାଣି ଆଣିଲା ଏବଂ ଦେଖି ଚମକି ପଡ଼ିଲା ଯେ ସେହି ମୁର୍ମୂର୍ଷୂ ବ୍ୟକ୍ତି ଜଣକ ହେଉଛନ୍ତି ସ୍ୱୟଂ ରୋମାନ ସେନାପତି କୁଇଣ୍ଟାସ ଏରିୟାସ ।

 

(୩)

 

ପାଞ୍ଚବର୍ଷ ପରେ ।

ଏକ ରୌଦ୍ରୋଜ୍ଜ୍ୱଳ ପ୍ରଭାବରେ ଅରନ୍ତିସ ନଦୀର ମୁହାଣରେ ଗୋଟିଏ ବାଣିଜ୍ୟ ଜାହାଜ ଦେଖାଗଲା । ଜାହାଜଟି ରୋମରୁ ସିରିୟାର ପ୍ରଧାନ ସୁଦୃଶ୍ୟ ନଗରୀ ଆଣ୍ଟିୟକ ଅଭିମୁଖେ ଯାଉଥିଲା । ଆଣ୍ଟିୟକ ମୁହାଣର ଅନତି ଦୂରରେ ଅବସ୍ଥିତ । ଅରୋହୀମାନଙ୍କ ଭିତରେ ସୁଦର୍ଶନ ଇହୁଦୀ ଯୁବକ ଜୁଡ଼ାସ ମାସ୍ତୁଲକୁ ଧରି ଅଳସ ଭଙ୍ଗୀମାରେ ଠିଆ ହୋଇ ଉପକୂଳକୁ ଅନାଇଥିଲା–ଆଜାନୁଲମ୍ୱିତ ବାହୁ, ରୋମାନ ବେଶଭୂଷା ।

ସାମ୍ନାରେ ଆଉ ଦୁଇଟି ବାଣିଜ୍ୟ ଜାହାଜ ବିପରୀତ ଦିଗରୁ ଆସିଲେ । ପରସ୍ପରର ପାଖ ଦେଇ ଗଲାବେଳେ କିଛିକ୍ଷଣ ପାଇଁ ଉଭୟ ଜାହାଜରୁ ହଳଦିଆ ପତାକା ଉତ୍ତୋଳିତ ହେଲା । ତା’ପରେ ଗୋଟିଏ ଜାହାଜ ମୁହାଣ ଭିତରକୁ ଚାଲିଗଲା ଏବଂ ଅନ୍ୟଟି ଦ୍ରୁତ ଗତିରେ ସମୁଦ୍ର ଆଡ଼କୁ ।

ହଳଦିଆ ପତାକାର ପ୍ରଦର୍ଶନ ସମ୍ୱନ୍ଧରେ ଯାତ୍ରୀମାନଙ୍କ ମନରେ କୌତୂହଳ ଜାତ ହେଲା । ଜଣେ ମଧ୍ୟ ବୟସ୍କ ଇହୁଦୀ ପତାକାର ତାତ୍ପର୍ଯ୍ୟ ବୁଝାଇଲା–‘‘ଆଣ୍ଟିୟକ ନଗରୀରେ ସାଇମନାଇଦିସ ନାମକ ଜଣେ ବଣିକ ଅଛନ୍ତି । ସେ ପୃଥିବୀରେ ଅନ୍ୟତମ ଶ୍ରେଷ୍ଠ ଧନୀ ବ୍ୟକ୍ତି । ତାଙ୍କର ବହୁତ ଜାହାଜ ବାଣିଜ୍ୟ ଉଦ୍ଦେଶ୍ୟରେ ସମୁଦ୍ରରେ ବିଚରଣ କରେ । ସେ ଗୋଟିଏ ନିୟମ ପ୍ରଚଳନ କରିଛନ୍ତି ଯେ ଯେତେବେଳେ ତାଙ୍କର ଦୁଇଟି ଜାହାଜ ସାମ୍ନାସାମ୍ନି ହେବେ ସେତେବେଳେ ଉଭୟେ ହଳଦିଆ ପତାକା ଦେଖାଇ କୁଶଳ ପୁଚ୍ଛିବେ । ଏହି ପତାକାର ଅର୍ଥ ହେଉଛି ସବୁ କୁଶଳ । ସାଇମନାଇଦିସ ଜାତିରେ ଇହୁଦୀ । ଏକ ସମୟରେ ସେ ଜେରୁଜେଲମରେ ରାଜପୁତ୍ର ଇଫେମାର ବେନହୁରଙ୍କର କ୍ରୀତଦାସ ଥିଲେ । ଇଫେମାର ଅତୁଲ ସମ୍ପଦର ଅଧିକାରୀ ଥିଲେ ଏବଂ ତାଙ୍କର ବହୁ ଜାହାଜ ବାଣିଜ୍ୟ ସମ୍ଭାର ନେଇ ସମୁଦ୍ରରେ ପୂର୍ବ ଓ ପଶ୍ଚିମ ଦିଗକୁ ଯାତାୟାତ କରୁଥିଲେ । କ୍ରୀତଦାସ ସାଇମନାଇଦିସ ତାଙ୍କରି ବାଣିଜ୍ୟର ତତ୍ତ୍ୱାବଧାରକ ଥିଲେ । ଇଫେମାର ତାହାଙ୍କୁ ଦାସତ୍ୱରୁ ମୁକ୍ତି ଦେଇଥିଲେ । ତା’ପରେ ଇଫେମାରଙ୍କର ଦେହାନ୍ତ ହେଲା । କିଛିଦିନ ପରେ ଇଫେମାରଙ୍କର ଏକମାତ୍ର ପୁତ୍ର ଉପଶାସକ ଗ୍ରେଟାସଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲା ବୋଲି ଆଜୀବନ ଜାହାଜର ଆହୁଲା–ଭିଡ଼ା ଦଣ୍ଡରେ ହେଲା ଏବଂ ସ୍ତ୍ରୀ ଓ କନ୍ୟା ନିରୁଦ୍ଦେଶ ହେଲେ । ଗ୍ରେଟାସ ତାଙ୍କର ଅତୁଳ ସମ୍ପତ୍ତି ସମ୍ରାଟଙ୍କ ନାମରେ ବାଜ୍ୟାପ୍ତ କରି ସେଥିରୁ ଗୋଟାଏ ମୋଟା ଅଂଶ ଆତ୍ମସାତ କଲା । କିନ୍ତୁ ଇଫେମାରଙ୍କର ଧନ ଭଣ୍ଡାର ଆଣ୍ଟିୟକ ନଗରୀରେ ସାଇମନାଇଦିସଙ୍କର ହେପାଜତରେ ଥିଲା । ଗ୍ରେଟାସର ଦୃଷ୍ଟି ସେହି ଅର୍ଥ ଉପରେ ପଡ଼ିବାରୁ, ସେ ଦୁଇ ଥର ସାଇମନାଇଦିସକୁ ଗିରଫ କଲା ଏବଂ ତାହାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲା । ସେହି ଅମାନୁଷିକ ଅତ୍ୟାଚାର ଫଳରେ ସାଇମନାଇଦିସଙ୍କ ଦେହରେ ଖଣ୍ଡିଏ ହେଲେ ଭଲ ହାଡ଼ ନାହିଁ । ସଦାବେଳେ ସେ ଖଣ୍ଡିଏ ଚଉକିରେ ପଡ଼ି ରହିଛନ୍ତି । କିନ୍ତୁ ଗ୍ରେଟାସ ଇଫେମାରଙ୍କର କୋଷାଗାର ହସ୍ତଗତ କରିପାରିଲା ନାହିଁ । ଏତେ ନିର୍ଯ୍ୟାତନା ସତ୍ତ୍ୱେ ସାଇମନାଦିସ ସମ୍ରାଟଙ୍କ ଠାରୁ ବାଣିଜ୍ୟ ପାଇଁ ଏକ ସନନ୍ଦ ହାସଲ କରିପାରିଥିଲେ ।’’

ଇତିମଧ୍ୟରେ ଜାହାଜଟି ନଗରୀର ସମୀପବର୍ତ୍ତୀ ହୋଇଥିଲା । ଯାତ୍ରୀମାନେ ନଗରୀର ଦୃଶ୍ୟ ଉପଭୋଗ କରିବା ନିମନ୍ତେ ସାମ୍ନାରେ ଯାଇ ଠୁଳ ହେଲେ । ଏହି ଅବସରରେ ଜୁଡ଼ାସ ସେହି ବକ୍ତା ପାଖକୁ ଯାଇ କହିଲା–‘‘ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବରଷୁ । କହିପାରିବେ କି, ବଣିକ ସାଇମନାଇଦିସ ଆଣ୍ଟିୟକ ନଗରୀରେ କେଉଁଠି ବାସ କରନ୍ତି ?’’

ବକ୍ତା ସନ୍ଦିଗ୍‌ଧ ବ୍ୟଷ୍ଟିରେ ଜୁଡ଼ାସ ଆଡ଼କୁ ଥରେ ଅନାଇଲା ଏବଂ ଜବାବ ଦେଲା–‘‘ବନ୍ଦରର ସେପଟେ ନଦୀର ପୋଲ ନିକଟରେ ଗୋଟିଏ ଛୋଟ ଦୋତାଲା କୋଠାରେ ସେ ବାସ କରୁଛନ୍ତି ।’’

ସେତେବେଳକୁ ଜାହାଜ ନଙ୍ଗର ପକାଇଥିଲା । କେତେ ଜଣ କୁଲି ଆସି ଜୁଡ଼ାସର ଜିନିଷପତ୍ର ବୋହି ନେଇଗଲେ । ଗୋଟିଏ ପାନ୍ଥଶାଳାରେ ସେସବୁ ରଖିଦେଇ ଜୁଡ଼ାସ ସାଇମନାଇଦିସଙ୍କ ସନ୍ଧାନରେ ବାହାରି ପଡ଼ିଲା ।

ଗୋଟିଏ ପ୍ରାଚୀନ ସୁବିଶାଳ ପ୍ରାସାଦର ସମ୍ମୁଖ ଭାଗରେ ସାଇମନାଇଦିସଙ୍କ ବିରାଟ ଗୋଦାମର ଶ୍ରେଣୀ । ବାହାରେ ଶତାଧିକ ଜାହାଜ ଧାଡ଼ି ଧାଡ଼ି ବନ୍ଧା ହୋଇଥିଲା ଏବଂ ଭିତରେ ନାନାପ୍ରକାରର ବାଣିଜ୍ୟ ସମ୍ଭାର ସ୍ତୂପାକାରରେ ଗଦା ହୋଇଥିଲା । ଜଣେ ଭୃତ୍ୟ ଜୁଡ଼ାସକୁ ସେହିସବୁ ସ୍ତୂପ ମଝିରେ ଛାତ ଉପରକୁ ନେଇଗଲା ।

ଛାତରେ ଏକ ମନୋରମ ପୁଷ୍ପ ଉଦ୍ୟାନ । ଅଗଣିତ ବସରାଇଗୋଲାପ ଫୁଟିଥିଲା । ଅତରର ସୁବାସରେ ପବନ ମହକୁଥିଲା । ଉଦ୍ୟାନ ପରେ ଭୃତ୍ୟ ଗୋଟିଏ ଦରଜା ଖୋଲି କକ୍ଷ ଭିତରକୁ ଯାଇ ଜଣାଇଲା–‘‘ଜଣେ ଅପରିଚିତ ଯୁବକ ପ୍ରଭୁଙ୍କର ଦର୍ଶନପ୍ରାର୍ଥୀ ।’’

ସ୍ପଷ୍ଟ ଗମ୍ଭୀର ସ୍ୱରରେ ଜବାବ ମିଳିଲା–‘‘ଭଗବାନଙ୍କ ନାମରେ ତାହାଙ୍କୁ ପ୍ରବେଶ କରିବାକୁ କୁହ ।’’

ଜୁଡ଼ାସ କମ୍ପିତ ହୃଦୟରେ କକ୍ଷରେ ପ୍ରବେଶ କଲା । ତଳେ ଗୋଟାଏ ଗାଲିଚା ବିଛା ହୋଇଥିଲା । ଠିକ୍‌ ମଝିରେ ଗୋଟିଏ ଟେବୁଲକୁ ଲାଗି ଖଣ୍ଡିଏ ବଡ଼ ଆରାମ ଚଉକି । ସେଥିରେ ରେଶମୀ ଚାଦରରେ ଆବୃତ ହୋଇ ଗୋଟାଏ ବିରାଟ ମାଂସ ପେଣ୍ଡୁଳା ନିଶ୍ଚଳ ଭାବରେ ପଡ଼ି ରହିଥିଲା । ବାହାରକୁ ଦିଶୁଥିଲା ଖାଲି ଗୋଟିଏ ପ୍ରସାରିତ ହାତ, ଯାହା ପାଖରେ ବସିଥିବା ଜଣେ ତରୁଣୀର କାନ୍ଧ ଉପରେ ପଡ଼ୁଥିଲା । ତରୁଣୀର ଅଙ୍ଗରେ ପୁଷ୍ପିତା ରଜନୀଗନ୍ଧା ପରି ଗୋଟାଏ ରଜୁତା ଓ ଭଦ୍ରତା ଶୋଭା ପାଉଥିଲା, ମୁଖଟି ସରଳତାର ଜୀବନ୍ତ ପ୍ରତିଛବି, ଆଖିର କୋଣରେ କରୁଣା ଓ ପବିତ୍ରତା ପ୍ରକଟିତ ଏବଂ ଅନିନ୍ଦ୍ୟ ସ୍ୱାସ୍ଥ୍ୟର ସୁଷମରେ ବିମଣ୍ଡିତ ।

 

ଜୁଡ଼ାସ ଆଗେଇ ଯାଇ ସମ୍ଭାଷଣ ଜଣାଇଲା–‘‘ଭଗବାନଙ୍କର ଆଶୀର୍ବାଦ ଏହି ଘର ଉପରେ ବରଷୁ ।’’

 

ଆରାମ ଚଉକିରେ ଶାୟିତ ପଙ୍ଗୁ ଜୀବଟିର ଆଖି ଦୁଇଟି ହଠାତ୍‌ ଝଲସିଲା ଏବଂ ପ୍ରସାରିତ ହାତର ଆଙ୍ଗୁଳିଗୁଡ଼ିକ ଥରେ କମ୍ପି ଉଠି ଧୀରେ ଧୀରେ ମୁଷ୍ଟିବଦ୍ଧ ହେଲା । ବୃଦ୍ଧ ତୀକ୍ଷ୍‍ଣ ଓ ସ୍ପଷ୍ଟ ସ୍ୱରରେ କହିଲେ–‘‘ଆପଣଙ୍କ ଉପରେ ମଧ୍ୟ ସେହି ଆଶୀର୍ବାଦ ବୃଷ୍ଟି ହେଉ । ଆପଣଙ୍କର ପରିଚୟ ତଥା ପ୍ରୟୋଜନ ?’’

 

‘‘ମୁଁ ଗୋଟିଏ ବ୍ୟକ୍ତିଗତ କାର୍ଯ୍ୟରେ ଆପଣଙ୍କ ପାଖକୁ ଆସିଛି । ଆଜି ମୁଁ ଆଣ୍ଟିୟକ ନଗରୀରେ ଆସି ପହଞ୍ଚିଲି । ଏଠାରେ କିଛିଦିନ ରହିବି । ମୋର ଜନ୍ମଭୂମି ହେଉଛି ଜେରୁଜେଲମ । ମୋର ନାମ ଜୁଡ଼ାସ ବେନହୁର । ଇଫେମାର ବେନହୁର ହେଉଛନ୍ତି ମୋର ପିତା ।’’

 

ସାଇମନାଇଦିସ ପ୍ରଶାନ୍ତ କଣ୍ଠରେ କହିଲେ–‘‘ପୁଣ୍ୟ ଭୂମି ଜେରୁଜେଲମର ପ୍ରତ୍ୟେକ ବ୍ୟକ୍ତିକୁ ମୁଁ ଶ୍ରଦ୍ଧା କରେ । ଆପଣଙ୍କୁ ମଧ୍ୟ ସ୍ୱାଗତ କରୁଛି । ଏସଥାର, ଖଣ୍ଡିଏ ଆସନ ଦିଅ ଅତିଥିଙ୍କୁ !’’

 

ତରୁଣୀ ଏସଥାର କୋଣରୁ ଗୋଟିଏ ଟୁଲ ନେଇ ଆସିଲା ।

 

ଜୁଡ଼ାସ ଠିଆ ହୋଇ ରହି ପୁଣି କହିଲା–‘‘ଏଠାରେ ଆସନ ଗ୍ରହଣ କରିବା ଆଗରୁ ଆପଣଙ୍କ ଠାରୁ ମୁଁ ଗୋଟିଏ ପ୍ରଶ୍ନର ଉତ୍ତର ଚାହେଁ । ମୋର ପିତାଙ୍କର ସାଇମନାଇଦିସ ନାମକ–ଜଣେ ଭୃତ୍ୟ ଥିଲା । ଆପଣ କ’ଣ ସେହି ବ୍ୟକ୍ତି ?’’

 

ମୁହୂର୍ତ୍ତେ ସାଇମନାଇଦିସଙ୍କ ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ । ତା’ପରେ ସେ କଠିନ ସ୍ୱରରେ କହିଲା–‘‘ରାଜପୁତ୍ର ଇଫେମାରଙ୍କ ସହିତ ମୋର ପରିଚୟ ଥିଲା, କିଛି ବ୍ୟବସାୟଗତ ସମ୍ପର୍କ ମଧ୍ୟ ।’’

 

ଜୁଡ଼ାସ ଉତ୍ତେଜିତ ହୋଇ କହିଲା–‘‘ଯଦି ତାହା ହୋଇଥାଏ, ତାହା ହେଲେ ଆପଣଙ୍କୁ ମାଲୁମ ଥିବ ଇଫେମାରଙ୍କ ସ୍ତ୍ରୀ ଓ ଝିଅ ଏକ୍ଷଣି କେଉଁଠି ଅଛନ୍ତି ।’’

 

‘‘ମୁଁ ସେମାନଙ୍କର କିଛି ଖବର ଜାଣେ ନାହିଁ । ପରଲୋକ ଗତ ବନ୍ଧୁର କଥା ସ୍ମରଣ କରି ମୁଁ ସେହି ଦୁଇ ଅଭାଗିନୀଙ୍କୁ ଖୋଜି ବାହାର କରିବା ପାଇଁ ବହୁତ ଚେଷ୍ଟା କରି ବିଫଳ ହୋଇଛି । ବର୍ତ୍ତମାନ ଆପଣ ଆସନ ଗ୍ରହଣ କରନ୍ତୁ ଏବଂ କିଛି ଦ୍ରାକ୍ଷାରସ ପାନ କରି ନିଜର ଶାନ୍ତି ଦୂର କରନ୍ତୁ ।’’

 

ଗୋଟିଏ ପାନ ପାତ୍ରରେ ରକ୍ତ ବର୍ଣ୍ଣ ଦ୍ରାକ୍ଷା ରସ ଢାଳି ଏସଥାର ଜୁଡ଼ାସର ହାତକୁ ବଢ଼ାଇ ଦେଲା । କିନ୍ତୁ ଜୁଡ଼ାସ ପାତ୍ରଟି ଟୁଲ ଉପରେ ରଖିଦେଇ ଦୃଢ଼ କଣ୍ଠରେ କହିଲା–‘‘ମୋତେ କ୍ଷମା କରିବେ, ଏଠାରେ ପାନୀୟ ଗ୍ରହଣ କରିବାକୁ ମୋର ମନବଳୁ ନାହିଁ । ଆପଣ ଇଫେମାରଙ୍କର ଭୃତ୍ୟ ବୋଲି ଶୁଣି ମୁଁ ଭାବିଥିଲି ଯେ ଆପଣଙ୍କ ଠାରୁ ମୋ ମାଆ ଓ ଭଉଣୀର ସନ୍ଧାନ ଦାବୀ କରିବାର ନୈତିକ ଅଧିକାର ମୋର ଅଛି । କିନ୍ତୁ ବର୍ତ୍ତମାନ ଜାଣିଲି, ଆପଣ ପିତାଙ୍କର ଭୃତ୍ୟ ନୁହନ୍ତି ।’’

 

‘‘ସାଇମନାଇଦିସ ଆପଣଙ୍କ ପିତାଙ୍କର ଭୃତ୍ୟ ହେଉ ବା ନ ହେଉ, ଆପଣଙ୍କ ଦୁଃଖରେ ସେ ଯେ ଆନ୍ତରିକ ଦୁଃଖିତ, ଏହା ଆପଣ ବିଶ୍ୱାସ କରନ୍ତୁ’’–ଅତି ମଧୁର ଗଳାରେ ଏତିକି କହି ଏସଥାର ପାନପାତ୍ରଟି ଉଠାଇ ନେଇ ବ୍ୟାକୁଳ ଭାବରେ ଜୁଡ଼ାସର ହାତକୁ ପୁଣି ବଢ଼ାଇ ଦେଲା । ଜୁଡ଼ାସ ଦ୍ରାକ୍ଷାରସ ପାନ କରି କହିଲା–‘‘ସହାନୁଭୂତି ପାଇବା ଆଶାରେ ମୁଁ ଏଠାକୁ ଆସିଥିଲି, ପିତାଙ୍କର ସମ୍ପତ୍ତି ଦାବୀ କରିବାକୁ ନୁହେଁ । କିନ୍ତୁ ମୋର ସେହି ଆଶା ଆଜି ବ୍ୟର୍ଥ ହେଲା ।’’

 

ଏତାଦୃଶ ବ୍ୟଙ୍ଗରେ ସାଇମନାଇଦିସଙ୍କ ଅନ୍ତର ବିକ୍ଷୁବୁଧ ହେଲା । ସେ ତୀକ୍ଷ୍‍ଣ କଣ୍ଠରେ ପଚାରିଲେ–‘‘ଆପଣ ଯେ ଇଫେମାରଙ୍କର ପୁତ୍ର, ତାହାର ପ୍ରମାଣ କ’ଣ ?’’

 

ଜୁଡ଼ାସ କିଛିକ୍ଷଣ ନୀରବରେ ଚିନ୍ତା କରି ଧୀରେ ଧୀରେ ଜଣାଇଲା–‘ସବୁ କିଛିର ପ୍ରମାଣ କ’ଣ ଦିଆଯାଇପାରେ ? ଆପଣଙ୍କ ବିବେକକୁ ପଚାରନ୍ତୁ, ଏହି ଅପରିଚିତ ଯୁବକ ଇଫେମାରଙ୍କର ପୁତ୍ର କି ନା । ମୋର ଆଉ କିଛି ସାକ୍ଷ୍ୟପ୍ରମାଣ ନାହିଁ । ତେବେ ମୁଁ ମୋ ନିଜ କଥା ଆପଣଙ୍କୁ ଜଣାଇପାରେ । ତେଣିକି ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ । ଯେଉଁ ଦିନ ଗ୍ରେଟାସ ଜେରୁଜେଲମର ଉପଶାସକ ଭାବରେ ପ୍ରଥମେ ନଗରରେ ପ୍ରବେଶ କଲା, ମୁଁ ଓ ମୋ ଭଉଣୀ ଆମ ପ୍ରାସାଦର ଛାତରେ ଛିଡ଼ା ହୋଇଥିଲୁ । ରାଜପଥରେ ଶୋଭାଯାତ୍ରା ଦେଖିବା ପାଇଁ ମୁଁ କାର୍ନିଶ ଉପରେ ନଇଁ ପଡ଼ିବାରୁ, ମୋ ହାତର ଚାପରେ ଖଣ୍ଡିଏ ଟାଇଲ ହଠାତ୍‌ ଛାତରୁ ଏକାବେଳେ ଆଶ୍ୱାରୂଢ଼ ଗ୍ରେଟାସର ମଥା ଉପରେ ଖସି ପଡ଼ିଲା । ମୋର ବନ୍ଧୁ ମେସାଲା ଚିତ୍କାର କଲା ଯେ ମୁଁ ଗ୍ରେଟାସକୁ ହତ୍ୟା କରିବା ପାଇଁ ଖଣ୍ଡିଏ ଟାଇଲ ଫିଙ୍ଗିଛି । ପୂର୍ବ ଦିନ ସେହି ରୋମାନ ଯୁବକ ମେସାଲା ସହିତ ମୋର କଳହ ହୋଇଥିବାରୁ, ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ମୋ ବିରୁଦ୍ଧରେ ଏପରି ଏକ ହୀନ ଚକ୍ରାନ୍ତ ଭିଆଇଥିଲା । ତା’ପରେ ରୋମାନ ସୈନ୍ୟମାନେ ଆମ ପ୍ରାସାଦର ଦ୍ୱାର ଭାଙ୍ଗି ଭିତରେ ପ୍ରବେଶ କଲେ ଏବଂ ମୋତେ ବାନ୍ଧି ନେଇଗଲେ । ଯେଉଁ ଦୁଇ ଦିନ ମୁଁ ଜେରୁଜେଲମରେ ଥିଲି, ସେତେବେଳେ ଶୁଣିଥିଲି ଯେ ମୋର ମାଆ ଓ ଭଉଣୀଙ୍କର କିଛି ପତା ମିଳୁ ନାହିଁ ଏବଂ ଆମର ସବୁ ସମ୍ପତ୍ତି ବାଜ୍ୟାପ୍ତ ହୋଇଛି । ତା’ପରେ ମୋତେ ଜାହାଜରେ ଶୃଙ୍ଖଳିତ କଲେ । ସେଠାରେ ଦୀର୍ଘ ତିନିବର୍ଷ କାଳ ଖାଲି ଆହୁଲା ଭିଡ଼ିବାରେ ରହିଲି । ମୋତେ ସମସ୍ତେ ଷାଠିଏ ନମ୍ୱର କଇଦୀ ବୋଲି ଡାକୁଥିଲେ । ତା’ପରେ ଆକସ୍ମାତ ଏକ ସଙ୍କଟଜନକ ମୁହୂର୍ତ୍ତରେ ଏରିୟାସଙ୍କର ଜୀବନ ରକ୍ଷା କରିବାରୁ, ବିନିମୟରେ ସେ ମୋତେ ମୁକ୍ତି ଦେଲେ ଏବଂ ରୋମକୁ ନେଇଯାଇ ପୁତ୍ରରୂପେ ଗ୍ରହଣ କଲେ । ତା’ପରେ ତାଙ୍କର ମୃତ୍ୟୁ ହେଲା । ଆଜି ମୁଁ ତାଙ୍କର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ । ମୁକ୍ତ ହୋଇ ମୁଁ ମୋ ମାଆ ଓ ଭଉଣୀଙ୍କର ବହୁ ସନ୍ଧାନ କଲିଣି, କିନ୍ତୁ ସେମାନଙ୍କୁ ଏଯାଏ କେଉଁଠି ହେଲେ ଠାବ କରିପାରିଲି ନାହିଁ । କେତେକ କହନ୍ତି ଯେ ପାପିଷ୍ଠ ଗ୍ରେଟାସ ସେମାନଙ୍କୁ ଦୁର୍ଗର ଅନ୍ଧକୂପ ଭିତରେ ଜୀବନ୍ତ ସମାଧି ଦେଇଛି । ମୋର ମଧ୍ୟ ସେହି ଧାରଣା । ଯଦି ବାସ୍ତବିକ ସେମାନେ ଜୀବିତ ନ ଥାଆନ୍ତି, ମୁଁ ମେସାଲା ଓ ଗ୍ରେଟାସ ଉପରେ ନିଶ୍ଚୟ ପ୍ରତିଶୋଧ ନେବି । ସେଥିପାଇଁ ମୁଁ ଅସ୍ତ୍ରବିଦ୍ୟା ଶିକ୍ଷା କରିଛି । ବର୍ତ୍ତମାନ କନସାଲ ମାକ୍‌ସିମେନ ଶାସଙ୍କର ସହଚର ହୋଇ ମୁଁ ପାର୍ଥିୟାର ଯୁଦ୍ଧକ୍ଷେତ୍ର ଅଭିମୁଖେ ଚାଲିଛି । ଆଣ୍ଟିୟକ ନଗରୀ ଦେଖିବା ଲାଗି ମୁଁ ଆଗେ ଏଠାରେ ଆସି ପହଞ୍ଚିଛି । ଆଗରୁ ମୁଁ ଅବଶ୍ୟ ଆପଣଙ୍କ ନାମ ଶୁଣି ନଥିଲି । ମୁଁ ଆଶା କରିଥିଲି ଯେ ହୁଏତ ସିରିୟାର ରାଜଧାନୀରେ ମୋର ସ୍ୱର୍ଗୀୟ ପିତାଙ୍କର କେହି ପରିଚିତ ବ୍ୟକ୍ତି ମୋ ମାଆ ଓ ଭଉଣୀଙ୍କର କିଛି ସନ୍ଧାନ ଦେଇପାରିବେ ।’’

 

ଜୁଡ଼ାସ ଦୀର୍ଘଶ୍ୱାସ ସହ ନିଜର ଦୁଃଖପୂର୍ଣ୍ଣ କାହାଣୀ ସମାପ୍ତ କଲା । ସଙ୍ଗେ ସଙ୍ଗେ କୋମଳ ହୃଦୟା ଏସଥାର ମଧ୍ୟ ଗୋଟିଏ ଦୀର୍ଘନିଃଶ୍ୱାସ ଛାଡ଼ିଲା । ସାଇମନାଇଦିସ ଅତି କଷ୍ଟରେ ନିଜ ହୃଦୟର ଆବେଗ ସଂଯତ କଲେ । ତେବେ ତାଙ୍କର ମୁଖରେ କୋମଳତାର ଆଭାସ ମିଳିଲା ନାହିଁ । ସ୍ୱାଭାବିକ ଶାନ୍ତି ସ୍ପଷ୍ଟ ସ୍ୱରରେ ସେ କହିଲେ–‘‘ଆଗରୁ ତ ମୁଁ କହିଛି, ବହୁ ଚେଷ୍ଟା ସତ୍ୱେ ଇଫେମାରଙ୍କ ପରିବାର ସମ୍ବନ୍ଧରେ ମୁଁ କିଛି ଖବର ପାଇ ନାହିଁ ।’’

 

ତହୁଁ ଜୁଡ଼ାସ ବ୍ୟଥିତ ଚିତ୍ତରେ ବିଦାୟ ନେଲା । ତାହାର ପ୍ରସ୍ଥାନ ପରେ ସାଇମନଇଦିସଙ୍କ ଆଚରଣରେ ଆକସ୍ମିତ ପରିବର୍ତ୍ତନ ଦେଖା ଦେଲା । ତାଙ୍କର କଣ୍ଠରେ ବ୍ୟଗ୍ରତା ଓ ବ୍ୟାକୁଳତା ପ୍ରକଟିତ ହେଲା–‘‘ଏସଥାର ! ଶୀଘ୍ର ଘଣ୍ଟା ବଜାଅ !’’

 

ଟେବୁଲ ଉପରେ ଥିବା ଗୋଟିଏ ରୂପା ଘଣ୍ଟା ବାଜିବାମାତ୍ରେ କାନ୍ଥରେ ଗୋଟିଏ ଅଲକ୍ଷ୍ୟ ଦରଜା ଖୋଲିଗଲା ଏବଂ ଜଣେ ମଧ୍ୟ ବୟସୀ ଇହୁଦୀର ମୁଖ ଦିଶିଲା ।

 

ଜଣେ ଭୃତ୍ୟ ଆସି ତାହାଙ୍କ ପାଖରେ ଠିଆ ହେବାକୁ ସାଇମନାଇଦିସ ତାହାର କାନରେ କହିଲେ–‘‘ଶୁଣ ମାଲକ, ଏକ୍ଷଣି ଜଣେ ଯୁବକ ତଳକୁ ଚାଲିଗଲା । ଧାଇଁ ଯାଇ ତାହାକୁ ଏମିତି ଭାବରେ ଅନୁସରଣ କରିବ, ଯେମିତି ସେ କୌଣସିମତେ ତୁମର ଦୃଷ୍ଟିର ଅନ୍ତରାଳକୁ ନ ଚାଲିଯାଏ । ଦରକାର ପଡ଼ିଲେ ତାହା ସହିତ ଆଳାପ କରିପାର । କିନ୍ତୁ ତୁମେ ମୋର ଲୋକ ବୋଲି କଦାପି ତାହାକୁ ଜାଣିବାକୁ ଦେବ ନାହିଁ । ତାହାର ଗତିବିଧି ଓ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବ ଏବଂ ତାହାର ଟିକିନିଖି ଖବର ମୋତେ ନିତି ଜଣାଇବ । ସେ ଏ ସହରରୁ ଆଉ କୁଆଡ଼େ ଗଲେ, ତୁମେବି ତାହା ସହିତ ଯିବ । ମୋଟ ଉପରେ, ଯେତେବେଳେ ମୁଁ ଦରକାର କରିବି, ଯେମିତି ସେତେବେଳେ ତାହାକୁ ଧରି ପାରିବି । ଯାଅ, ଯେତେ ଅର୍ଥ ଦରକାର, ନେଇଯାଅ-।’’

 

ତତ୍‌କ୍ଷଣାତ୍ ମାଲକ ଅଦୃଶ୍ୟ ହୋଇଗଲା ।

 

ଅଚଞ୍ଚଳ ସାଇମନାଇଦିସ ଭୋ ଭୋ କାନ୍ଦିବାକୁ ଲାଗିଲେ–‘‘ଏସଥାର ! ମୁଁ ଭୁଲ କରି ନାହିଁ । ମୋର ଅନ୍ତର କହୁଛି, ସେହି ଯୁବକ ନିଶ୍ଚୟ ମୋର ପ୍ରଭୁ ଇଫେମାରଙ୍କର ପୁତ୍ର । ତେବେ ମୋତେ ସାବଧାନ ହେବାକୁ ପଡ଼ିବ । ଯେହେତୁ ସେ କିଛି ପ୍ରମାଣ ଦେଇପାରିଲା ନାହିଁ, ତାହାର ଆଚାର ବ୍ୟବହାରରୁ ମୋତେ ସେହି ପ୍ରମାଣ ସଂଗ୍ରହ କରିବାକୁ ହେବ । ମୋ ଉପରେ ଯେଉଁ ବିଶାଳ ନ୍ୟାସ ଚାପା ହୋଇଛି, ସେହି ଖାତିରରେ ମୋତେ ଖୁବ୍‌ ହୁସିଆର ରହିବାକୁ ହେବ ।’’

 

ଏସଥାର ଅବାକ ହୋଇ ପଚାରିଲା–‘‘ବାପା, ସେହି ବିଶାଳ ନ୍ୟାସଟି କ’ଣ ? ଏହି ସବୁ ବାଣିଜ୍ୟ, ବ୍ୟବସାୟ, ଜାହାଜ, ଇତ୍ୟାଦି କ’ଣ ଆମର ସମ୍ପତ୍ତି ନୁହେଁ ?’’

 

‘‘ନା । ଆମେ ତ ଇଫେମାରଙ୍କର ଦାସ । ମୁଁ ଥିଲି ତାଙ୍କର କ୍ରୀତଦାସ, ତୋ ମାଆ କ୍ରୀତଦାସୀ । ଯେତେବେଳେ ରୋମାନ ଉପଶାସକ ଗ୍ରେଟାସର ଲୋଲୁପ ହସ୍ତ ପ୍ରଭୁଙ୍କର ଯଥା ସର୍ବସ୍ୱ ବାଜ୍ୟାପ୍ତ କଲା, ମୋ ପାଖରେ ଏହି ଆଣ୍ଟିୟକ ସହରରେ ତାଙ୍କର ଅପର୍ଯ୍ୟାପ୍ତ ଅର୍ଥ ରହିଗଲା । ଗ୍ରେଟାସ ମୋତେ ଦୁଇ ଥର ଧରି ନେଇ ଅକଥନୀୟ ଅତ୍ୟାଚାର କରି ମୋର ହାଡ଼ସବୁ ଗୁଣ୍ଡା କରି ଦେଇଛି । ତଥାପି ସେହି କୁବେର ଭଣ୍ଡାର କେଉଁଠି ଅଛି, ତାହା ସେ ମୋ ଠାରୁ ଜାଣିପାରି ନାହିଁ । ଅବଶେଷରେ ଯଥେଷ୍ଟ ଘୁଷ ଦେଇ ରୋମ ଦରବାରରୁ ମୁଁ ସନନ୍ଦ ପାଇଛି ମୋ ନାମରେ ବାଣିଜ୍ୟ କରିବା ପାଇଁ । ତେଣୁ ଆଜି ଇଫେମାରଙ୍କର ଧନ ଭଣ୍ଡାର ନୂଆ ନାମରେ ସାରା ଦୁନିଆରେ ବ୍ୟବସାୟ ଫାନ୍ଦିଛି । ମୁଁ ନାମକୁ ମାତ୍ର ମାଲିକ । କିନ୍ତୁ ସେହି ମାଲିକାନା ଖାଲି ରୋମାନ ଦସ୍ୟୁମାନଙ୍କୁ ଧୋକା ଦେବା ସକାଶେ ଗୋଟାଏ କୌଶଳ ମାତ୍ର । ଯେଉଁ ମୁହୂର୍ତ୍ତରେ ମୁଁ ପ୍ରଭୁ ଇଫେମାରଙ୍କର ସନ୍ତାନକୁ ଚିହ୍ନି ପାରିବି, ସମସ୍ତ ସମ୍ପତ୍ତି ତାହାକୁ ଅଚିରେ ଫେରାଇ ଦେବି ଏବଂ ନିଜେବି ତାହାର ଦାସତ୍ୱକୁ ଫେରିଯିବି ।’’

 

(୪)

 

ଜୁଡ଼ାସ ବ୍ୟଥିତ ହୃଦୟରେ ସାଇମନାଇଦିସଙ୍କ ଘରୁ ବାହାରି ଆସି ଦ୍ରୂତ ଗତିରେ ପାନ୍ଥଶାଳାକୁ ଫେରିଗଲା । ସେଠାରେ କିଛିକ୍ଷଣ ରହି ସେ ଡାଫ୍‌ନିର ପ୍ରାକୃତିକ ଗ୍ରାମ୍ୟ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଧାଇଁଲା । ଡାଫ୍‌ନି ଗ୍ରାମଟି ଆଣ୍ଟିୟକର ସହରତଳିରେ ଅବସ୍ଥିତ ଏବଂ ନିଜର ଅପୂର୍ବ ସୌନ୍ଦର୍ଯ୍ୟ ନିମନ୍ତେ ବିଶ୍ୱ ବିଦିତ । ପ୍ରବାଦ ଅଛି, ସୂର୍ଯ୍ୟ ଦେବତା ଆପୋଲୋ ନିଜ ହାତରେ ସେଠାକାର ଉଦ୍ୟାନଟି ରଚନା କରିଥିଲେ । ସାରା ଗ୍ରାମଟା ଗୋଟାଏ ଉଦ୍ୟାନ । ତାହାରି ଭିତରେ ଫୁଲ ବଗିଚା ଅଛି, କୁଳୁ କୁଳୁ ନିନାଦିନୀ ଝରଣା ଓ ଶ୍ୟାମଳ ସମତଳ ପ୍ରାନ୍ତର ଅଛି, ତରୁ କୁଞ୍ଜରେ ବୁଲ୍‌ବୁଲ୍‌ ସୁଲଳିତ ପଞ୍ଚମ ତାନରେ ସଙ୍ଗୀତ ଗାନ କରୁଛି ଏବଂ ସୂର୍ଯ୍ୟ ମନ୍ଦିରରେ ରୂପସୀ ଦେବଦାସୀମାନେ ଅପରୂପ ମନୋରମ ଭଙ୍ଗୀରେ ନୃତ୍ୟ କରୁଛନ୍ତି । ସେଠାକୁ ଗଲେ ମଣିଷ ବାହାର ଦୁନିଆର କଥା ଭୁଲିଯାଏ । ଜୁଡ଼ାସର ପ୍ରାଣ ଦାରୁଣ ନୈରାଶ୍ୟରେ ହାହାକାର କରୁଥିବାରୁ, ଟିକିଏ ସାନ୍ତ୍ୱନା ପାଇବା ସକାଶେ ସେ ବି ସେହି ଶୋଭା ସମ୍ପଦର ମୋହ ଏଡ଼ି ପାରିଲା ନାହିଁ ।

 

ଡାଫ୍‌ନିରେ ପ୍ରବେଶ ପଥରେ ଧାତୁ ନିର୍ମିତ ପ୍ରକାଣ୍ଡ ତୋରଣ । ଏହି ବିରାଟ ନନ୍ଦନ କାନନ ଚତୁର୍ଦ୍ଦିଗରେ ଏକ ଅତି ଉଚ୍ଚ ପ୍ରାଚୀରଦ୍ୱାରା ପରିବେଷ୍ଟିତ । ତୋରଣ ନିକଟରେ ଅହରହ ବିପୁଳ ଜନତାର ସମାବେଶ । ଆବାଳ ବୃଦ୍ଧ ବନିତା ସମସ୍ତେ ଅତି ହରଷ ଚିତ୍ତରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାକୁ ଚାଲିଥିଲେ । ଜୁଡ଼ାସବି ସେମାନଙ୍କ ସାଙ୍ଗରେ ଚାଲିଲା । କିନ୍ତୁ ତାହାର ମନରୁ ଅସନ୍ତୋଷ ଦୂର ହେଲା ନାହିଁ । ଉଦ୍ୟାନର ଅତୁଳନୀୟ ସ୍ୱର୍ଗୀୟ ଶୋଭାର ସମ୍ଭାରରେ ତାହାର ଅନ୍ତରର ଜ୍ୱାଳା ଉପଶମିତ ହେଲା ନାହିଁ । ଶେଷକୁ ସେ ବିରକ୍ତ ହୋଇ ସେଠାରୁ ଚାଲି ଆସିବାକୁ ବସିଛି, ଠିକ୍‌ ଏତିକିବେଳେ ଜଣେ ମଧ୍ୟ ବୟସୀ ଇହୁଦୀକୁ ତାହା ପାଖରେ ଯାଉଥିବାର ଦେଖି ସେ ପଚାରିଲା–‘‘ଏଠାରେ କ’ଣ କେବଳ, ନାଚଗୀତ ଓ ପକ୍ଷୀର କୂଜନ ଛଡ଼ା ମଣିଷକୁ ପ୍ରକୃତ ପୁରୁଷୋଚିତ ଆନନ୍ଦ ଦେବାର ଆଉ କିଛି ବ୍ୟବସ୍ଥା ନାହିଁ ?’’

 

ଲୋକଟି କିଛିକ୍ଷଣ ଚିନ୍ତା କରି ଜବାବ ଦେଲା–‘‘ନା, ସେସବୁ କିଛି ନାହିଁ । ତେବେ ଘୋଡ଼ାଦୌଡ଼ ଅଛି । ଆଜି ଅବଶ୍ୟ ନାହିଁ, କିନ୍ତୁ ଆସନ୍ତା ଘୋଡ଼ାଦୌଡ଼ ପ୍ରତିଯୋଗୀତାରେ ଯେଉଁମାନେ ଯୋଗ ଦେବାକୁ ଚାହାନ୍ତି, ହୁଏତ ସେମାନଙ୍କ ଭିତରୁ ଅନେକେ ଅଭ୍ୟାସ କରିବା ଲାଗି ଏକ୍ଷଣି ଏଠାକୁ ଆସିବେ ।’’

 

ଜୁଡ଼ାସ ଅପରିଚିତ ଲୋକଟିକୁ ଧନ୍ୟବାଦ ଜଣାଇଲା । ଦୁହେଁ ଘୋଡ଼ାଦୌଡ଼ ପଡ଼ିଆ ଆଡ଼କୁ ଚାଲିଲେ । ଯାଉଁ ଯାଉଁ ଲୋକଟି ନିଜର ପରିଚୟ ଦେଲା । ତାହାର ନାମ ହେଉଛି ମାଲକ-। ଜୁଡ଼ାସ ମଧ୍ୟ ନିଜର ପରିଚୟ ଦେଲା । ସେମାନେ ଯାଇ ଘୋଡ଼ାଦୌଡ଼ ପଡ଼ିଆରେ ପହଞ୍ଚିଲେ । ନାନାଜାତିର ଲୋକମାନେ ରଥ ଚାଳନା ଅଭ୍ୟାସ କରୁଥିଲେ । ମୁହୂର୍ତ୍ତକ ଭିତରେ ଗୋଟିଏ ରଥ ଜୁଡ଼ାସର ଦୃଷ୍ଟି ଆକର୍ଷଣ କଲା । ଦୁଇଟି ପ୍ରଥମ ଶ୍ରେଣୀର ସତେଜ ଦୃପ୍ତ ଧଳା ଆରବୀ ଘୋଡ଼ା ରଥଟି ଟାଣୁଥିଲେ ଏବଂ ଜଣେ ରୋମାନ ସେହି ରଥ ଚାଳନା କରୁଥିଲା ।

 

ହଠାତ୍‌ ଘୋଡ଼ାଦୌଡ଼ ପଡ଼ିଆରେ ଦର୍ଶକମାନଙ୍କର କ୍ରମୋଚ୍ଚ ଆସନଗୁଡ଼ିକର ସବାଉପରୁ ଗୋଟାଏ ଗୋଳମାଳ ଶୁଭିଲା । ଜଣେ ପାଚିଲା ଦାଢ଼ୀ ଆରବ ଶେଖ ଉଠି ପଡ଼ି ଭୀଷଣ ଚିତ୍କାର କରିବାକୁ ଲାଗିଲା–‘‘ସେହି ରୋମାନ କୁତ୍ତାଟା ମୋ ଘୋଡ଼ା ଦୁଇଟିକୁ ମାରିପକାଇବ । ରୋମାନ ଜାନୁଆରଟା ନିଆଁରେ ତିଆରି ଘୋଡ଼ାର ମର୍ଯ୍ୟାଦା କିପରି ବା ବୁଝିବ-?’’

 

ଜୁଡ଼ାସ ଅବାକ ହୋଇ ଦେଖିଲା, ଏପରି କଠିନ ତିରସ୍କାର ସତ୍ତ୍ୱେ ଅଶ୍ୱ ଚାଳକ ଶେଖର କଥାର କିଛି ପ୍ରତିବାଦ କଲା ନାହିଁ । ତହୁଁ ସେ ମାଲକକୁ ତହିଁର କାରଣ ପଚାରିଲା ।

 

ମାଲକ କହିଲା–‘‘ସେହି ବୁଢ଼ା ଶେଖର ନାମ ହେଉଛି ଇଲଦେରିମ । ବହୁ ପୁରୁଷ ଆଗରୁ ଆରବର ମରୁଭୂମିର ଗୋଟିଏ ଯୋଦ୍ଧା ସଂପ୍ରଦାୟ ଆସି ଡାଫ୍‌ନି ନିକଟରେ ପାମ ଉପତ୍ୟକାରେ ବସତି ସ୍ଥପାନ କରିଥିଲା । ବର୍ତ୍ତମାନ ସେଠାରେ ସେହି ଆରବର ବଂଶଧରମାନେ ବାସ କରୁଛନ୍ତି । ଇଲଦେରିମ ହେଉଛି ସେମାନଙ୍କର ଦଳପତି । ସେ ଯେମିତି ଧନୀ, ସେମିତି ଦୁର୍ଧର୍ଷ ମଧ୍ୟ ।’’

 

ଏତିକିବେଳେ ଆଉ ଗୋଟିଏ ସୁସଜ୍ଜିତ ଅତିଶୟ ସୁନ୍ଦର ରଥ ସାମ୍ନାରେ ଦେଖାଗଲା । ଜୁଡ଼ାସର ଦୃଷ୍ଟି ତତ୍‌କ୍ଷଣାତ୍‌ ସାରଥି ଉପରେ ପଡ଼ିଲା । ସେ ଅବିଳମ୍ୱେ ଚିହ୍ନି ପାରିଲା, ସାରଥି ଜଣକ ତାହାର ରୋମାନ ବାଲ୍ୟ ବନ୍ଧୁ ମେସାଲା ଛଡ଼ା ଆଉ କେହି ନୁହେଁ । ତହୁଁ ସେ ଉତ୍ତେଜନାରେ କମ୍ପିଲା ଏବଂ ଭିଡ଼ ଠେଲି ଆଗକୁ ବାହାରିଗଲା ।

 

ଉଚ୍ଚ ସ୍ୱରରେ ଗୋଟାଏ ଘୋଷଣା ଶୁଭିଲା–‘‘ସମବେତ ଭଦ୍ର ବ୍ୟକ୍ତିମାନେ ! ଶେଖ ଇଲଦେରିମ ଆପଣମାନଙ୍କୁ ସମ୍ଭାଷଣ ଜଣାଉଛନ୍ତି । ଆପଣମାନଙ୍କ ଭିତରୁ କେହି ଚାରି ଘୋଡ଼ାର ରଥ ଚାଳନାରେ ସୁଦକ୍ଷ ଥିଲେ, ତୁରନ୍ତ ଆତ୍ମପ୍ରକାଶ କରନ୍ତୁ । ସାମ୍ନାରେ ଯେଉଁ ସାରଥି ରଥଟି ଚଳାଉଛି, ତାହାକୁ ଆରବୀ ଘୋଡ଼ାର କଦର ମାଲୁମ ନାହିଁ । ଫଳରେ, ରଥଟା ଠିକ୍‌ ଭାବରେ ଚାଲିପାରୁ ନାହିଁ । ସୁପରିଚାଳିତ ହେଲେ ଏହି ରଥଟି ନିଶ୍ଚୟ ପ୍ରତିଯୋଗୀତାରେ ଜିଣିବ । ଏବଂ ଜିଣିଲେ, ବଦାନ୍ୟ ଶେଖ ପୁରସ୍କାରର ସମୁଦାୟ ଅର୍ଥ ସାରଥିକୁ ଦେବେ ।’’

 

ଜୁଡ଼ାସ ଏହି ଘୋଷଣା ଶୁଣି ଥରେ ଅଦୂରବର୍ତ୍ତୀ ମେସାଲା ଆଡ଼କୁ ଅନାଇଲା । ମେସାଲା ଜଣେ ପ୍ରତିଯୋଗୀ । ତାହାକୁ ପରାସ୍ତ କରିବାର ଗୋଟାଏ ସୁଯୋଗ ବର୍ତ୍ତମାନ ତାହା ନିକଟରେ ଉପସ୍ଥିତ । ଆରବୀ ଘୋଡ଼ା ଚାଳନାରେ ଜୁଡ଼ାସ ଯଥେଷ୍ଟ ଅଭିଜ୍ଞତା ଥିଲା ରୋମ ନଗରୀରେ ପାଞ୍ଚବର୍ଷ ଭିତରେ ସେ ବହୁ ଘୋଡ଼ାଦୌଡ଼ ପ୍ରତିଯୋଗିତାରେ ସଫଳତା ଅର୍ଜ୍ଜନ କରିଥିଲା । ତେଣେ ମାଲକ ତୀକ୍ଷ୍‍ଣ ଦୃଷ୍ଟିରେ ଜୁଡ଼ାସକୁ ଲକ୍ଷ୍ୟ କରି ତାହାର ମତଲବ ଜାଣିପାରିଲା-। ଜୁଡ଼ାସ କିଛିକ୍ଷଣ ଚିନ୍ତା କରି ନିଜକୁ ସଂଯତ କରି ସାଥୀ ଜଣକୁ କହିଲା–‘‘ଚାଲନ୍ତୁ, ଆଉ କୁଆଡ଼େ ଯିବା ।’’

 

କିଛି ସମୟ ପରେ ସେମାନେ ଗୋଟିଏ ଝରଣାର କୂଳରେ ଯାଇ ପହଞ୍ଚିଲେ । ଦୁହେଁ ଗୋଟିଏ ଗଛତଳେ ବସିଲେ । ଅଦୂରରେ ଗୋଟିଏ ସୁସଜ୍ଜିତ ଓଟ ସେମାନଙ୍କ ଆଡ଼କୁ ଆସୁଥିବାର ଦେଖାଗଲା । ଓଟ ଆସି ସେମାନଙ୍କ ସାମ୍ନାରେ ରହିଲା । ଜୁଡ଼ାସ ଦେଖିପାରିଲା, ହାଉଦା ଭିତରେ ଦୁଇ ଜଣ ଲୋକ ବସିଛନ୍ତି–ଜଣେ ବୃଦ୍ଧ, ଅପର ଜଣକ ସୁନ୍ଦରୀ ଯୁବତୀ । ଝରଣାକୂଳରେ ଓଟଟି ବସି ପଡ଼ିଲା । ଯୁବତୀ ଭୃତ୍ୟକୁ ଡାକି ଗୋଟିଏ ସ୍ୱର୍ଣ୍ଣ ପାତ୍ର ତାହାର ହାତକୁ ବଢ଼ାଇ ଦେଇ ଝରଣାରୁ ବୃଦ୍ଧ ପାଇଁ ଜଳ ଆଣିବାକୁ କହିଲା ।

 

ସେତିକିବେଳେ ମେସାଲାର ରଥ ବିଜୁଳି ବେଗରେ ସେଠାକୁ ଛୁଟି ଆସୁଥିଲା । ଧାବମାନ ଘୋଡ଼ାଙ୍କୁ ଦେଖି ଯେ ଯୁଆଡ଼େ ପାରିଲା ରଡ଼ି ଛାଡ଼ି ଧାଇଁ ପଳାଇଲା । ଘୋଡ଼ାଗୁଡ଼ାକ ପାଗଳ ପରି ଛୁଟିଥିଲେ, ଆଉ ମେସାଲା ଅଟ୍ଟହାସ୍ୟ କରୁଥିଲା । ଆନନ୍ଦରେ ଓ ଉତ୍ତେଜନାରେ ସେ ରଥଟାକୁ ଓଟ ଉପରକୁ ଚଢ଼ାଇଦେଲା । ଓଟଟି ଓଲଟି ପଡ଼ିବ ଆଗରୁ ଆଖି ପିଛୁଡ଼ାକେ ଜଣେ ଲୋକ ମେସାଲାର ରଥ ଉପରକୁ ଡେଇଁ ପଡ଼ି ଦୁଇ ହାତରେ ଦୁଇଟା ଘୋଡ଼ାର ଲଗାମକୁ ଜୋରରେ ଭିଡ଼ି ଧରିଲା । ହଠାତ୍‌ ରଥଟା ଏମିତି ଭାବରେ ଅଟକିଗଲା ଯେ ଦୁଇ ଜଣ ଆରୋହୀ ପଛକୁ ଛିଟିକି ପଡ଼ିଲେ । ମେସାଲା ପଡ଼ିଯାଇ ପୁଣି ଉଠି ଠିଆ ହେଲା, ମାତ୍ର ତାହାର ସହକାରୀ ଗୁରୁତର ଆଘାତ ପାଇଲା । ସେତେବେଳେ ଚତୁର ମେସାଲା ଜୁଡ଼ାସ ଆଡ଼କୁ ନ ଅନାଇ ଜନତାକୁ ହସି ହସି କହିଲା–‘‘ବନ୍ଧୁଗଣ, ମୁଁ ଯେମିତି ରହସ୍ୟ କରୁଥିଲି, ସେମିତି ଉଚିତ ଶିକ୍ଷା ପାଇଲି । ମୋର ଭୁଲ ହୋଇଛି, କିଛି ମନେ କରିବେ ନାହିଁ ।’’ ଏହା କହି ଯୁବତୀକୁ ନମସ୍କାର କରି ମେସାଲା ପୁଣି ରଥରେ ଚଢ଼ି ଦ୍ରୁତ ଗତିରେ ସେହି ସ୍ଥାନ ତ୍ୟାଗ କଲା ।

 

ଯୁବତୀର ଅନୁରୋଧରେ, ଜୁଡ଼ାସ ସ୍ୱର୍ଣ୍ଣ ପାତ୍ରରେ ଝରଣାରୁ ଜଳ ଆଣି ବୃଦ୍ଧକୁ ଦେଲା । ବୃଦ୍ଧର ଜଳପାନ ପରେ ଯୁବତୀ ସେହି ପାତ୍ରଟି ପୁଣି ଜୁଡ଼ାସର ହାତକୁ ବଢ଼ାଇ ଦେଇ କହିଲା–‘‘ଆପଣ ଆମ ଜୀବନ ରକ୍ଷା କରିଛନ୍ତି । କୃତଜ୍ଞତାର ଚିହ୍ନସ୍ୱରୂପ ଆପଣ ଏହି ପାତ୍ରଟି ଗ୍ରହଣକରନ୍ତୁ ।’’

 

ବୃଦ୍ଧ କ୍ଷୀଣ ସ୍ୱରରେ କହିଲା–‘‘ଆପଣ ପରେ ମୋତେ ଦେଖା କଲେ ମୁଁ ଖୁବ ଖୁସି ହେବି । ମୁଁ ପାମ ଉପତ୍ୟକାରେ ଶେଖ ଇଲଦେରିମର ଶିବିରରେ ରହୁଛି ।’’

 

ଓଟ ଚାଲିଗଲା । ଜୁଡ଼ାସ ମାଲକକୁ କହିଲା–‘‘ଇଲଦେରିମ ସାଙ୍ଗରେ ଥରେ ଦେଖା କଲେ ଭଲ ହୁଅନ୍ତା ।’’

 

ବାଟରେ ଯାଉଁ ଯାଉଁ ମାଲକ ଜୁଡ଼ାସ ଠାରୁ ମେସାଲା ଘଟିତ ସମସ୍ତ ଘଟଣା ଜାଣିପାରିଲା । କଥା ପ୍ରସଙ୍ଗରେ ଜୁଡ଼ାସ ତାହାକୁ ନିଜର ଦୁଃଖମୟ ଜୀବନର କାହାଣୀ ଶୁଣାଇଲା ଏବଂ ଶେଷରେ କହିଲା–‘‘ବନ୍ଧୁ ମାଲକ ! ଆପଣଙ୍କ ସହିତ ମୋର ସାମାନ୍ୟ ପରିଚୟ ହୋଇଛି । ତେବେ ଆପଣ ଇହୁଦୀ ହୋଇଥିବାରୁ, ମୁଁ ଆପଣଙ୍କୁ ମୋ ମରମ କଥା କହୁଛି । ମୁଁ ଅଭିଜାତ ବେନହୁର ବଂଶର ରାଜପୁତ୍ର । ମୋ ନିର୍ଯ୍ୟାତନାର ପ୍ରତିଶୋଧ ନ ନେଇ ମୁଁ କଦାପି ଛାଡ଼ିବି ନାହିଁ । ମୋ ମାଆ ଓ ଭଉଣୀଙ୍କ ଉପରେ ଯେଉଁମାନେ ଅତ୍ୟାଚାର କରିଛନ୍ତି, ମୁଁ ନିଶ୍ଚୟ ସେମାନଙ୍କର ସମୁଚିତ ଶାସ୍ତି ବିଧାନ କରିବି ।’’

 

କିଛି ଦୂର ଯାଉ ନ ଯାଉଣୁ ଶେଖ ଇଲଦେରିମର ଭେଟ ମିଳିଲା । ସେ ଆଉ ଗୋଟାଏ ବାଟରେ ଡାଫ୍‌ନିରୁ ଫେରୁଥିଲା । ଜୁଡ଼ାସ ଅବାକ ହୋଇ ଦେଖିଲା, ମାଲକ ଶେଖ ଇଲଦେରିମର ପରିଚିତ । ମାଲକ କିଛି ସମୟ ଏକା ଇଲଦେଶମ ସହିତ କଥା ହୋଇ ଜୁଡ଼ାସକୁ ପାଖକୁ ଡାକିଲା-। ଇଲଦେରିମ କହିଲା–‘‘ବନ୍ଧୁ ମାଲକ ଠାରୁ ଶୁଣିଲୁ, ତୁମେ କୁଆଡ଼େ ଘୋଡ଼ାଦୌଡ଼ ଦିନ ମୋ ଚାରି–ଘୋଡ଼ା ରଥଟା ଚଳାଇବାକୁ ଆଗ୍ରହ ପ୍ରକାଶ କରୁଛ । ଭଲ କଥା, ମୋର ସେଥିରେ କିଛି ଆପତ୍ତି ନାହିଁ । ଏକ୍ଷଣି ଚାଲ ମୋ ଡେରାକୁ, ଖାଇ ପିଇ ଟିକିଏ ସୁସ୍ଥ ହେବ ।’’

 

ସେଠାରୁ ଇଲଦେରିମର ଶିବିର ବେଶୀ ଦୂର ନଥିଲା । ହ୍ରଦକୂଳରେ କେତେଗୁଡ଼ିଏ ବଡ଼ ବଡ଼ ତମ୍ୱୁ ପଡ଼ିଥିଲା । ଗୋଟିକରେ ଶେଖର ସୁସଜ୍ଜିତ ଗଦି ବିଛା ଯାଇଥିଲା ଏବଂ ବଡ଼ ବଡ଼ ତକିଆସବୁ ପଡ଼ିଥିଲା । ସେମାନେ ତମ୍ୱୁରେ ପ୍ରବେଶ କଲା କ୍ଷଣି, ଜଣେ ଭୃତ୍ୟ ଆସି ତିନି ଜଣଙ୍କୁ ତିନି ପାତ୍ର ପାନୀୟ ପରିବେଷଣ କଲା ।

 

ମାଲକ କିଛି ସମୟ ଗୋପନରେ ଇଲଦେରିମ ସହିତ କଥା ହୋଇସାରି ବିନୀତ ଭାବରେ ଜୁଡ଼ାସକୁ ଜଣାଇଲା–‘‘ସଞ୍ଜ ହେଲାଣି । ତେଣେ ମୋର କେତେ ଦରକାରୀ କାମ ଅଛି । ଏଠାରେ ଆପଣଙ୍କର କିଛି ଅସୁବିଧା ହେବ ନାହିଁ । କାଲି ଶେଖ ଆପଣଙ୍କୁ ଘୋଡ଼ା ଦେବ । ସେ ଆପଣଙ୍କ ଘୋଡ଼ା-ଚାଳନାରେ ଖୁବ୍‌ ଖୁସି ହେଲେ, ଘୋଡ଼ାଦୌଡ଼ ଦିନ ଆପଣ ତାଙ୍କର ସାରଥି ହେବେ । ଏବେ ମୁଁ ଯାଉଛି । ପୁଣି କାଲି ସକାଳେ ଆସିବି ।’’

 

ମାଲକ ବିଦାୟ ନେଲା । ଇଲଦେରିମ ଓ ଜୁଡ଼ାସ ଗଦିରେ ବସିଲେ । ଦାସମାନେ ହ୍ରଦରୁ ଜଳ ଆଣି ଦୁହିଁଙ୍କର ପାଦ ଧୋଇ ଦେଲେ । ଶେଖ ଜୁଡ଼ାସ ଆଗରେ ନିଜର ଘୋଡ଼ାଗୁଡ଼ିକର ଇତିହାସ ବର୍ଣ୍ଣନା କଲା ଏବଂ ସେମାନଙ୍କର ବଂଶ ପରିଚୟ ସବୁ ଦେଖାଗଲା । ତା’ପରେ ଶେଖ ଘୋଡ଼ାଗୁଡ଼ିକୁ ଅଣାଇ ଜୁଡ଼ାସ ସହିତ ପରିଚୟ କରାଇଦେଲା । ଏହି ସମୟରେ ଭୃତ୍ୟ ଆସି ଖବର ଦେଲା, ଆହାର ପ୍ରସ୍ତୁତ ହେଲାଣି । ଗଦି ସାମ୍ନାରେ କାର୍ପେଟ ଉପରେ ତିନି ଖଣ୍ଡ ଆସନ ଗୋଲ ହୋଇ ପଡ଼ିଲା । ମଝିରେ ଫୁଟେ ଉଚ୍ଚର ଖଣ୍ଡିଏ ଗୋଲ ଟେବୁଲ ଉପରେ ଖାଦ୍ୟ ଓ ପାନୀୟ ସଜା ହୋଇ ରହିଲା । ବେଲଥାଜାର ଖବର ପାଇ ନିକଟସ୍ଥ ଗୋଟିଏ ତମ୍ୱରୁ ଆସି ଜୁଡ଼ାସକୁ ଦେଖି ଚମକି ପଡ଼ିଲେ–‘‘ତୁମକୁ କେଉଁଠି ଦେଖିଲା ପରି ମାଲୁମ ହେଉଛି । ଓ, ସେହି ଝରଣାକୂଳରେ ତୁମେ ପାଣି ଆଣି ଦେଇ ମୋ ପ୍ରାଣ ରକ୍ଷା କରିଥିଲ । ଏକେଶ୍ୱର ପରମାତ୍ମାଙ୍କର ଆଶୀର୍ବାଦ ତୁମର ମସ୍ତକରେ ବୃଷ୍ଟି ହେଉ ।’’

 

ଶେଖ ଟିକିଏ ଯୋଗ କଲା–‘‘ବେଲଥାଜାର ମୋର ସମ୍ମାନିତ ଅତିଥି । ତାଙ୍କର ଜୀବନ ରକ୍ଷା ମୋର ଜୀବନ ରକ୍ଷା ସଙ୍ଗେ ସମାନ ।’’

 

ଜୁଡ଼ାସ ପଚାରିଲା–‘‘ଆପଣମାନଙ୍କ ଭିତରୁ ଜଣେ ହେଉଛନ୍ତି ମିଶରୀୟ, ଆଉ ଜଣେ ସିରିୟାବାସୀ ଆରବ । ଆପଣମାନଙ୍କ ଭିତରେ କିପରି ବନ୍ଧୁତା ସ୍ଥାପିତ ହେଲା ?’’

 

ବେଲଥାଜାରଙ୍କର ଆଖି ଉଜ୍ଜ୍ୱଳ ଦିଶିଲା । ସେ ସ୍ୱସ୍ତିର ନିଶ୍ୱାସ ମାରି କହିଲେ–‘‘ଜାଣିବାକୁ ଚାହଁ, କିପରି ? ଭଗବାନଙ୍କ ଇଙ୍ଗିତରେ । ସତେଇଶବର୍ଷତଳେ ଏକ ଓ ଅଦ୍ୱିତୀୟ ଭଗବାନଙ୍କୁ ମୁଁ ଏକ ନକ୍ଷତ୍ର ଭିତରେ ଦେଖିବାକୁ ପାଇଥିଲି । ଖାଲି ମୁଁ ଦେଖି ନଥିଲି, ଭାରତବାସୀ ହିନ୍ଦୁ ମେଳଶ୍ରୀ ଦେଖିଥିଲେ ଏବଂ ଗ୍ରୀସ ବାସୀ ତପସ୍ୱୀ ଗାସ୍‌ପାର ମଧ୍ୟ ଦେଖିଥିଲେ । ସେହି ପବିତ୍ର ନକ୍ଷତ୍ରର ନିର୍ଦ୍ଦେଶରେ ଆମେ ପୃଥିବୀର ବିଭିନ୍ନ କୋଣରୁ ଆସି ଜେବେଲ–ଜୁବଲାର ଅଦୂରରେ ମରୁଭୂମି ଭିତରେ ମିଳିତ ହୋଇଥିଲୁ ଏବଂ ସେହି ନକ୍ଷତ୍ରର ଗତିପଥ ଲକ୍ଷ୍ୟ କରି ବେଥଲିହେମ ଯାଇ ନରତାତା ମେସାୟାଙ୍କର, ଭଗବାନଙ୍କର ପ୍ରିୟ ପୁତ୍ର ଯୀଶୁଙ୍କର ଦର୍ଶନ ପାଇଥିଲୁ । ତାହାଙ୍କୁ ପୂଜା କରିସାରି ଆମେ ବେଥଲିହେମରୁ ପଳାଇ ଆସିଥିଲୁ । କାରଣ ଆମେ ଜାଣିଥିଲୁ, ଇହୁଦୀ–ରାଜ ହେରଡ଼ ଏହି ନବଜାତ ରାଜାଙ୍କର ସନ୍ଧାନ ପାଇବା ନିମନ୍ତେ ଆମ ଉପରେ ନିର୍ଯ୍ୟାତନା ଚଳାଇବ । ଆମେ ଏଠାକୁ ଆସି ଶେଖ ଇଲଦେରିମଙ୍କ ଆଶ୍ରୟରେ ବର୍ଷେ କାଳ ଲୁଚି ରହି ଅବଶେଷରେ ନିଜ ନିଜ ଦେଶକୁ ପଳାଇ ଯାଇ ପାରିଥିଲୁ । ସତେଇଶବର୍ଷ କାଳ ମୁଁ ସ୍ୱଦେଶରେ ବସି ନବଜାତ ଇହୁଦୀ–ଚାଜାଙ୍କର ଆତ୍ମପ୍ରକାଶ ନିମନ୍ତେ ପ୍ରତୀକ୍ଷା କରିଛି । କିନ୍ତୁ ମୋର ଆଉ ଧୈର୍ଯ୍ୟ ରହିଲା ନାହିଁ । କାରଣ ମୋର ମୃତ୍ୟୁ ନିକଟ ହୋଇ ଆସୁଛି । ଯମଦୂତ ମୋ ସାମ୍ନାରେ ଆସି ଠିଆ ହେବା ଆଗରୁ ମୁଁ ମୃତ୍ୟୁଞ୍ଜୟ ମେସାୟାଙ୍କର ଶ୍ରୀ ମୂର୍ତ୍ତି ଥରେ ମାତ୍ର ଦର୍ଶନ କରିବାକୁ ଚାହେଁ ହଜରତ ଅବ୍ରାହମ ଜେକବଙ୍କ ଦେଶରେ–ପୁଣ୍ୟଭୂମି ଜେରୁଜେଲମରେ ।’’

 

(୫)

 

ବେଲଥାଜାର ଓ ତାଙ୍କର ଝିଅକୁ ଓଟ ସମେତ ଚାପା ଦେବାକୁ ଗଲାବେଳେ ମେସାଲାକୁ ଜୁଡ଼ାସ ବାଧା ଦେଇଥିଲା । ସେତିକିବେଳେ ମେସାଲାର ମନେ ହୋଇଥିଲା, ଲୋକଟିକୁ ସେ କେଉଁଠି ଦେଖିଛି । କିନ୍ତୁ ସେହି ଉତ୍ତେଜିତ ମୁହୂର୍ତ୍ତରେ ମେସାଲା ବୁଝିପାରି ନଥିଲା ଯେ ସେହି ଦୁର୍ଭାଗ୍ୟ ହେଉଛି ବେନହୁରର ବଂଶଧର, ଯେ ଦିନେ ଶୈଶବରେ ତାହାର ଘନିଷ୍ଠ ବନ୍ଧୁ ଥିଲା ଏବଂ ଯାହାର ସର୍ବନାଶ କରିବା ପାଇଁ ଦିନେ ସେ ରୋମାନ ଉପଶାସକ ଗ୍ରେଟାସ ସହିତ ଏକ ହୀନ ଷଡ଼ଯନ୍ତ୍ରରେ ଲିପ୍ତ ହୋଇଥିଲା ।

 

ସେହି ରାତିରେ ଆଣ୍ଟିୟକର ଏକ ପ୍ରାଚୀନ ପ୍ରାସାଦରେ ଅନୁଷ୍ଠିତ ଭୋଜି ସଭାରେ ମେସାଲା ଅତିଥିମାନଙ୍କ ସହିତ ଆଲୋଚନାରୁ ଜାଣିପାରିଲା–ଜଳଦସ୍ୟୁମାନଙ୍କ ସହିତ ଯୁଦ୍ଧ କଲାବେଳେ କୁଇଣ୍ଟାସ ଏରିୟାସଙ୍କ ଜାହାଜ ବୁଡ଼ିଗଲା ଏବଂ ସେ ଜଳମଗ୍ନ ହେଲେ । କିନ୍ତୁ ପରେ ଅନ୍ୟ ଜାହାଜର ରୋମାନ ସୈନ୍ୟମାନେ ତାହାଙ୍କୁ ଖଣ୍ଡିଏ ତକ୍ତା ଧରି ଜଳରେ ଭାସୁଥିବାର ଦେଖି ଉଦ୍ଧାର କରିଥିଲେ । ସେହି ତକ୍ତାର ଅପର ପ୍ରାନ୍ତରେ ଜଣେ ଯୁବକ ମଧ୍ୟ ଥିଲା । ସେ କ୍ରୀତଦାସର ପୋଷାକ ପିନ୍ଧିଥିଲା ଏବଂ ଦଣ୍ଡିତ ଅପରାଧୀ ପରି ଯୁଦ୍ଧ ଜାହାଜର ଆହୁଲା ଭିଡ଼ୁଥିଲା । ସେହି ଯୁବକକୁ ଏରିୟାସ ନିଜର ପୁତ୍ର ବୋଲି ପରିଜିତ କରାଇଥିଲେ ।

 

ଏହା ଶୁଣି ମେସାଲାର ଚକ୍ଷୁ ବିସ୍ଫୋରିତ ହେଲା । ତାହାର ଦୃଢ଼ ଧାରଣା ହେଲା ଯେ ଡାଫନିର ଉଦ୍ୟାନରେ ଯେଉଁ ସ୍ପର୍ଦ୍ଧିତ ରୋମାନ ଯୁବକ ସହିତ ତାହାର ଭେଟ ହୋଇଥିଲା, ସେ ନିଶ୍ଚୟ ରାଜଦଣ୍ଡିତ ଇହୁଦୀ ବଂଶୀୟ ଜୁଡ଼ାସ । ଭୋଜି ପରେ ଘରକୁ ଫେରିଯାଇ, ମେସାଲା ଜେରୁଜେଲମର ଉପଶାସକ ଗ୍ରେଟାସ ପାଖକୁ ଖଣ୍ଡିଏ ଚିଠି ଲେଖିଲା–

 

‘‘ପ୍ରିୟ ମିଡ଼ାସ !

 

ଆପଣଙ୍କୁ ‘ମିଡ଼ାସ’ ବୋଲି ସମ୍ୱୋଧନ କରିବାର ତାତ୍ପର୍ଯ୍ୟ ହେଉଛି ଯେ ରାଜା ମିଡ଼ାସ ଯାହା ଛୁଉଁଥିଲେ ସବୁ ସୁନା ହୋଇଯାଉଥିଲା । ସେମିତି ଆପଣଙ୍କ ସଂସ୍ପର୍ଶରେ ଆସି ମୁଁ ନିଜେ ଯେମିତି ସୁନା ହୋଇ ନଯାଏ, କାରଣ ମୁଁ ଯଥେଷ୍ଟ ସୁନାର ଅଧିକାରୀ ହୋଇଛି । ଯେଉଁମାନଙ୍କ ଠାରୁ ସେସବୁ ଆମଦାନି ହୋଇଛି, ସେମାନଙ୍କ କଥା ମୁଁ ଏକ୍ଷଣି କହୁଛି ।

 

ଆଠବର୍ଷତଳେ, ଯେତେବେଳେ ଜେରୁଜେଲମର ରାଜପଥରେ ଆପଣଙ୍କ ଉପରେ ଛାତରୁ ଟାଇଲ ଖସି ପଡ଼ିଲା; ମୁଁ ସୈନିକମାନଙ୍କୁ ଡାକି ଆପଣଙ୍କର ଆତତାୟୀକୁ ଦେଖାଇ ଦେଇଥିଲି । ଫଳରେ, ରାଜକୁମାର ଜୁଡ଼ାସ ଧରା ପଡ଼ିଲା ଏବଂ ବେନହୁର ବଂଶର କୁବେର ସମ୍ପଦ ସମ୍ରାଟଙ୍କ ନାମରେ ବାଜ୍ୟାପ୍ତ ହେଲା । ସେହି ସମ୍ପତ୍ତିକୁ ଅଧିକାଂଶ ଆପଣ ଉଦରସ୍ଥ କରିଛନ୍ତି ଏବଂ କିଛି ଅବଶ୍ୟ ମୋ ଭାଗରେ ପଡ଼ିଛି ।

 

ବର୍ତ୍ତମାନ କଥା ହେଉଛି, ସେହି ସମ୍ପଦରୁ ଆପଣ ଓ ମୁଁ ଯାହା ଭୋଗ କରୁଛନ୍ତି, ପୁଣି ତାହାକୁ ଉଦ୍‌ଗୀରଣ କରିବାକୁ ହେବ କି ? ସ୍ୱର୍ଗୀୟ ଇଫେମାରଙ୍କର ସ୍ତ୍ରୀ ଓ କନ୍ୟା ଜୀବିତ କି ମୃତ, ତାହା ଆପଣଙ୍କୁ ଜଣା । କିନ୍ତୁ ଜୁଡ଼ାସକୁ କ୍ରୀତଦାସରୂପେ ଯୁଦ୍ଧ ଜାହାଜର ଆହୁଲା ଭିଡ଼ିବା ପାଇଁ ଦଣ୍ଡ ଦିଆଯାଇଥିଲା । ସୁତରାଂ ଏ ଯାବତ୍‌ ଆପଣ କି ମୁଁ ତାହା ସମ୍ୱନ୍ଧରେ କିଛି ଚିନ୍ତା କରିନାହାନ୍ତି, ଯେହେତୁ ସାଧାରଣତଃ ଆମେ ଧରି ନେଇଥିଲେ ଯେ ବହୁଦିନରୁ ସେ ମରି ଗଲାଣି । କିନ୍ତୁ ସେ ମରି ନାହିଁ । ପାଞ୍ଚବର୍ଷତଳେ ସେ ସ୍ୱାଧୀନ ରୋମାନ ନାଗରିକର ପୂର୍ଣ୍ଣ ଅଧିକାର ଲାଭ କରି, ବର୍ତ୍ତମାନ ଏକ ଅଭିଜାତ ବଂଶର ସନ୍ତାନରୂପେ ପରିଚିତ ହୋଇଛି । ଆଜି ସେ ଧନୀ, ଯୋଦ୍ଧା ଓ ବଳଶାଳୀ । ଯଦି ସେ ସୈନ୍ୟ ବାହିନୀରେ ଉଚ୍ଚ ସ୍ଥାନ ଅଧିକାର କରି ଗ୍ରେଟାସ ଓ ମେସାଲା ଉପରେ ପ୍ରତିହିଂସା ନେବାକୁ ବସେ, ସେଥିରୁ ଆତ୍ମରକ୍ଷାର ଉପାୟ କ’ଣ ?

 

ଜୁଡ଼ାସ ଓରଫ କୁଇଣ୍ଟାସ ଏରିୟାସ ଏକ୍ଷଣି ପାମ ଉପତ୍ୟକାରେ ବିଶ୍ୱାସଘାତକ ଶେଖ ଇଲଦେରିମର ଆଶ୍ରୟରେ ଅଛି । ସେ ଦିନ ଘୋଡ଼ାଦୌଡ଼ ପଡ଼ିଆରେ ଇଲଦେରିମ ରୋମାନମାନଙ୍କୁ ଜନ୍ତୁ ଜାନୁଆର ବୋଲି କହି ଗାଳି ଦେଲା । ମାକସେନିୟାସ ସୈନ୍ୟ ବାହିନୀ ସହ ଆଣ୍ଟିୟକରେ ଉପସ୍ଥିତ ହେଲେ, ତାହାକୁ ଧରି ବାନ୍ଧି ଜାହାଜରେ ରୋମକୁ ପଠାଇ ନ ଦେଲେ ସମ୍ରାଟଙ୍କର ସମ୍ମାନ ରହିବ ନାହିଁ ।

 

ଜୁଡ଼ାସକୁ ଆଉ ଆଗେଇବାକୁ ଦେବା ଉଚିତ ନୁହେଁ । ଏଠାରେ ତାହାକୁ ଖତମ କରିଦେବା ଉଚିତ । ସେ ବୋଧହୁଏ ଆଉ ମାସେ ଏଠାରେ ରହିବ । ଏହି ମାସକ ଭିତରେ ଯାହା ହେଉ ଗୋଟାଏ କିଛି ବ୍ୟବସ୍ଥା କରିବାକୁ ହେବ ।

 

ଆପଣଙ୍କ ଠାରୁ ଖବର ନ ମିଳିବା ଯାଏ, ମୁଁ ଜୁଡ଼ାସ ଉପରେ ବରାବର ନଜର ରଖିବି-। ମନେରଖିବେ, ଜୁଡ଼ାସ ଥରେ ଆଣ୍ଟିୟକରୁ ପାର୍ଥିୟାକୁ ଚାଲିଗଲେ ଆଉ ତାହାକୁ ପାଇବେ ନାହିଁ ।

 

ମେସାଲା’’

 

ଆଗାମୀ ଘୋଡ଼ାଦୌଡ଼ ମାତ୍ର ଚାରି ଦିନ ଥିଲା । ଶେଖ ଇଲଦେରିମର ଚାରି–ଘୋଡ଼ା ବିଶିଷ୍ଟ ରଥ ଚଳାଇବାର ଭାର ଜୁଡ଼ାସ ନେଲା । ଇତିମଧ୍ୟରେ ସେ ଆରବ ଘୋଡ଼ାଗୁଡ଼ିକୁ ଯଥାର୍ଥ ଭାବରେ ଶିକ୍ଷକ କରିବାକୁ ଲାଗିଲା ।

 

ସକାଳେ ମାଲକ ଜରିଆରେ ବଣିକ ସାଇମନାଇଦିସଙ୍କ ଠାରୁ ଚିଠି ପାଇ ଶେଖ ଇଲଦେରିମ ତାହାଙ୍କ ସହିତ ସାକ୍ଷାତ କରିବାକୁ ଚାଲି ଗଲା । ରାତିରେ ତାହାଙ୍କ ସହିତ କେତେକ ଗୁରୁତର ବିଷୟରେ କଥା ହୋଇ, ଶେଖ ପରଦିନ ସକାଳେ ନିଜର ଶିବିରକୁ ଫେରି ଆସିଲାମାତ୍ରେ ଜଣେ ଆରବ ଅଶ୍ୱାରୋହୀ ତାହାକୁ ଖଣ୍ଡିଏ ପତ୍ର ଦେଲା । ମେସାଲାର ଦୂତ ସ୍ଥଳ ପଥରେ ଚିଠି ନେଇ ଜେରୁଜେଲମକୁ ଯାଉଥିଲା । ବାଟରେ ଦସ୍ୟୁମାନେ ତାହାକୁ ଆକ୍ରମଣ କରି ତାହା ଠାରୁ ସେହି ଚିଠି ଖଣ୍ଡିକ କାଢ଼ି ନେଇ ଶେଖ ପାଖକୁ ପଠାଇ ଦେଇଥିଲେ । ଘୋଡ଼ାଗୁଡ଼ିକର ପ୍ରାତଃ କାଳୀନ ବ୍ୟାୟାମ ସାରି ଜୁଡ଼ାସ ତମ୍ୱୁକୁ ଫେରିଆସିଲା । ଶେଖ ଜୁଡ଼ାସକୁ ନିଜର ତମ୍ୱୁକୁ ଡାକି ନେଇ ସେହି ଚିଠି ଖଣ୍ଡିକ ପଢ଼ିବାକୁ କହିଲା । ଚିଠିରେ ନିଜ କଥା, ନିଜର ମାଆ ଓ ଭଉଣୀଙ୍କ କଥା ପଢ଼ି ଜୁଡ଼ାସ ଆତ୍ମହରା ହୋଇଗଲା ଏବଂ ତାହାର ଆଖିରୁ ଲୁହ ଝରିବାକୁ ଲାଗିଲା । ତାହାର ଅନ୍ତର କହୁଥିଲା, ତାହାର ମାଆ ଓ ଭଉଣୀ ବଞ୍ଚିଛନ୍ତି । କିଛିକ୍ଷଣ ପରେ ନିଜର ଦୁର୍ବଳତା ଯୋଗୁଁ ଲଜ୍ଜା ବୋଧ କରି ଜୁଡ଼ାସ ଶେଖକୁ ଜଣାଇଲା–‘‘ମେସାଲା ଆପଣଙ୍କ ବିରୁଦ୍ଧରେ କେତେକ ଖରାପ କଥା ଗ୍ରେଟାସକୁ ଲେଖିଛି । ଆପଣ କୁଆଡ଼େ ବିଶ୍ୱାସଘାତକ । ସେମାନେ ଆପଣଙ୍କୁ ବାନ୍ଧି ନେଇ ଜାହାଜରେ ରୋମକୁ ପଠାଇଦେବେ ।’’

 

ଶେଖ ଇଲଦେରିମ ସିଂହ ପରି ଗର୍ଜନ କରି କହିଲା–‘‘ଏଁ ମୁଁ ବିଶ୍ୱାସଘାତକ ? ମରୁଭୂମିର ସନ୍ତାନକୁ ରୋମକୁ ପଠାଇବେ ? ଅପରାଧ ? ରୋମାନମାନେ ଅବଶ୍ୟ କାହାରି ଅପରାଧ ପାଇ ଅପେକ୍ଷା କରନ୍ତି ନାହିଁ । ଯାହାକୁ ରାସ୍ତାକୁ ହଟାଇବା ଦରକାର ବୋଲି ମନେ କରନ୍ତି, ତାହାକୁ କଳେବଳେ କୌଶଳେ ହଟାଇ ଦିଅନ୍ତି । ତୁମକୁ ହଟାଇଲାବେଳେ, ସେମାନଙ୍କର ବାହାନାର ଅଭାବ ନଥିଲା । ତୁମ କଥା ମୁଁ ସବୁ ଜାଣେ । ତୁମେ କ’ଣ ସେହି ଅତ୍ୟାଚାରର ପ୍ରତିଶୋଧ ନେବ ନାହିଁ ? ଯଦି ମୁଁ ତୁମ ପରି ଶକ୍ତିଶାଳୀ ଯୁବକ ହୋଇଥାଆନ୍ତି, ଜାନୁଆର ମେସାଲା ଚିଠିରେ ମୋ ବିରୁଦ୍ଧରେ ଯେଉଁ ଅପମାନଜନକ ଭାଷା ପ୍ରୟୋଗ କରିଛି, ସେଥିପାଇଁ ତାହାକୁ ସମୁଚିତ ଦଣ୍ଡ ଦେବାଲାଗି ମୁଁ ଏକ୍ଷଣି ସହର ଆଡ଼କୁ ଘୋଡ଼ା ଛୁଟାଇ ଦିଅନ୍ତି ।’’

 

ବୃଦ୍ଧ ଶେଖ ଜୋରରେ ଚିତ୍କାର କରି ଧଇଁସଇଁ ହେଲା । ଜୁଡ଼ାସ ନୀରବ ରହିଲା ।

 

ସନ୍ଧ୍ୟାବେଳେ ଜୁଡ଼ାସ ହ୍ରଦର କୂଳରେ ବସି ପକ୍ଷୀମାନଙ୍କର ସୁଲଳିତ କାକଳି ଶୁଣୁଥିଲା-। ମାଲକ ଆସି ତାହାକୁ ଅନୁରୋଧ କଲା–‘‘ଗୋଟିଏ ବିଶେଷ ଗୁରୁତର କାମରେ ବର୍ତ୍ତମାନ ଆପଣଙ୍କୁ ମୋ ସାଙ୍ଗରେ ଯିବାକୁ ହେବ ।’’ ଜୁଡ଼ାସ ଆପତ୍ତି କଲା ନାହିଁ ।

 

ସେତେବେଳେ ଶେଖ ଇଲଦେରିମ ତମ୍ୱୁରେ ନଥିବାରୁ, ଦୁହେଁ ଦୁଇଟି ଘୋଡ଼ାରେ ଚଢ଼ି ସହର ଅଭିମୁଖେ ଯାତ୍ରା କଲେ । ଅଚିରେ ସେମାନେ ବଣିକ ସାଇମନାଇଦିସଙ୍କ ନିବାସରେ ଯାଇ ପହଞ୍ଚିଲେ । ଗୋଟିଏ କକ୍ଷରେ ସାଇମନାଇଦିସ, ତାହାର ଝିଅ ଏସ୍‌ଥାର ଓ ଶେଖ ଇଲଦେରିମ ବସିଥିଲେ ।

 

ଜୁଡ଼ାସକୁ ଦେଖି ସାଇମନାଇଦିସ ସମ୍ଭାଷଣ ଜଣାଇଲେ–‘‘ପରମ ସତ୍ୟ ପରମେଶ୍ୱରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବୃଷ୍ଟି ହେଉ । ଏସ୍‌ଥାର ! ପ୍ରଭୁଙ୍କ ଆସନ ଦିଅ ।’’

 

ଏସ୍‌ଥାର କାନ୍ଥ ପାଖରୁ ଖଣ୍ଡିଏ ଆସନ ଆଣୁଥିଲା । ଜୁଡ଼ାସ ଆଗେଇ ଯାଇ ତାହାର ହାତରୁ ଆସନଟି ଛଡ଼ାଇ ନେଇ ସାଇମନାଇଦିସଙ୍କ ପାଖରେ ପକାଇ ବସି ପଡ଼ି ମଧୁର ସ୍ୱରରେ କହିଲା–‘‘ମୁଁ ଏଠାରେ ବସୁଛି ।’’

 

ତା’ପରେ ସାଇମନାଇଦିସ ନିଜର ଝିଅକୁ କହିଲେ–‘‘ଏସ୍‌ଥାର, ହିସାବସବୁ ନେଇ ଆସି ଗୋଟି ଗୋଟି କରି ପ୍ରଭୁଙ୍କୁ ବୁଝାଇ ଦିଅ ତ ।’’

 

ଏସ୍‌ଥାର ଗୋଲ ହୋଇ ଗୁଡ଼ା ହୋଇଥିବା ବିଡ଼ାଏ ପାପିରାସ କାଗଜ ନେଇ ଆସିଲା-। ସାଇମନାଇଦିସ ସେଗୁଡ଼ିକ ଜୁଡ଼ାସର ସାମ୍ନାରେ ଥୋଇ ଦେଇ କହିଲେ–‘‘ଯେତେବେଳେ ବେନହୁର ରାଜବଂଶ ଉପରେ ଦୁର୍ଯୋଗ ଘନେଇ ଆସିଲା, ସେତେବେଳେ ରୋମାନ ଦସ୍ୟୁମାନେ ତାଙ୍କର ସକଳ ସମ୍ପତ୍ତି ଲୁଟି ନେଇଗଲେ । କେବଳ ନଗଦ ଅର୍ଥତକ ନେଇପାରିଲେ ନାହିଁ । କାରଣ ସେସବୁ ମୋ ପାଖରେ ଗଚ୍ଛିତ ଥିଲା । କେତେ ବର୍ଷ ଭିତରେ ମୁଁ ତାହାକୁ ପାଞ୍ଚ ଗୁଣ ବଢ଼ାଇଛି । ଯାହା ହେଉ, ଖୁସି ହେଲି, ଆଜି ଆପଣ ରୋମ ସମ୍ରାଟଙ୍କ ଠାରୁ ଅଧିକ ଧନୀ ଓ ବଳଶାଳୀ ପୁରୁଷ-।’’

 

(୬)

 

ପରଦିନ ଦିପହରେ ଜଣେ ବାଳକ ଆସି ଶେଖ ଇଲଦେରିମର ତମ୍ୱୁରେ ଜୁଡ଼ାସକୁ ଜଣାଇଲା ଯେ ବେଲଥାଜାର ବିଶେଷ ପ୍ରୟୋଜନରେ ତାହାକୁ ଡକାଇଛନ୍ତି ।

 

କିଛିଦିନତଳେ ଋଷି ବେଲଥାଜାର ଶେଖର ଆତିଥ୍ୟ ତ୍ୟାଗ କରି ଆଣ୍ଟିୟକ ସହରର ଇଦାର୍ନି ପ୍ରାସାଦରେ ବାସ କରୁଥିଲେ । ଜୁଡ଼ାସ ତାଙ୍କର ଆମନ୍ତ୍ରଣ ଅଗ୍ରାହ୍ୟ କରିପାରିଲା ନାହିଁ । ଅପରାହ୍ନରେ ସେ ସହର ଅଭିମୁଖେ ଅଗ୍ରସର ହେଲା ।

 

ପ୍ରାଚୀନ ଯୁଗର ଇଦାର୍ନି ରାଜପ୍ରାସାଦର ବିଶାଳ ସିଂହଦ୍ୱାର ନିକଟରେ ପହଞ୍ଚିଲା କ୍ଷଣି, ଜଣେ ମଲ୍ଲବୀର ସଦୃଶ ବ୍ୟକ୍ତି ଜୁଡ଼ାସକୁ ଭିତରକୁ ନେଇଗଲା । ବିସ୍ତୃତ ପ୍ରାଙ୍ଗଣରେ ଆଉ ଜଣେ ଅଧିକ ବଳଶାଳୀ ମଲ୍ଲବୀର ଦେଖାଗଲା । ଜୁଡ଼ାସ ତାହାକୁ ଦେଖି ଚମକି ପଡ଼ିଲା–ଏଁ, ଏ ଯେ ତାହାର ପୂର୍ବ ପରିଚିତ ଜର୍ମାନ ମଲ୍ଲ ଗୁରୁ ଥର୍ଡ଼, ଏଠାରେ କ’ଣ କରୁଛନ୍ତି ?

 

ପାଖର ଗୋଟିଏ ଦରଜା ଖୋଲିଗଲା । କକ୍ଷ ଭିତରେ ଗୁଡ଼ାଏ ଲୋକ ବସି ଜୁଆ ଖେଳୁଥିଲେ । ଜୁଡ଼ାସକୁ ଦେଖିପାରି ସେମାନେ ଖେଳ ଭୁଲିଯାଇ ଏକ ଦୃଷ୍ଟିରେ ତାହାକୁ ଅନାଇ ରହିଲେ । ହଠାତ୍‌ ବିଜୁଳି ଚମକିଲା ପରି ଗୋଟାଏ ଚିନ୍ତା ଜୁଡ଼ାସର ମଥାରେ ଖେଳିଗଲା–ଏଟା ଗୋଟାଏ ଫାନ୍ଦ ନୁହେଁ ତ ? ବେଲଥାଜାରଙ୍କ ନାମ କହି ତାହାକୁ ଡାକି ଅଣାଯାଇଛି, ଅଥଚ ଏଠାରେ ଖାଲି କେତେ ଜଣ ରୋମାନ ଜୁଆଡ଼ି ଓ ଦୁଇ ଜଣ ଜର୍ମାନ ମଲ୍ଲବୀର ଛଡ଼ା ତ ଆଉ କେହି ନାହାନ୍ତି । ଯଦି ଏମାନେ ତାହାକୁ ହତ୍ୟା କରିବାକୁ ଚେଷ୍ଟା କରନ୍ତି !

 

ଜୁଡ଼ାସ ପ୍ରାଙ୍ଗଣରେ ଏକ କୋଣକୁ ଯାଇ ଗୋଟାଏ ବିରାଟ ସ୍ତମ୍ଭକୁ ଆଉଜି ଛିଡ଼ା ହେଲା ଏବଂ ଗମ୍ଭୀର କଣ୍ଠରେ ପଚାରିଲା–‘‘ସତ କୁହ, ତୁମ୍ଭେମାନେ କିଏ ?’’

 

ଦୈତ୍ୟ ଥର୍ଡ଼ ଗମ୍ଭୀରତର ସ୍ୱରରେ ଜବାବ ଦେଲା–‘‘କାହିଁକି ପଚାରୁଛ ? ଆମେ ତ ତୁମର ପରିଚୟ ଜାଣିବାକୁ ଚାହିଁ ନାହୁଁ ?’’

 

ତା’ପରେ ସେ ଓ ତାହାର ସଙ୍ଗୀ ମଲ୍ଲ ଜଣକ ହସି ପକାଇଲେ ।

 

ଜୁଡ଼ାସ କହିଲା–‘‘ତୁମ୍ଭମାନଙ୍କର ଅଭିପ୍ରାୟ ବୁଝିବାକୁ ମୋର ଆଉ ବାକି ନାହିଁ । ବେଶ୍‌, ମୁଁ ଲଢ଼ିବାକୁ ପ୍ରସ୍ତୁତ ଅଛି । ମାତ୍ର ଗୋଟିଏ କଥା ମୁଁ ଜାଣିବାକୁ ଚାହେଁ ।’’

 

ଥର୍ଡ଼ ବିସ୍ମୟରେ ପଚାରିଲା–‘‘କି କଥା ?’’

 

ଜୁଡ଼ାସ କହିଲା–‘‘ତୁମେ ଜର୍ମାନ ମଲ୍ଲବୀର ଥର୍ଡ଼ ନା ? ରୋମରେ ତୁମର ଆଖଡ଼ା ଥିଲାନା ? ମୁଁ ତୁମ ଠାରୁ ମଲ୍ଲ କ୍ରୀଡ଼ା ଶିଖିଛି । ଅର୍ଥ ଲୋଭରେ ଶିଷ୍ୟକୁ ହତ୍ୟା କରିବା ତୁମର କଦାପି ବୀରୋଚିତ କାର୍ଯ୍ୟ ନୁହେଁ ।’’

 

‘‘ପ୍ରମାଣ କ’ଣ, ତୁମେ ମୋର ଶିଷ୍ୟ ? ତୁମେ ପରା ଇହୁଦୀ । ମୁଁ ତ କେବେ କୌଣସି ଇହୁଦୀକୁ ମଲ୍ଲ କ୍ରୀଡ଼ା ଶିକ୍ଷା ଦେଇ ନାହିଁ !’’

 

‘‘ମୁଁ ଯେ ତୁମର ଶିଷ୍ୟ, ତାହା ହାତେ ହାତେ ମୁଁ ପ୍ରମାଣ କରିଦେଇପାରେ । ଏହି ଯୁବକ ମଲ୍ଲଟି ତ ତୁମର ଶିଷ୍ୟ । ତାହାକୁ ମୋ ସହିତ ଲଢ଼ିବାକୁ କୁହ । ମୋର କୁସ୍ତିରେ ତୁମର ଗୋଟାଏ ବିଶେଷ କୌଶଳ ଦେଖିଲେ ତୁମେ ନିଶ୍ଚୟ ବୁଝିପାରିବ ମୁଁ ତୁମର ଶିଷ୍ୟ କି ନା ।’’

 

ଥର୍ଡ଼ ସେହି ମଲ୍ଲ ଜଣକୁ ଜୁଡ଼ାସ ସହିତ କୁସ୍ତି ଲଢ଼ିବା ପାଇଁ ଇଙ୍ଗିତ ଦେଲା । ସେ ଆନନ୍ଦରେ କୁସ୍ତିରେ ଅବତୀର୍ଣ୍ଣ ହେଲା । ମାତ୍ର କେତେ ମୁହୂର୍ତ୍ତ ଭିତରେ ଜୁଡ଼ାସ ସେହି ଅଭାଗା ମଲ୍ଲକୁ ମାଟିରେ ଚିତ୍‌ କରିଦେଲା । ଏହା ଦେଖି ଥର୍ଡ଼ ବିସ୍ମିତ ହେଲା ଏବଂ ଉଲ୍ଲାସରେ ଜୁଡ଼ାସର ହାତ ଧରି କହିଲା–‘‘ତୁମେ ଯେ ମୋର ଶିଷ୍ୟ, ଏଥିରେ ମୁଁ ଗର୍ବ ବୋଧ କରୁଛି । ମେସାଲାର ହଜାରେ ଟଙ୍କାର ଲୋଭରେ ମୁଁ ତୁମର ପ୍ରାଣ ନାଶ କରିପାରିବି ନାହିଁ ।

 

‘‘ମେସାଲା ?’’ ଦାନ୍ତ କାମୁଡ଼ି ଜୁଡ଼ାସ ପଚାରିଲା ।

 

‘‘ହଁ, ମେସାଲା ତ ମୋ ଉପରେ ଭାର ଦେଇଥିଲା ତୁମକୁ ହତ୍ୟା କରିବା ପାଇଁ । ତାହାର ବନ୍ଧୁମାନେ ଘରେ ବସି ଜୁଆ ଖେଳୁଛନ୍ତି । ସେମାନଙ୍କ ଉପରେ ଭାର ଅଛି, ତୁମର ମୃତ ଦେହ ଚାକ୍ଷୁସ ଦେଖି ସେମାନେ ଯାଇ ତାହାକୁ ଖବର ଦେବେ । ଏବେ ମୁଁ ସେମାନଙ୍କୁ କ’ଣ କହିବି-?’’

 

ଜୁଡ଼ାସ କିଛିକ୍ଷଣ ଚିନ୍ତା କରି କହିଲା–‘‘ଏଥିରେ କିଛି ଅସୁବିଧା ହେବ ନାହିଁ । ଏହି ଯେଉଁ ମଲ୍ଲଟିର ଦୁର୍ଭାଗ୍ୟକୁ ମୋ ହାତରେ ପ୍ରାଣ ଗଲା, ସେ ଦେଖିବାକୁ ପ୍ରାୟ ମୋରି ପରି । ଯଦି ମୋ ପୋଷାକ ତାହାକୁ ପିନ୍ଧାଇ ଦିଆଯାଏ, ତାହା ହେଲେ ସ୍ୱଚ୍ଛନ୍ଦରେ ତାହାକୁ ଜୁଡ଼ାସ ବୋଲି ଚଳାଇ ନେଇ ହେବ । ମେସାଲା ତୁମକୁ ହଜାରେ ଟଙ୍କା ଦେବାକୁ କହିଛି । ମୁଁ ଦୁଇ ହଜାର ଦେବି-।’’

 

ବିରାଟକାୟ ଦୈତ୍ୟ ଆନନ୍ଦରେ ଡେଇଁବାକୁ ଲାଗିଲା । ପାଞ୍ଚ ମିନିଟ ପରେ ମୃତ ମଲ୍ଲର ପୋଷାକ ପିନ୍ଧି ଜୁଡ଼ାସ ଇଦାର୍ନି ପ୍ରାସାଦରୁ ବାହାରି ଗଲା । ତା’ପରେ ଥର୍ଡ଼ ମୃତ ମଲ୍ଲକୁ ଜୁଡ଼ାସର ପୋଷାକ ପିନ୍ଧାଇ ଜୁଆଡ଼ିମାନଙ୍କୁ ଡାକି ଆଣି କହିଲା–‘‘ଦେଖ, ମୁଁ ମୋ କାମ କରିଛି । ଏକ୍ଷଣି ମେସାଲାକୁ ଖବର ଦିଅ, ଯେମିତି ମୋର ପ୍ରାପ୍ୟ ହଜାରେ ଟଙ୍କା ଆଜି ରାତି ଭିତରେ ସେ ମୋତେ ଦେଇଦିଏ ।’’

 

ସେହି ରାତିରେ ତିନି ହଜାର ଟଙ୍କା ଥର୍ଡ଼ ପାଖରେ ଯାଇ ପହଞ୍ଚିଲା–ମେସାଲା ଠାରୁ ହଜାରେ, ଆଉ ଜୁଡ଼ାସ ଠାରୁ ଦୁଇ ହଜାର ।

 

ଘୋଡ଼ାଦୌଡ଼ ଦିନ ସମଗ୍ର ନଗରୀରେ ତୁମୁଳ ଉତ୍ତେଜନା ଖେଳିଗଲା । ସମସ୍ତ ନାଗରିକଙ୍କ ତୁଣ୍ଡରେ କେବଳ ଦୁଇଟି ନାମ । ରୋମାନମାନେ କହିବାକୁ ଲାଗିଲେ ମେସାଲା ଜିତିବ, ଆଉ ଇହୁଦୀମାନେ କହିଲେ ଜୁଡ଼ାସ ଜିତିବ ।

 

ଘୋଡ଼ାଦୌଡ଼ ପଡ଼ିଆ ଲୋକାରଣ୍ୟ । ଛଅଟି ଚାରି–ଘୋଡ଼ା ବିଶିଷ୍ଟ ରଥ ବିଭିନ୍ନ ନମ୍ୱର ଦିଆ ହୋଇ ରହିଥିଲା । ପ୍ରଥମ ନମ୍ୱର ହେଲା କରିନ୍ଥବାସୀ ଲିସିପାସର, ପ୍ରତୀକ ରଙ୍ଗ ହଳଦିଆ । ଦ୍ୱିତୀୟଟି ରୋମାନ ମେସାଲାର, ପ୍ରତୀକ ରଙ୍ଗ ସୁନେଲି । ତୃତୀୟଟି ଏଥେନ୍‌ସବାସୀ କ୍ଳିୟାନଥିସର, ପ୍ରତୀକ ରଙ୍ଗ ସବୁଜ । ଚତୁର୍ଥଟି ବାଇଜାଣ୍ଟିୟାମର ଦିସିୟାସର, ପ୍ରତୀକ ରଙ୍ଗ କଳା-। ପଞ୍ଚମଟି ସିଭୋନିୟାବାସୀ ୟାଦମେଟାସର, ପ୍ରତୀକ ରଙ୍ଗ ନୀଳ । ଷଷ୍ଠଟି ହେଲା ମରୁବାସୀ ଶେଖ ଇଲଦେରିମର, ପ୍ରତୀକ ରଙ୍ଗ ଧଳା । ଶେଖର ରଥ ଚଳାଇବ ଇହୁଦୀ ଜୁଡ଼ାସ । ଅନ୍ୟଗୁଡ଼ିକ ମାଲିକମାନେ ନିଜେ ଚଳାଇବେ । ରଥସବୁ ଚକ୍ରାକାରରେ ଘୋଡ଼ାଦୌଡ଼ର ପଥକୁ ତିନି ଥର ଘୂରିବେ । ଯେଉଁ ରଥ ପ୍ରତିଯୋଗିତାରେ ପ୍ରଥମ ହେବ, ସେ ଦଶ ହଜାର ଟଙ୍କା ପୁରସ୍କାର ପାଇବ-। ଶେଖ ପ୍ରତିଶ୍ରୁତି ଦେଇଥିଲା, ଯଦି ଜୁଡ଼ାସ ଜିତେ ସେ ସମୁଦାୟ ଟଙ୍କା ନେବ ଏବଂ କେବଳ ଜୟର ଗୌରବ ଲାଭ କଲେ ଶେଖ ତୃପ୍ତ ହେବ ।

 

ଭେରୀ ଧ୍ୱନୀ ହେଲା କ୍ଷଣି ରଥସବୁ ପବନ ବେଗରେ ଛୁଟିଲେ । ଚାହୁଁ ଚାହୁଁ ରଥସବୁ ଦୁଇ ଥର ଚକ୍ର ପଥରେ ଘୂରି ଆସିଲେ । ମେସାଲାର ରଥ ସବାଆଗରେ, ତାହାର ଠିକ୍‌ ପାଖକୁ ଜୁଡ଼ାସର । ଅନ୍ୟ ଚାରୋଟି ରଥ ପଛରେ ପଡ଼ିଥିଲେ । ସେମାନଙ୍କ ଭିତରେ ତୃତୀୟଟି ଅଗ୍ରଣୀ ଥିଲା ।

 

ମେସାଲା ଓ ଜୁଡ଼ାସର ରଥ ଦୁଇଟି ପାଖାପାଖି ଧାଇଁଥିଲେ । କିନ୍ତୁ ମେସାଲା ଥିଲା ଭିତର ପଟକୁ, ଆଉ ଜୁଡ଼ାସ ବାହାର ଆଡ଼କୁ । ଯେତେବେଳେ ଶେଷ ମୁହୂର୍ତ୍ତରେ ଜୟ ସ୍ତମ୍ଭ ସ୍ପର୍ଶ କରିବାର ସମୟ ହେବ, ସେତେବେଳେ ମେସାଲା ସ୍ତମ୍ଭର ନିକଟବର୍ତ୍ତୀ ଥିବ, କିନ୍ତୁ ଜୁଡ଼ାସ ଥିବ ମେସାଲାର ଆର ପଟକୁ । ସୁତରାଂ ମେସାଲାକୁ ଅତିକ୍ରମ ନ କଲେ ଜୁଡ଼ାସ କୌଣସିମତେ ଜୟ ସ୍ତମ୍ୱ ସ୍ପର୍ଶ କରିପାରିବ ନାହିଁ ।

 

ସେଥିପାଇଁ ମେସାଲା ଅତିଶୟ ଉତ୍‌ଫୁଲ୍ଲ ଥିଲା । ସେ ଚକ୍ର ପଥରେ ଯେଉଁ ସୁବିଧା ଅଧିକାର କରିଥିଲା, କୌଣସିମତେ ତାହା ବଜାୟ ରଖିବାକୁ ସେ ବଦ୍ଧ ପରିକର ହୋଇଥିଲା । ଆସନ୍ନ ବିଜୟ ଗର୍ବରେ ସେ ଆତ୍ମହରା ହୋଇଯାଇଥିଲା । ଆରବୀ-ଘୋଡ଼ା-ରଥଟା ଠିକ୍‌ ତାହାରି ପାଖେ ପାଖେ ଚାଲିଥିଲା । ସେ ନିଜର ଦୀର୍ଘ ଚାବୁକରେ ଅଚାନକ ସେହି ଚାରୋଟି ତେଜୀ ଘୋଡ଼ାଙ୍କ ପିଠିରେ ଏକ ତୀବ୍ର କଶାଘାତ ବସାଇଦେଲା । ଏପରି ଅସାଧାରଣ ହେୟ ବ୍ୟବହାର କେହି କେବେ ଦେଖି ନଥିଲେ । ସମବେତ ଦର୍ଶକମାନଙ୍କ କଣ୍ଠରେ ଧିତ୍କାରର ଧ୍ୱନି ଉଠିଲା ।

 

ଜୁଡ଼ାସର ଘୋଡ଼ାଗୁଡ଼ିକ ଜୀବନରେ କେବେ କାହା ଠାରୁ ପ୍ରହାର ଖାଇ ନଥିଲେ । ଏହି ଆକସ୍ମିତ ଅନଭ୍ୟସ୍ତ ନିଷ୍ଠୁରତାର କାରଣ ବୁଝିନପାରି ସେମାନେ ଏକାସାଙ୍ଗରେ ଉପରକୁ କୁଦି ପଡ଼ିଲେ । ଜୁଡ଼ାସର ହାତ ଉତ୍ତାଳ ସମୁଦ୍ରରେ ଆହୁଲା ଭିଡ଼ିବାରେ ଅଭ୍ୟସ୍ତ ଥିବାରୁ, ସେ ସେହି ଲମ୍ଫର ବେଗ ସହ୍ୟ କରି ନିଜର ରଥଟି ବଞ୍ଚାଇ ରଖିପାରିଲା । କିନ୍ତୁ ହେଲେ କ’ଣ ହେବ ତାହାର ରଥ ମେସାଲାର ପଛକୁ ଚାଲିଗଲା । ଏଥର ଦୁଇଟି ରଥ ପାଖାପାଖି ଧାଇଁଲେ ନାହିଁ । ମେସାଲା ଆଗେ ଆଗେ, ଆଉ ଜୁଡ଼ାସ ଠିକ୍‌ ତାହାର ପଛେ ପଛେ ।

 

ଜୟସ୍ତମ୍ଭ ସମ୍ମୁଖରେ ।

 

ଅକସ୍ମାତ୍‌ ଜୁଡ଼ାସର ଚାବୁକ ଆରବୀ ଘୋଡ଼ାଗୁଡ଼ିକର କାନ ଉପରେ ବୋଁ କରି ଘୂରିଗଲା । ବୋଧହୁଏ ପୁଣି ସେମାନଙ୍କ ପିଠିରେ କଶାଘାତ ପଡ଼ିଛି ବୋଲି ଭାବି ଚାରୋଟିଯାକ ଘୋଡ଼ା ଭୟରେ କୁଦି ପଡ଼ିଲେ । ସେହି ସମୟରେ ଜୁଡ଼ାସ ଲଗାମକୁ ଏପରି ଜୋରରେ ଟାଣି ଧରିଲା ଯେ ଘୋଡ଼ାଗୁଡ଼ିକ ଉପରକୁ କୁଦି ନ ପାରି ସାମ୍ନାକୁ ଟିକିଏ କଣେଇ କରି ଛିଟିକି ପଡ଼ିଲେ । ଫଳରେ, ଜୁଡ଼ାସର ରଥର ଲୁହା ରେକାବ ଲଗା ଚକ ମେସାଲାର ରଥର କାଠ ଚକ ଉପରେ ଚଢ଼ିଗଲାରୁ ତାହାର ଚକ ସବୁ ଏକ ନିମିଷରେ ଟିକି ଟିକି ହୋଇଗଲା । ମେସାଲାର ରଥ ଗୋଟାଏ ପଟକୁ ଓଲଟି ପଡ଼ିଲା, ଆଉ ଜୁଡ଼ାସର ରଥ ତତ୍‌କ୍ଷଣାତ୍ ପାଖ କାଟି ଚକ୍ର ପଥର ଶେଷ ସୀମାକୁ ଯାଇ ଜୟସ୍ତମ୍ଭ ସ୍ପର୍ଶ କଲା ।

 

ଚାହୁଁ ଚାହୁଁ ମେସାଲା ରଥରୁ ତଳେ ଛିଟିକି ପଡ଼ିଲା ଏବଂ ପରମୁହୂର୍ତ୍ତରେ ପଛରୁ ଆସୁଥିବା ତୃତୀୟ ରଥଟି ତାହା ଉପରେ ଚଢ଼ି ଚାଲିଗଲା ।

Image

 

ଲେଖକ ପରିଚୟ

କାଉଣ୍ଟ ଲିଓ ନିକୋଲାଇଭିଚ ଟଲଷ୍ଟୟ

 

ରୁଷୀୟ ସାହିତ୍ୟିକ; ସତ୍ୟଦ୍ରଷ୍ଟା, ଅହିଂସବାଦୀ, ଦେଶ ସେବକ, ବିଶ୍ୱ ପ୍ରେମିକ, ପ୍ରଗତିପନ୍ଥୀ, ସମାଜ ସଂସ୍କାରକ, ରହସ୍ୟବାଦୀ, ଆଭିଜାତ ବଂଶର ସନ୍ତାନ ମହାମାନବ ଟଲଷ୍ଟୟ (୧୮୨୮–୧୯୧୦) ୨ ବର୍ଷ ବୟସରେ ମାତାଙ୍କୁ ଓ ୯ ବର୍ଷରେ ପିତାଙ୍କୁ ହରାଇ ଅଭିଭାବିକା ପିଇସୀର କୋଳରେ ପାରିବାରିକ ଜମିଦାରୀ ୟାସନାୟା ପୋଲ୍ୟନାରେ (ସିରିନ ମେଡ଼ୋ) ଲାଳିତପାଳିତ ହୋଇଥିଲେ । ମାତ୍ର ପିଇସୀର ଅକାଳ ବିୟୋଗ ହୁଅନ୍ତେ ୧୩ ବର୍ଷ ବୟସରେ ତାହାଙ୍କୁ ଆଈମାଆଙ୍କ ପାଖକୁ ମସ୍କୋକୁ ପଠାଇ ଦିଆଯାଇଥିଲା । ସେଠାରେ ସହରର ସାମାଜିକ ପରିବେଶରେ ରହି ସୁଦ୍ଧା ସେ ଉତ୍ତମ ଆଚରଣରେ ବ୍ରତୀ ହୋଇଥିଲେ । କିନ୍ତୁ ସହରବାସୀମାନେ ତାହାଙ୍କ ପ୍ରତି ଘୃଣା ଓ ବିଦ୍ରୂପ ପ୍ରଦର୍ଶନ କରୁଥିଲେ ଏବଂ ସେ କୁକର୍ମରେ ମାତିଲେ ସେମାନେ ତାହାଙ୍କୁ ପ୍ରଶଂସା ଓ ଉତ୍ସାହିତ କରୁଥିଲେ । ୧୫ ବର୍ଷବେଳେ ସେ ଜଣେ ସଚ୍ଚୋଟ ବନ୍ଧୁ ପାଇଲେ, ଯେ ମଣିଷର ଅସ୍ତିତ୍ୱର କାରଣ ସମ୍ୱନ୍ଧରେ ତାଙ୍କର ଅନୁସନ୍ଧାନର ମୁଖ୍ୟ ଉଦ୍ଦେଶ୍ୟ ବୁଝିପାରିଲା । ସେ ସଦାବେଳେ ହୃଦୟଙ୍ଗମ କରୁଥିଲେ, ମଣିଷର ପ୍ରଧାନ ଲକ୍ଷ୍ୟ ହେଉଛି ନୈତିକ ଉତ୍କର୍ଷ ଲାଭ କରିବା । ତତ୍‌କାଳୀନ ଶିକ୍ଷା ପଦ୍ଧତିରେ ବିରକ୍ତି ପ୍ରକାଶ କରି ସେ କାଜାନ ବିଶ୍ୱବିଦ୍ୟାଳୟ ପରିତ୍ୟାଗ କରିଥିଲେ । ୨୩ ବର୍ଷବେଳେ ସେ କସାକ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ ଏବଂ ସେବାଷ୍ଟପୋଲର ଅବରୋଧ ହେତୁ ୧୮୫୫ ମସିହାରେ ତାହାଙ୍କୁ ଏକ ନିରାପଦ ସ୍ଥାନକୁ ପଠାଇ ଦିଆଯାଇଥିଲା । ନିଜର ସାହାସ ଓ ପ୍ରଫୁଲ୍ଲତା ହେତୁ ସେ ସାମରିକ କର୍ମଚାରୀଙ୍କ ଭିତରେ ଅଚିରେ ଜନପ୍ରିୟତା ଅର୍ଜନ କରିଥିଲେ । ସେତିକିବେଳେ ସେ ପ୍ରଥମେ ସାହିତ୍ୟ ରଚନାରେ ପ୍ରବୃତ୍ତ ହୋଇଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ହେଲା ‘ଶୈଶବ’ (୧୮୫୨) । ୧୮୫୪ ମସିହାରେ ‘ସେବାଷ୍ଟପୋଲର କାହାଣୀ’ର ପ୍ରକାଶନ ସଙ୍ଗେ ସଙ୍ଗେ ରୁଷିଆରେ ତାହାଙ୍କୁ ଜଣେ ପ୍ରକୃତ ଲେଖକ ହିସାବରେ ସ୍ୱୀକୃତ ମିଳିଲା । ତା’ପରେ ସେ ଏକାନ୍ତ ଅହିଂସାବାଦୀ ହୋଇ ପଡ଼ିଲେ । ୧୮୬୨ ମସିହାରେ ବିବାହ କରି ସେ ଆପଣା ଜମିଦାରୀ ୟାସନାୟା ପୋଲ୍ୟନାରେ ବାସ କଲେ । ପ୍ରଧାନତଃ କୃଷକ ଓ ଦଳିତ–ନିପୀଡ଼ିତ ଜନତାର ସେବାରେ ସେ ଜୀବନ ଉତ୍ସର୍ଗ କରିଥିଲେ । ଯୁଦ୍ଧର ଭୟାବହତା ଓ ଦରିଦ୍ର ସମାଜ ଦୁଃଖ ଦୈନ୍ୟ ତାଙ୍କର ଦରଦୀ ହୃଦୟକୁ ଏପରି ଆଲୋଡ଼ିତ କରିଥିଲା ଯେ ସେମାନଙ୍କ ବିରୁଦ୍ଧରେ ଦେଶ ବ୍ୟାପୀ ପ୍ରବଳ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ଅକ୍ଳାନ୍ତ ଲେଖନୀ ଚଳାଇଥିଲେ । ଏହିପରି ଭାବରେ ତାଙ୍କର କାଳଜୟୀ ଉପନ୍ୟାସଗୁଡ଼ିକ ଗୋଟିକ ପରେ ଗୋଟିଏ ବିଶ୍ୱ ସାହିତ୍ୟରେ ଅମର ସମ୍ପଦରୂପେ ପରିଗଣିତ ହେଲା । ‘‘ଓୟାର ଆଣ୍ଡ ପିସ୍‌’’ (୧୮୬୪–୬୯), ‘‘ଆନା କାରେନିନା’’ (୧୮୭୩–୭୬) ‘‘ରେସାରେକସା ସାନ’’ ଓ ଅନ୍ୟାନ୍ୟ ବହିସବୁ ପ୍ରାୟ ପୃଥିବୀର ସବୁ ଭାଷାରେ ଅନୂଦିତ ହୋଇ ସାହିତ୍ୟ ରସ ପିପାସୁମାନଙ୍କୁ ନିର୍ମଳ ଆନନ୍ଦ ଓ ଅଶେଷ ତୃପ୍ତି ପ୍ରଦାନ କରିଛି । ‘‘ଯୁଦ୍ଧ ଓ ଶାନ୍ତି’’ରେ ବର୍ଣ୍ଣିତ ରକ୍ତ–ପିଚ୍ଛଳ ରଣାଙ୍ଗନସବୁ ତାଙ୍କର କଳ୍ପନା ପ୍ରସୂତ ନୁହେଁ, ସେଥିରେ ଯୁଦ୍ଧର ନଗ୍ନ ବିଭୀଷିକାର ପ୍ରତ୍ୟକ୍ଷଦର୍ଶୀ ବ୍ୟକ୍ତିଗତ ଅଭିଜ୍ଞତା ଯଥେଷ୍ଟ ପରିମାଣରେ ପ୍ରତିଫଳିତ ହୋଇଛି । ‘‘ରେସାରେକସାନ’’ରେ ରୁଷୀୟ କାରାଗାରର ବିଭତ୍ସସ୍ୱରୂପ ନିର୍ମମ ଭାବରେ ଉଦ୍‌ଘାଟିତ ହୋଇଛି । ଦରିଦ୍ରସମାଜ ଏକ ଦିଗରେ ଜମିଦାରର ଶୋଷଣରେ ଓ ଅନ୍ୟ ଦିଗରେ ରାଷ୍ଟ୍ରର ଶାସନରେ ଯେଉଁ ଅସହାୟ ଅବସ୍ଥାରେ ଦିନକୁ ଦିନ ସାମୂହିକ ଅବକ୍ଷୟର ସମ୍ମୁଖୀନ ହେଉଥିଲା, ସେହିସବୁ ଚିତ୍ର ବିଶଦ ଭାବରେ ଅଗ୍ନିକ୍ଷରା ଲେଖନୀର ମୁନରେ ଅଙ୍କିତ ହୋଇଛି । ପ୍ରେମରେ ବ୍ୟର୍ଥ ହୋଇ ଜଣେ ନାରୀ ଚଳନ୍ତା ରେଳଗାଡ଼ିତଳେ ମୁଣ୍ଡ ରଖିଥିଲା । ସେହି ସତ୍ୟ ଘଟଣାକୁ ଭିତ୍ତି କରି ନିପୁଣ ଶିଳ୍ପୀ ଟଲଷ୍ଟୟ ‘‘ଆନା କାରେନିନା’’ ଲେଖିଥିଲେ, ଯେଉଁଥିରେ, ତାଙ୍କର କୁଶଳତା ମହତ ଶିଳ୍ପ କର୍ମ ଓ ଉଚ୍ଚ ସମାଜ ଚେତନାରେ ନିହିତ, ଏବଂ ଯାହାର ଆବେଦନ ନିଖିଳ ମାନବ ମନର ଦରବାରରେ । ତାଙ୍କର ଆଧ୍ୟାତ୍ମିକ ଅନୁଭୂତିର ଅଭିନବ ଅପରୂପ ପ୍ରକାଶ ଘଟିଛି ସାର୍ଥକ କାହାଣୀଗୁଡ଼ିକରେ, ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଓ ଗଭୀରତାରେ ଯାହାର ତୁଳନା ଅନ୍ୟ କେଉଁଠି ମିଳେ ନାହିଁ, କେବଳ ବୌଦ୍ଧ ଜାତକ ଓ ବାଇବେଲ ଛଡ଼ା ।

 

ତାଙ୍କର ପତ୍ନୀ ଟିକିଏ ମୁଖରା ଥିବାରୁ, ସାହିତ୍ୟ ସାଧକଙ୍କର ପାରିବାରିକ ଜୀବନ ସର୍ବୋଦୌ ସୁଖକର ନଥିଲା । ଶେଷ ଜୀବନରେ ସତ୍ୟର ସନ୍ଧାନରେ ଗୃହ ତ୍ୟାଗ କରି ସେ ଅଷ୍ଟାପୋଭୋ ରେଳ ଷ୍ଟେସନରେ ୧୯୧୦ ମସିହା ନଭେମ୍ୱର ୨୦ ତାରିଖରେ ଇହଲୀଳା ସମ୍ୱରଣ କରିଥିଲେ । ସାହିତ୍ୟ ମଧ୍ୟରେ ଧର୍ମର ଶାଶ୍ୱତ ବାର୍ତ୍ତା ପ୍ରକାଶ କରିଥିବାରୁ, ସେ ଜନସମାଜଦ୍ୱାରା ଜଣେ ଋଷି ବୋଲି ଅଭିନନ୍ଦିତ ହୁଅନ୍ତି । ତାଙ୍କର ଅନ୍ୟାନ୍ୟ ପ୍ରଧାନଗ୍ରନ୍ଥ–‘‘କସାକସ’’ ‘‘ଇନ୍‌ଭେଡ଼ର୍‌ସ’’, ‘‘ଆନା କାରେନିନା’’ (୧୮୭୩–୭୬), ‘‘ଯୌବନ’’, ‘‘ରେସାରେକସାନ’’, ‘‘ମାଇଁ ଇନ୍‌ଫେସନ’’, ‘‘କ୍ରୁଇଜାର ସୋନାଟା’’, ‘କଳା କଅଣ’’, ଇତ୍ୟାଦି ।

 

ସଂକ୍ଷିପ୍ତ ଉପନ୍ୟାସ : ‘‘ଓୟାର ଆଣ୍ଡ ପିସ’’

 

ତ୍ରିପୁରାନେନି ଗୋପୀଚାନ୍ଦ :

 

ଆନ୍ଧ୍ରପ୍ରଦେଶରେ ବିଶିଷ୍ଟ ସାହିତ୍ୟିକ ତ୍ରିପୁରାନେନି ଗୋପୀଚାନ୍ଦ (୧୯୧୦–୬୪) କୃଷ୍ଣା ଜିଲ୍ଲାର ରାମପୁରମ ଠାରେ ୧୯୧୦ ମସିହାରେ ଅଗଷ୍ଟ ୯ ତାରିଖରେ ଜନ୍ମ ଗ୍ରହଣ କରି, ଆନ୍ଧ୍ର ଓ ମାନ୍ଦ୍ରାଜ ବିଶ୍ୱ ବିଦ୍ୟାଳୟରୁ କଳା ଓ ଆଇନରେ ଡିଗ୍ରୀ ଲାଭ କରିଥିଲେ । ସେ ତେଲୁଗୁ ସାହିତ୍ୟର ବିଭିନ୍ନ ବିଭାଗକୁ ସ୍ୱରଚିତ କାହାଣୀ, ଉପନ୍ୟାସ, ପ୍ରବନ୍ଧ ଓ ନାଟକଦ୍ୱାରା ସମୃଦ୍ଧ କରିଛନ୍ତି । ମୁଖ୍ୟତଃ ସେ ଜଣେ ଯଶସ୍ୱୀ କଥାକାର ଥିଲେ । ତାଙ୍କର ସରସ କଥାଗୁଡ଼ିକ ଦୁଇଖଣ୍ଡରେ ପ୍ରକାଶିତ ହୋଇଛି । ସେ କିଛି କାଳ ଆକାଶ ବାଣୀରେ କାର୍ଯ୍ୟ କରିଥିଲେ । ୧୯୬୩ ମସିହାରେ ତାଙ୍କର ଜନପ୍ରିୟ ଉପନ୍ୟାସ ‘‘ପଣ୍ଡିତ ପରମେଶ୍ୱର ଶାସ୍ତ୍ରୀ ଭିଲୁ ନାମା’’ ନିମନ୍ତେ ସେ ଭାରତୀୟ ସାହିତ୍ୟ ଏକାଡ଼େମୀ ଠାରୁ ପୁରସ୍କାର ଲାଭ କରିଥିଲେ । ତାଙ୍କର ପ୍ରାୟ ୨୦ ଖଣ୍ଡରୁ ଅଧିକ ପ୍ରକାଶିତ ପୁସ୍ତକ ମଧ୍ୟରୁ ପ୍ରଧାନ କେତୋଟି ହେଲା–‘‘ଭାରୟାଲୋନ ଭୁନ୍ନାଡ଼ି’’, ‘‘ଦେଶମ ଏମାୟେତାତ୍ତୁ’’, ‘‘ପରିବର୍ତ୍ତନ’’, ‘‘ଅଭାଗିନୀ’’, ‘‘ପୋସ୍ତୁ ଛେୟାନି ଉଭାରଲୁ’’, ‘‘ଗୋପୀଚାନ୍ଦ କଥାଲୁ’’, ଇତ୍ୟାଦି ।

 

ସଂକ୍ଷିପ୍ତ ଉପନ୍ୟାସ : ‘‘ଅକ୍ଷମର ଜୀବନ ଯାତ୍ରା’’

Image